Unknown

 

 

 

 

 

 

 

 

 

 

ଛାତ୍ର ପ୍ରଦୀପ

ଶ୍ରୀ ବକଳିଚରଣ ସାହୁ

 

ଅବସର ପ୍ରାପ୍ତ ରିଡ଼ର୍‌

ଶ୍ରୀଯୁକ୍ତ ପୀତାମ୍ବର ପ୍ରଧାନଙ୍କ ଅଭିମତ–

 

ଆଧୁନିକ ଛାତ୍ର-ସମାଜ ବହୁ ଦିଗରୁ ପଥହରା । ତା’ ସମ୍ମୁଖରେ ନିର୍ଦ୍ଦିଷ୍ଟ ନୀତି, ଆଦର୍ଶ ବା ନିୟାମକ ବୋଲି କିଛି ନାହିଁ । ଚୈତ୍ତିକ ସଙ୍କଟର ଏ ଦୁର୍ଦ୍ଦିନରେ ଶ୍ରୀମୀନ୍ ବିକଳି ଚରଣଙ୍କର ‘ଛାତ୍ର-ପ୍ରଦୀପ’ –ସନ୍ନିବେଶିତ ରଚନାଗୁଡ଼ିକର ମୂଲ୍ୟ ତେଣୁ ଯଥେଷ୍ଟ । ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପ୍ରବନ୍ଧଗୁଡ଼ିକ ସରସ ଓ ଶିକ୍ଷାପ୍ରଦ । କୋମଳମତି ଛାତ୍ର ଛାତ୍ରୀମାନଙ୍କ ପାଇଁ ଏଗୁଡ଼ିକରେ ବହୁ ଉପାଦେୟ ତଥ୍ୟ ନିହିତ ରହିଛି ।

 

ଅବଶ୍ୟ ସ୍ଥଳ ବିଶେଷରେ ଉଦ୍ଧୃତି-ବାହୁଲ୍ୟ, କେତେକ ରଚନାର ପ୍ରାଣହାନୀ ଘଟାଇ ଥିବାର ଆଶଙ୍କା ପ୍ରକାଶ ପାଏ । ସଂଶୋଧନ କାଳରେ ଏଭଳି ଅନେକ ଛାତ୍ରକୁ ମୁଁ ଯଥା ସମ୍ଭବ ଅଦଳ ବଦଳ ଓ ଘଷାମଜା କରି ଦେଇଛି । ଲେଖକୀୟ ଭାବ ପ୍ରବଣତା ଓ ସ୍ପର୍ଶ କାତରତାରେ ଆଞ୍ଚ୍‌ ନଆଣି ଏହା କଲାବେଳେ କେତେକ ସ୍ଥଳରେ ମୂଳ ଉଦ୍ଧୃତିଗୁଡ଼ିକୁ ମୁଁ ଅବିକ୍ଷତ ଭାବରେ ଛାଡ଼ି ଦେବାକୁ ବାଧ୍ୟ ହୋଇଛି ।

 

ଲେଖକଙ୍କର ଅତୀତର ସାହିତ୍ୟ ସାଧନାରେ ‘ଛାତ୍ର-ପ୍ରଦୀପ’ ଏକ ନୂତନ ପ୍ରଦୀପ ଜାଳିଛି । ଏ ଦୀପାୟନ ଏ ଦେଶର ଛାତ୍ରଛାତ୍ରୀ ମାନଙ୍କୁ ନବ ଦିଗନ୍ତର ସନ୍ଧାନ ଦେଉ, ଏହାହିଁ ମୋର ଆନ୍ତରିକ କାମନା ।

 

‘‘ଶିବରାତ୍ରି’’

ପିତାମ୍ବର ପ୍ରଧାନ

ତା ୨୨ । ୨ । ୮୩

ଅବସର ପ୍ରାପ୍ତ ରିଡ଼ର୍‌

ପଥଚ୍ଛାୟା, ଡିହବଳରାମପୁର

ଓଡ଼ିଶା-ଶିକ୍ଷା ବିଭାଗ

Image

 

–ମୁଖବନ୍ଧ–

 

ଶ୍ରୀ ବିକଳିଚରଣ ସାହୁ ଜଣେ ଆଦର୍ଶ ଶିକ୍ଷକ; ପ୍ରାଚୀନ ମୂଲ୍ୟବୋଧକୁ ଆଖିଆଗରେ ରଖି ସେ ଛାତ୍ରମାନଙ୍କ ଜୀବନ ଗଠନରେ ପ୍ରୟାସୀ । ଛାତ୍ର ଜୀବନରେ ଯେଉଁଠି ଅନ୍ଧକାର ଲକ୍ଷ୍ୟ କରିଛନ୍ତି, ସେ ଦୂର କରିବା ଲାଗି ଚେଷ୍ଟିତ ହୋଇଛନ୍ତି । ସଦ୍‌ ଜୀବନ ଗଠନ ବିଷୟକ ବିବିଧ ଚିନ୍ତା ’ଛାତ୍ର-ପ୍ରଦୀପ’ ପୁସ୍ତକରେ ଉଲ୍ଲିଖିତ ହୋଇଅଛି । କୁସଙ୍ଗରେ ପଡ଼ି ବିପଥଗାମୀ ହେଉଥିବା ଛାତ୍ରର ପଥପ୍ରଦର୍ଶକ ଭାବେ ଏହା କାର୍ଯ୍ୟ କରିବ । ବିଭିନ୍ନ ଉଦ୍ଧୃତି ଦେଇ ସେ ନିଜ ବକ୍ତବ୍ୟକୁ ସ୍ପଷ୍ଟତର କରିଛନ୍ତି । ସ୍କୁଲ ପାଠାଗାର ଲାଗି ଏହା ଖଣ୍ଡିଏ ଉପଯୋଗୀ ପୁସ୍ତକ ।

 

ଲୋକରତ୍ନ ଡକ୍‌ଟର କୁଞ୍ଜ ବିହାରୀ ଦାଶ

ତା ୨୩ । ୨ । ୮୩

Image

 

ପଦ୍ମଭୁଷଣ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ

ଲେଖନୀରୁ ନିସୃତ–

 

‘ଛାତ୍ର’ ବା ‘ଛାତ୍ରୀ’ଙ୍କୁ ବୁଝାଇ ଥାଏ ଛତ୍ରଧାରୀ ହୋଇ ଖରା ବର୍ଷା ତୋଫାନ ଘଡ଼ଘଡ଼ିରୁ ନିଜକୁ ତଥା ଅନ୍ୟମାନଙ୍କୁ ରକ୍ଷା କରିଥାନ୍ତି ସେମାନେ ।

 

ଶ୍ରୀ ବିକଳିଚରଣ ସାହୁଙ୍କ ରଚିତ ‘‘ଛାତ୍ର-ପ୍ରଦୀପ’’ ପୁସ୍ତକଟି ପଢ଼ି ଏହି ଧାରଣାହିଁ ଅଧିକ ଦୃଢ଼ୀଭୂତ ହୁଏ । ଲେଖକଙ୍କର ଲେଖନୀ ଆହୁରି ବେଶୀ ସଂଖ୍ୟକ ଶିଶୁ ସାହିତ୍ୟ ରଚନାରେ ବ୍ରତୀ ହେଉ, ଏହାହିଁ ମୋର ଆନ୍ତରିକ ଶୁଭେଚ୍ଛା ।

 

‘‘ସ୍ୱପ୍ନପୁରୀ’’

ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରହୀ

ପୀଠାପୁର, କଟକ

ତା ୨୩ । ୨ । ୧୯୮୩ ।

Image

 

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି

ଶ୍ରୀଯୁକ୍ତ ରଜତ କୁମାର କରଙ୍କ ମତ–

 

‘ଛାତ୍ର-ପ୍ରଦୀପ’ର ରଚୟିତା ଶ୍ରୀ ବିକଳିଚରଣ ସାହୁଙ୍କ ରଚନା ପାଠ କଲି । ଧର୍ମ, କର୍ମ, କ୍ଷମା ପ୍ରଭୃତି ବିଭିନ୍ନ କ୍ଷୁଦ୍ର ପ୍ରବନ୍ଧ ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କୁ ନୀତି ଶିକ୍ଷା ଦେବାକୁ ଲେଖକ ଯତ୍ନ କରିଛନ୍ତି । ତାଙ୍କର ଏ ଉଦ୍ୟମ ପାଇଁ ସାଧୁବାଦ ଜଣାଉଛି ।

 

 

ରଜତ କୁମାର କର

ତା ୨୩ । ୨ । ୮୩

ଉପସଭାପତି,

 

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Image

 

କଟକ ଜିଲ୍ଲା ସ୍ପେସାଲ ଅଫିସର

ଶ୍ରୀଯୁକ୍ତ ନକୁଳ ଚନ୍ଦ୍ର ରାଉତଙ୍କ ମନ୍ତବ୍ୟ–

 

ଶ୍ରୀ ବିକଳିଚରଣ ସାହୁଙ୍କ ଲିଖିତ ‘ଛାତ୍ର-ପ୍ରଦୀପ’ ପ୍ରବନ୍ଧ ଆମୂଳଚୂଳ ପଢ଼ିବାର ସୁଯୋଗ ପାଇଲି । ସ୍କୁଲ କଲେଜର ଛାତ୍ରଛାତ୍ରୀଗଣ ଜୀବନର ଆରମ୍ଭରୁ ଯେପରି ଭଲ ବାଟରେ ଯିବେ–ଏଇ ଚିନ୍ତାଧାରାକୁ ଆଖି ଆଗରେ ରଖି ଧର୍ମ, କର୍ମ, ଦୟା, କ୍ଷମା, ଧୈର୍ଯ୍ୟ, ତ୍ୟାଗ, ଖାଦ୍ୟ, ପୋଷାକ, ପ୍ରାର୍ଥନା, ଚରିତ୍ର, ଏକତା, ସହିଷ୍ଣୁତା ଓ ସେବା ପ୍ରଭୃତି ବିବିଧ ମହନୀୟ ବିଷୟଗୁଡ଼ିକୁ ସରଳ ଭାଷା ଓ ସୁନ୍ଦର ସୁନ୍ଦର ଉଦାହରଣ ମାଧ୍ୟମରେ ସଂକ୍ଷେପରେ ସେ ପ୍ରାଶ କରି ଅଛନ୍ତି ।

 

ସ୍କୁଲ ଓ କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନ ବ୍ୟତୀତ ଆମ ଓଡ଼ିଶାର ମଫସଲ ଗାଁ ଗହଳି ଗୁଡ଼ିକରେ ଅନୁଷ୍ଠିତ ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ ଯଥା–ପାଠାଗାର, ଯୁବକସଂଘ, ମହିଳା ସମିତି, ଶିଶୁ କଲ୍ୟାଣ କେନ୍ଦ୍ର ତଥା ପୁଷ୍ଟିକର ଭୋଜନ କେନ୍ଦ୍ର ପ୍ରଭୃତିରେ ଏ ବହିର ଆବଶ୍ୟକତା ଯଥେଷ୍ଟ ଅଛି ।

 

ଏ ଧରଣର ବହି ଆମ ଓଡ଼ିଆ ଭାଷାରେ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ମୋ ନଜରକୁ ଆସିନାହିଁ । କେବଳ ଛାତ୍ରଛାତ୍ରୀ କାହିଁକି, ଜନସାଧାରଣ ପ୍ରତ୍ୟେକଙ୍କ ହାତରେ ଏ ବହିରୁ ଖଣ୍ଡେ ଲେଖାଏଁ ରହିବା ମୁଁ ଅନୁଭବ କରୁଛି ।

 

ଲେଖକ ଏହିଭଳି ସଦ୍‌ଗ୍ରନ୍ଥମାନ ପ୍ରଣୟନ କରି ଦେଶ ଓ ଦଶର କଲ୍ୟାଣ ଭାଜନ ହୁଅନ୍ତୁ–ଏହା ମୋର ଈଶ୍ୱରଙ୍କଠାରେ ପ୍ରାର୍ଥନା ।

 

 

ଶ୍ରୀ ନକୁଳ ଚନ୍ଦ୍ର ରାଉତ

ତା ୨୪ । ୨ । ୮୩

ଜିଲ୍ଲା ସ୍ପେସାଲ ଅଫିସର,

 

ଫିଡ଼ିଂ ପ୍ରୋଗ୍ରାମ, କଟକ

Image

 

ଦ୍ୱିତୀୟ ସଂସ୍କରଣ ପାଇଁ ପଦେ–

 

ଛାତ୍ର-ଛାତ୍ରୀଙ୍କ ଜୀବନ ଉତ୍ତମ ରୂପେ ଗଠନ ପାଇଁ ମୋ ଲିଖିତ ‘ଛାତ୍ର-ପ୍ରଦୀପ’ର ପାଣ୍ଡୁଲିପି ପ୍ରଥମବାର ପ୍ରକାଶନ ନିମିତ୍ତ ଆମ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, କ୍ରୀଡ଼ା ଓ ସାଂସ୍କୃତିକ ବ୍ୟାପାର ବିଭାଗ ତଥା ମୋର କେତେଜଣ ହିତୈଷୀ ବଂଧୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ବହିର ଉପାଦେୟତା ଅନୁଭବ କରି କଟକ ଜିଲ୍ଲା ସ୍ପେସାଲ ଅଫିସର ଶ୍ରୀଯୁକ୍ତ ନକୁଳଚନ୍ଦ୍ର ରାଉତ ଓ ବାଲ୍ୟବଂଧୁ କଟକ ଜିଲ୍ଲା ମ୍ୟୁନ୍‌ସିପାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହ୍ଲାଦ ଚନ୍ଦ୍ର ଦାସଙ୍କ ଉତ୍ସାହ ଓ ପ୍ରେରଣା ବଳରେ ଅତି କମ୍ ସମୟ ଭିତରେ ଅତି ତରବରରେ ଦ୍ୱିତୀୟବାର ପ୍ରକାଶ ପାଉଛି ।

 

ଶାରୀରିକ ଅସୁସ୍ଥତା ଯୋଗୁ ନିଜେ ମୁଦ୍ରଣାଳୟରେ ଉପସ୍ଥିତି ହୋଇ ପ୍ରୁଫ୍‌ କରିବା କାର୍ଯ୍ୟ ମୋ ପକ୍ଷରେ ସମ୍ଭବପର ହୋଇ ପାରିନାହିଁ; ତେଣୁ ବହିର କେତେକ ସ୍ଥଳରେ ମୁଦ୍ରଣଜନିତ ତ୍ରୁଟି ରହିଯାଇଅଛି । ଦୁଃଖର ସହିତ ଜଣାଉ ଅଛିକି, ଏ ପୁସ୍ତକର ଶେଷରେ ଦିଆ ଯାଇଥିବା ଶୁଦ୍ଧି ପତ୍ର ସହିତ ମିଳାଇ ନେଇ ପାଠକ ପାଠିକାଗଣ ପାଠ କରିବାକୁ ଅନୁରୋଧ । ଇତି ।

 

ବିନୀତ

ଲେଖକ

Image

 

ସୂଚୀପତ୍ର

 

୧.

ଉପକ୍ରମ

୨.

ଧର୍ମ

୩.

କର୍ମ

୪.

କାମ

୫.

କ୍ରୋଧ

୬.

ଲୋଭ

୭.

ଗର୍ବ

୮.

ଦୟା

୯.

କ୍ଷମା

୧୦.

ଧୈର୍ଯ୍ୟ

୧୧.

ତ୍ୟାଗ

୧୨.

ଲଜ୍ଜା

୧୩.

ଖାଦ୍ୟ

୧୪.

ପୋଷାକ

୧୫.

କ୍ରୀଡ଼ା

୧୬.

ପ୍ରାର୍ଥନା

୧୭.

ବିନୟ

୧୮.

ଆଳସ୍ୟ

୧୯

ବିଳାସ

୨୦.

ଚରିତ୍ର

୨୧.

ବନ୍ଧୁତା

୨୨.

ଏକତା

୨୩.

ବିଶ୍ୱାସ

୨୪.

କାମନା

୨୫.

ବିଶ୍ରାମ

୨୬.

ସମ୍ମାନ

୨୭.

ସହିଷ୍ଣୁତା

୨୮.

ଅଧ୍ୟୟନ

୨୯.

ପର୍ଯ୍ୟଟନ

୩୦.

ସତ୍‌ସଙ୍ଗ

୩୧.

ପରୋପକାର

୩୨.

ପରିବାର

୩୩.

ନୀରବତା

୩୪.

ମାଦକ ଦ୍ରବ୍ୟ

୩୫.

ମିତବ୍ୟୟିତା

୩୬.

ସମାଜ ସେବା

୩୭.

ଅତିଥି ସେବା

୩୮.

ପିତୃଭକ୍ତି

୩୯

ମାତୃଭକ୍ତି

୪୦.

ଗୁରୁଭକ୍ତି

୪୧.

ଇଶ୍ୱର ଭକ୍ତି

୪୨.

ବ୍ରହ୍ମଚର୍ଯ୍ୟ

୪୩.

ଉପସଂହାର

Image

 

ଉପକ୍ରମ

 

ପ୍ରଥମେ ଆମେ କୌଣସି ସ୍ଥାନରେ ନୂଆ ଘରଟିଏ ତିଆରି କରବାକୁ ଗଲେ ଉଚ୍ଚ ଭୂମି ଓ ମଜଭୁତ ମୂଳଦୁଆ ପ୍ରସ୍ତୁତ କରୁ । କାହିଁକିନା ମୂଳଦୁଆ ନୀଚା ଓ ଦୁର୍ବଳ ଥିଲେ ତିଆରି ହେବାକୁ ଯାଉଥିବା ଘର ଭବିଷ୍ୟତରେ ଭୁଷୁଡ଼ି ପଡ଼ିପାରେ । ଫଳରେ ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଏ । ଠିକ୍ ସେହିପରି ମନୁଷ୍ୟ ଜୀବନର ମୂଳଦୁଆ ସଦୃଶ ଛାତ୍ର ଜୀବନର ଶିକ୍ଷାରେ ଦୁର୍ବଳତା ବା ଦୋଷ ତ୍ରୁଟି ଥିଲେ ପରବର୍ତ୍ତୀ ଜୀବନ ଭୀଷଣ ଦୁଃଖମୟ ହୁଏ, ଅଶାନ୍ତିରେ ସମୟ ଅତିବାହିତ ହୁଏ । ତେଣୁ ଭବିଷ୍ୟତ ଜୀବନକୁ ସୁଖମୟ କରିବା ପାଇଁ ଛାତ୍ର ଜୀବନ ହିଁ ଏକମାତ୍ର ଅବସ୍ଥା, ଯାହା ଭବିଷ୍ୟତ ଜୀବନ ସୌଧ ଗଠନ ପଥରେ ବିଶେଷ ସହାୟକ ହୋଇଥାଏ ।

 

ପୁଣି କୁମ୍ଭାର ନରମ ମାଟିରେ ହାଣ୍ଡି ମାଠିଆ ପ୍ରଭୃତି ଗଢ଼ିବା ସମୟରେ ଯଦି ଭଲ ଭାବରେ ତିଆରି କରି ନଥାଏ କିମ୍ବା ଅସାବଧାନତା ବଶତଃ ବଙ୍କା ବଙ୍କି ହୋଇଯାଇଥାଏ ତେବେ ଲୋକେ କିଣିବା ବେଳେ ଏଭଳି ପଦାର୍ଥକୁ ଆଦର କରି ନଥାନ୍ତି । କିନ୍ତୁ ସେତେବେଳେ କୁମ୍ଭାର ଜାଣିଲେ ମଧ୍ୟ ବଙ୍କା ବଙ୍କି ଜିନିଷକୁ ସଳଖ ସୁନ୍ଦର କରିବାକୁ ସଂପୂର୍ଣ୍ଣ ଅସମର୍ଥ ହୋଇଥାଏ । କାରଣ ନରମ ମାଟି ନିଆଁରେ ପୋଡ଼ି ହୋଇ ବଡ଼ ଟାଣ ହୋଇ ଯାଇଥାଏ । ତାକୁ ପରିବର୍ତ୍ତନ କରିବାପାଇଁ କାହାରି ଆୟତ୍ତ ନଥାଏ । ଠିକ୍‌ ଛାତ୍ର ଜୀବନ କଂଚା ହାଣ୍ଡି ପରି । ଶିକ୍ଷକ, ପିତାମାତା ତଥା ଗୁରୁଜନମାନେ ଛାତ୍ର ଛାତ୍ରୀମାନଙ୍କୁ କଂଚା ହାଣ୍ଡି ପରି ଯେମିତି ଗଢ଼ିବେ ପରବର୍ତ୍ତୀ ଜୀବନରେ ସେମାନେ ସେହିପରି ବାହାରିବେ ।

 

ମଣିଷ କୌଣସି ସୁଗୁଣ ଆୟତ୍ତ କରିବାକୁ ଚେଷ୍ଟା କଲେ ତାହା ତାକୁ ବଡ଼ କଷ୍ଟ ଦାୟକ ହୋଇଥାଏ । ହେଲେହେଁ ଭବିଷ୍ୟତ ଜୀବନକୁ ସୁନିୟନ୍ତ୍ରିତ କରିବା ପାଇଁ ପ୍ରଥମେ ଦୁଃଖ କଷ୍ଟ ସହିଲେହେଁ ପରବର୍ତ୍ତୀ ଜୀବନ ସୁନ୍ଦର ଓ ଅମୃତମୟ ହୁଏ । ତେଣୁ ମଣିଷ ଜୀବନର ପ୍ରତ୍ୟେକ ଭଲ ଗୁଣ ଛାତ୍ର ଜୀବନରୁ ହିଁ ଶିଖିବା ପାଇଁ ଅଭ୍ୟାସ କରିବା ଉଚିତ୍ ।

Image

 

ଧର୍ମ

 

ପୃଥିବୀରେ ସୃଷ୍ଟି ହୋଇଥିବା ପ୍ରାଣୀମାନଙ୍କ ମଧ୍ୟରେ ବୁଦ୍ଧି, ବିବେକ ଓ ଜ୍ଞାନ ପ୍ରଭୃତି ବିଶିଷ୍ଟ ଗୁଣର ଅଧିକାରୀ ହୋଇଥିବାରୁ ମନୁଷ୍ୟ ହିଁ ଶ୍ରେଷ୍ଠ ବୋଲି ବିବେଚିତ । ତେବେ ମାନବ ସମାଜରେ ପରିଦୃଷ୍ଟ ହେଉଥିବା ସମସ୍ତ ମଣିଷଙ୍କୁ ମଣିଷ କୁହାଯାଇ ନପାରେ । ସେମାନଙ୍କ ମଧ୍ୟରୁ ଅନେକ ହାତ, ପାଦ, ଓ ମସ୍ତକ ପ୍ରଭୃତି ଅଙ୍ଗପ୍ରତ୍ୟଙ୍ଗ ଧାରଣ କରିଥିବା ପଶୁ ତୁଲ୍ୟ ନିର୍ବୋଧ । ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି–

 

‘‘ଯେଷାଂ ନ ବିଦ୍ୟା ନ ତପୋ ନଦାନଂ

ନଚାପି ଶୀଳ ନଗୁଣୋ ନ ଧର୍ମଃ

ତେ ମୃତ୍ୟୁ ଲୋକେ ଭୁବି ଭାରଭୂତା

ମନୁଷ୍ୟ ରୂପେଣ ମୃଗାଶ୍ଚରନ୍ତି ।’’

 

ପୁଣି ଏ ସଂପର୍କରେ ଭକ୍ତ କବି ମଧୁସୂଦନ ଗାଇଛନ୍ତି–

 

‘‘ବୃଥା ଜୀବନ ଯହିଁ ନାହିଁ ଧରମ

ପଶୁଲୀଳା ସାଧନ ମାତ୍ର କରମ ।’’

 

ଆଗକାଳରେ ଗୁରୁକୁଳାଶ୍ରମ ପରି ଆଜିକାଲି ସାଧାରଣତଃ ଛାତ୍ର ଛାତ୍ରୀମାନେ ବିଦ୍ୟାଧ୍ୟୟନ କରି ଭବିଷ୍ୟତ ଜୀବନକୁ ସରସ ଓ ସୁଖମୟ କରିବାକୁ ବ୍ରତୀ ହୋଇଥାନ୍ତି । ଧର୍ମ ସଂପର୍କରେ ନାନା ପ୍ରକାର ଶିକ୍ଷା ଶିକ୍ଷାଳୟମାନଙ୍କରେ ପ୍ରଦାନ କରାଯିବାର ସଧାରଣ ବିଧି ଅଛି । କେବଳ ଉତ୍ତମ ଛାତ୍ରଗଣ ହିଁ ଧର୍ମ ଶିକ୍ଷା ପ୍ରତି ମନ ବଳାଇ ଭବିଷ୍ୟତରେ ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତି ।

 

ଆଜିକାଲି ବିଜ୍ଞାନ ଯୁଗରେ ଖୁବ୍ କମ୍ ଛାତ୍ର ଧର୍ମ ପ୍ରତି ଆକୃଷ୍ଟ ହେଉ ଅଛନ୍ତି । କେହି କେହି ମତ ବ୍ୟକ୍ତ କରନ୍ତି ଯେ ମନୁଷ୍ୟର ବାର୍ଦ୍ଧକ୍ୟ ଅବସ୍ଥାରେ ଧର୍ମ କର୍ମ କରିବା ଉଚିତ । କିନ୍ତୁ ଦେଖାଯାଇଥାଏ ସେ ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ବହୁବ୍ୟକ୍ତି ମୃତ୍ୟୁ ମୁଖରେ ପତିତ ହୋଇଥାନ୍ତି । ଏଥିପାଇଁ କବି ଭକ୍ତ ଚରଣ ଦାସ ‘ମନବୋଧ ଚଉତିଶା’ ରେ ଲେଖିଛନ୍ତି–

 

‘‘ଯମ ଯେ ନଜାଣଇ ବାଳୁତ ଯୁବା

ଜୀଇବୁ ବୋଲି ମନେ କରିଛୁ ଅବାରେ

ଧର୍ମ ଅଧର୍ମ କଥା ନଜାଣୁ ତୁହି

ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁରେ

ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ

ଧର୍ମରେ ଆତ ଯାତ ହେଉଛି ମହୀରେ ।’’

 

ଉଇ ଯେପରି ଆନନ୍ଦ ଓ ନିରାପଦରେ ରହିବା ପାଇଁ ଘର ତିଆରିରେ ଲାଗିଥାଏ, ଯେତେ ବିପଦ ଆପଦ ପଡ଼ିଲେବି ସେ କାର୍ଯ୍ୟରୁ ବିରତ ହୁଏ ନାହିଁ, ସେହିପରି ଭାବନା ହୃଦୟରେ ପୋଷଣ କରି ଧର୍ମ ଆଡ଼କୁ ମନ ଦେବା ଉଚିତ୍ । କବି ମଧୁସୂଦନଙ୍କ ଭାଷାରେ–

 

‘‘ବାଲ୍ୟ କାଳୁ ଧର୍ମ- ଧନ ମୁଁ ସଂଚିବି

ଏ ଜୀବନ ଅନିଶ୍ଚିତ

କେ ଜାଣେ କାହାର ଆଜି ମୃତ୍ୟୁକାଳ

ହୋଇଯିବ ଉପସ୍ଥିତ ।’’

 

ଧର୍ମ ହିଁ ମନୁଷ୍ୟ ଓ ପଶୁଙ୍କୁ ତଫାତ କରି ରଖିଛି । ଏହା ବିନା ଉଭୟେ ସବୁଥିରେ ସମାନ । ଯାହାକି–

 

“ଆହାର ନିଦ୍ରା ଭୟ ମୈଥୁନଞ୍ଚ

ସାମାନ୍ୟ ମେତତ୍‌ ପଶୁଭିଃ ନରାଣାଂ

ଧର୍ମୋହି ତେଷାମଧିକ ବିଶେଷ୍ୟ

ଧର୍ମେଣ ହୀନା ପଶୁଭିଃ ସମାନା ।’’

 

ଆହାର, ନିଦ୍ରା, ଭୟ, ମୈଥୁନ–ଏଇ ଚାରୋଟି କର୍ମ ମନୁଷ୍ୟ ଏବଂ ପଶୁ ଉଭୟଙ୍କର ଅଛି । କିନ୍ତୁ ଧର୍ମ ହେଉଛି ମନୁଷ୍ୟର ଆଉ ଏକ ବିଶିଷ୍ଟ ଗୁଣ । ଧର୍ମ ହୀନ ମନୁଷ୍ୟ ପଶୁ ସହିତ ସମାନ ।

 

ଏଥିପାଇଁ ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତରେ ଲେଖିଛନ୍ତି–

 

‘‘ଧନ ଅର୍ଜନେ ଧର୍ମ କରି

ଧର୍ମେ ପ୍ରାପତ ନରହରି ।”

 

ଦୁନିଆରେ ସମସ୍ତେ ଧର୍ମ କାର୍ଯ୍ୟ ପରିହାର କରି ପାପ ପ୍ରତି ମନୋନିବେଶ କଲେ ବିଶ୍ୱ ନିୟନ୍ତା ଭଗବାନ ବିଚଳିତ ହୋଇ ପଡ଼ନ୍ତି । କାଳ ବିଳମ୍ବ ନକରି ନିଜେ ମାନବ ରୂପ ଧାରଣ ପୂର୍ବକ ଦୁଷ୍ଟ ଦଳନ କରି ପୃଥିବୀରେ ଶାନ୍ତି ସ୍ଥାପନ କରନ୍ତି । ଏଥିପାଇଁ ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି–

 

‘‘ପରିତ୍ରାଣାୟ ସାଧୂନାଂ ବିନାଶାୟଚ ଦୁଷ୍କୃତାଂ

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।’’

 

ଧର୍ମ ସଂପର୍କରେ ଶ୍ରୀମତୀ ମୁକ୍ତାମାଳୀ ଦେବୀଙ୍କ ‘ସତ୍‌ସଙ୍ଗମାଳା’ରେ ଲେଖାଅଛି–

 

‘‘ଜୀବନ ବ୍ୟାପୀ ପରିଶ୍ରମ କରି ନାନା ଉପାୟରେ ଯାହା ରୋଜଗାର କରିଥିବ, ସେ ଧନ, ସଂପତ୍ତି ଓ ପରିବାର ବର୍ଗ ସବୁ ଏଇଠାରେ ରହିଯିବେ । ଯାହାଙ୍କ ତୁଷ୍ଟି ନିମନ୍ତେ ଅଜସ୍ତ୍ର ପାପ ଓ ଅନ୍ୟାୟ କରୁଅଛ । ସେ ସମସ୍ତଙ୍କୁ ଛାଡ଼ି ଅନ୍ୟତ୍ର ଯିବାକୁ ତୁମ୍ଭେ ଏକାନ୍ତ ବାଧ୍ୟ ହେବ । ସ୍ତ୍ରୀ ପ୍ରଭୃତି କେହିହେଲେ ତୁମ୍ଭର ଅନୁଗାମୀ ହୋଇ ପାରିବେ ନାହିଁ । କେବଳ ସ୍ୱୋପାର୍ଜିତ ଧର୍ମ ଓ ପାପ ତୁମ୍ଭର ସାଥି ହେବ । ଏଥିପାଇଁ ଭାଇ, ଭାବି ଚିନ୍ତି ଠିକ୍ କରି କିଛି କିଛି ପୁଣ୍ୟ ପ୍ରତିଦିନ ସଂଚୟ କର-। ଭଜନ ସ୍ମରଣ କର; କାରଣ ଏହା ତୁମ୍ଭର ଚିର ସାଥି । ଜୀବନର ଧନ, ଧର୍ମ ଓ ଭଜନ ଏଇ ଦୁଇଟି ମାତ୍ର । ଏହି ଧ୍ରୁବ ସତ୍ୟ କଦାପି ଭୁଲି ନଯାଇ ସତତ ସ୍ମରଣ ରଖ ।’’

 

ତେଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଦୈନକ ଯଥା ସମ୍ଭବ ଧର୍ମ ସଂପର୍କୀୟ ଆଲୋଚନାରେ ଅଂଶ ଗ୍ରହଣ କରି ଜୀବନକୁ ସୁଖମୟ କରିବା ଉଚିତ ।

Image

 

କର୍ମ

 

ମନୁଷ୍ୟ ଜୀବନ କର୍ମ-ବହୁଳ । ଛାତ୍ର ଜୀବନରୁ କର୍ମ କରିବାର ଅଭ୍ୟାସ ନରହିଲେ ଭବିଷ୍ୟତ ଜୀବନରେ ଜୀବିକା ନିର୍ବାହ ପାଇଁ ବହୁ ପ୍ରତିବନ୍ଧକ ସୃଷ୍ଟି ହୁଏ । କୌଣସି କାର୍ଯ୍ୟ ସଂପାଦନା ପାଇଁ ମନରେ ବିମୁଖତା ଆସେ ।

ପୂର୍ବେ ଗୁରୁକୁଳାଶ୍ରମର ଛାତ୍ରମାନେ ପୁଷ୍ପ, କାଷ୍ଠ ଓ ଖାଦ୍ୟ ସଂଗ୍ରହ ତଥା ଗୋଚାରଣ ପ୍ରଭୃତି ଯାବତୀୟ କାର୍ଯ୍ୟ ଗୁରୁଙ୍କ ନିର୍ଦ୍ଦେଶରେ ବଡ଼ ଆଗ୍ରହରେ କରୁଥିଲେ । ସେମାନେ ଦୈନିକ ଶାରୀରିକ ପରିଶ୍ରମରେ ଅଭ୍ୟସ୍ତ ହେବା ସଙ୍ଗେ ସଙ୍ଗେ ବେଦ ପଠନ ଓ ରାଜ୍ୟ ଶାସନ ପ୍ରଭୃତି ବିଦ୍ୟାରେ ଉତ୍ତମ ଶିକ୍ଷା ଲାଭ କରି ଭବିଷ୍ୟତ ଜୀବନକୁ ସରସ ଓ ସୁନ୍ଦର ଭାବରେ ଗଢ଼ି ପାରୁଥିଲେ । କିନ୍ତୁ ଆମ ଦେଶ ଭାରତ ବର୍ଷରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଫଳରେ ଆମ୍ଭେମାନେ ନିଜ ନିଜର ମୌଳିକତା ହରାଇ ବସିଛେ । ବିଶ୍ୱବିଦ୍ୟାଳୟର ଉଚ୍ଚ ଡିଗ୍ରୀଧାରୀ ଯୁବକମାନଙ୍କ ପ୍ରସଙ୍ଗ ଦୂରେ ଥାଉ ଉଚ୍ଚ ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କୃତ ଛାତ୍ରମାନେ ଯେ କିପରି କର୍ମ ପ୍ରତି ବିମୁଖଭାବ ପ୍ରଦର୍ଶନ କରୁଛନ୍ତି, ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ସେମାନେ ଅବସର ସମୟରେ ସାଥିମାନଙ୍କ ସହ ଆଳାପ ତଥା ଅଯଥା ଯୁକ୍ତିତର୍କ କରିବାରେ ବହୁ ମୂଲ୍ୟବାନ ସମୟ ନଷ୍ଟ କରିଥାନ୍ତି । କିନ୍ତୁ କୃଷିଜୀବୀ ପିତା ମାତା କୃଷି କର୍ମରେ ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମରେ କ୍ଳାନ୍ତ ହୋଇ ପଡ଼ୁଥିବା ସମୟରେ ସେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରନ୍ତି । ଫଳରେ ସେମାନେ ହିଁ ସଂସାର କ୍ଷେତ୍ରରେ ପ୍ରବେଶ କରିବା ମାତ୍ରେ ନାନା ଅସୁବିଧାର ସମ୍ମୁଖୀନ ହୋଇ ପଡ଼ନ୍ତି । ନିଜ ଉଦର ତଥା ପରିବାରର ଭରଣ ପୋଷଣରେ ବିବ୍ରତ ହୋଇ ପଡ଼ନ୍ତି । କୌଣସି ସରକାରୀ କିମ୍ବା ବେସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାରଦ୍ୱାର ଶୁଣ୍ଢୀ ପିଣ୍ଢା ହେବାକୁ ପଡ଼େ । ଜୀବନରେ ଶାନ୍ତି ମିଳେ ନାହିଁ । ପରିବାରର ଅନ୍ନ ସଂସ୍ଥାନ ପାଇଁ ସମାଜରେ ଟାଉଟରୀ ଆଉ ଚୌର୍ଯ୍ୟ ବୃତ୍ତି କରିବାକୁ ବାଧ୍ୟ ହୁଅନ୍ତି । ଜୀବନ ନିର୍ବାହ ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼େ ।

ଚାକିରି କ୍ଷେତ୍ର ଦିନକୁ ଦିନ ସଂକୀର୍ଣ୍ଣ ହୋଇ ପଡ଼ୁଛି । ହଜାର ହଜାର ବେକାରଙ୍କ ପାଇଁ ସରକାର ବା କ’ଣ କରିପାରିବେ ? ଯଦି ଶିକ୍ଷାଳୟ ମାନଙ୍କରେ ଧନ୍ଦା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କର୍ମମୁଖର କରାଯାଇ ପାରନ୍ତା, ତେବେ ଛାତ୍ର ଜୀବନର ଠିକ୍ ପରେ ପରେ ଜୀବିକା ନିର୍ବାହ ପାଇଁ ଚିନ୍ତା କରିବାକୁ ଅବସର ମିଳନ୍ତା ନାହିଁ । ଶିକ୍ଷାଲାଭ କରିଥିବା କୌଣସି ଏକ ଧନ୍ଦାକୁ ଜୀବିକା ରୂପେ ମନୋନୀତ କରି ଛାତ୍ର ଛାତ୍ରୀମାନେ ବେଶ୍ ସୁରୁଖୁରୁରେ ପରିବାରର ଭରଣ ପୋଷଣ କରି ପାରନ୍ତେ ।

ପାଶ୍ଚାତ୍ୟ ଦେଶମାନଙ୍କରେ ଯେ କୌଣସି କର୍ମଚାରୀ ଅବସର ସମୟରେ ଅଯଥା ସମୟ ନ କଟାଇ କିଛି ନା କିଛି ପରିଶ୍ରମ କରି ପାରିଶ୍ରମିକ ସଂଗ୍ରହ କରିଥାନ୍ତି । ଫଳରେ ଆର୍ଥିକ ସଂକଟରୁ ରକ୍ଷା ମିଳେ । କିନ୍ତୁ ଆମ ଦେଶର ଶିକ୍ଷିତ ଯୁବକମାନେ ଉପବାସରେ ପଛକେ ଦିନଟିଏ କଟାଇ ଦେବେ, କିନ୍ତୁ ବାହାରେ କେଉଁଠି ପରିଶ୍ରମ କରି ଦୁଇ ପଇସା ରୋଜଗାର କରିବାକୁ ଲଜ୍ଜା ଅନୁଭବ କରନ୍ତି ।

ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କେଡ଼େ ମହାନ୍ ପୁରୁଷ । ତାଙ୍କ ଜୀବନର ଏକ ଘଟଣା ସ୍ମରଣ ହୁଏ । ସେ ଥରେ ରେଲ୍ ଷ୍ଟେସନ୍‌ରେ ବୁଲୁଥିଲେ । ଜଣେ ଶିକ୍ଷିତ ଯୁବକ ହାତରେ-ଗୋଟିଏ ସୁଟ୍‌କେଶ ଧରି ଜଣେ କୁଲୀ ଅପେକ୍ଷାରେ ଥିଲେ । ସେହି ବାଟଦେଇ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଚାଲି ଯାଉଥିଲେ । ଯୁବକଟି ତାଙ୍କୁ କୁଲୀ ଭାବି ସୁଟ୍‌କେଶଟି ଧରାଇଦେଲେ । ବିଦ୍ୟାସାଗର ଯୁବକଙ୍କ ପଛେ ପଛେ ଚାଲିଲେ । କିଛି ସମୟ ପରେ ସେ ଯୁବକ ତାହାଙ୍କର ଶ୍ୱଶୁରାଳୟରେ ପହଞ୍ଚିଲେ । ସେଠାରେ ଲୋକେ ଜ୍ୱାଇଁଙ୍କର ସୁଟ୍‌କେଶ ଧରିଥିବା ଈଶ୍ୱରଚନ୍ଦ୍ରଙ୍କୁ ଚିହ୍ନିପାରି ବଡ଼ ଦୁଃଖିତ ଏବଂ ଲଜ୍ଜିତ ହୋଇ କ୍ଷମା ମାଗିନେଲେ ।

ସାମାନ୍ୟ ସୁଟ୍‌କେଶ୍‌ଟି ଓଜନ ବା କେତେ ? ଯୁବକ ଜଣକ ତାହା କ’ଣ ବହନ କରିବାକୁ ଅସମର୍ଥ ? ଧନ୍ୟରେ ପାଶ୍ଚାତ୍ୟ ଶିକ୍ଷା ! ଇଂରେଜମାନେ ଆମକୁ ଯେଉଁ ଶିକ୍ଷା ଦେଇଛନ୍ତି–ତାହା ଆମକୁ ପଙ୍ଗୁ ଓ କର୍ମ ବିମୁଖ କରିଦେଇଛି ।

ସ୍ୱାଧୀନ ଦେଶର ପ୍ରତ୍ୟେକ ଛାତ୍ରର ଜୀବନକୁ ଉତ୍ତମରୂପେ ଗଠନ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ତଥା କେତେବର୍ଷ ଧରି ଏ ଦେଶରେ ପ୍ରବର୍ତ୍ତିତ ମୌଳିକ ଶିକ୍ଷା ନୀତି ହିଁ ଏକାନ୍ତ ପ୍ରୟୋଜନ । ଫଳରେ ଛାତ୍ରମାନେ ଶୈଶବାବସ୍ଥାରୁ ବିଦ୍ୟାଧ୍ୟୟନ ସଙ୍ଗେ ସଙ୍ଗେ ଭବିଷ୍ୟତ ଜୀବନ ପାଇଁ ସହାୟକ ସଫେଇ, କୃଷି ପ୍ରଭୃତି ଧନ୍ଦାମାନ ଶିଖି ପାରିବେ ।

ମନୁଷ୍ୟ ଜୀବନରେ କର୍ମ ପୂରି ରହିଛି । ଦୁନିଆରେ କର୍ମବୀର ଅସାଧ୍ୟ ସାଧନ କରିପାରେ ଓ ହିମାଳୟ ପରି ପର୍ବତକୁ ଟଳାଇ ଦେଇପାରେ । ଏଥିପାଇଁ କବିବର ରାଧାନାଥ କହିଛନ୍ତି–

‘‘ଅସାଧ୍ୟ ମଣେ ଯା ଅଳସ

କର୍ମବୀର ତା କରେ ବଶ

ଅଳସ ଯା ଅସାଧ୍ୟ ମଣେ

କର୍ମବୀର ତା ସାଧେ କ୍ଷଣେ ।’’

ଏ ସମ୍ପର୍କରେ ଉତ୍କଳମଣି ଗୋପବନ୍ଧୁ ଗାଇଛନ୍ତି–

‘‘ମାନବ ଜୀବନ ନୁହଁଇ କେବଳ

ବର୍ଷ ମାସ ଦିନଦଣ୍ଡ

କର୍ମେ ଜୀଏଁ ନର କର୍ମ ଏକା ତାର

ଜୀବନର ମାନଦଣ୍ଡ ।’’

ପୁଣି କର୍ମ ସମ୍ପର୍କରେ ଭକ୍ତକବି ମଧୁସୂଦନ ଗାଇଛନ୍ତି–

ଧନ ହୀନ ବୋଲି କେବେ ଆପଣାକୁ

ଅବଜ୍ଞା ନକର

ଉଦ୍‌ଯୋଗୀ ଲଭଇ ଲକ୍ଷ୍ମୀ ତେଣୁ କାର୍ଯ୍ୟେ

ହୁଅ ହେ ତତ୍ପର ।”

 

ମନୁଷ୍ୟ କର୍ମ ଅନୁଯାୟୀ ଫଳ ଲାଭ କରେ । ସୁକର୍ମ କଲେ ଜୀବନରେ ଭଲ ଫଳ ମିଳେ ଏବଂ କୁକର୍ମ କଲେ ଖରାପ ଫଳ ମିଳେ । ଅତୀତରେ କରିଥିବା କର୍ମର ଫଳ ବର୍ତ୍ତମାନ ଭୋଗୁଛେ ଓ ବର୍ତ୍ତମାନ କରୁଥିବା କର୍ମର ଫଳ ଭବିଷ୍ୟତରେ ଭୋଗିବା । କର୍ମଫଳ ଲାଭରୁ କେହି ବଞ୍ଚିତ ହୋଇ ପାରନ୍ତି ନାହିଁ । ଏଥିପାଇଁ କବି ଗଙ୍ଗାଧର କହିଛନ୍ତି–

 

‘‘କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ

କେ କରି ପାରିବ ଆନ

ଶତ ପ୍ରତିଶେଧ ଲଙ୍ଘି ପଶିଥାଏ

କର୍ମଫଳ ବଳବାନ ।”

Image

 

କାମ

 

ମନୁଷ୍ୟର ଯୌବନାବସ୍ଥାରେ ଯୁବକ ଯୁବତୀ ପ୍ରତି ଓ ଯୁବତୀ ଯୁବକ ପ୍ରତି ପରସ୍ପର ଆକୃଷ୍ଟ ହେବା ଫଳରେ ମନରେ ଯେଉଁ କ୍ରିୟା ବିକ୍ରିୟା ଜାତ ହୁଏ, ତାହାହିଁ କାମ ନାମରେ କଥିତ । ପୁରୁଷ ସ୍ତ୍ରୀକୁ ଓ ସ୍ତ୍ରୀ ପୁରୁଷକୁ ଉପଭୋଗ କରିବାର ପ୍ରବଳ ଇଚ୍ଛା ଓ ଶକ୍ତି ଜାଗରଣକୁ କାମ କହନ୍ତି-। ଶୈଶବାବସ୍ଥାରେ ଶିଶୁ ବିପରୀତ ଲିଙ୍ଗ ବିଶିଷ୍ଟ ସାଥୀମାନଙ୍କ ପ୍ରତି ଆଗ୍ରହ ବା ସ୍ନେହ ପ୍ରକାଶ କରେ । କିଶୋର ଅବସ୍ଥାରେ ସେ ବିପରୀତ ଲିଙ୍ଗ ବିଶିଷ୍ଟ ବ୍ୟକ୍ତି ପ୍ରତି ଆକୃଷ୍ଟ ହୁଏ । ପୌଢ଼ ଅବସ୍ଥାରେ ସେ ନିଜର ସ୍ନେହ ପ୍ରାୟ ଜଣକ ଉପରେ ହିଁ ଅର୍ପଣ କରି ତା ସହିତ ସାରା ଜୀବନ ଅତିବାହିତ କରେ ।

 

ମନୁଷ୍ୟ କାମ ପ୍ରବୃତ୍ତିର ଅଧୀନରେ ରହିଗଲେ ସେ ତାର ମନୁଷ୍ୟତା ହରାଇ ଦିଏ । ନିଜର ବୁଦ୍ଧି ବିବେକ କ୍ରମଶଃ ନଷ୍ଟ ହୋଇଯାଏ । ଏଥିପାଇଁ ଆମର ବ୍ୟାସକବି ଫକୀରମୋହନ କହିଛନ୍ତି–

 

‘‘କାମ ବିଷମ ପ୍ରତାରକ ।

ନିୟତ ଲୋକ ହନ୍ତାରକ ।।

ମରୁଭୂମିରେ ମରୀଚିକା ।

ସମ ଦେଖାଏ ବିଭୀଷିକା ।।”

 

ପୁଣି ଏ ସମ୍ପର୍କରେ ‘ନୀତି-ନିର୍ଝରିଣୀ’ରେ ବିଶ୍ୱନାଥ ଦାସ ଗାଇଛନ୍ତି–

 

‘‘କାମ, କ୍ରୋଧ, ଲୋଭ ଆତ୍ମ ନାଶକାରୀ

ତ୍ରିବିଧ ନରକ ଦ୍ୱାର

ଏହି କାରଣରୁ ଏଗୁଡ଼ିକ ତ୍ୟାଗ

କରିବାହିଁ ହିତକର ।”

 

ଆଉ ମଧ୍ୟ କାଳିନ୍ଦୀ ଚରଣ ପାଣିଗ୍ରାହୀ କହିଛନ୍ତି–

 

‘‘କାମ, କ୍ରୋଧ, ଲୋଭ, ମୋହ ଷଡ଼ରିପୁ

ପାରିଛି ଯେ ସାଧକ ମହତ

ବିଜୟୀ ପ୍ରକୃତ ସେହୁ ନେଇପାରେ କିଣି

ନିଜ ଗୁଣେ ନିଖିଳ ଜଗତ ।’’

 

ଆଜିକାଲି ସାଧାରଣତଃ ଦେଖା ଯାଇଥାଏ ଯେ ଛାତ୍ର ଜୀବନରେ ଅନେକ କାମ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ନିଜର ମହତ୍ ଉଦ୍ଦେଶ୍ୟ ସାଧନ ପରିବର୍ତ୍ତେ ବିପଥଗାମୀ ହୋଇ ପଡ଼ନ୍ତି-। ଜୀବନ ନିରର୍ଥକ ହୋଇଯାଏ । ତେଣୁ ଏଭଳି ସକ୍ରିୟ କାମ ପ୍ରବୃତ୍ତିର ବଶବର୍ତ୍ତୀ ନହେବା ପାଇଁ ଛାତ୍ର ଜୀବନରୁ ଦୃଷ୍ଟି ଦେବା ବିଧେୟ । ପାଠ ପଢ଼ା ସଙ୍ଗେ ସଙ୍ଗେ ଗୀତ ଗାଇବା, ନାଚିବା, ଚିତ୍ର ଆଙ୍କିବା, କବିତା ଲେଖିବା ଏପରିକି ଉଦ୍ୟାନ କର୍ମ କରିବା ଏବଂ ନିୟମିତ କୁସ୍ତି କସରତ୍ କରିବା ପ୍ରଭୃତି ଅଭ୍ୟାସ ରଖିବା ଭଲ । ଫଳରେ ଛାତ୍ରମାନେ ଅବସର ସମୟରେ ଅଯଥା ଭାବନା ନକରି କୌଣସି ନା କୌଣସି କାର୍ଯ୍ୟରେ ଲିପ୍ତ ରୁହନ୍ତି । ଯେଉଁ ପିଲା ନିକମା ରହେ ତାର ଚରିତ୍ରରେ ଅନେକ ଦୋଷ ତ୍ରୁଟି ଦେଖାଯାଏ । ଘରେ ପିତା ମାତାଙ୍କୁ ସାହାଯ୍ୟ କରିବା, ଦୌଡ଼ିବା ଖେଳକୁଦ କରିବା, ବିଦ୍ୟାଳୟରେ ଉଦ୍ୟାନ କର୍ମ ଓ ସ୍କାଉଟିଂ ଆଦି କାର୍ଯ୍ୟରେ ଛାତ୍ରର ଶକ୍ତି କ୍ଷୟ ହୁଏ । ଏହି କ୍ଷୟ ପୁରଣ ହେବା ସମୟରେ ତାର କାମ ପ୍ରବୃତ୍ତି ଆପେ ଆପେ ନିୟନ୍ତ୍ରିତ ହୋଇଥାଏ-। ଫଳତଃ ଜୀବନରେ ଉତ୍ତମ ଚରିତ୍ର ଗଠିତ ହୁଏ ।

 

ମନୁଷ୍ୟର ଷଡ଼ରିପୁ ମଧ୍ୟରୁ ପରମ ଶତ୍ରୁ କାମ କବଳରୁ ରକ୍ଷା ପାଇବାକୁ ହେଲେ ଛାତ୍ରାବସ୍ଥାରୁ ନିମ୍ନଲିଖିତ କେତେକ ବିଷୟରେ ଅଭ୍ୟସ୍ତ ହେଲେ ଉପକାର ମିଳେ ।

 

(୧)

ବିଳାସ ବ୍ୟସନ ଠାରୁ ଦୂରରେ ରହିବା ଆବଶ୍ୟକ ।

 

 

(୨)

କାମ ଭାବ ଜାଗ୍ରତ କରିବା ପାଇଁ ଆମର ଦର୍ଶନେନ୍ଦ୍ରିୟ ଓ ଶ୍ରବଣେନ୍ଦ୍ରିୟ ବିଶେଷ ଭାବରେ ଦାୟୀ । ତେଣୁ ଅଶ୍ଳୀଳ ନୃତ୍ୟ ଗୀତ ଏବଂ ଅଭିନୟ ଇତ୍ୟାଦି ଅନୁଷ୍ଠିତ ହେଉଥିବା ସ୍ଥାନ ସର୍ବଦା ବର୍ଜ୍ଜନୀୟ । ଏପରିକି ସମ ବୟସ୍କଙ୍କ ଗହଳରେ ହେଉଥିବା ଅଶ୍ଳୀଳ କଥୋପକଥନ ମଧ୍ୟ ଶୁଣିବା ଅନୁଚିତ ।

 

 

(୩)

ଯୁବକ ଯୁବତୀ ପ୍ରତି ଓ ଯୁବତୀ ଯୁବକ ପ୍ରତି ଲୁଚି ଛପି କୌଣସି ସମ୍ପର୍କ ରଖିବା ଅନୁଚିତ-। ଏଭଳି ବ୍ୟବହାରରେ କାମ ଭାବ ସହସା ଉଦ୍ରେକ ହୁଏ ।

 

 

(୪)

ଆମ ସମାଜରେ ଦିଅର ଭାଉଜ, ଅଜା ନାତୁଣୀ ଓ ଶାଳୀ ଭିଣୋଇଙ୍କ ମଧ୍ୟରେ ହସ କୌତୁକ ଥଟ୍ଟା ତାମସାର ରୀତି ବେଶ୍ ପ୍ରଚଳିତ । କେତେକ ସ୍ଥାନରେ ଦେଖା ଯାଇଥାଏ ଯେ ଏଭଳି ଥଟ୍ଟା ତାମସାରୁ ଶେଷରେ ବିଷମୟ ଫଳ ଉପୁଜେ । କେତେକଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପିତ ହୁଏ ଓ କେତେକଙ୍କ ଜୀବନ ହା ହୁତାଶମୟ ହୁଏ ଓ କେତେକ ସମାଜ ଭୟରେ ପ୍ରାଣ ବିସର୍ଜନ କରିଥାନ୍ତି । ତେଣୁ ଛାତ୍ର ଛାତ୍ରୀମାନେ ଏଭଳି ହସ କୌତୁକ ଓ ଟାହିଟାପରା ଠାରୁ ଦୂରରେ ରହିବା ମଙ୍ଗଳ ଜନକ ।

 

 

(୫)

ଯୁବକ, ଯୁବତୀର ଓ ଯୁବତୀ, ଯୁବକର ଅଯଥା ପ୍ରଶଂସା ନକରିବା ଉଚିତ । କାହାରି ରୂପ ବର୍ଣ୍ଣନା କାନରେ ବାଜିଲେ ଅନ୍ୟମନସ୍କ ହୋଇ ଅନ୍ୟ କାମ ଆରମ୍ଭ କରିଦେବା ଉଚିତ ।

 

 

(୬)

ମାଛ, ମାଂସ, ପିଆଜ, ରସୁଣ ଓ ମସଲା ପ୍ରଭୃତି ଉତ୍ତେଜକ ଖାଦ୍ୟର ଆଧିକ୍ୟରେ ଶରୀରରେ କାମ ଭାବ ଉଦ୍ରେକ ହୁଏ । ତେଣୁ ଛାତ୍ରାବସ୍ଥାରୁ ଏଭଳି ଖାଦ୍ୟ ଗ୍ରହଣ, ଅଭ୍ୟାସ ଯଥାସମ୍ଭବ କମ୍ କରିବା ଉଚିତ ।

 

 

(୭)

ଛାତ୍ର-ଛାତ୍ରୀଗଣ ପଢ଼ା କୋଠରୀରେ ଗୋପବନ୍ଧୁ, ଗାନ୍ଧିଜୀ ନେହେରୁ ଓ ବିବେକାନନ୍ଦ ପ୍ରଭୃତି ମହାପୁରୁଷ ଓ ସାଧୁ ସନ୍ଥମାନଙ୍କ ଚିତ୍ର ଅଧିକ ସଂଖ୍ୟାରେ ରଖିବା ଉଚିତ ।

 

 

(୮)

ଚା, ବିଡ଼ି, ପାନ, ସିଗାରେଟ୍, ଗୁଡ଼ାଖୁ ପ୍ରଭୃତି ସେବନରୁ ଛାତ୍ର ଛାତ୍ରୀମାନେ ସର୍ବଦା ଦୂରରେ ରହିବା ଆବଶ୍ୟକ । ଏ ସବୁର ଅଭାବରେ ଶାରୀରିକ ଗଠନ ତଥା ଜୀବିକା ନିର୍ବାହ ପାଇଁ କୌଣସି କାର୍ଯ୍ୟ ସାଧନରେ ପ୍ରତିବନ୍ଧକ ସୃଷ୍ଟି ହୁଏ ନାହିଁ ।

 

 

(୯)

ସାଧୁ ସନ୍ଥମାନଙ୍କ ସମାରୋହରେ ଅନୁଷ୍ଠିତ ହେଉଥିବା ସଭା ସମିତିରେ ଯୋଗଦାନ ପୂର୍ବକ ସେମାନଙ୍କ ଭାଷଣର ସାରତତ୍ତ୍ୱମାନ ଛାତ୍ର ଛାତ୍ରୀମାନେ ନିଜ ନିଜର ଟିପା ଖାତାରେ ଟିପିରଖି ମନେ ରଖିବା ଉଚିତ ।

 

 

(୧୦)

ପିତା, ମାତା, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଗୁରୁଜନମାନେ ସର୍ବଦା ସନ୍ତାନ ସନ୍ତତି ତଥା ଛାତ୍ର ଛାତ୍ରୀମାନଙ୍କର ମଙ୍ଗଳ କାମନା କରନ୍ତି । ତେଣୁ ସେମାନଙ୍କର ଆଦେଶ ସର୍ବଦା ପାଳନୀୟ ।

Image

 

କ୍ରୋଧ

 

କ୍ରୋଧ ମନୁଷ୍ୟର ଏକ ବଡ଼ ଶତ୍ରୁ । କ୍ରୋଧର ବଶବର୍ତ୍ତୀ ହେଲେ ଅଗାଧ ସମ୍ପତ୍ତିର ଅଧିକାରୀ ମଧ୍ୟ ପଥର ଭିକାରୀ ସାଜେ । ଘଟଣା ଚକ୍ରରେ କ୍ରୋଧ ସମ୍ବରଣ କରି ନପାରି କେତେ ଲୋକ ଯେ ନିଜ ନିଜର ଜୀବନ ହରାଇଥାନ୍ତି–ଏପରି ଦୃଷ୍ଟାନ୍ତ ବିରଳ ନୁହେଁ । ଦେବତୁଲ୍ୟ ସୁନ୍ଦର ଶରୀର ଯେ କିପରି ବିକଳାଙ୍ଗ ଦିଶେ, ସୁନ୍ଦର ଶାନ୍ତ ମୁଖ ମଣ୍ଡଳର ଦୃଶ୍ୟ ଯେ କି ଭୟଙ୍କର ଆକୃତି ଧାରଣ କରେ–କ୍ରୋଧୀ ମଣିଷ ବା ତାହା ଜାଣିବ କିପରି ? କ୍ରୋଧୀ ଲୋକ ସମ୍ମୁଖରେ ତତ୍‌କ୍ଷଣାତ୍ ପାଖରେ ଥିବା ଅନ୍ୟ କେହି ଲୋକ ଦର୍ପଣଟିଏ ଦେଖାଇ ଦେଲେ ତାହାର ଶରୀରର ବିକୃତତା ଦେଖି ପକାଇବା ମାତ୍ରକେ କ୍ରୋଧର କିୟଦଂଶ ପରିମାଣ କମିଯାଏ । ଫଳତଃ ନଷ୍ଟ ହେବାକୁ ଯାଉଥିବା ଧନ ଓ ଜୀବନ ଉଭୟ ସମ୍ପଦ ରକ୍ଷା ହୋଇପାରେ । କ୍ରୋଧାନ୍ଧ ମାନବକୁ ନିଷ୍ଠୁର ଚାଣ୍ଡାଳ ସହିତ ତୁଳନା କରାଯାଇଥାଏ ।

 

ବୟସ୍କ ବ୍ୟକ୍ତିମାନଙ୍କ ଠାରେ ଏଇ ଦୁର୍ଗୁଣ ବେଶୀ ପରିମାଣରେ ଦେଖା ଯାଇଥାଏ । ଶୈଶବ ତଥା କିଶୋର ଅବସ୍ଥାରେ ମଧ୍ୟ ଏହା ପ୍ରକାଶ ପାଇଥାଏ । ଛାତ୍ର ଜୀବନରେ ପରସ୍ପର କଳି ତକରାଳ କରୁଥିବା ଅବସ୍ଥାରେ ବହି ଖାତା ପ୍ରଭୃତି ଚିରି ପକାଇବା କିମ୍ବା ଦୂରକୁ ଫିଙ୍ଗି ନଷ୍ଟ କରିଦେବା ପ୍ରଭୃତି ଧ୍ୱଂସାତ୍ମକ କାର୍ଯ୍ୟମାନ କରିଦେଇ ଥାନ୍ତି । ଏହି କ୍ରୋଧର ବଶବର୍ତ୍ତୀ ହୋଇ କେତେକ ଛାତ୍ର ନିଜ ନିଜର ପିତା ମାତାଙ୍କ ମଙ୍ଗଳମୟ ଉପଦେଶକୁ ଭ୍ରୂକ୍ଷେପ ନକରି ସବୁ କଥା କହି ମନରେ ଅଶେଷ ଦୁଃଖ ପ୍ରଦାନ କରିଥାନ୍ତି । ପୁଣି କେହି କେହି ଗୋପନରେ ଘରଦ୍ୱାର ଛାଡ଼ି ଆଜୀବନ ଦେଶାନ୍ତର ହୋଇଥାନ୍ତି । ଯେଉଁ ପିତା ମାତା ଶିଶୁର ଲାଳନ ପାଳନ ତଥା ଅଧ୍ୟୟନ ପ୍ରଭୃତି କାର୍ଯ୍ୟରେ ଦୁଃସହ ଜୀବନ ଯାପନ କରୁଥାନ୍ତି, ସେମାନେ କ’ଣ ଆପଣା ସନ୍ତାନମାନଙ୍କର ଏତାଦୃଶ ବ୍ୟବହାରରେ ମର୍ମାହତ ହେଉ ନଥିବେ ?

 

ଆଜିକାଲି ଅନେକ ସ୍ଥଳରେ ଦେଖାଯାଇଥାଏ ଯେ କଲେଜ ଛାତ୍ରମାନେ ପରିବାର ଠାରୁ ଦୂରରେ ରହି କୁସଙ୍ଗ ପ୍ରଭାବରେ ନିୟମିତ ସିନେମା ଦେଖିବା ଓ ସିଗାରେଟ୍‌ ପିଇବା ପ୍ରଭୃତି ବଦଭ୍ୟାସ ଯୁକ୍ତ ହୋଇ ଅଯଥା ଧନ ବ୍ୟୟ କରନ୍ତି । “ମାସିକ ଏତେ ଟଙ୍କା କାହିଁକି ଖର୍ଚ୍ଚ ହେଉଛି’’–ବୋଲି ପ୍ରଶ୍ନ କଲେ ସଂପୃକ୍ତ ଛାତ୍ର କ୍ରୋଧର ବଶବର୍ତ୍ତୀ ହୋଇ ନାନା କୁ ବାକ୍ୟ ପ୍ରୟୋଗ କରନ୍ତି । ଏପରିକି ବୃଦ୍ଧ ପିତା ମାତାଙ୍କ ଠାରୁ ପଇସା ବାକ୍‌ସର ଚାବି ଛଡ଼ାଇ ଆଣି ହତ୍ୟା କରିବାର ଧମକ୍ ମଧ୍ୟ ଦେଇଥାନ୍ତି । ଶିକ୍ଷିତ ଯୁବକମାନଙ୍କର ପିତା ମାତାଙ୍କ ପ୍ରତି ଏଭଳି ବ୍ୟବହାରରେ ଭବିଷ୍ୟତ ଛାତ୍ର ସମାଜ ଯେ କିଭଳି ଆଚରଣ ଶିକ୍ଷା କରିବ–ବର୍ତ୍ତମାନ ଏହା ଏକ ଚିନ୍ତାର ବିଷୟ । ତେଣୁ ଛାତ୍ରାବସ୍ଥାରୁ ହିଁ କ୍ରୋଧ ଭାବ ପ୍ରତି ବିମୁଖ ହେବା ସର୍ବାଦୌ କର୍ତ୍ତବ୍ୟ ।

 

କ୍ରୋଧର ବିରାଟ ଶକ୍ତି ସମ୍ପର୍କରେ କବି ଗୋଦବରୀଶ ମହାପାତ୍ର ଗାଇଛନ୍ତି–

 

‘‘କ୍ରୋଧ ଜିଣେ ଶାଣଦିଆ କାତିକି

ଫିଙ୍ଗିଦିଏ ପଦେ ସ୍ନେହ ପ୍ରୀତିକି ।

ନ ଚିହ୍ନେରେ ପଥ କୁଟିଳ କଣ୍ଟକ

ମଶା ପ୍ରାୟ ମଣେ ମତ୍ତ ହସ୍ତୀକି ।”

 

ପୁଣି ପଲ୍ଲୀକବି ନନ୍ଦ କିଶୋର ଗାଇଛନ୍ତି–

 

‘‘ଆରକ୍ତ ନେତ୍ର କ୍ରୋଧ ଅଜ୍ଞାନ ନର

ବଜ୍ରମନ୍ତେ ବିନ୍ଧଇ କୁବାକ୍ୟ ଶର ।

ସେ ଅଗ୍ନି ବାଣେ ବିନ୍ଧି ନର ହୃଦୟ

ବିକଳ ହୋଇ ହୁଏ ରୁଧିର ମୟ ।”

 

ମନୁଷ୍ୟ କ୍ରୋଧରେ ଜର୍ଜ୍ଜରିତ ହୋଇ ଅନ୍ୟର ଅନିଷ୍ଟ ସାଧନ ପାଇଁ ଉଦ୍ୟତ ହେଉଥିବା ବେଳେ ସେ ପରୋକ୍ଷରେ ନିଜର ହିଁ ପ୍ରଭୃତ କ୍ଷତି ଘଟାଏ । କ୍ରୋଧକୁ ଅଗ୍ନି ସହିତ ତୁଳନା କରାଯାଇ ଥାଏ । ଅଗ୍ନି ସଂଯୋଗରେ ଜୀବ ଯେପରି ଛଟପଟ ହୋଇ ଜୀବନ୍ତ ଦଗ୍ଧ ହୁଏ, ସେହିପରି କ୍ରୋଧୀ ମାନବ କ୍ରୋଧ ରୂପକ ଅନଳରେ ନିଜେହିଁ ଦଗ୍‌ଧ ହୁଏ । ରାମାୟଣ ବର୍ଣ୍ଣିତ ଲଙ୍କାଧିପତି ରାବଣର ପୁତ୍ର ଇନ୍ଦ୍ରଜିତ ଶ୍ରୀ ରାମଚନ୍ଦ୍ରଙ୍କ ଅନୁଜ ଲକ୍ଷ୍ମଣଙ୍କୁ ବିନାଶ କରିବା ପାଇଁ ଇଚ୍ଛାକରି ନିଜେ ମୃତ୍ୟୁ ବରଣ କରିଥିଲା । କ୍ରୋଧ ବଶତଃ ଅନ୍ୟର ଯାହା କ୍ଷୟ କ୍ଷତି ହେଉ ବା - ନହେଉ ତାହା ତୁଳନାରେ ନିଜର ବହୁତ ଅନିଷ୍ଟ ସାଧିତ ହୁଏ ।

 

ତେଣୁ କ୍ରୋଧ ପରି ପରମ ଶତ୍ରୁ ଠାରୁ ଦୂରରେ ରହିବା ନିମନ୍ତେ ଛାତ୍ର ଛାତ୍ରୀମାନେ ବାଲ୍ୟକାଳରୁ ଚେଷ୍ଟିତ ହେବା ଆଶା କରାଯାଏ ।

Image

 

ଲୋଭ

 

ମନୁଷ୍ୟର କୁବେର ସମାନ ଧନ ସଂପତ୍ତି ଥିଲେ ମଧ୍ୟ ସେ ଅଧିକରୁ ଅଧିକ ଧନ ଉପାର୍ଜନ କରି ଅଧିକ ଧନୀ ହେବାକୁ ଇଚ୍ଛା କରେ, ବିନା ପରିଶ୍ରମରେ ଅନ୍ୟର ଧନ ଦୌଲତ ଆଣି ନିଜ ଧନରେ ମିଶାଇବାକୁ ଆପ୍ରାଣ ଚେଷ୍ଟା କରେ । ଅନ୍ୟର ଭଲ ଜିନିଷଟିଏ ଦେଖିଲେ ସେ କି ଉପାୟ ଅବଲମ୍ବନ କରି ଅବିଳମ୍ବେ ତାହା ନିଜର କରିପାରିବ, ସେଥିପାଇଁ ନାନା ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇପଡ଼େ । ଅବଶ୍ୟ ନିଜର କିମ୍ୱା ପରିବାରର ଭରଣପୋଷଣ ପାଇଁ କୌଣସି ପ୍ରକାର ଅଭାବ ଅନଟନ ନଥାଏ । କିନ୍ତୁ ଅନ୍ୟର ଜିନିଷ ନିଜର କରିବାକୁ ମନ ସର୍ବଦା ଚଞ୍ଚଳ ହେଉଥାଏ । ମାନବ ସମାଜରେ ଦେଖାଯାଉଥିବା ଏଭଳି ଲୋକମାନଙ୍କ ମନରେ ଲୋଭ ପୂର୍ବପୂରି ରାଜତ୍ୱ କରୁଥାଏ । ମଣିଷ ଲୋଭ ଅଧୀନରେ ପରିଚାଳିତ ହେଲେ ସେ ବିପଥଗାମୀ ହୁଏ–ଚୌର୍ଯ୍ୟ ବୃତ୍ତି ପରି କେତେକ ଅସାମାଜିକ କାର୍ଯ୍ୟ କରେ । ସମାଜରେ କେତେ ନିନ୍ଦା ପାଏ । ଜୀବନ କଳଙ୍କମୟ ହୋଇଯାଏ ।

 

କେତେକ ଲୋଭୀ ମଣିଷଙ୍କ ଜୀବନରେ ଦେଖା ଯାଇଥାଏ ଯେ କୌଣସି ବିବାହ ବ୍ରତ କିମ୍ବା ଭୋଜୀ ମହୋତ୍ସବରେ ଆୟୋଜିତ ହୋଇଥିବା ଖାଦ୍ୟ ପେୟରେ ଲୋଭ ସମ୍ବରଣ କରି ନପାରି ଆକଣ୍ଠ ଭୋଜନରେ ରତ ହୋଇଥାନ୍ତି । ଫଳରେ ଅନଭ୍ୟସ୍ତ ଯୋଗୁ ହଜମ କ୍ରିୟାରେ ବାଧା ସୃଷ୍ଟି ହୁଏ । ତେଣୁ ଶାରୀରିକ ଅସୁସ୍ଥତା ଯୋଗୁ ଜୀବନରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି । ସାମାନ୍ୟ ଲୋଭ ବଶତଃ ଏପରି ହୁଏ ବୋଲି ଅଶିକ୍ଷିତ ମଣିଷ ସାଧାରଣତଃ ଜାଣିପାରେ ନାହିଁ । ମଣିଷର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଲୋଭ କ୍ରମଶଃ ବୃଦ୍ଧି ପାଇଥାଏ । ଛାତ୍ରାବସ୍ଥାରୁ ଲୋଭ ପ୍ରତି ସଚେତନ ହୋଇ ଅଭ୍ୟାସ ଦ୍ୱାରା ତାହା ହ୍ରାସ କରାଇବାକୁ ଚେଷ୍ଟିତ ହେଲେ ଭବିଷ୍ୟତ ଜୀବନରେ ଲୋଭ ଆଦୌ ମନ ଭିତରେ ବସିବା ପାଇଁ ଆସନ ପାଇ ପାରିବ ନାହିଁ । ବାର୍ଦ୍ଧକ୍ୟାବସ୍ଥାରେ କାମ କରିବାର ଶକ୍ତି, ହଜମ ଶକ୍ତି ପ୍ରଭୃତି ସକଳ ପ୍ରକାର ବଳ କମିଯିବା ବେଳେ ମଧ୍ୟ ଲୋଭ ଅଧିକରୁ ଅଧିକ ଆସନ ମାଡ଼ି ବସେ । ଏ ସଂପର୍କରେ ଶଙ୍କରାଚାର୍ଯ୍ୟ ମୋହ ମୂଦ୍‌ଗରରେ ଲେଖିଛନ୍ତି–

 

‘‘ଅଙ୍ଗ ଗଳିତଂ ପଳିତଂ ମୁଣ୍ଡଂ

ଦନ୍ତ ବିହୀନଂ ଯାତଂ ତୁଣ୍ଡଂ

କର ଧ୍ରୁତ କମ୍ପିତ ଶୋଭିତ ଦଣ୍ଡଂ

ତଦପି ନ ମୁଞ୍ଚତ୍ୟାଶା ଭାଣ୍ଡଂ ।”

 

ଲୋଭ ଏପରି ଏକ ପ୍ରବୃତ୍ତି ଯେ ତାହା ପଥର ଭିକ୍ଷୁକ ଠାରୁ ଆରମ୍ଭ କରି ରାଜା ମହାରାଜା ସମସ୍ତଙ୍କ ମନରେ ଦେଖା ଯାଇଥାଏ । ଏ ସମ୍ପର୍କରେ ଆମର ଫକୀର ମୋହନ ଗାଇଛନ୍ତି–

 

‘‘ଜ୍ଞାନୀ ତାପସ ଶୂର କବି

ବିବିଧ ଶାସ୍ତ୍ର ଅନୁଭବୀ ।

ଲୋଭ ହସ୍ତରୁ ପରିତ୍ରାଣ

ପାଇ ନାହାନ୍ତି କେହି ଜାଣ’’

 

ଲୋଭ ଏପରି ଏକ ଜିନିଷ ଯହିଁରୁ ଯଥାକ୍ରମେ କ୍ରୋଧ, କାମ, ମୋହ ଜାତ ହୋଇ ଶେଷରେ ମୃତ୍ୟୁ ଘଟେ । ଲୋଭ ହିଁ ପାପର କାରଣ ଅଟେ । ଏଥିପାଇଁ ଶାସ୍ତ୍ରକାର ଗାଇଛନ୍ତି–

 

‘‘ଲୋଭାତ୍‍ କ୍ରୋଧ ପ୍ରଭବତି

ଲୋଭାତ୍‌ କାମ ପ୍ରଜାୟତେ

ଲୋଭାନ୍ ମୋହଶ୍ଚ ନାଶଶ୍ଚ

ଲୋଭ ପାପସ୍ୟ କାରଣମ୍ ।”

 

ଏସବୁ ଦୃଷ୍ଟିରୁ ବିଚାର କରି ଛାତ୍ରାବସ୍ଥାରୁ ମନୁଷ୍ୟ ଲୋଭ ବର୍ଜନ ପାଇଁ ସତତ ଚେଷ୍ଟିତ ହେବା ଉଚିତ ।

Image

 

ଗର୍ବ

 

ଦୁନିଆରେ ଅନେକ ଲୋକ ଗର୍ବ ଅନୁଭବ କରନ୍ତି–କେହି ଧନରେ ତ କେହି ମାନରେ ଓ କେହି ଯୌବନରେ ତ କେହି ରୂପରେ ବିଭିନ୍ନ ବିଷୟର ତୁଳନାତ୍ମକ ଆଧିକ୍ୟରେ । ଏହି ଗର୍ବ ଭାବ ଛାତ୍ରାବସ୍ଥାରୁହିଁ ପରିଲକ୍ଷିତ ହୋଇଥାଏ । ଶ୍ରେଣୀରେ ଜଣେ ଛାତ୍ର ଭଲ ପଢ଼େ ତ ସେ ଅନ୍ୟ ଛାତ୍ରମାନଙ୍କ ଅପେକ୍ଷା ନିଜକୁ ଗୌରବାନ୍ୱିତ ମନେକରେ । ତାର ସହପାଠୀମାନଙ୍କୁ ପାଠ ବୁଝାଇ ଦେବା କିମ୍ବା ଅବସର ସମୟରେ ସେମାନଙ୍କ ସହ ହସ କୌତୁକ କରି ଆଳାପ କରିବାକୁ ପସନ୍ଦ କରେ ନାହିଁ । ସେ ନିଜକୁ ବଡ଼ ମନେକରି ଅନ୍ୟ ସହଧ୍ୟାୟୀମାନଙ୍କୁ ତୁଚ୍ଛ ମନେକରେ ଏଭଳି ଗର୍ବୀ ଛାତ୍ରଛାତ୍ରୀ ଜାଣେନାହିଁ ଯେ ବିଦ୍ୟା–ଧନକୁ ଯେତେ ବିତରଣ କଲେ ମଧ୍ୟ ତାହା ହ୍ରାସ ନପାଇ ବରଂ ଅଧିକରୁ ଅଧିକ ବୃଦ୍ଧି ପ୍ରାପ୍ତ ହୁଏ । ଏଥିପାଇଁ ହିନ୍ଦି କବି ଗାଇଛନ୍ତି–

‘‘ସରସ୍ଵତୀ କି ଭଣ୍ଡାର ବଡ଼ି ଅପୂରୁବ ବାତ

ଯ୍ୟୋ° ଯ୍ୟୋ° ଖରଚୈ ତ୍ୟୋଂ ବଢ଼ତୈ

ବିନା ଖରଚୈ ଘଟ ଜାତ୍‌ ।”

 

ବାସ୍ତବିକ ଧନ ଭଣ୍ଡାରରୁ ଖର୍ଚ୍ଚ କଲେ ତାହା କ୍ରମଶଃ ଶେଷ ହୋଇଯାଏ । କିନ୍ତୁ ବିଦ୍ୟା-ଭଣ୍ଡାରରୁ ବିଦ୍ୟା-ଧନ କ୍ଷୟ କଲେ ତାହା କ୍ରମଶଃ ବଢ଼ିବାକୁ ଲଗିଥାଏ ।

ତେଣୁ ଛାତ୍ର ଜୀବନରେ ଦୁର୍ବଳ ସହପାଠୀ ତଥା ନିମ୍ନ ଶ୍ରେଣୀରେ ଅଧ୍ୟୟନରତ ପିଲାମାନଙ୍କୁ ଅବସର ସମୟରେ ପାଠ ବୁଝାଇଦେବା ଏକ ପ୍ରଧାନ କର୍ତ୍ତବ୍ୟ । କିନ୍ତୁ ମନରେ ଗର୍ବ କଲେ ଜୀବନର ସକଳ ପଦାର୍ଥ ବ୍ୟର୍ଥ ହୁଏ । ଏଥିପାଇଁ ଶଙ୍କରାଚାର୍ଯ୍ୟ କହିଛନ୍ତି–

‘‘ମା କୁରୁ ଧନ ଜନ ଯୌବନ ଗର୍ବଂ

ହରତି ନିମେଷାତ୍‌ କାଳଃ ସର୍ବଂ

ମାୟାମୟମିଦମଖିଳ ହିତ୍ୱା

ବ୍ରହ୍ମପଦ ପ୍ରବିଶାଶୁ ବିଦିତ୍ୱା ।”

 

ତେଣୁ ଛାତ୍ର ଜୀବନରୁ ଗର୍ବ ତ୍ୟାଗ କରିବା ଅଭ୍ୟାସ କଲେ ଭବିଷ୍ୟତ ଜୀବନରେ ଜଣେ ଜଣେ ସୁନ୍ଦର ମଣିଷ ହୋଇ ପାରିବ ।

Image

 

ଦୟା

 

ଦୟା ମନୁଷ୍ୟର ଏକ ବଡ଼ ଭୂଷଣ । ଏହି ଗୁଣ ନଥିବା ମଣିଷକୁ ନିର୍ଦ୍ଧୟ ନିଷ୍ଠୁର ବୋଲି କହି ଅନ୍ୟମାନେ ଘୃଣା କରନ୍ତି । ମଣିଷ ରୋଗ- ଶଯ୍ୟାରେ ପଡ଼ିଥିବା ବେଳେ, କୌଣସି ବିପଦ ଆପଦ ସମୟରେ କିମ୍ୱା ଅସହାୟ ଅବସ୍ଥାରେ ପଡ଼ି ଅନ୍ୟର ସାହାଯ୍ୟ ଲୋଡ଼ିବା ଅବସ୍ଥାରେ ସେମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଆବଶ୍ୟକ । ଏପରିକି ପଶୁପକ୍ଷୀମାନଙ୍କ ପ୍ରତି ଦୟା କରିବା ମନୁଷ୍ୟର ଏକ ଅସାଧାରଣ ଗୁଣ । ଏଭଳି ଗୁଣର ଅଧିକାରୀ ହୋଇଥିବା ମଣିଷହିଁ ପ୍ରକୃତରେ ମଣିଷ । ଏପରିକି ତାକୁ ମଣିଷ ନକହି ଦେବତା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଦେବଦତ୍ତ ଦ୍ୱାରା ଶରାହତ ହୋଇଥିବା ସାମାନ୍ୟ ହଂସଟିର ଦାରୁଣ ଯନ୍ତ୍ରଣାରେ ବାଳ ବୁଦ୍ଧ କିପରି ମର୍ମାହତ ଓ ବ୍ୟଥିତ ହୋଇ ପଡ଼ିଥିଲେ, ଦୟାରେ ତାଙ୍କର କୁସୁମ କୋମଳ ହୃଦୟ କିପରି ବିଚଳିତ ହୋଇଥିଲା ଓ ସେ କିପରି ରାଜ ସିଂହାସନ ତୁଚ୍ଛ ମନେକରି ସନ୍ନ୍ୟାସ ବ୍ରତ ଅବଲମ୍ବନ କରିଥିଲେ ତାହା ସମସ୍ତେ ଜାଣନ୍ତି ।

 

ଯେଉଁ ଗୁଣର ବଶବର୍ତ୍ତୀ ହେଲେ ମଣିଷ ଦେବତା ପାଲଟେ, ଏଭଳି ମହତ୍ ଗୁଣର ଅଧିକାରୀ ହେବାକୁ ଅଭ୍ୟାସ କରିବା ପାଇଁ ଛାତ୍ର ଜୀବନ ହିଁ ପ୍ରକୃଷ୍ଟ କ୍ଷେତ୍ର । ଅଧ୍ୟୟନ କାଳରେ ଗରିବ ଅସହାୟ ସହପାଠୀମାନଙ୍କ ପ୍ରତି ଦୟା କରିବା, ଅସହାୟ ରୋଗୀ ପ୍ରତି ଦୟା କରି ଡାକ୍ତରଖାନାରେ ପହଞ୍ଚାଇ ଦେବା କିମ୍ବା ଔଷଧ ଆଣି ଯୋଗାଇ ଦେବା, ବନ୍ୟା, ମରୁଡ଼ି ଓ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳର ବିପନ୍ନ ଲୋକଙ୍କ ପାଖରେ ପହଞ୍ଚି ଆଶ୍ୱାସନା ମୂଳକ କଥା କହି ଯଥାଶକ୍ତି ସାହାଯ୍ୟ କରିବା ପ୍ରଭୃତି ଅଭ୍ୟାସରେ ଅଭ୍ୟସ୍ତ ହେବା ଉଚିତ ।

 

ଦୟା ସମ୍ପର୍କରେ ଶ୍ରୀମତୀ ମୁକ୍ତାମାଳୀ ଦେବୀଙ୍କ ‘ସତ୍‌ସଙ୍ଗମାଳା’ରେ ଲେଖାଅଛି–

 

‘‘ନିର୍ଦ୍ଦୟ ବ୍ୟକ୍ତି ନିକଟକୁ ଦୁଃଖ ଯେଉଁଠାରେ ଥିଲେ ହେଁ ଖୋଜି ଖୋଜି ଚାଲି ଆସେ । ସେହିପରି ଦୟାର୍ଦ୍ର ବ୍ୟକ୍ତିଙ୍କ ନିକଟକୁ ସୁଖ ଖୋଜି ଖୋଜି ଚାଲି ଆସେ ।’’

 

ମଣିଷ ମନରେ ଦୟା ରାଜପୁତ୍ରଠାରେ ଯେତିକି ପଥର ଭିକାରୀ ପ୍ରତି ସେତିକି ଅର୍ଥାତ୍‌ ସର୍ବତ୍ର ସମପରିମାଣରେ ହେବା ଉଚିତ । ଏଥିପାଇଁ ସ୍ଵଭାବ କବି ଗଙ୍ଗାଧର କହିଛନ୍ତି–

 

‘‘ମହତ ଜନର ଦୟା ସବୁଠାରେ

ସମେ ହୁଏ ବିତରିତ

କର୍ତ୍ତକ ମସ୍ତକୁ ନକରଇ ତରୁ

ସ୍ୱ ଚ୍ଛାୟା ଅପସାରିତ ।

Image

 

କ୍ଷମା

 

ମନୁଷ୍ୟ ଜୀବନ କର୍ମ ବହୁଳ । କର୍ମ ବ୍ୟସ୍ତ ଜୀବନରେ ତ୍ରୁଟି ସ୍ଵାଭାବିକ । ତେଣୁ କୃତ କର୍ମରେ ଥିବା ତ୍ରୁଟି ପାଇଁ ଅନୁତାପ କଲେ ତାହାହିଁ ଯଥେଷ୍ଟ । ଯଦି ଦୋଷୀ ପ୍ରତି ଆମେ କଠିନ ଶାସ୍ତି ବିଧାନ କରିବା, ତେବେ ତାହାର ଜୀବନରେ ଭୁଲ ପ୍ରତି ସଚେତନ କିମ୍ୱା ଅନୁତାପ ନ ଆସି ବରଂ (ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରତି) ହିଂସା କିମ୍ୱା ପ୍ରତିଶୋଧ ମନୋଭାବ ଦେଖା ଦେଇଥାଏ-। ଯଦି ଆମେ ଦୋଷୀକୁ ଦଣ୍ଡ ନ ଦେଇ ତାହାର ଜୀବନରେ କୁ ପ୍ରବୃତ୍ତି ସକଳର ପରିବର୍ତ୍ତନ ନିମିତ୍ତ ଆଶ୍ୱାସନା ଓ ପରାମର୍ଶ ଦେଇ ଶିକ୍ଷା ଦେବା, ପରବର୍ତ୍ତୀ ଜୀବନରେ ତାହାର ପରିବର୍ତ୍ତନ ହିଁ ନିଶ୍ଚୟ ହେବ ।

 

ପଶୁମାନଙ୍କୁ ପୋଷା ମନାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଦଣ୍ଡର ବିଧାନ କରିଥାଉ-। ଯଥା–ଘୋଡ଼ା ପାଇଁ ଚାବୁକ, ହାତୀ ପାଇଁ ଅଙ୍କୁଶ ଓ ଗାଈ ଗୋରୁଙ୍କ ପାଇଁ ଠେଙ୍ଗା ବାଡ଼ି ଇତ୍ୟାଦି । କିନ୍ତୁ ମଣିଷ ନିକଟରେ କେଡ଼େ ସୁନ୍ଦର ବୁଦ୍ଧି ବିବେକ ଥାଇ ଯଦି ଆମେ ସେମାନଙ୍କ ପ୍ରତି ପଶୁ ତୁଲ୍ୟ ବ୍ୟବହାର ବା ଦଣ୍ଡ ବିଧାନ କରୁ ତେବେ ସେମାନଙ୍କୁ ମଣିଷ ବୋଲି କହିବା କେତେଦୂର ସମୀଚୀନ ତାହା ଚିନ୍ତନୀୟ । ତେଣୁ ମଣିଷ ମଣିଷକୁ କ୍ଷମା ଦେବା ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ।

 

ଛାତ୍ର ଜୀବନରୁ ଏହି ମହତ୍‌ କ୍ଷମା ଗୁଣ ହୃଦୟରେ ଧାରଣା କରିବାକୁ ଅଭ୍ୟାସ କରିବା ଉଚିତ । ଏହାର ପ୍ରଭାବରେ ମଣିଷ ଦେଶ ତଥା ଜାତିର ଯେ କେଡ଼େ ବଡ଼ ଅନିଷ୍ଟ ଘଟାଇ ପାରିବ ଏହା କଳ୍ପନାତୀତ । ତେଣୁ କ୍ଷମା ଗୁଣକୁ କ୍ରମଶଃ ହୃଦୟ ଭଣ୍ଡାରରେ ବୃଦ୍ଧି କରିବା ନିମିତ୍ତ ଛାତ୍ର ଛାତ୍ରୀ ଅଭ୍ୟସ୍ତ ହେବା ଉଚିତ ।

 

ଏଥିପାଇଁ ଆମର ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ଅମର ଲେଖନୀରୁ ନିସୃତ ହୋଇଛି–

 

‘‘କ୍ଷମା କଲେ ଝିଅ ! କ୍ଷମା ତ ମିଳଇ

କ୍ଷମାର ନ ମିଳେ ଅନ୍ତ

କ୍ଷମାର ଗ୍ରହୀତା କ୍ଷମାଦାତା ଦୁହେଁ

ଏ ଭୁବନେ ଭାଗ୍ୟବନ୍ତ ।’’

ପୁଣି–‘‘ଦେଇଥିଲେ କ୍ଷମା ମିଳେ ତା ଅଧିକ

ବୁଣିଥିଲେ ପାଇ ଫଳେ

ଅପୂର୍ଣ୍ଣ ଏକାକୀ ଜୀବାତ୍ମା ତରଇ

ମୃତ୍ୟୁ ନଦୀ କ୍ଷମା ବଳେ ।’’

Image

 

ଧୈର୍ଯ୍ୟ

 

ପୃଥିବୀରେ ଲୋକମାନେ ନିଜ ତଥା ପରିବାରର ଭରଣ ପୋଷଣ ନିମିତ୍ତ ନାନାଦି କାର୍ଯ୍ୟରେ ବ୍ୟସ୍ତ ରହନ୍ତି । ପୁଣି କେହି କେହି ସମାଜ ସେବା ଭଳି ମହନୀୟ କାର୍ଯ୍ୟରେ ଲିପ୍ତ ରହନ୍ତି-। ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଅବସ୍ଥାନ କରିବା ସମୟରେ କେତେବେଳେ ଜୀବନରେ ସଂପଦ ଆସେ ତ କେତେବେଳେ ବିପଦ ଦେଖାଦିଏ । ସଂପଦ ଏବଂ ବିପଦ ଗୋଟିକ ପରେ ଗୋଟିଏ ଆସେ ଅବିକଳ ଚକ ଘୂରିବା ପରି । ଏଥିପାଇଁ ସଂସ୍କୃତରେ ଅଛି–

 

‘‘ଦୁଃଖସ୍ୟାନନ୍ତରଂ ସୁଖମ୍ ସୁଖସ୍ୟାନନ୍ତରଂ ଦୁଃଖମ୍‌

ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନିଚ ସୁଖାନିଚ ।’’

 

ଅନେକ ଲୋକ ସଂପଦ ସମୟରେ ଆନନ୍ଦରେ ବିହ୍ୱଳ ହୋଇ ପଡ଼ନ୍ତି ତ ବିପଦ ବେଳେ ଅତି ଦୁଃଖରେ ମ୍ରିୟମାଣ ହୋଇ ପଡ଼ନ୍ତି । କୌଣସି କୌଣସି ଲୋକର ଅତି ଆତ୍ମୀୟ ସ୍ୱଜନଙ୍କର ମୃତ୍ୟୁ ହେଲେ ବିପଦରେ ସେ ଏତେ ବିବ୍ରତ ହୋଇ ପଡ଼ନ୍ତି ଯେ ବିଷ ପାନାଦି ଦ୍ୱାରା ଆତ୍ମ ହତ୍ୟା ମଧ୍ୟ କରି ଥାଆନ୍ତି । ପୁଣି ମଣିଷ ଅତି ସଂପଦ କାଳରେ ଆନନ୍ଦରେ ଅଧୀର ହୋଇ ନିଜର ହିତାହିତ ଜ୍ଞାନ ହରାଇ ଦେଇଥାଏ । ତେଣୁ ଯେ କୌଣସି ଅବସ୍ଥାରେ ଥାଉନା କାହିଁକି ସର୍ବଦା ଧୀର ସ୍ଥିର ଭାବରେ ସ୍ୱ କର୍ତ୍ତବ୍ୟ ସଂପାଦନ କରିବା ଉଚିତ ! କଥାରେ ଅଛି–ଧୀର ପାଣି ପଥର କାଟେ ।’ ବିନ୍ଦୁ ବିନ୍ଦୁ ଜଳ ପତନରେ ପଥର ଭଳି ଦୃଢ଼ ବସ୍ତୁ ମଧ୍ୟ କ୍ଷୟ ହୋଇପାରେ । ତେଣୁ ଧୀର ସ୍ଥିର ଭାବରେ ମଣିଷ ତାର ଜୀବନ କାଳ ମଧ୍ୟରେ ଦୁନିଆରେ ଗୋଟିକ ପରେ ଗୋଟିଏ କାମ ଆରମ୍ଭ କରି ବହୁତ କାର୍ଯ୍ୟ ସାଧନ କରିପାରେ । କିନ୍ତୁ କାର୍ଯ୍ୟ କରିବାର ବିଚକ୍ଷଣତା ଦର୍ଶାଇବାକୁ ଯାଇଁ ଇତସ୍ତତଃ ଭାବରେ କାର୍ଯ୍ୟ କଲେ କୌଣସି ଗୋଟିଏ କାମ ପୂର୍ଣ୍ଣାଙ୍ଗ ହୋଇପାରେ ନାହିଁ । ତେଣୁ ମନରେ ହତାଶ ଭାବ ସୃଷ୍ଟି ହୁଏ–ଜୀବନ ନିରର୍ଥକ ବୋଧହୁଏ । କାର୍ଯ୍ୟରେ ବିଫଳତା ଆସିବାରୁ ମନରେ ଅବଶୋଷ ରହିଥାଏ । କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ଭାଷାରେ–

 

‘‘ଧୀରେ ଚାଲ ସିଧା ସହଜ ବାଟେ

ଧୀର ପାଣି ଏକା ପଥର କାଟେ

ହାନିରେ ଲାଭରେ ଧୀର

ରହିଥାଏ ଯେହୁ ସଂସାରରେ ସେହୁ

ବୋଲାଏଟି ସିନା ବୀର ।’’

 

ଧୈର୍ଯ୍ୟ ସଂପର୍କରେ ଶ୍ରୀମା କହିଛନ୍ତି–

 

‘‘ସକଳ ପ୍ରାର୍ଥନା ହିଁ ସଫଳ ହୁଏ ଯଦି ତୁମର ଧୈର୍ଯ୍ୟ ଓ ଅଧ୍ୟବସାୟ ଥାଏ ।’’

 

ତେଣୁ ଛାତ୍ରାବସ୍ଥାରୁ ଧୈର୍ଯ୍ୟ ଗୁଣ ପାଳନ କରି ମନୁଷ୍ୟ ଜୀବନକୁ ସାର୍ଥକ କରିବା ଉଚିତ ।

Image

 

ତ୍ୟାଗ

 

ତ୍ୟାଗ ମନୁଷ୍ୟର ଏକ ପ୍ରଧାନ ଭୂଷଣ । ଦୁନିଆରେ ପ୍ରାୟ ସମସ୍ତେ ସ୍ଵାର୍ଥପରତା ଯୋଗୁଁ ନିଜ ନିଜର ଉନ୍ନତି କାମନା କରୁଥିବା ସମୟରେ କେତେ ଜଣ ମହାପୁରୁଷ ସେମାନଙ୍କର ତ୍ୟାଗ ବଳରେ ମାନବ ସମାଜକୁ ସୁନ୍ଦର ଭାବରେ ଗଢ଼ିବାରେ ଲାଗି ପଡ଼ିଥାନ୍ତି । ଯେପରି ସୂର୍ଯ୍ୟୋଦୟ ମାତ୍ରେ ତାହାର କିରଣ ରାଶି ସର୍ବତ୍ର ବିଛାଡ଼ି ହୋଇ ପଡ଼େ ଓ ସୁପ୍ତ ପୃଥିବୀ ଜାଗ୍ରତ ହୋଇ କର୍ମ ମୁଖରିତ ହୁଏ ସେହିପରି ପୃଥିବୀର କେତେଜଣ ତ୍ୟାଗୀ ମହାପୁରୁଷଙ୍କ କାର୍ଯ୍ୟକଳାପରେ ସାଧାରଣ ଲୋକେ ଆଶ୍ଚର୍ଯ୍ୟାନ୍ୱିତ ହେବା ସଙ୍ଗେ ସଙ୍ଗେ ନୂତନ କର୍ମ ପାଇଁ ନୂତନ ଉତ୍ସାହ ଓ ନୂତନ ଶକ୍ତି ଲାଭ କରନ୍ତି । ଫଳତଃ ପୃଥିବୀରେ ନୂଆ ନୂଆ କାର୍ଯ୍ୟ ସାଧିତ ହେବା ପାଇଁ ପଥ ସୁଗମ ହୁଏ-

 

ପୁରାଣ ବର୍ଣ୍ଣିତ ଦଧୀଚି ଋଷି ଦେବତାମାନଙ୍କର ବିପଦ ଖଣ୍ଡନ ନିମିତ୍ତ ନିଜର ଶରୀର ଉତ୍ସର୍ଗ କରିଥିଲେ–ଏହା କଣ କମ୍ ତ୍ୟାଗର ଆଦର୍ଶ ? ଏଥିପାଇଁ ଉତ୍କଳମଣି ଗୋପବଂଧୁ ଲେଖିଛନ୍ତି–

 

‘‘ଭୁବନ ବିଦିତ ଦଧୀଚି ଚରିତ

ପୁରାଣେ ତ ଅଛ ଶୁଣି

କହି ସ୍ୱସ୍ତୀ ସ୍ୱସ୍ତୀ ଦେଲେ ନିଜ ଅସ୍ଥି

ବିଶ୍ୱ ହିତେ ମହା ମୁନି ।”

 

ଆମ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନରେ ତ୍ୟାଗର ଦୃଷ୍ଟାନ୍ତ ବିରଳ ନୁହେଁ । ଉତ୍କଳ ମଣି ପଣ୍ଡିତ ଗୋପବଂଧୁଙ୍କ ଜୀବନ ତ ତ୍ୟାଗରେ ପରିପୂର୍ଣ୍ଣ । ତେଣୁ ସାରା ପୃଥିବୀରେ ‘ତ୍ୟାଗୀ ଗୋପବଂଧୁ’ ନାମରେ ସେ ପ୍ରସିଦ୍ଧ ଲାଭ କରିଛନ୍ତି । ସାଧାରଣତଃ ବିଶୁ ମହାରଣାର ବାର ବର୍ଷର କୋମଳମତି ପୁଅ ଧରମା ଓ ବାର ବର୍ଷର ଧୀବର ବାଳକ ବାଜି ରାଉତର ତ୍ୟାଗ ମଧ୍ୟ କମ୍ ନୁହେଁ ।

 

ଏ ସଂପର୍କରେ ପଲ୍ଲୀକବି ନନ୍ଦକିଶୋରଙ୍କ କଣ୍ଠରୁ ଝରିଛି–

 

‘‘ସଂସାର ଅଟଇ ମହାଶିକ୍ଷା ଭୂମି

ତ୍ୟାଗ ମହାନ ସାଧନ

ଇତର ପରାଣୀ ସମ ନର ହେଲେ

ଜନମ ତା ଅକାରଣ ।”

 

ତେଣୁ ମଣିଷର ଏଭଳି ମହାନ ଗୁଣ ଛାତ୍ର ଜୀବନରୁ ହିଁ ଶିକ୍ଷା କରିବା ଉଚିତ–ଯାହା ଫଳରେ ମଣିଷ ଜୀବନ ଇତର ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ ବୋଲି ବିବେଚିତ ହେବ ।

Image

 

ଲଜ୍ଜା

 

ଛାତ୍ରାବସ୍ଥା ହିଁ ବିଭିନ୍ନ ଶିକ୍ଷା ଗ୍ରହଣ କରିବାର ପ୍ରକୃଷ୍ଟ ସମୟ । ଯେଉଁ ଛାତ୍ର ତାର ଜୀବନକୁ ଉଚିତ ମାର୍ଗରେ ପରିଚାଳିତ ନ କରି, ଅନ୍ୟ ମନସ୍କ ହୋଇ ଅଯଥାରେ ସମୟ ବିତାଇ ଦେଇଥାଏ ସେ, ପରବର୍ତ୍ତୀ କାଳରେ ଦୁଃଖ ସହିବାକୁ ହିଁ ବାଧ୍ୟ ହୋଇଥାଏ । ସ୍ଥଳ ବିଶେଷରେ ଲଜ୍ଜା ଓ ଅପମାନ ଉଭୟ ମଧ୍ୟ ଲାଭ କରେ ।

 

ଅନୁଧ୍ୟାନରୁ ଜଣାଯାଏ ଯେ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ କେତେକ ନିର୍ଭୀକ, କେତେକ ଭୟାଳୁ, କେତେକ ଚୋର ଓ କେତେକ ଲାଜକୁଳା ପ୍ରଭୃତି ବିଭିନ୍ନ ସ୍ୱଭାବର ପିଲା ଥାଆନ୍ତି । ଶ୍ରେଣୀରେ ଗୁରୁଜୀ ଶିକ୍ଷା ଦାନ ସମୟରେ ‘ସମସ୍ତେ ବୁଝି ପାରିଲତ ? ଆଉ କାହାରି କିଛି ଅବୁଝା ରହିଲା କି ? ଇତ୍ୟାଦି ପ୍ରଶ୍ନ କଲେ ମଧ୍ୟ ସମସ୍ତେ ବୁଝି ପାରିଲା ଭଳି–‘ହଁ’ କହି ଦେଇଥାନ୍ତି । ପ୍ରକୃତରେ ସେଭଳି ଛାତ୍ରମାନଙ୍କର ଜୀବନ ଅକାରଣ ହୁଏ । ପ୍ରଥମତଃ ମଣିଷ ଜୀବନର ଅମୁଲ୍ୟ ସମୟ ନଷ୍ଟ କରି ସେମାନେ ପରବର୍ତ୍ତୀ ଜୀବନରେ ପଥ ସୁଗମ କରିବା ପାଇଁ କିଛି ଜାଣି ପାରନ୍ତି ନାହିଁ । ଦ୍ୱିତୀୟତଃ ଯେଉଁ ଉଚ୍ଚ ଆଶା ମନ ମଧ୍ୟରେ ପୋଷଣ କରି ନିଜେ ଭୋକ ଉପାସରେ ରହି, ଦିବା ନିଶି କର୍ମ କ୍ଷେତ୍ରରେ ଅକ୍ଳାନ୍ତ ପରିଶ୍ରମ କରି ପୁତ୍ର କନ୍ୟାମାନଙ୍କର ପାଠ ପଢ଼ାରେ ଧନ ବ୍ୟୟ କରିଥାନ୍ତି, ସେଭଳି ପିତା ମାତା ବୃଦ୍ଧାବସ୍ଥାରେ ଘୋର ଆର୍ଥିକ ପରସ୍ଥିତିର ସମ୍ମୁଖୀନ ହୋଇ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି । ଏ ସବୁର ମୂଳ କାରଣ ହେଲା ଛାତ୍ର ଜୀବନରେ ଲଜ୍ଜାଶୀଳ ହେବା ।

 

ଅଧ୍ୟୟନ କାର୍ଯ୍ୟରେ ଲଜ୍ଜାଶୀଳ ନହୋଇ ଧୀର ଆଉ ବିନୟ ଭାବରେ ଗୁରୁଜୀଙ୍କ ଠାରୁ ବିଦ୍ୟା ସଂଗ୍ରହ କରିବା ଉଚିତ । ସବୁ ପିଲାଙ୍କର ସମାନ ମସ୍ତିଷ୍କ କିମ୍ୱା ସମାନ ସ୍ମୃତି ଶକ୍ତି ନଥାଏ । କିଏ ଥରେ ଶୁଣିଲେ ମନେ ରହିଯାଏ ତ କିଏ ତିନିଥର ପଢ଼ିଲେ ମଧ୍ୟ ମନେରହିବା ସମ୍ଭବ ହୁଏ ନାହିଁ । ତେଣୁ ଶ୍ରେଣୀରେ ଥରେ ପାଠ ମନେ ନରହିଲେ ପୁନରାୟ ଗୁରୁଜୀଙ୍କୁ ପଚାରି ବୁଝିବାରେ ଲଜ୍ଜାର କାରଣ କିଛି ନାହିଁ । ବରଂ ଶ୍ରେଣୀ ଗୃହରେ ଏତେ ପିଲାଙ୍କ ଗହଣରେ ଛିଡ଼ାହୋଇ ବିନୟର ସହିତ ଗୁରୁଜୀଙ୍କୁ ପ୍ରଶ୍ନ କଲେ ନିର୍ଭୀକତା ଓ ଲଜ୍ଜାଭାବ ହ୍ରାସ ପାଇବା ସଙ୍ଗେ ସଙ୍ଗେ ସାହସିକତା କ୍ରମଶଃ ବୃଦ୍ଧି ପାଏ । ତେଣୁ ଛାତ୍ର ଜୀବନରେ ବିଦ୍ୟା ସଂଗ୍ରହ ବେଳେ କଦାପି ଲଜ୍ଜାଶୀଳ ହେବା ଉଚିତ ନୁହେଁ । ଏଥିପାଇଁ ପଣ୍ଡିତ ଚାଣକ୍ୟ କହିଛନ୍ତି–‘‘ଧନ ଧାନ୍ୟ ପ୍ରୟୋଗେଷୁ ବିଦ୍ୟା ସଂଗ୍ରହେଣେଷୁ ଚ । ଆହାରେ ବ୍ୟବହାରେ ଚ ଯଃ ତ୍ୟକ୍ତଃ ଲଜ୍ଜଃ ସଃ ସୁଖୀ ଭବେତ୍‌ ।’’

 

ବେଳେବେଳେ ଆମକୁ କେହି କିଛି ପଦାର୍ଥ ଗ୍ରହଣ ପାଇଁ ଦେଉଥିଲେ ମଧ୍ୟ ଆମେ ଲଜ୍ଜା ବଶତଃ ସେ ସବୁକୁ ନେବା ପାଇଁ କୁଣ୍ଠାବୋଧ କରୁ । କିନ୍ତୁ ପରାଶର ମୁନି କହିଛନ୍ତି ଯେ ନବବସ୍ତ୍ର ଜଳଧାରା, ଦୁଗ୍‌ଧବତୀଧେନୁ, ସୁର୍ବଜ, ଉତ୍ତମ ଯାନ, ଶାସ୍ତ୍ର ଓ ଉତ୍ତମ ଖାଦ୍ୟ–ଏସବୁ ଜିନିଷ ଛାଏଁ ଛାଏଁ ଆସି ଆମ ପାଖରେ ପହଂଚିଲେ ତ୍ୟାଗ ନକରି ଗ୍ରହଣ କରିବା ଉଚିତ ।

Image

 

ଖାଦ୍ୟ

 

ଜନ୍ଦା ପିମ୍ପୁଡ଼ିଙ୍କ ଠାରୁ ଆରମ୍ଭ କରି ମହା ବଳଶାଳୀ ଅତି ବୃହଦାକାର ବାଘ, ହାତୀ ପ୍ରଭୃତି ଜୀବ ଜନ୍ତୁଙ୍କ ସ୍ୱଭାବ ଲକ୍ଷ୍ୟ କଲେ କେଉଁମାନଙ୍କର ସ୍ୱଭାବ ଶାନ୍ତ, ସରଳ ଓ ନିରୀହ ଜଣାପଡ଼େ ତ ପୁଣି କେଉଁମାନଙ୍କର ସ୍ୱଭାବ ଉଗ୍ର, ଜଟିଳ ଓ ହିଂସ୍ର ଜଣାପଡ଼େ ଆକାରରେ ସର୍ପ କ୍ଷୁଦ୍ର ହେଲେ ମଧ୍ୟ ଭୟଙ୍କର ଆଉ ହାତୀ ବିରାଟ ହେଲେ ମଧ୍ୟ ଶାନ୍ତ ଜଣା ପଡ଼େ । ପୁଣି ହାତୀଠାରୁ ସିଂହ କ୍ଷୁଦ୍ରତର ହେଲେ ମଧ୍ୟ ପରସ୍ପରର ସ୍ୱଭାବ ସଂପୂର୍ଣ୍ଣ ବିପରୀତ ।

 

ତେବେ ଜୀବ ଜଗତରେ ସମସ୍ତେ ଏକାପରି ଜଣା ପଡ଼ୁଥିଲେହେଁ ସ୍ଵଭାବରେ ଏପରି ବିଷମତା ପରିଦୃଷ୍ଟ ହୁଏ କାହିଁକି ?

 

ଅନୁଧ୍ୟାନରୁ ଜଣାପଡ଼େ ଯେ ଶଶକ ହସ୍ତୀ ପ୍ରଭୃତି ଜୀବଗଣ ତୃଣଭୋଜୀ । କିନ୍ତୁ ଶୃଗାଳ, ସିଂହ, ବ୍ୟାଘ୍ର ପ୍ରଭୃତି ଜୀବଗଣ ମାଂସାହାରୀ । ସେମାନେ ଅପେକ୍ଷାକୃତ ଦୁର୍ବଳ ପଶୁକୁ ଶିକାରକରି ମାଂସ ଭୋଜନ କରିଥାନ୍ତି । ତେଣୁ ସେମାନଙ୍କର ସ୍ୱଭାବ ହିଂସ୍ର ହୋଇଯାଇଛି । ଶରୀର ପକ୍ଷରେ ଖାଦ୍ୟର ପ୍ରଭାବ ଯଥେଷ୍ଟ ଶକ୍ତିଶାଳୀ ।

 

ବର୍ତ୍ତମାନ ମନୁଷ୍ୟମାନଙ୍କ ସ୍ୱଭାବ ବିଚାର୍ଯ୍ୟ । ମାଂସାଶୀ ଓ ନିରାମିଷାଶୀ ମନୁଷ୍ୟର ସ୍ଵଭାବ ସଂପୂର୍ଣ୍ଣ ବିପରୀତ । ଯେଉଁ ମାନବ ମାଂସ ପ୍ରିୟ, ମାଛ କିମ୍ୱା ମାଂସ ନ ହେଲେ ଖାଦ୍ୟ ଗ୍ରହଣ ସଂପୂର୍ଣ୍ଣ ବନ୍ଦ, ସେମାନଙ୍କର ସ୍ୱଭାବ ସାଧାରଣତଃ ଉଗ୍ର ହୋଇଥାଏ । କିନ୍ତୁ ଯେଉଁମାନେ ନିରାମିଷାଶୀ–ସେମାନେ ସାକ ସବ୍‌ଜୀ ଗ୍ରହଣ ଫଳରେ ସେମାନଙ୍କର ସ୍ୱଭାବ ସରଳ ହୋଇଥାଏ-

 

କେତେକ କୁହନ୍ତି ମାଂସ ଆହାରରେ ଶରୀରରେ ବହୁତ ଶକ୍ତି ଜାତ ହୁଏ । ଦେହ ହୃଷ୍ଟ ପୃଷ୍ଟ ହୁଏ । ଅନ୍ୟ ପକ୍ଷରେ ଦୁଗ୍‌ଧ, ଲହୁଣୀ, ଘିଅ ପ୍ରଭୃତି, ଦୁଗ୍‌ଧ ଜାତ ପଦାର୍ଥ ଅତ୍ୟନ୍ତ ସୁସ୍ୱାଦୁ ଓ ବଳ ବଦ୍ଧର୍କ । ସେଭଳି ଖାଦ୍ୟ ପଦାର୍ଥକୁ କେତେକ ପସନ୍ଦ ନକରି ମାଛ ଝୋଳ କିମ୍ୱା ସାମାନ୍ୟ ପୋଡ଼ା ଶୁଖୁଆରେ ଅତୀବ ଆନନ୍ଦ ଅନୁଭବ କରନ୍ତି । ଦୁଗ୍‌ଧ ଦ୍ୱାରା ଶରୀର, ଘୃତଦ୍ୱାରା ଶକ୍ତି ଓ ମାଂସ ଦ୍ୱାରା ଦେହର ମାଂସ ବୃଦ୍ଧି ହୁଏ ।

 

ତେବେ ଶରୀର ପକ୍ଷରେ ଆମର କେଉଁ ପଦାର୍ଥଟି ଆବଶ୍ୟକ ?

 

ଆମେ ଦେବ-ଦେବୀଙ୍କ ନିକଟରେ ଦୁଗ୍‌ଧ, ଘୃତ ପ୍ରଭୃତି ଯେଉଁ ଭୋଗ ଲଗାଉ, ସେମାନେ କେବଳ ତହିଁର ମାଦକ ଗ୍ରହଣ କରନ୍ତି । କିନ୍ତୁ ପଦାର୍ଥ ସକଳରୁ କିଛି ଅଂଶ ଉଣା ହୋଇଥାଏ କି ? ଯେଉଁ ପଦାର୍ଥର ସୁଗନ୍ଧ ଏଡ଼େ ସୁନ୍ଦର, ତାହା ଯେ କେତେ ସୁସ୍ୱାଦୁ ଓ ଶରୀର ପକ୍ଷେ ହିତକର, ଏହା କ’ଣ କାହାକୁ ଅଜଣା ?

 

ତେଣୁ ମାଂସ ଆହରଣ ପାଇଁ ଅଯଥା ପଶୁବଧ କରିବା ଅନୁଚିତ । ଆଗ କାଳରେ କେବଳ ରାଜା ମହାରାଜାମାନେ ହିଁ ଯଜ୍ଞ ଉଦ୍ଦେଶ୍ୟରେ ପଶୁମାନଙ୍କୁ ହତ୍ୟା କରୁଥିଲେ ।

 

ଯେଉଁମାନେ ମାଂସ ଉଦ୍ଦେଶ୍ୟରେ ପଶୁ ଶିକାର କରନ୍ତି, ସେମାନଙ୍କ ହୃଦୟରେ ନିଷ୍ଠୁର ଓ ହିଂସାଭାବ ଜାତ ନହେଲେ ପଶୁବଧ ଅସମ୍ଭବ । ଏଥିପାଇଁ ମଧ୍ୟ ଜଗନ୍ନାଥ ଦାସ କହିଛନ୍ତି–

 

‘‘ଜୀବରେ ଯାର ଦୟା ନାହିଁ

ଉଦ୍ଧବ ଚାଣ୍ଡାଳଟି ସେହି ।’’

 

ଆମ ଦେଶର ଜନକ ମହାତ୍ମାଗାନ୍ଧୀ ନିରାମିଷ ଭୋଜନ କରୁଥିଲେ । ସେ କହିଛନ୍ତି–

 

ମଣିଷ ପଶୁ ପକ୍ଷୀଙ୍କ ରାଜ୍ୟ ଉପରେ ଯେଉଁ ଅଧିକାର ପାଇଛି, ତାହା ପଶୁ ପକ୍ଷୀଙ୍କୁ ମାରି ଖାଇବା ପାଇଁ ନୁହେଁ, ବରଂ ସେମାନଙ୍କୁ ରକ୍ଷା କରିବା ପାଇଁ ଅଧିକାର ପାଇଛି । ମଣିଷମାନେ ଯେମିତି ପରସ୍ପରର କାମରେ ଲାଗନ୍ତି, କିନ୍ତୁ ପରସ୍ପରକୁ ଖାଆନ୍ତି ନାହିଁ, ଠିକ୍ ସେହିପରି ପଶୁପକ୍ଷୀ ମନୁଷ୍ୟର କାମରେ ଆସିବେ ବୋଲି ସୃଷ୍ଟି ହୋଇଛନ୍ତି ।’’

 

ଏଣୁ ଖାଦ୍ୟପାଇଁ କୌଣସି ଜୀବ ହତ୍ୟା କରିବା ଅନୁଚିତ ।

 

ଏହିସବୁ କାରଣରୁ ଛାତ୍ର ଜୀବନରୁ ଯଥା ସମ୍ଭବ ନିରାମିଷାଶୀ ହେବା ଉଚିତ । ଏପରିକି ଅତ୍ୟଧିକ ଲଙ୍କା, ଜିରା, ପିଆଜ, ରସୁଣ ପ୍ରଭୃତି ଉତ୍ତେଜକ ଖାଦ୍ୟ ଗ୍ରହଣ କରିବା ଅନୁଚିତ-। କେହି କେହି ତ ଛାତ୍ର ସଙ୍ଗ ଦୋଷରେ ବିଡ଼ି, ସିଗାରେଟ୍‌, ପାନ, ଗୁଡ଼ାଖୁ ପ୍ରଭୃତି ମାଦକ ଦ୍ରବ୍ୟ ଅଭ୍ୟାସର ବଶବର୍ତ୍ତୀ ହୋଇଥାନ୍ତି । କିନ୍ତୁ ଛାତ୍ରଛାତ୍ରୀମାନେ ସର୍ବଦା ସ୍ମରଣ ରଖିବା ଉଚିତ ଯେ ସେମାନେ ଏସବୁ ପଦାର୍ଥ ଗ୍ରହଣ କରିବା ଦୂରେ ଥାଉ ପଛକେ କଦାପି ସ୍ପର୍ଶ କରିବା ଅନୁଚିତ-। ଏସବୁ ମାଦକ ପଦାର୍ଥ ସେବନରେ ଶରୀରର ପ୍ରଭୂତ କ୍ଷତି ଘଟେ । ପୁଣି ଆର୍ଥିକ ପରିସ୍ଥିତିରେ ତତୋଽଧିକ କ୍ଷତି ଘଟେ ।

 

ମସଲା ବ୍ୟବହୃତ ହୋଇ ନଥିବା ତରକାରୀ ସ୍ୱାସ୍ଥ୍ୟପ୍ରଦ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଥାନ୍ତି । ତେଣୁ ଖାଦ୍ୟରେ ଆଡ଼ମ୍ବର ନରଖି ଅତି ସରଳ ଖାଦ୍ୟ ପେୟରେ ଅଭ୍ୟସ୍ତ ହେବା ଏଇ ଛାତ୍ର ଜୀବନରୁ ହିଁ ଅଭ୍ୟାସ କରିବା ଉଚିତ୍ ।

 

ଛାତ୍ର ଅବସ୍ଥାରେ ପିଲାମାନେ ଘରୁ ପଇସା ନେଇ ଦୋକାନ ବଜାରରେ ଖୋଲା ବିକ୍ରି ହେଉଥିବା ଜଳଖିଆ ଖାଇଥାନ୍ତି । କିନ୍ତୁ ଏଭଳି ଖାଦ୍ୟ ଗ୍ରହଣ କରିବା ସ୍ୱାସ୍ଥ୍ୟରକ୍ଷାର ନିୟମ ବିରୁଦ୍ଧ-। ତେଣୁ ଏଗୁଡ଼ିକ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ । ସାଧାରଣ ଭାତ, ଡାଲି, ତରକାରୀ ବ୍ୟତୀତ ଦୈନିକ ସକାଳ ଓ ସନ୍ଧ୍ୟାରେ, ଚୂଡ଼ା, ଗୁଡ଼, ପାଚିଲା କଦଳୀ ଓ ଗଜାମୁଗ ପ୍ରଭୃତି ଜଳପାନ ରୂପେ ଗ୍ରହଣ କଲେ ସ୍ଵାସ୍ଥ୍ୟପ୍ରଦ ହୋଇଥାଏ । ମାଦକ ଦ୍ରବ୍ୟ ଭଳି ଯେଉଁ ପଦାର୍ଥ ଖାଇଲେ ଦେହର ହିତ ପରିବର୍ତ୍ତେ ଅଶେଷ କ୍ଷତି ହୁଏ, କବିରାଜ ଡାକ୍ତର ଲାଗି ଧନ କ୍ଷୟ ହୁଏ; ସେଭଳି ପଦାର୍ଥ ଠାରୁ ସର୍ବଦା ଦୂରରେ ରହିବା ଉଚିତ । ଅଳ୍ପ ପଇସା ଖର୍ଚ୍ଚରେ ଯେଉଁ ଖାଦ୍ୟ ଖାଇଲେ ସ୍ଵାସ୍ଥ୍ୟୋନ୍ନତି ହୁଏ, ସେଭଳି ବିଚାର କରି ତଦନୁରୂପେ ଅଭ୍ୟସ୍ତ ହେବା ଉଚିତ-

 

ଆଜିକାଲି ଛାତ୍ର ଛାତ୍ରୀମାନେ ଏଣେ ତେଣେ ବୁଲି ଆସି ହାତ ପାଦ ନଧୋଇ ଭୋଜନରେ ବସି ପଡ଼ନ୍ତି । କିନ୍ତୁ ଏହା ନୀତି ବିରୁଦ୍ଧ । ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଆସନରେ ବସି ଭୋଜନ କରିବା ଉଚିତ ।

 

ଯେଉଁ ଲୋକ ଭୋକ ରଖି ଖାଏ ଅର୍ଥାତ ଖାଇବା ବେଳେ ସମସ୍ତ ପାକସ୍ଥଳୀକୁ ଖାଦ୍ୟ ପଦାର୍ଥରେ ପୂରଣ ନକରି ଏକ ଚତୁର୍ଥାଶଂ ଖାଲି ରଖେ ତାହାର ଶାରୀରିକ ଗଠନ, ଶକ୍ତି, ନୀରୋଗତା, ପରମାୟୁ, ସୁଖ ଓ ସ୍ୱାସ୍ଥ୍ୟ–ଏଇ ଛଅଟି ଉପକାର ହାସଲ ହୁଏ ବୋଲି ବିଦୂର କହିଛନ୍ତି ।

 

ଭୋକ ବେଳେ ନଖାଇଲେ ଶରୀରରେ ବହୁ କ୍ଷତି ଘଟେ । ଅଗ୍ନି ଜଳିଲେ କାଠକୁ ଯେପରି ଭସ୍ମ କରିଦିଏ, ସେହିପରି ଭୋକବେଳେ ନ ଖାଇଲେ ଭୋକ ମନୁଷ୍ୟକୁ ଖାଇଦିଏ । ତେଣୁ କେତେବେଳେ ହେଲେ ପାକସ୍ଥଳୀ ଖାଲି କରିବା ଅନୁଚିତ ।

 

କେତେକ ଲୋକ ଖାଇ ସାରିବା ସଙ୍ଗେ ସଙ୍ଗେ କଠିନ ଶାରୀରିକ ପରିଶ୍ରମ କରିଥାନ୍ତି । କିନ୍ତୁ ଏହା ସ୍ଵାସ୍ଥ୍ୟରକ୍ଷା ବିରୁଦ୍ଧ । ଖାଇସାରି କିଛି ସମୟ ଶୋଇରହି ବିଶ୍ରାମ ନେଲେ ପରମାୟୁ ବଢ଼େ । ଏଥିପାଇଁ ପ୍ରବାଦ ଅଛି–

 

‘‘ଖାଇ ଶୋଇଲେ ବଢ଼ଇ ଆୟୁ

ଖାଇ ଚାଲିଲେ ବଢ଼ଇ ବାୟୁ

ଖାଇ ବସିଲେ ବଢ଼ଇ ପେଟ

ଖାଇ ଖାଇଲେ ଯମର ଭେଟ’’

Image

 

ପୋଷାକ

 

ବଣ ପାହାଡ଼ରେ ବାସ କରୁଥିବା ପୃଥିବୀର ଆଦିବାସୀମାନେ ଶିକ୍ଷା ପାଇବା ସଙ୍ଗେ ସଙ୍ଗେ ଲଜ୍ଜା ନିବାରଣ ନିମିତ୍ତ ଗଛର ତନ୍ତୁ ଓ ବଳ୍‍କଳ ଧାରଣ କଲେ ଏବଂ ପରେ ବିଭିନ୍ନ ପ୍ରକାର ବସ୍ତ୍ର ପ୍ରସ୍ତୁତ କରି ପିନ୍ଧିବାକୁ ଲାଗିଲେ । ବର୍ତ୍ତମାନର ମାନବଗଣ ତୂଳା ବସ୍ତ୍ର ବ୍ୟତୀତ କୃତିମ ଟେରିଲିନ ଓ ଟେରିକଟ୍ ପ୍ରଭୃତି ପୋଷାକରେ ଶରୀର ଆଚ୍ଛାଦନ କରୁଛନ୍ତି ।

 

ଛାତ୍ର ଜୀବନରେ ଖାଦ୍ୟ ପରି ପୋଷାକ ପରିଚ୍ଛଦରେ ସରଳ ହେବା ବିଧେୟ । ଆଡ଼ମ୍ୱର ପୂର୍ଣ୍ଣ ପୋଷାକ ପରିଧାନ କଲେ ଛାତ୍ରର ମନ ଚଞ୍ଚଳ ହୋଇଥାଏ । ଅବଶ୍ୟ ନିଜକୁ ରୁଚିବା ପରି ଖାଦ୍ୟ ଖାଇବା ଓ ଅନ୍ୟକୁ ସୁନ୍ଦର ଦିଶିଲା ପରି ପୋଷାକ ପିନ୍ଧିବା ଉଚିତ । ଯେପରିକି କଥାରେ ଅଛି–‘‘ଆପ୍‍ ରୁଚି ଖାନା ପର ରୁଚି ପଏନା ।’’ ହେଲେହେଁ ବସ୍ତ୍ର ଧାରଣର ପ୍ରଧାନ ଉଦ୍ଦେଶ୍ୟ ଲଜ୍ଜା ନିବାରଣ । ତେଣୁ ଏଥିପାଇଁ ଆଡ଼ମ୍ୱରର ପ୍ରୟୋଜନତା କାହିଁକି ?

 

କେତେଜଣ ଧନୀ ଛାତ୍ରଙ୍କର ପୋଷାକରେ ଏତେ ସଉକ ଯେ ସେମାନେ ବହୁ ମୂଲ୍ୟର ବହୁ ସଂଖ୍ୟକ ପୋଷାକ ତିଆରି କରିଥାନ୍ତି । ଦିନର ବିଭିନ୍ନ ସମୟରେ ବିଭିନ୍ନ ପୋଷାକ ପରିଧାନ କରି ଦୁନିଆକୁ ଦେଖେଇ ହୁଅନ୍ତି । ଦେଖାଯାଇଥାଏ ଯେ ସେମାନେ ପୋଷାକପତ୍ର ତଥା ସ୍ନୋ, ପାଉଡ଼ର, ଅତର ପ୍ରଭୃତିର ବ୍ୟବହାର କରି ନିଜକୁ ସାଧାରଣ ସମାଜଠାରୁ ସ୍ୱତନ୍ତ୍ର କରିବାରେ ଆଦୌ ଅବହେଳା କରନ୍ତି ନାହିଁ । କଥାରେ ଅଛି–‘କାମ ନଥିଲେ ମୁକୁର ସେବା ।’ ସେମାନେ ପୋଷାକ ପରିଧାନ ସମୟରେ ଦର୍ପଣ ସମ୍ମୁଖରେ ଅଧିକ କାଳ ଦଣ୍ଡାୟମାନ ରହି ଦେହକୁ ସଜାଇବାରେ ଏତେ ମଗ୍ନ ରୁହନ୍ତି ଯେ ମଣିଷ ଜୀବନର ମୂଲ୍ୟବାନ ସମୟତକ କେତେ ଚଞ୍ଚଳ ଚାଲି ଯାଉଛି ତାହା ଥରେ ହେଲେ ଭାବନ୍ତି ନାହିଁ । ଏଭଳି ଅଭ୍ୟାସର ମୋହରେ ପଡ଼ିଥିବା ଛାତ୍ର ଛାତ୍ରୀମାନେ ସାଧାରଣତଃ ବୁଦ୍ଧିରେ ଅପାରଙ୍ଗମ । ସେମାନେ କେବଳ ପୋଷାକ ପତ୍ରରେ ଦେହକୁ ଚିତ୍ରପରି ସଜାଇବାରେ ଆଗଭର ହୋଇଥାନ୍ତି ।

 

ଆଧୁନିକ ଯୁଗର ପୋଷାକ ପରିଚ୍ଛଦ ସଂର୍ପକରେ ମହାତ୍ମା ଗାନ୍ଧୀ କହିଛନ୍ତି–

 

‘‘ଆଧୁନିକ ଯୁବତୀ ଖରା ବର୍ଷା ବା ଶୀତ କଷ୍ଟରୁ ନିଜ ସ୍ୱାସ୍ଥ୍ୟ ରକ୍ଷା କରିବାକୁ ପୋଷାକ ପିନ୍ଧେ ନାହିଁ । ପିନ୍ଧିବା ପୋଷାକ ଦ୍ୱାରା ପୁରୁଷର ଦୃଷ୍ଟି ଆକର୍ଷଣ କରିବାହିଁ ତାର ଅଭିଳାଷ ।’’

 

କେତେକ ଛାତ୍ର ଜୋତା ପ୍ରଭୃତି ପିନ୍ଧିବା ସଂପର୍କରେ ଅନ୍ୟମାନେ ସମାଲୋଚନା କରିଥାନ୍ତି । କିନ୍ତୁ ବାଟ ଘାଟରେ ପଡ଼ିଥିବା କାଚ ଗୁଣ୍ଡି, ଲୁହା କଣ୍ଟା, ଗୋଡ଼ି, ପଥର ଓ ସୂର୍ଯ୍ୟତାପ ତଥା କୁହୁଡ଼ି କାକରରୁ ରକ୍ଷା ପାଇବା ପାଇଁ ପାଦରେ ପାଦୁକା ପରିଧାନ କରିବା ନିତାନ୍ତ ଆବଶ୍ୟକ-। ତେବେ ମୂଲ୍ୟବାନ ଜୋତା କିମ୍ୱା ପୋଷାକପତ୍ର କ୍ରୟ କରି ପିତା ମାତାଙ୍କୁ ଅଧିକ ଖର୍ଚ୍ଚାନ୍ତ କରାଇବା ଅନୁଚିତ । ଯାହା ହେଉନା କାହିଁକି ଛାତ୍ର ସର୍ବଦା ସାଦା ଓ ସରଳ ପୋଷାକ ପରିଧାନ କରିବାରେ ଅଭ୍ୟସ୍ତ ହେବା ଉଚିତ ।

Image

 

କ୍ରୀଡ଼ା

 

‘‘ଶରୀରମାଦ୍ୟଂ ଖଳୁ ଧର୍ମ ସାଧନମ୍‌”–ଶରୀର ପ୍ରତି ଯତ୍ନବାନ ହେବା ଆମର ସର୍ବପ୍ରଥମ କର୍ତ୍ତବ୍ୟ, ମଣିଷ ଯେତେ ଜ୍ଞାନୀ, ଧନୀ, ମାନୀ ଓ ବିବେକୀ ହେଲେ ମଧ୍ୟ ରୋଗଗ୍ରସ୍ତ ଦୁର୍ବଳତା ଯୋଗୁ ଦୁନିଆରେ ସବୁ କିଛି ବିଷମୟ ଅନୁଭବ କରେ । କିନ୍ତୁ ହୃଷ୍ଟ ପୁଷ୍ଟ ସ୍ଵାସ୍ଥ୍ୟବାନ ମନୁଷ୍ୟ ନିଃସ୍ୱ ଓ ମୂର୍ଖ ହେଲେ ହେଁ ସ୍ୱର୍ଗ ସୁଖ ଅନୁଭବ କରେ । ଏଥିପାଇଁ କଥାରେ ଅଛି–‘ସ୍ୱାସ୍ଥ୍ୟ ହିଁ ସଂପଦ ।’

ପରିଶ୍ରମ-କାତର ମନୁଷ୍ୟ ପଙ୍ଗୁ ଅଥର୍ବ ତୁଲ୍ୟ । ଦେହରେ ଯଥେଷ୍ଟ ବଳ ଥିଲେ ମଧ୍ୟ ଶ୍ରମ କରିବାକୁ କୁଣ୍ଠିତ ଆଉ ବିମୁଖ ଭାବ ପୋଷଣ କରେ । ଏପରି ସ୍ଵଭାବ ଥିବା ମନୁଷ୍ୟର ଜୀବନକୁ ପରୀକ୍ଷା କଲେ ଜଣାଯାଏ ଯେ ସେ ବାଲ୍ୟ କାଳରୁ କ୍ରୀଡ଼ା କସରତ୍ ଠାରୁ ବହୁ ଦୂରରେ ଥାଏ । କେବଳ ଜୀବିକା ନିର୍ବାହ ପାଇଁ କୌଣସି ନା କୌଣସି ଆଳସ୍ୟ ବୃତ୍ତିରେ ହାତ ଦେଇଥାଏ । ତେଣୁ ଜୀବନକୁ ସୁଖ ସମୃଦ୍ଧ କରିବା ପାଇଁ ହେଲେ ନିୟମିତ କ୍ରୀଡ଼ା କସରତ୍ ନିହାତି ଦରକାର । ଏଭଳି ଅଭ୍ୟାସ ଛାତ୍ର ଅବସ୍ଥାରୁ ରଖିବା ଉଚିତ ।

କ୍ରୀଡ଼ା ଏକ କଠିନ ପରିଶ୍ରମ । କ୍ରୀଡ଼ା ମାଧ୍ୟମରେ ପରିଶ୍ରମ ହେଉଥିବାରୁ ଦେହ ଯେତେ ପରିମାଣରେ ପୀଡ଼ା ପାଇବା କଥା, ସେତେ ହୁଏ ନାହିଁ । ଏଭଳି ପରିଶ୍ରମର ଅଭ୍ୟାସ ରହିଲେ ମନୁଷ୍ୟ ଗୃହୀ ଜୀବନରେ ଅସମ୍ଭବ ପ୍ରକାରର ପରିଶ୍ରମ କରିବାକୁ କ୍ଷମ ହୋଇପାରେ । ଏ ପ୍ରକାର କ୍ରୀଡ଼ା କୌତୁକ ଯେ ଆଧୁନିକ ଯୁଗରେ ପ୍ରଚଳିତ, ତାହା ନୁହେଁ । ପୁରାଣ ଯୁଗରେ ମଧ୍ୟ ଏହା ପ୍ରଚଳିତ ଥିବାର ଉଦାହରଣ କମ୍ ନୁହେଁ । ଯଥା–କୁରୁ ପାଣ୍ଡବଙ୍କ ମଧ୍ୟରେ ଦ୍ୟୂତ କ୍ରୀଡ଼ା ଅନୁଷ୍ଠିତ ହୋଇ ପାଣ୍ଡବମାନଙ୍କର ପରାଜୟ ହୋଇଥିଲା । ଫଳରେ ସେମାନେ ବନବାସୀ ହୋଇଥିଲେ । ପୁଣି ରାଜା ମହାରାଜାମାନେ ମୃଗୟା ଓ ମଲ୍ଲ କ୍ରୀଡ଼ାରେ ରହି ନିଜ ନିଜର ପରାକ୍ରମ ଦୁନିଆରେ ଦେଖାଇ ଦେଇଛନ୍ତି ।

ଛାତ୍ର ଜୀବନରେ କ୍ରୀଡ଼ା ଅଭ୍ୟାସ କଲେ ଧୈର୍ଯ୍ୟ, ଏକାଗ୍ରତା, ସାହସ, ସୂଶୃଙ୍ଖଳତା ଓ ସହନଶୀଳତା ପ୍ରଭୃତି ଗୁଣର ଅଧିକାରୀ ହୁଏ । ସର୍ବୋପରି କ୍ରୀଡ଼ା ସମୟରେ ଦେହରୁ ଦୂଷିତ ପଦାର୍ଥ ଝାଳ ଆକାରରେ ବହିର୍ଗତ ହୁଏ । ଖାଦ୍ୟ ହଜମ ହୁଏ । ଅଗ୍ନି ମାନ୍ଦ୍ୟ ପ୍ରଭୃତି ଉଦର ରୋଗ ଦେଖା ଦିଏ ନାହିଁ । ମନ ପ୍ରଫୁଲ୍ଲ ରହେ । ଅଧିକ ମାନସିକ ପରିଶ୍ରମ କରିବାକୁ ଆଗ୍ରହ ଜନ୍ମେ । ଏଥିପାଇଁ କୁହାଯାଇଥାଏ–‘ସୁସ୍ଥ ଶରୀର ସୁସ୍ଥ ମନର ଲକ୍ଷଣ’ । ଶରୀର ସୁସ୍ଥ ସବଳ ଥିଲେ ମନ ଭଲ ରହେ ଏବଂ ମଣିଷ ମନ ଅନୁଯାୟୀ ଅଧିକ କାମ କରିପାରେ ।

ସ୍ଵାସ୍ଥ୍ୟ ରକ୍ଷାର ନିୟମ ମାନି କେତେକ ମାନସିକ- ପରିଶ୍ରମୀ-ବ୍ୟକ୍ତି ଶାରୀରିକ ଦୁର୍ବଳତା ବଶତଃ କ୍ରୀଡ଼ା କସରତ୍ କରି ନପାରି ପ୍ରଭାତ ଏବଂ ପ୍ରଦୋଷରେ କିଛି ପଥ ଖୋଲା ଦେହରେ ଶୀଘ୍ର ଶୀଘ୍ର ଭ୍ରମଣ କରିଥାନ୍ତି । ଏତିକି ପରିଶ୍ରମ ହିଁ ସେମାନଙ୍କ ଶରୀର ପକ୍ଷରେ ଯଥେଷ୍ଟ ।

କେହି କେହି ନିଜ ନିଜ ବଗିଚାରେ ମାଟି ହାଣିବା ଓ ଫୁଲ ଫଳ ଗଛରେ ପାଣିଦେବା ପ୍ରଭୃତି କାର୍ଯ୍ୟ ନିୟମିତ କରିଥାନ୍ତି । ନିର୍ଦ୍ଦିଷ୍ଟ ସମୟରେ ଖୋଲା ପଡ଼ିଆରେ ଝାଳ ବହିବା ପର୍ଯ୍ୟନ୍ତ କ୍ରୀଡ଼ା କସରତ୍ କରି ସାରିବା ପରେ ଖେଳାଳି କେବଳ ବ୍ୟାୟାମର ଉପକାରିତା ଲାଭ କରିଥାଏ । କିନ୍ତୁ ସେଇ ସମୟତକ ବଗିଚାରେ ଶାରୀରିକ ଶ୍ରମ କରିବା ଫଳରେ ସେ ଏକ ସମୟରେ ବ୍ୟାୟାମର ଉପକାରିତା ପାଇବା ସଙ୍ଗେ ସଙ୍ଗେ ଉଦ୍ୟାନ ଜାତ ସୁନ୍ଦର ସୁନ୍ଦର ଫୁଲ ଫଳ ତଥା ସଦ୍ୟ ଜାତ ପନିପରିବା ପାଇବାର ସୁଯୋଗ ଲାଭ କରେ ।

ବର୍ତ୍ତମାନ ଆମ ଦେଶରେ ଘୋର ଖାଦ୍ୟ ସଂକଟ ଉପୁଜିଥିବା ବେଳେ ସ୍କୁଲ କଲେଜର ଛାତ୍ର ଛାତ୍ରୀଗଣ ପାରିପାର୍ଶ୍ୱିକ ଅବସ୍ଥା ଅନୁକୂଳ ଥିଲେ ନିଜର ତଥା ବିଦ୍ୟାଳୟର ଉଦ୍ୟାନରେ ଯଥା ସମ୍ଭବ ନିୟମିତ ଏବଂ ନିର୍ଦ୍ଦିଷ୍ଟ ସମୟ ପାଇଁ ଶାରୀରିକ ପରିଶ୍ରମ କରିବା ଉଚିତ । ଏଥିପାଇଁ ସ୍ୱାସ୍ଥ୍ୟ ରକ୍ଷାର କୌଣସି ନିୟମର ବ୍ୟତିକ୍ରମ ଦେଖା ଦେବ ନାହିଁ । କେହି କେହି କହନ୍ତି ଯେ କ୍ରୀଡ଼ା ମାଧ୍ୟମରେ ହାର ଜିତ୍‌ର ବ୍ୟବସ୍ଥା ଥାଏ । ବ୍ୟକ୍ତି ବା ଦଳଗତ ବିଶେଷରେ ଜୟୀ ହୋଇ ଯେଉଁ ପୁରସ୍କାର ବା ସମ୍ମାନ ପାଏ ଉଦ୍ୟାନ କର୍ମରୁ ତାହା କାହୁଁ ମିଳିବ ?

ଏଠାରେ ଏହା ସୁଚାଇ ଦିଆଯାଇ ପାରେ ସେ ବିଦ୍ୟାଳୟର ଉଦ୍ୟାନକୁ କେତେ ଛୋଟ ଛୋଟ ଭାବରେ ବିଭକ୍ତ କରାଯାଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରି ଦିଆଯାଉ । ପିଲାମାନେ ପରିଶ୍ରମ କରି ଫସଲ କରିବେ । ଶେଷରେ ଦେଖାଯିବ ସେ ଯେଉଁ ବିଭାଗରେ ସବୁଠାରୁ ସରସ ସୁନ୍ଦର ଫସଲ ହୋଇଥିବ ତାହାର ପ୍ରସ୍ତୁତକାରୀଗଣହିଁ ପୁରସ୍କାର ପାଇବାକୁ ଦାୟୀ । ବିଦ୍ୟାଳୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସେହି ଛାତ୍ର ଛାତ୍ରୀମାନେ ଯେତେବେଳେ ପୁରସ୍କାର ପାଇବେ, ସେ ପୁରସ୍କାର ଓ କ୍ରୀଡ଼ା କସରତ୍ ଦ୍ୱାରା ପ୍ରାପ୍ତ ହୋଇଥିବା ପୁରସ୍କାର ମଧ୍ୟରେ ପ୍ରଭେଦ ରହିବ କେଉଁଠି ?

ତେଣୁ ଛାତ୍ର ଅବସ୍ଥାରୁ କ୍ରୀଡ଼ା କସରତ୍ ମାଧ୍ୟମରେ ଶାରୀରିକ ଶ୍ରମର ଅଭ୍ୟାସ ରଖିବା ପ୍ରତ୍ୟେକ ଛାତ୍ର ଛାତ୍ରୀମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

Image

 

ପ୍ରାର୍ଥନା

 

ଆମ ସ୍ୱାସ୍ଥ୍ୟରକ୍ଷା ପାଇଁ ଆମେ ପ୍ରତିଦିନ ନିୟମିତ ସ୍ନାନ, ଭୋଜନ ପ୍ରଭୃତି କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଗୃହ ତଥା ପୋଷାକ ପରିଚ୍ଛଦ ଇତ୍ୟାଦି ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିଥାଉ । ଲୁଗାପଟାରେ ସାବୁନ ଦେଇ ବା ସୋଡାରେ ସିଝାଇ ମଇଳା ବାହାର କଲେ ଓ ବାସନକୁସନ ମାଜି ସଫା କଲେ ବେଶ୍ ସୁନ୍ଦର ଦିଶେ, ଏସବୁ କାମ ଶରୀରର ବାହାର କଥା । କିନ୍ତୁ ଶରୀର ଭିତରେ ଥିବା ସୂକ୍ଷ୍ମ ମନର ପରିଷ୍କାର ପାଇଁ ସାବୁନ କିମ୍ୱା ସୋଡ଼ା ଆବଶ୍ୟକ ହୁଏ ନାହିଁ । ଏଥପାଇଁ ଆବଶ୍ୟକ ହୁଏ ପ୍ରାର୍ଥନା । କେହି କେହି ଦିନର କୌଣସି ନିର୍ଦ୍ଦିଷ୍ଟ ସମୟରେ ସକାଳେ ଦ୍ୱିପ୍ରହରରେ ଓ ସଂଧ୍ୟାରେ ନିୟମିତ ପ୍ରାର୍ଥନା କରିଥାନ୍ତି । ଏ ପ୍ରକାର ପ୍ରାର୍ଥନାକୁ ତ୍ରିସଂଧ୍ୟା କହନ୍ତି । କେହି କେହି ଜଞ୍ଜାଳୀ ମଣିଷ କେବଳ ସଂଧ୍ୟାରେ ଶୁଦ୍ଧ ପୂତ ଭାବରେ ପ୍ରାର୍ଥନା କରିଥାନ୍ତି । ବିଭିନ୍ନ ଧର୍ମାବଲମ୍ବୀ ଲୋକମାନଙ୍କର ପ୍ରାର୍ଥନା କରିବାର ଢଙ୍ଗ ଭିନ୍ନ ଭିନ୍ନ ।

 

କେଉଁ ଅନାଦି କାଳରୁ ଗୁରୁ କୁଳାଶ୍ରମମାନଙ୍କରେ ଆଚାର୍ଯ୍ୟଙ୍କ ସହ ବିଦ୍ୟାର୍ଥୀମାନେ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ସ୍ନାନ ଶୌଚ ପୂର୍ବକ ପ୍ରାର୍ଥନାରେ ରତ ରହୁଥିଲେ । କିନ୍ତୁ ଆଜି ବିଜ୍ଞାନର ଅଗ୍ରଗତି ଫଳରେ କ୍ରମଶଃ ପୂର୍ବର ଈଶ୍ୱର ଉପାସନା ପ୍ରାର୍ଥନା ଇତ୍ୟାଦି ଲୁପ୍ତ ପ୍ରାୟ । ହେଲେହେଁ କର୍ପୂର ଉଡ଼ିଯାଇ କନା ପଡ଼ିଥିଲେ କନା ଯେପରି କର୍ପୂରର ସ୍ମୃତି ରଖିଥାଏ, ସେହିପରି ଏ ଯୁଗରେ ଛାତ୍ର ସମାଜରେ ନାମକୁ ମାତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଅଛି । କିନ୍ତୁ ସେଥିରେ ଭକ୍ତିର ଚିହ୍ନ ନଥିଲା ପରି ପ୍ରତୀୟମାନ ହୁଏ ।

 

ଛାତ୍ରମାନେ ପ୍ରତ୍ୟେହ ବ୍ରାହ୍ମ ମୁହୁର୍ତ୍ତ ଅର୍ଥାତ୍‌ ଅତି ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ ପୂର୍ବକ ସ୍ନାନ ଶୌଚାଦି କାର୍ଯ୍ୟମାନ ସମାପନ କରିବା ଉଚିତ । ସୂର୍ଯ୍ୟୋଦୟ ପୂର୍ବରୁ ପବିତ୍ର ମନରେ ବିଶ୍ୱ ନିୟନ୍ତା ଭଗବାନଙ୍କୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ ।

 

ପୁନରାୟ ସୂର୍ଯ୍ୟାସ୍ତ ପରେ ପ୍ରଭାତ କାଳ ପରି ହାତ ପାଦ ଧୋଇ ପବିତ୍ର ମନରେ ପ୍ରାର୍ଥନା କରିବା ଉଚିତ । ସେତେବେଳେ ପରମେଶ୍ୱରଙ୍କ ନିକଟରେ ଦିବସର କୃତ କାର୍ଯ୍ୟ ସମୂହ ଅର୍ପଣ କରିଦେବା ଉଚିତ ।

 

ପ୍ରଭାତରେ ଯାହା ନିର୍ଦ୍ଦେଶ ଥିଲା, ତାହା ଦିନ ସାରା ତାଙ୍କର ଅପାର କରୁଣା ବଳରେ ସମାହିତ ହୋଇଛି ବୋଲି ଅତି ବିନୟ ସହ ପ୍ରକାଶ କରିଦେବା ଉଚିତ ।

 

ପ୍ରଭାତ ଏବଂ ସଂଧ୍ୟା–ଉଭୟ କାଳୀନ ପ୍ରାର୍ଥନା ଶେଷ ସଙ୍ଗେ ସଙ୍ଗେ ପିତା ମାତା ତଥା ଉପସ୍ଥିତ ଗୁରୁଜନମାନଙ୍କ ନିକଟରେ ମଥା ନୁଆଇଁ ପ୍ରଣାମ କରିବା ଉଚିତ । କାରଣ ସେମାନଙ୍କ ଆର୍ଶୀବାଦ ଦେବା ଦେବୀଙ୍କ ଆଶୀର୍ବାଦ ଅପେକ୍ଷା ବେଶୀ ।

Image

 

ବିନୟ

 

ବିନୟ ଗୁଣ ଅଧିକାର କରିଥିବା ମନୁଷ୍ୟ ସର୍ବଦା ସନ୍ତୁଷ୍ଟ ରହେ । ବିନୟୀ ଲୋକଙ୍କୁ ସମସ୍ତେ ଆଦର କରନ୍ତି । ପିତା, ମାତା ଶିକ୍ଷକ ପ୍ରମୁଖ ଗୁରୁଜନ ମାନଙ୍କ ନିକଟରେ କନିଷ୍ଠମାନେ ବିନୟୀ ହୁଅନ୍ତି । ଅଳ୍ପ ବୟସର ଯୁବକ ଯୁବତୀମାନେ ଅଧିକ ଜ୍ଞାନୀ ହେଲେହେଁ ନିରକ୍ଷର ଅଜ୍ଞାନ ପିତା ମାତା ଓ ବୟସ୍କଙ୍କ ନିକଟରେ ଉଦ୍ଧତ ଭାବ ନ ଦେଖାଇ ବେଶ୍ ନମ୍ର ଭାବ ଦେଖାଇଥାନ୍ତି । କାରଣ ଗୁରୁଜନ ମାନେ ସଂସାରରେ ବହୁଦିନ ଧରି ବଞ୍ଚି ରହିଛନ୍ତି । ଦୁନିଆର ଭଲ ମନ୍ଦ ଅନୁଭୂତି ସେମାନେ ବେଶ୍ ଉପଲବ୍‍ଧି କରିଥାନ୍ତି । କେଉଁଟା ଭଲ କେଉଁଟା ମନ୍ଦ–ସେମାନଙ୍କ ଜିଭ ଆଗରେ ଥୁଆ । କନିଷ୍ଠଗଣ ସେ ସବୁକୁ ଜାଣିବା ପାଇଁ ସେମାନଙ୍କର ବିନୟ ଗୁଣ ଆବଶ୍ୟକ । କିନ୍ତୁ ଆଜିକାଲି ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଡିଗ୍ରୀ ଲାଭ କରିଥିବା ଯୁବକମାନଙ୍କର ଔଦ୍ଧତ୍ୟ ଓ ଆତ୍ମାଭିମାନ ଦିନକୁ ଦିନ କ୍ରମଶଃ ବୃଦ୍ଧି ହେବାକୁ ଲାଗିଛି । ଏହାର ଶେଷ ପରିଣାମ କ’ଣ ହେବ, ତାହା ଚିନ୍ତାର ବିଷୟ ।

 

ବର୍ତ୍ତମାନ ବହୁ ସ୍ଥାନରେ ବହୁ ଗଣ୍ଡଗୋଳ ଘଟୁଛି । କୌଣସି ସାମାନ୍ୟ କାରଣକୁ ଭିତ୍ତି କରି କେଡ଼େ ବଡ଼ ବଡ଼ ସମସ୍ୟା ଉପୁଜୁଛି, ଯେଉଁଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ ଦୀର୍ଘ ସମୟ ବିନିଯୋଗ କରିବାକୁ ପଡ଼େ । ଛାତ୍ରମାନେ କୌଣସି ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ବିନୟର ସହ ଉପସ୍ଥାପିତ କଲେ କ’ଣ ତାହା ବିଚାର ହେଇ ପାରନ୍ତା ନାହିଁ ? କିନ୍ତୁ ଛାତ୍ରମାନେ ରେଳ, ମୋଟରଗାଡ଼ି ପ୍ରଭୃତି ପୋଡ଼ିଦେବା ଓ ଟେଲିଫୋନ୍ ଲାଇନ୍ କାଟିବା ପ୍ରଭୃତି ଅମାନୁଷିକ କାର୍ଯ୍ୟ କରିବା ଫଳରେ ଯେଉଁ ଅଜସ୍ର ଧନ ସଂପତ୍ତି ନଷ୍ଟ ଭ୍ରଷ୍ଟ ହୁଏ, ସେ ସବୁ କାହାର ? କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଦେଶ ଓ ଦଶର ଯେଭଳି ଅପୂରଣୀୟ କ୍ଷତି ଘଟାଇଥାନ୍ତି–କେବଳ ବିନୟ ଗୁଣର ଅଭାବରେ ହିଁ ତାହା ସମ୍ଭବ ହୋଇଥାଏ ।

 

ମଣିଷ ଜୀବନରେ ଅଭାବ ଅସୁବିଧା ସର୍ବତ୍ର ସର୍ବଦା ଲାଗି ରହିଛି । ତେବେ ସ୍ଵାଧୀନ ଦେଶର ସରକାର ସୀମିତ ସମ୍ୱଳରେ ଯେତିକି ସମ୍ଭବ ତାହାହିଁ କରିବାକୁ ସତତ ପ୍ରୟାସୀ । ବିନୟର ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଦାବି ସମୂହ ଲିଖିତ ଆକାରରେ ଜଣାଇବା ବିଧେୟ । ତାପରେ କର୍ତ୍ତୃପକ୍ଷ ସମୟକ୍ରମେ ଆଗ ପଛ ବିଚାର କରି ଦାବି ଗୁଡ଼ିକ ପୂରଣ କରିବାକୁ ବ୍ୟବସ୍ଥା କରିବେ । କିନ୍ତୁ ଏଭଳି ଔଦ୍ଧତ୍ୟ ପ୍ରକାଶ କରି ଘଟଣା ଚକ୍ରରେ ଧନ ଜୀବନ ନଷ୍ଟ କରିବାକୁ ଉଦ୍ୟମ କରିବା ଳାଳସା ମନରୁ ଦୂର କରିବା ଉଚିତ ।

 

ଛାତ୍ର ଜୀବନରେ ବିନୟ ଗୁଣ ଶିକ୍ଷା କରିବା ଉଚିତ । ଏଥପାଇଁ ଭକ୍ତ କବି ମଧୁସୂଦନ ଗାଇଛନ୍ତି–

 

‘‘ବିନୟ ଭାବ ବହି ମନେ

ସଂସାରେ ଚଳ ସଯତନେ

ସୁଶୀଳ ଶାନ୍ତ ଯାର ପ୍ରାଣ

ଲଭଇ ନିତ୍ୟ ସେ କଲ୍ୟାଣ ।’’

Image

 

ଆଳସ୍ୟ

 

ନିଦ୍ରା ଆଳସ୍ୟର ଜନନୀ । ଆଗ ବିଦ୍ୟାର୍ଥୀଗଣ ଗୁରୁକୁଳ ଆଶ୍ରମରେ ପ୍ରଥମ ୨୮ ବର୍ଷ ବୟସ ପର୍ଯ୍ୟନ୍ତ ନାନାଦି ପ୍ରକାର ଶିକ୍ଷା ହାସଲ କରିବାକୁ ଯାଇଁ ଗୁରୁମାନଙ୍କର ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ ଜୀବନ ଗଠନ କରୁଥିଲା । ଫଳତଃ ଅଭ୍ୟାସ ବଶତଃ ଗାର୍ହସ୍ଥ୍ୟ ଜୀବନ ସୁଖମୟ ହେଉଥିଲା ।

 

କିନ୍ତୁ ଆଜିକାଲି ଛାତ୍ର ଛାତ୍ରୀମାନେ ନିଜ ନିଜ ଘରେ ରହି ବା ଛାତ୍ରାବାସରେ ଅବସ୍ଥାନ କରି ବିଦ୍ୟାଧ୍ୟୟନ କରୁଛନ୍ତି । ପରିବାରରେ ପିତା ମାତା ତଥା ବିଦ୍ୟାଳୟରେ ଗୁରୁଜୀମାନଙ୍କ ଅଜ୍ଞାତରେ ଛାତ୍ର ଛାତ୍ରୀମାନେ ସିନେମା ଥିଏଟର୍ ପ୍ରଭୃତି ଦେଖିବାରେ ଅଧିକାଂଶ ସମୟ ବିତାଇ ଦେଉଛନ୍ତି । ଅତି ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ ବିଧି ସେମାନଙ୍କ ପାଇଁ ଲାଗୁ ହେଉନାହିଁ । ଏଭଳି ବିଧିରେ ଚଳୁଥିବା କେହି କେହି ଛାତ୍ର ଛାତ୍ରୀ ସକାଳ ଆଠଟା କିମ୍ୱା ନ’ଟା ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଥିବା ଦେଖାଯାନ୍ତି । ସେମାନେ ଜୀବନରେ ଅଳସୁଆ ହୋଇ ପଡ଼ନ୍ତି । ସର୍ବଦା ଶୋଇ ରହିବାକୁ ପସନ୍ଦ କରନ୍ତି । ଏଥିପାଇଁ ନିଦ୍ରାକୁ ଆଳସ୍ୟର ଜନନୀ ବୋଲି କୁହାଯାଏ ।

 

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ନିଦ୍ରାଭିଭୂତ ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ଅନୁକୂଳ ହୁଏ ନାହିଁ କିମ୍ବା ସେମାନଙ୍କର ଧନ ସଂପଦ ବୃଦ୍ଧି ପାଇଁ ସୁଯୋଗ ଆସେ ନାହିଁ, ଏଥିପାଇଁ ସଂସ୍କୃତରେ ଅଛି–

 

‘‘କୁଚେଳିନଂ ଦନ୍ତ ମଳୋପ ଧାରଣଂ

ବହ୍ୱାଷୀନଂ ନିଷ୍ଠୁର ଭାଷୀଣଞ୍ଚ

ସୂର୍ଯ୍ୟୋଦୟେ ଚାସ୍ତମିତେ ଶୟାନଂ

ବିମୁଞ୍ଚତି ଶ୍ରୀର୍ଯଦି ଚକ୍ରପାଣି ।”

 

ଅଳସୁଆ ଲୋକ ପକ୍ଷରେ କୌଣସି କାମ ଯେ ସୁକର ହୋଇ ପାରିବ–ଏଭଳି ଆଶା ପୋଷଣ କରିବା ଅନୁଚିତ । ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ସେ ସର୍ବଦା ପଶ୍ଚାତପଦ ହୁଏ–ମନରେ ଆଗ୍ରହ ଜନ୍ମେ ନାହିଁ । ଦୁନିଆରେ ଏଭଳି ଅଳସୁଆ ଲୋକ ଅଛନ୍ତି ଯେ ଆମ୍ବ ତୋଟାରେ ବସିଥିଲେ ମଧ୍ୟ ଭୂଇଁରେ ପଡ଼ିଥିବା ଆମ୍ବକୁ ଗୋଟାଇ ଆଣି ଖାଇବାକୁ କଷ୍ଟ ଅନୁଭବ କରି ଭାବନ୍ତି ଯେ କିଏ ତୁଣ୍ଡରେ ଦେଇ ଯାଆନ୍ତା କି ? ଯେଉଁ ଲୋକ ନିଜର କ୍ଷୁଧା ତୃଷା ନିବାରଣ ପାଇଁ ଏତିକି ଟିକେ ପରିଶ୍ରମ କରିବାକୁ କୁଣ୍ଠିତ, ସେ ଜୀବନରେ ଦେଶର ମହତ୍ତର କାର୍ଯ୍ୟ ସଂପାଦନ କରିବା ପାଇଁ ଆଶା ରଖିବା କେବଳ ଆକାଶ କୁସୁମ କଳ୍ପନା ମାତ୍ର । ଏଥିପାଇଁ କବି ଗାଇଛନ୍ତି–

 

‘‘ଆଳସ୍ୟ ଲୋକର ପାଖକୁ ନ ଆସଇ ସଂପଦ ।

ମଧୁ ଆସି ମୁଖେ ନ ପଶେ ଶୋଇଥିଲେ ଷଟ୍‍ପଦ ।’’

 

ପୁଣି କବିବର ରାଧାନାଥ ଲେଖିଛନ୍ତି–

 

‘‘ଭାଗ୍ୟଦେବୀ ଅନୁକୁଳ ଉଦ୍‌ଯୋଗୀର

ଅଳସ କଥାକୁ ସଦା ସେ ବଧିର ।”

 

ତେଣୁ ଛାତ୍ରାବସ୍ଥାରୁ ଆଳସ୍ୟ-ବ୍ୟାଧି ଦୂର କରିବାକୁହିଁ ହେବ । ଏ ରୋଗ ଯେତେ ଦିନ ପର୍ଯ୍ୟନ୍ତ ମଣିଷ ମନରେ ଥିବ, ସେ ପର୍ଯ୍ୟନ୍ତ ତାହାର ଜୀବନରେ କୌଣସି ପ୍ରକାର ଉନ୍ନତି ହେବା ସଂପୂର୍ଣ୍ଣ ଅସମ୍ଭବ ।

Image

 

ବିଳାସ

 

ଆମ ଦେଶ ଭାରତବର୍ଷ ଗ୍ରୀଷ୍ମ ମଣ୍ଡଳର ଅନ୍ତର୍ଭୁକ୍ତ । ଧୋତି ଏବଂ ଚାଦର ହିଁ ଭାରତୀୟ ପୋଷାକ । କେହି କେହି ଶିକ୍ଷିତ ଭଦ୍ର ବ୍ୟକ୍ତି ଧୋତି ଓ କାମିଜ ବ୍ୟବହାର କରନ୍ତି । କିନ୍ତୁ ଶୀତ ପ୍ରଧାନ ଦେଶର ଲୋକମାନେ ଆମ ଦେଶରେ ଦୁଇଶହ ବର୍ଷ କାଳ ଶାସନ କରିବା ଫଳରେ ପାଶ୍ଚାତ୍ୟ ପୋଷାକ ପରିଚ୍ଛଦ ପରିଧାନ ପାଇଁ ଆମ ଦେଶର ଲୋକ ଏତେଦୂର ଅଭ୍ୟସ୍ତ ଯେ ଗ୍ରୀଷ୍ମ କାଳର ମଧ୍ୟାହ୍ନରେ ଶିକ୍ଷିତ ଯୁବକର ସର୍ବାଙ୍ଗରେ ପ୍ରବାହିତ ହେଉଥିବା ସ୍ୱେଦ ସ୍ରୋତକୁ ବହିର୍ଗତ କରିବା ପାଇଁ ସୁବିଧା ମିଳେ ନାହିଁ । ଆପାଦ ମସ୍ତକ ବିଭିନ୍ନ ପୋଷାକରେ ଆବୃତ ହୋଇଥାଏ । ଭାରତୀୟ ଯୁବକର ସ୍ୱାସ୍ଥ୍ୟ ପକ୍ଷରେ ଏତାଦୃଶ ପୋଷାକ ପରିଚ୍ଛଦ ଆଦୌ ଅନୁକୂଳ ନୁହେଁ ।

 

ଆଜିକାଲି ଦେଖାଯାଏ ଯେ କେତେକ ଛାତ୍ର ସେମାନଙ୍କର ପୋଷାକ ପରିଚ୍ଛଦ ପରିଧାନ ସମୟରେ ଦର୍ପଣ ସମ୍ମୁଖରେ ରହି ଦୀର୍ଘ ଘଣ୍ଟା ଘଣ୍ଟା ଧରି ସମୟ ଅତିବାହିତ କରନ୍ତି । ଶରୀରର ପ୍ରାକୃତିକ ସୌନ୍ଦର୍ଯ୍ୟରେ ସ୍ନୋ ପାଉଡ଼ର୍ ପ୍ରଭୃତି ଲେପ ଦେଇ କୃତ୍ରିମତା ପ୍ରକାଶ କରନ୍ତି । ଏଭଳି କେଶ ବିନ୍ୟାସରେ ଅଯଥାରେ ଯେଉଁ ମୂଲ୍ୟବାନ ସମୟ ବିତେ, ତାକୁ ଏ ଜୀବନରେ ପୁନରାୟ ପାଇବା ସଂପୂର୍ଣ୍ଣ ଅସମ୍ଭବ । ଏଥିପାଇଁ ଆମର ପୁଣ୍ୟାତ୍ମା ଗୋପବନ୍ଧୁ ଲେଖିଛନ୍ତି–

 

‘‘ଆତ୍ମଘାତୀ ସେ ନର

ଯେ କାଳ କରେ କ୍ଷୟ ।’’

 

ଅଧିକାଂଶ ଛାତ୍ର ଛାତ୍ରୀ ବିଶେଷତଃ ଧନୀ ପରିବାରର ସନ୍ତାନଗଣ ବିଳାସ ବ୍ୟସନରେ ମାତି ପ୍ରଚୁର ସୁଖଲାଭ କରିବା ନିମିତ୍ତ ସଚ୍ଚେଷ୍ଟ ଥାଆନ୍ତି । କିନ୍ତୁ ଛାତ୍ର ଜୀବନ ତଥା ବିଦ୍ୟାର୍ଥୀମାନଙ୍କର ବିଷୟ ଲାଳସା ହେତୁ ବିଦ୍ୟା ଦୂରେଇ ଯାଏ । ସ୍କୁଲ କଲେଜରେ ନାମ ଲେଖାଇ ବାହ୍ୟାଡ଼ମ୍ବର ଦ୍ୱାରା ଦୁନିଆକୁ ନିଜର ପରିଚୟ ଜଣାଇ ଦିଅନ୍ତି–ଏହାହିଁ ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ କିନ୍ତୁ ପ୍ରକାରାନ୍ତରେ ସେମାନେ ପିତୃ ଅର୍ଜିତ ଧନ ଦୌଲତକୁ ଅଯଥାରେ ଅପବ୍ୟୟ କରି ଦିଅନ୍ତି । ଯଦି ସେଇ ପଇସାତକ କୌଣସି ଗରିବ ମେଧାବୀ ଛାତ୍ରର ଅଧ୍ୟୟନ ପାଇଁ ଦିଆଯାଉଥାନ୍ତା, ତେବେ ଦେଶ ତଥା ଜାତିର କେତେ ମଙ୍ଗଳ ସାଧିତ ହୁଅନ୍ତା ।

 

ସ୍ଥୂଳତଃ ବିଷୟ ସୁଖାର୍ଥୀ ବିଦ୍ୟା ତ୍ୟାଗ କରିବା ଉଚିତ ଓ ବିଦ୍ୟାର୍ଥୀ ବିଷୟ ସୁଖ ତ୍ୟାଗ କରିବା ଉଚିତ୍ । ବିଷୟ ଉପଭୋଗୀର ବିଦ୍ୟା କିପରି ହେବ ଓ ବିଦ୍ୟାର୍ଥୀର ସୁଖ କିପରି ହେବ ?

 

ଜ୍ଞାନ ଆହରଣର ପ୍ରଥମ ସୋପାନ ହିଁ ଛାତ୍ରାବସ୍ଥା । ଏହି ଅବସ୍ଥାରେ ମଣିଷ ଅବଶ୍ୟ ନିଜ ଜ୍ଞାନ ଭଣ୍ଡାରର ରକ୍ଷକ ହୋଇ ପରିଚାଳିତ ହୁଏ । ଛାତ୍ର ଜୀବନରୁ ହିଁ ମଣିଷ ସର୍ବଦା କାବ୍ୟ ପୁରାଣ ଶାସ୍ତ୍ର ଆଲୋଚନାରେ ଅଭ୍ୟସ୍ତ ହେବାକୁ ଶିକ୍ଷା କରେ । କିନ୍ତୁ ମୁର୍ଖ ଲୋକେ ବିଳାସ ବ୍ୟସନରେ ଲିପ୍ତ ରହି, କଳହ କରି ଓ ନିଦ୍ରାଭିଭୂତ ହୋଇ ଅଯଥାରେ ମୂଲ୍ୟବାନ ସମୟ ବିତାଇ ଦେଇ ଥାଆନ୍ତି । ଏଥିପାଇଁ ସଂସ୍କୃତ କବି ଗାଇଛନ୍ତି–

 

‘କାବ୍ୟ ଶାସ୍ତ୍ର ବିନୋଦେନ କାଳୋ ଗଚ୍ଛତି ଧୀମତାଂ

ବ୍ୟସନେନ ଚ ମୁର୍ଖାଣାଂ ନିଦ୍ରୟା କଳହେନ ବା ।”

 

ଛାତ୍ରମାନେ ଚାକଚକ୍ୟ ପୋଷାକ ପତ୍ର ଓ ବିଳାସ ବ୍ୟସନ ଆଭରଣ ପରିଧାନ କରିବା ଅନୁଚିତ । ନିଜର ଆବଶ୍ୟକ ଅନୁଯାୟୀ ପୋଷାକ ତଥା ଖାଦ୍ୟ ପଦାର୍ଥ ଏକ ସୀମା ଭିତରେ ରହିବା ଉଚିତ । ‘‘ଛାତ୍ରାଣାଂ ଅଧ୍ୟୟନଂ ତପଃ’’–ନୀତିରେ ଭବିଷ୍ୟତରେ ଗାର୍ହସ୍ଥ୍ୟ ଜୀବନରେ ସକଳ ପଦାର୍ଥ ଉପଭୋଗ ପାଇଁ ଯଥେଷ୍ଟ ସମୟ ଅଛି । ଛାତ୍ର ଜୀବନର ସାଧନା ଫଳରେ ବହୁ ଜ୍ଞାନର ଅଧିକାରୀ ହୋଇ ସାରିବା ପରେ ଭବିଷ୍ୟତରେ ସ୍ୱାଧୀନ ଭାବରେ ଚଳିବାକୁ ହେବ । ସେତେବେଳେ ବିବେକ ଯାହା କହିବ, ତଦନୁଯାୟୀ କାର୍ଯ୍ୟ କରିବାକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଛାତ୍ର ଜୀବନରେ କାହିଁକି ମନୁଷ୍ୟର ପ୍ରତ୍ୟେକ ଅବସ୍ଥାରେ ବିଳାସବ୍ୟସନକୁ ଘୃଣା ଓ ହେୟ ମଣିଲେ ଜୀବନ ସରସ ଓ ସୁନ୍ଦର ହୁଏ ।

 

ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଶରୀର ପକ୍ଷେ ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ବିଳାସ ବ୍ୟସନ ହିଁ ବାହ୍ୟାଡ଼ମ୍ବର ମାତ୍ର । ଏହାଦ୍ୱାରା ଶରୀରର କୌଣସି ପ୍ରକାର ଉପକାର ହୁଏ ନାହିଁ । ଯେପରି ଜଣେ ବଧିର ତାହାର କର୍ଣ୍ଣକୁ କୁଣ୍ଡଳ ପ୍ରଭୃତି ଅଳଙ୍କାର ଦ୍ୱାରା ସୁନ୍ଦର ଭାବରେ ସଜାଇଲେ ମଧ୍ୟ ଶବ୍ଦ ଗ୍ରାହିକା ଶକ୍ତି ଅଭାବରେ ସମସ୍ତ ଯେପରି ନିରର୍ଥକ ହୋଇପଡ଼େ, ସେହିପରି ଶରୀରକୁ ସୁନ୍ଦର ବେଶ ପରିପାଟୀରେ ସଜାଇଲେ ମଧ୍ୟ ଜ୍ଞାନ ଭଣ୍ଡାରର ପୂର୍ଣ୍ଣତା ବିନା ସବୁ ଅସାର ହୋଇଯାଏ । ତେଣୁ ଛାତ୍ର ଜୀବନରେ ବିଳାସବ୍ୟସନ ଠାରୁ ଦୂରରେ ରହିବାକୁ ଅଭ୍ୟାସ କରିବା ସର୍ବାଦୌ କର୍ତ୍ତବ୍ୟ ।

Image

 

ଚରିତ୍ର

 

ପାରିପାର୍ଶ୍ୱିକ ବାତାବରଣ ଦ୍ୱାରା ବାଲ୍ୟକାଳରୁ ଚରିତ୍ର ଗଠିତ ହୁଏ । ଶିକ୍ଷିତ ପରିବାରର ପିଲାମାନଙ୍କ ନିକଟରେ ଯେଭଳି ସୁଚରିତ୍ର ଦେଖିଯାଏ, ସେଭଳି ଚରିତ୍ର ଅଶିକ୍ଷିତ ପରିବାରର ପିଲାମାନଙ୍କଠାରେ ଦେଖାଯାଏ ନାହିଁ । ସାଧାରଣତଃ ଶିକ୍ଷକ ତଥା ଶିକ୍ଷିତ ପିତାମାତାଙ୍କ ନିକଟରେ ଯେଉଁ ପିଲା ଅଧିକ ସମୟ ଅତିବାହିତ କରେ, ତାହାର ଚରିତ୍ର ଉତ୍ତମ ଭାବରେ ଗଠିତ ହୁଏ । ଖରାପ ଲୋକଙ୍କ ସାଙ୍ଗରେ ସଙ୍ଗୀ ହେଲେ, ଅସତ୍ ଅସାଧୁ ଲୋକଙ୍କ ସାଙ୍ଗରେ ସଙ୍ଗୀ ହେଲେ, ଅସତ୍‍ ଅସାଧୁ ଲୋକଙ୍କ ନିକଟରେ ଚଳପ୍ରଚଳ ହେଲେ ଏବଂ ନିପଟ ମଫସଲ ଅଞ୍ଚଳର ଅଶିକ୍ଷିତମାନଙ୍କର ଅଶ୍ଳୀଳ ଭାଷା ବାରମ୍ବାର ଶୁଣିଲେ ତଥା ଅଶ୍ଳୀଳ ଭାଷାରେ ଲିଖିତ ପୁସ୍ତକମାନ ପାଠ କଲେ ଓ ଅଶ୍ଳୀଳ ନଗ୍ନ ଚଳଚ୍ଚିତ୍ର ଇତ୍ୟାଦି ପରିଦର୍ଶନ କଲେ ଚରିତ୍ର ନଷ୍ଟ ହୁଏ । ଫଳରେ ସମାଜରେ ସେ “ନଷ୍ଟ ଚରିତ୍ର ବ୍ୟକ୍ତି’ ବୋଲି ଘୃଣିତ ହୁଏ ।

 

କିନ୍ତୁ ଚରିତ୍ରବାନ୍‍ ବ୍ୟକ୍ତିର ଏତେ ଶକ୍ତି ସଂଚିତ ହୋଇଥାଏ ଯେ ନିଆଁ ତା ପାଖରେ ଶୀତଳ ଜଳ ସଦୃଶ ହୁଏ, ଉଚ୍ଚ ପାହାଡ଼ ପର୍ବତକୁ ସାମାନ୍ୟ କ୍ଷୁଦ୍ର ଶିଳାପରି ସେ ଅତିକ୍ରମ କରିପାରେ ଓ ମହା ପରାକ୍ରମୀ ପଶୁରାଜ ସିଂହକୁ ମଧ୍ୟ ସାମାନ୍ୟ ଶଶକ ପରି ବଶ କରିପାରେ । ତେଣୁ ଚରିତ୍ର ବଳରେ ଯେତେବେଳେ ଏତେ ଶକ୍ତି ଜାତ ହୁଏ, ତାହାକୁ କଦାପି ହୀନ ମନେ ନକରି ଚରିତ୍ରବାନ ହେବାକୁ ଚେଷ୍ଟା କରିବା ଉଚିତ । ଏଥିପାଇଁ କଥାରେ ଅଛି–

 

‘‘ଥିଲେ ଥାଉ ପଛେ ଗୁଣ ହଜାର

ଚରିତ୍ର ନ ଥିଲେ ସବୁ ଅସାର ।’’

 

ଏ ସଂପର୍କରେ ଇଂରାଜୀ ସାହିତ୍ୟରେ ଲେଖାଅଛି–

 

"Wealth is lost nothing lost,

Health is lost some thing lost,

Character is lost every thing lost."

 

ପୁଣି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ ଝରିଛି–

 

ନିଜର ଚରିତ୍ର ଯାର ଅମୁଲ୍ୟ ସଂପଦ

ଅପରକୁ ଦିଏ ନାହିଁ ଭୟ

ନିର୍ଭୀକ ସେ ପଥ ତାର ସଦା ନିରାପଦ

ସବୁଠାରେ ଲଭେ ସେହୁ ଜୟ ।’’

 

ଛୋଟ ପିଲା ତାହାର ଚରିତ୍ର ଗଠନ ବିଷୟରେ ଯେତିକି ସଜାଗ ହେବ, ତା ଅପେକ୍ଷା ତାହାର ଶିକ୍ଷକ, ପିତା ମାତା ପ୍ରଭୃତି ଗୁରୁଜନମାନେ ସର୍ବଦା ତା ପ୍ରତି ଦୃଷ୍ଟିଦେବା ଆବଶ୍ୟକ । ଚରିତ୍ର ଗଠନ ପାଇଁ ସତ୍ୟ କହିବା, ସୁଶୀଳ ବାଳକ ସହ ସାଥି ହେବା, ଈଶ୍ଵର ସଂପର୍କୀୟ ପୁସ୍ତକମାନ ପାଠ କରିବା, ସକାଳେ ଓ ସନ୍ଧ୍ୟାରେ ଈଶ୍ୱରଙ୍କ ମହିଁମା ଗାନକରି ସ୍ତବ ପାଠ କରିବା, ସାଧୁ ସନ୍ଥ ପ୍ରଭୃତି ମହାପୁରୁଷମାନଙ୍କର ଜୀବନୀ ପଢ଼ିବା ପ୍ରଭୃତି କାର୍ଯ୍ୟରେ ଛାତ୍ର ଛାତ୍ରୀମାନେ ନିୟମିତ ଅଭ୍ୟସ୍ତ ହେଲେ କ୍ରମଶଃ ଚରିତ୍ର ଗଠିତ ହୁଏ ।

 

ଚରିତ୍ର ସଂପର୍କରେ ଶ୍ରୀମତୀ ମୁକ୍ତାମାଳୀ ଦେବୀଙ୍କ ‘ସତ୍‌ସଙ୍ଗମାଳା’ ରେ ଲେଖାଅଛି–

 

‘‘ଯାହାଠାରେ ସଦାଚାର ନାହିଁ ସେ ସତ୍କାରର ପାତ୍ର ନୁହେଁ । ତା ଠାରେ ବିଶେଷ ଧନ, ଅପରିମିତ ବଳ, ତୀକ୍ଷ୍‍ଣ ବୁଦ୍ଧି, ଅଲୌକିକ ସିଦ୍ଧି ଥିଲେ ମଧ୍ୟ ସେ ଆକାଶରେ ଉଡ଼ୁଥାଉ, ଭୂମିରେ ଗଡ଼ୁଥାଉ, ଶବକୁ ଜୀବଦାନ ଦେଉଥାଉ ପଛକେ ସେ ଯଦି ସଦାଚାରୀ ହୋଇ ନଥାଏ, ସଂକ୍ରାମକ ରୋଗୀପରି ତାକୁ ତ୍ୟାଗ କରିବା ଉଚିତ । ଦୁରାଚାରୀ ସଂକ୍ରାମକ ରୋଗୀଠାରୁ ଅଧିକ ଭୟଙ୍କର, କାରଣ ଦୁରାଚାର ଭଳି ସଂକ୍ରାମକ ରୋଗ ଅନ୍ୟ କିଛି ନାହିଁ ।”

Image

 

ବନ୍ଧୁତା

 

ମନୁଷ୍ୟ ଶିଶୁ ଅବସ୍ଥାରେ ତାର ସମବୟସ୍କଙ୍କ ସହ ଖେଳେ ଓ ବୁଲେ । ଖାଇବା ପିଇବା ପାଇଁ ଚିନ୍ତା ନଥାଏ । ଭୋକ ସମୟ ଜାଣିପାରି ମା ତାକୁ ଅମୃତ ତୁଲ୍ୟ ଖାଦ୍ୟ ଖୁଆଇ ଦିଅନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାର କେତେ ବନ୍ଧୁ ଜୁଟନ୍ତି । ସେମାନଙ୍କ ସହ କାଳାତିପାତ କରି ଜୀବନକୁ ଧନ୍ୟ ମନେ କରେ । ମନୁଷ୍ୟ ସମାଜରେ ବନ୍ଧୁତା ହେଉଛି ଏକ ଶ୍ରେଷ୍ଠ ଭାବ । ଯାହାର ସ୍ୱାଦୁ ପାଇବା ପାଇଁ ଦେବତାମାନେ ମଧ୍ୟ ନର ରୂପ ଧାରଣ କରନ୍ତି । ଏଥିପାଇଁ ଆମର ଭକ୍ତ କବି ମଧୁସୂଦନ ଗାଇଛନ୍ତି–

 

କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର

ଯାର ପ୍ରାପତି ଯୋଗୁ ଦେବତା ନର ।”

 

ଦୁନିଆରେ ବିଭିନ୍ନ ପ୍ରକାର ବନ୍ଧୁ, ଦୃଷ୍ଟିଗୋଚର ହୁଅନ୍ତି । କେତେକ ସମ୍ପଦବେଳେ ବନ୍ଧୁ ସହ ସହଯୋଗ କରି ବିପଦରେ ଆଦୌ ଦର୍ଶନ ଦିଅନ୍ତି ନାହିଁ । ଏଥିପାଇଁ ଲୋକେ କହନ୍ତି–

 

‘‘ସମ୍ପଦ ବେଳେ ସର୍ବେ ସଖା

ବିପଦ ନଦିଅନ୍ତି ଦେଖା ।’’

 

କିନ୍ତୁ ବିପଦ ଆପଦରେ ଯେଉଁ ଲୋକ ସାହା ଭରସା ହୁଏ ସେହି ହିଁ ପ୍ରକୃତରେ ବନ୍ଧୁ । ଏ ସମ୍ପର୍କରେ କାନ୍ତ କବି ଲକ୍ଷ୍ମୀକାନ୍ତ ଗାଇଛନ୍ତି–

 

ମଣିଷ ଚିହ୍ନିବା ସହଜ ନୁହେଁ

ବିପଦରେ ବନ୍ଧୁ ପରଖା ହୁଏ

ଅସଲ ଘାଟିଟି ସେହି

ସୁଖବେଳେ ବନ୍ଧୁ ଅନେକ ମିଳନ୍ତି

ଦୁଃଖରେ ନଥାଏ କେହି ।”

 

ବନ୍ଧୁତା ସମ୍ପର୍କରେ ଜାତିର ଜନକ ମହାତ୍ମାଗାନ୍ଧି କହିଛନ୍ତି–

 

‘‘କେତେ ଗୁଡ଼ିଏ ଦୁଷ୍ଟ ଲୋକ ଅଛନ୍ତି ସେମାନେ ନିଜର ସ୍ଵାର୍ଥ ସିଦ୍ଧି କରିବା ପାଇଁ ଅନ୍ତରଙ୍ଗ ବନ୍ଧୁତା ସ୍ଥାପନ କରିବାକୁ ପଛାନ୍ତି ନାହିଁ । ଏହି ବଂଧୁତା କ୍ଷଣସ୍ଥାୟୀ, ସେତେକ ଉଦ୍ଦେଶ୍ୟ ହାସଲ କରିନେଲେ ଆଉ ତାର ଦେଖା ନଥାଏ ।”

ବନ୍ଧୁ ନିକଟରେ ବନ୍ଧୁ, କୌଣସି କଥା ଗୋପନ ରଖେ ନାହିଁ, ମନ ଖୋଲି ସବୁ କଥା କହିଦିଏ । ବରଂ ମନର ଦୁଃଖ ବନ୍ଧୁ ଆଗରେ ପ୍ରକାଶ କରିଦେଲେ ଦୁଃଖ କ୍ରମଶଃ ଲାଘବ ହୋଇଯାଏ, ମନରେ ସନ୍ତୋଷ ଆସେ । ଏ ସଂପର୍କରେ ଆମର ସ୍ୱଭାବ କବି ଗଙ୍ଗାଧର ଗାଇଛନ୍ତି–

 

‘‘ବନ୍ଧୁ ନିକଟରେ ମନ କଥା ସବୁ

କହିବାକୁ ଲାଗେ ସୁଖ

ବସନ୍ତ ନିକଟେ ତହିଁ ପାଇଁ ସିନା

ପିକ ହୁଏ ବାବଦୂକ ।’’

 

ଦୁନିଆରେ କେତେକ କପଟୀ ବନ୍ଧୁ ଅଛନ୍ତି । ସେମାନେ ମୁହଁରେ ଗୋଟିଏ କଥା ପ୍ରକାଶ କରୁଥିବା ବେଳେ ଅନ୍ତରରେ ଆଉ ଗୋଟିଏ କଥା ଚିନ୍ତା କରନ୍ତି । ଏଭଳି ବନ୍ଧୁଙ୍କୁ ଚିହ୍ନିବା ବଡ଼ କଷ୍ଟକର । ସେମାନେ ଯେ କେଉଁ ମୁହୂର୍ତ୍ତରେ ବିପଦରେ ପକାଇଦେବେ–କହି ହେବ ନାହିଁ । ‘ସସେମିରା’ ଉପାଖ୍ୟାନରେ ବନ୍ୟ ପଶୁ ଭଲ୍ଲୁକ ସହ ରାଜ ପ୍ରାସାଦ ନିବାସୀ ରାଜ କୁମାରଙ୍କର ଯେଉଁ ବନ୍ଧୁତା ସୃଷ୍ଟି ହୋଇଥିଲା, ସେଥିରେ ରାଜକୁମାର ଅବିଶ୍ୱାସୀ ହେତୁ ଭଲ୍ଲୁକ ଦ୍ୱାରା ଅଭିଶପ୍ତ ହେଲା । ଏଇ ରାଜକୁମାର ପରି ଅବିଶ୍ୱାସୀ ବନ୍ଧୁ ଦୁନିଆରେ ଅନେକ ଅଛନ୍ତି ।

 

ବନ୍ଧୁତା ସମ୍ପର୍କରେ ଆମର ଉତ୍କଳମଣି ଗୋପବଂଧୁ କହିଥାନ୍ତି–

 

‘‘କେତେ ଗୁଡ଼ିଏ ଲୋକ କାରଣ ଅକାରଣରେ ବି ନିର୍ମାଲ୍ୟ ଦେଇ ବନ୍ଧୁତା କରନ୍ତି । ଏହା ମୂଳରେ ଥାଏ ସ୍ୱାର୍ଥ ସିଦ୍ଧିର ମତଲବ୍ । ହେଲେ ଏହି ବନ୍ଧୁତା ନୀଚସ୍ତରୀୟ ଭୀରୁତା, କାମୁକତା ବା ଲୋଭ ପ୍ରସୂତ ବନ୍ଧୁତା ହୁଏ ।”

 

ସାଧୁ ଲୋକମାନେ ସତ୍ ମିତ୍ରର କେତେକ ଲକ୍ଷଣ ଆଗରୁ ସ୍ଥିର କରିଛନ୍ତି । ଉତ୍ତମ ବନ୍ଧୁ, ନିଜ ବନ୍ଧୁକୁ ପାପରୁ ନିବାରଣ କରେ, ସର୍ବଦା ମଙ୍ଗଳ କାମରେ ବିନିଯୋଗ କରାଏ, ମିତ୍ରର ଗୋପନ କଥା ଅନ୍ୟତ୍ର ପ୍ରକାଶ ନକରି, ତାହାର ଗୁଣାବଳୀ ପ୍ରକାଶ କରେ, ବିପଦ ବେଳେ ପାଖରୁ ଛାଡ଼େ ନାହିଁ ଓ ଅଭାବ ଅସମୟରେ ଶକ୍ତି ଓ ସାହାଯ୍ୟ ଦାନ କରେ ।

 

ତେଣୁ ମନୁଷ୍ୟର ପ୍ରାଥମିକ ଜୀବନ ଛାତ୍ରାବସ୍ଥାରୁ ଭଲ ବନ୍ଧୁ ଚିହ୍ନି ସେମାନଙ୍କ ସହ ବନ୍ଧୁତା କରିବା ଉଚିତ, ଯେଉଁମାନଙ୍କ ସଂସ୍ପର୍ଶରେ ଜୀବନ ସୁଖମୟ ହେବ ।

Image

 

ଏକତା

 

ଏକତା କ’ଣ ? ପୃଥିବୀରେ କେତେକ କାମ ଅଛି ଯାହାକୁ ଆମେ ଏକୁଟିଆ କରିବାକୁ କ୍ଷମ ହେଉ । ପୁଣି କେତେକ କାମ ଅଛି, ଆମେ ଏକୁଟିଆ କରିପାରୁନା । ଯଦିବା କରୁ ଅତି କଷ୍ଟକର ହୁଏ ଓ ଅତ୍ୟଧିକ ସମୟ ଲାଗେ । ପୁଣି କେତେକ କାମ ଅଛି ଏକୁଟିଆ ଆଦୌ କରିହେବ ନାହିଁ । ତେଣୁ ମିଳିମିଶି ସାମୁହିକ ଭାବରେ ଅତି ସହଜରେ ଅଳ୍ପ ସମୟରେ କାର୍ଯ୍ୟ ସାଧିତ ହେବାକୁ ଏକତା କହନ୍ତି । ଏକତା ଏକ ବଡ଼ ବଳ । ଏହାଦ୍ୱାରା ଦୁନିଆରେ ବଡ଼ ବଡ଼ କାର୍ଯ୍ୟ ସାଧନ କରାଯାଏ ।

 

ବିଦ୍ୟାଳୟର ବଗିଚା କେତେ ବଡ଼ । ତାକୁ ଗୋଟିଏ ପିଲା ହାଣି ପଟାଳି ପ୍ରସ୍ତୁତ କରିବା ସମ୍ପୂର୍ଣ୍ଣ ଅସମ୍ଭବ । କିନ୍ତୁ ବିଦ୍ୟାଳୟର ସମସ୍ତ ପିଲା ଏକ ସମୟରେ ସେତିକି କାମ କରିଦେବା ପାଇଁ ଖୁବ୍ କମ୍ ସମୟ ଲାଗେ । ବିନ୍ଦୁ ବିନ୍ଦୁ ବର୍ଷା ଜଳ କେଡ଼େ କ୍ଷୁଦ୍ର । କିନ୍ତୁ ସେ ସବୁର ଏକତ୍ରରେ ନଦୀ, ହ୍ରଦ ଓ ବିରାଟ ସମୁଦ୍ରର ସୃଷ୍ଟି ହୁଏ–ଏହା ଆଶ୍ଚର୍ଯ୍ୟ ନୁହେଁ କି ? ହାତୀ ଜଙ୍ଗଲରେ ବିରାଟ ବିରାଟ ଗଛ ଓ ଡାଳ ଅତି ସହଜରେ ଭାଙ୍ଗି ଦେଇପାରେ । କିନ୍ତୁ ବାଉଁଶ ବୁଦାରେ ଏକାଧିକ ବାଉଁଶ ଲଗାଲଗି ହୋଇ ରହିଥିବାରୁ ହାତୀ ଦେଖି ଡରିଯାଏ–କିଛି କରି ପାରେନା । ଘାସ ଗଛ କେଡ଼େ ଛୋଟ ଓ ନରମ । ପୁଣି ସେଗୁଡ଼ିକୁ ଏକାଠି କରି ଦଉଡ଼ି ବଳିଦେଲେ ବଣର ଦନ୍ତାହାତୀ ମଧ୍ୟ ବନ୍ଧାଯାଇ ପାରେ ।

 

ଆମ ଭାରତୀୟମାନଙ୍କ ଏକତାର ଅଭାବରୁ ବହୁ ବର୍ଷ ଧରି ଦେଶ ପରଧୀନ ଥିଲା । ପୃଥ୍ୱୀରାଜ ଓ ଜୟଚନ୍ଦ୍ରଙ୍କ କଳହରେ ବିଦେଶୀ ମହମ୍ମଦ ଘୋରୀ କିପରି ଭାରତର ଶାସକ ହେଲେ, ତାହା କହାରିକୁ ଅବିଦିତ ନାହିଁ । ପରାଧୀନତାର ଦୁଃଖ କଷ୍ଟ ଯେତେବେଳେ ଭାରତୀୟମାନେ ବୁଝିପାରିଲେ ଗାନ୍ଧିଜୀଙ୍କ ନେତୃତ୍ୱରେ ଏକଜୁଟ ହୋଇ ମହାପରାକ୍ରମଶାଳୀ ବିରାଟ ଦୁର୍ଦ୍ଦାନ୍ତ ଇଂରେଜ ଶକ୍ତିକୁ ହଟାଇ ଦିଆଯାଇ ପାରିଲା ।

 

ଆମର ବିବାହ ବ୍ରତ ମେଳା ମଉଚ୍ଛବ ଇତ୍ୟାଦି ସାମାଜିକ ପର୍ବପର୍ବାଣିରେ ଗୃହକର୍ତ୍ତା ଏକୁଟିଆ ସବୁ କାର୍ଯ୍ୟ ଶେଷ କରି ପାରନ୍ତା କି ? ସାଇ ଭାଇ ଗାଁ ଲୋକେ ମିଳିମିଶି ସେ ସବୁ କାମକୁ ଅତି ସୁରୁଖୁରୁରେ ଶେଷ କରି ଦିଅନ୍ତି । ଏହିଭଳି ଏକତାର ମହତ୍ତ୍ୱ ବୁଝାଇବାକୁ ଯାଇଁ ଆମର ସ୍ୱଭାବ କବି ଗଙ୍ଗାଧର ଗାଇ ଉଠିଛନ୍ତି–

 

‘‘ଏକ ମେଳ ହେଲେ ବିଶ୍ୱ ଭବନରେ

ଅସାଧ୍ୟ ହୁଏ ସହଜ

ସୂକ୍ଷ୍ମ ଶଣ ସୂତ୍ର ଏକ ମେଳ ହେଲେ

ବଦ୍ଧ ହୁଏ ମତ୍ତଗଜ ।’’

 

ପୁଣି କାନ୍ତ କବି ଲକ୍ଷ୍ମୀକାନ୍ତ ଲେଖିଛନ୍ତି–

 

‘‘କାଉ ରାବି ଦେଲେ ଆଉ କାଉ ମାନେ

ପାଖକୁ ଆସନ୍ତି ଧାଇଁ

ଏକ ମେଳ ହୋଇ ସମସ୍ତେ ରହିଲେ

ବିପଦେ ଡର ନଥାଇ ।”

 

ଯେଉଁ ଏକତାର ବଳ ଏତେ ବେଶୀ, ଏଭଳି ଗୁଣକୁ ଛୋଟ ପିଲାଟି ଦିନୁ ଅଭ୍ୟାସ କରିବା ଉଚିତ । ଛାତ୍ର ସମାଜରେ ଦେଖାଯାଇଥାଏ ଯେ କେତେକ ସର୍ବଦା ଏକୁଟିଆ ରହିବାକୁ ଭଲ ପାଆନ୍ତି, ବେଶୀ ସାଙ୍ଗସାଥୀ ଦରକାର କରନ୍ତି ନାହିଁ । ଦିନକ କାମ ପଛକେ ତିନିଦିନ ଲାଗୁ, କିନ୍ତୁ କାହାରି ସାହାଯ୍ୟ ଲୋଡ଼ିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଭଳି ଅଭ୍ୟାସ ଯଦି ପିଲାଦିନୁ ରହିବ ତେବେ ଭବିଷ୍ୟତ ଜୀବନରେ ବା କିପରି ଉନ୍ନତି ହେବ ?

 

ଆମ ଦେଶ ଏକ ବିରାଟ ଦେଶ । ଏଥିରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ପ୍ରଭୃତି ବିଭିନ୍ନ ଧର୍ମର ଲୋକେ ଅଛନ୍ତି । ପୁଣି ଓଡ଼ିଆ, ବଙ୍ଗଳା, ହିନ୍ଦି, ତେଲଗୁ, ମରାଠୀ ପ୍ରଭୃତି ବିଭିନ୍ନ ଭାଷା ଭାଷୀର ଲୋକେ ଅଛନ୍ତି । ବିଭିନ୍ନ ଧର୍ମ ଓ ଭାଷା ଭାଷି ଲୋକେ ଥିଲେହେଁ ଆମେ ସମସ୍ତେ ଏକ ଭାରତୀୟ । ଆମ ଭିତରେ ଏକତା ରହିବା ଉଚିତ । ବୁଝାମଣାର ଅଭାବରେ ବେଳେ ବେଳେ ଏକତା ନଷ୍ଟ ହେଲେ ପୁଣି ଆମ ଦେଶ ପରାଧୀନ ହୋଇଯିବ ।

 

ତେଣୁ ଛାତ୍ର ଜୀବନରେ ପ୍ରଥମତଃ ପରିବାରରୁ ଓ ବିଦ୍ୟାଳୟରୁ ଏକତା ଶିକ୍ଷା କରିବା ଉଚିତ । ଏକତାର ଅଭାବରେ ଯେଉଁ ଅପୂରଣୀୟ କ୍ଷତି ଘଟେ, ତାହା କଳ୍ପନାତୀତ ।

Image

 

Unknown

ବିଶ୍ୱାସ

 

ବିଶ୍ୱାସ ମନୁଷ୍ୟର ଏକ ବଡ଼ ଗୁଣ । ଏଗୁଣକୁ ଛାତ୍ରାବସ୍ଥାରୁ ଅଭ୍ୟାସ କରିବା ଉଚିତ । କାହାକୁ କେହି ଗୋପନରେ କେତେବେଳେ କୌଣସି ପ୍ରସଙ୍ଗ ପ୍ରକାଶ କରିଥିଲେ, ତାକୁ ସେ ପ୍ରକାଶ କରିଦିଏ । ଫଳରେ କହିଥିବା ବ୍ୟକ୍ତି ଅନେକ ସମୟରେ ବିପଦର ସମ୍ମୁଖୀନ ହୁଅନ୍ତି । ଏପରିକି ବଡ଼ ବଡ଼ ଗଣ୍ଡଗୋଳର ମଧ୍ୟ ସୂତ୍ରପାତ ହୁଅନ୍ତି ।

 

ଅନେକ ସ୍ଥଳରେ ଦେଖାଯାଇ ଥାଏ ଯେ ଛାତ୍ରମାନଙ୍କ ମଧରେ ଅବିଶ୍ୱାସ ଆସିବା ଫଳରେ ଏକତା ଆସେ ନାହିଁ, ପରସ୍ପର ସନ୍ଦେହୀ ହୁଅନ୍ତି, ମନରେ ଅଶାନ୍ତି ଆସେ । ଏହି ଅବିଶ୍ୱାସ କୁଅଭ୍ୟାସଟି ଛାତ୍ର ଜୀବନ ପରେ ଗୃହସ୍ଥାଶ୍ରମରେ ମଧ୍ୟ ହ୍ରାସ ନପାଇ ବୃଦ୍ଧି ପାଏ । ସାଂସାରିକ ଜୀବନରେ ପରସ୍ପର ବିଶ୍ୱାସ ଭାଜନ ନହେବା ଫଳରେ ନାନା ପ୍ରକାର ଅସୁବିଧା ସୃଷ୍ଟି ହୁଏ । ତେଣୁ ଛାତ୍ର ଅବସ୍ଥାରୁ ବିଶ୍ୱାସୀ ହେବା ପାଇଁ ଅଭ୍ୟାସ କରିବା ଉଚିତ । ଏଥିପାଇଁ କବି ମଧୁସୂଦନ ଗାଇଛନ୍ତି–

 

‘‘ପ୍ରବଂଚି ଖାଇଲେ ଦିନେତ ଖାଇବ

ପ୍ରତୀତି ବୁଡ଼ିଲେ ଥରେ

ସେ ଜାଗାରେ ଆଉ ବସି ନପାରିବ

ତୁମ୍ଭେ ସାରା ଜୀବନରେ ।’’

Image

 

କାମନା

 

କାମନା ଏପରି ଏକ ବିଷୟ ଯାହାର କି ଆଦୌ ଶେଷ ନାହିଁ । ବରଂ ଅଧିକରୁ ଅଧିକ କ୍ରମଶଃ ବୃଦ୍ଧି ପାଏ । ଏହି କାମନା ପ୍ରତ୍ୟେକ ପ୍ରାଣୀଙ୍କ ଠାରେ ଦେଖା ଯାଉଥିଲେ ହେଁ ମନୁଷ୍ୟ ନିକଟରେ ସର୍ବାଧିକ । ଯାହା ପାଖରେ କାମନା ଯେତେ ଅଧିକ, ସେ ସେତେ ପରିମାଣରେ ଦୁଃଖ କଷ୍ଟ ଅନୁଭବ କରେ, ଜୀବନ ସର୍ବଦା ଅଶାନ୍ତ ରହେ; ନାନା ଜଞ୍ଜାଳରେ ପଡ଼ି ଛଟପଟ ହୁଏ । ତେଣୁ ଆମେ ଜୀବନରେ ଏଭଳି କାମ ସବୁ କରିବା, ମନ ଯେଭଳି ସବୁବେଳେ ଶାନ୍ତ ରହିବ ।

 

ସବୁ କାମନାର ଜନନୀ ହେଉଛି ମନ । ଯେତେବେଳେ ଯାହା କରିବାକୁ ବା ପାଇବାକୁ କହେ, ତତ୍‌କ୍ଷଣାତ କାଳ ବିଳମ୍ବ ନକରି ଆମ ଶରୀରରେ ଥିବା ପଞ୍ଚେନ୍ଦ୍ରିୟ ଯଥା–ଦର୍ଶନେନ୍ଦ୍ରିୟ, ଶ୍ରବଣେନ୍ଦ୍ରିୟ, ରସନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ ଓ ସ୍ପର୍ଶେନ୍ଦ୍ରିୟ ମନର ହୁକୁମ ମାନିବାକୁ କେବେହେଲେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । କିନ୍ତୁ ବିବେକୀ ଓ ବୁଦ୍ଧିମାନ ବ୍ୟକ୍ତିଙ୍କର ଇନ୍ଦ୍ରିୟଗଣ ଅମାନିଆ ହୋଇ ଥାଆନ୍ତି । ସେତେବେଳେ ମନ ଓ ବିବେକର ତୂମୁଳ ସଂଘର୍ଷ ଘଟେ । ବିବେକୀ ଲୋକର ଇନ୍ଦ୍ରିୟଗଣ ପରାଜୟ ସ୍ୱୀକାର କରନ୍ତି । ସେବକ ସଦୃଶ ଇନ୍ଦ୍ରିୟଗଣ କାର୍ଯ୍ୟ ସାଧନ କରି ନପାରିବାରୁ ସ୍ୱତଃ ଅପମାନିତ ହୁଏ ଓ ନୀରବ ରହେ, କାସନା ସମ୍ପର୍କରେ ଶ୍ରୀମତି ମୁକ୍ତାମାଳୀ ଦେବୀଙ୍କ ‘ସତ୍‌ସଙ୍ଗ ମାଳା’ ରେ ଲେଖାଅଛି–

 

‘‘ମନରୁ ସର୍ବଦା ଇଚ୍ଛା- ତରଙ୍ଗ ଜାତ ହେଉଅଛି ଓ ଏହି ଇଚ୍ଛା ପୂର୍ତ୍ତି ନହେଲେ ମନ ଅଶାନ୍ତ ହୁଏ । ପୁଣି କାମନା ଜାତ ହେବାକୁ ଏକ ସେକେଣ୍ଡ ମଧ୍ୟ ଲାଗୁନାହିଁ । ମାତ୍ର ତାର ପୂର୍ତ୍ତି ବର୍ଷ ବର୍ଷ ଧରି ମଧ୍ୟ ହୋଇ ପାରୁନାହିଁ ଏବଂ ଗୋଟିଏ ଇଚ୍ଛା ପୂର୍ଣ୍ଣ ନହେଉଣୁ ତାପରେ କୋଟି କୋଟି ଇଚ୍ଛା- ତରଙ୍ଗ ଉଠୁଅଛି । ତଥାପି କାହାର ହେଲେ ଇଚ୍ଛା ପୂର୍ତ୍ତି ହେଉନାହିଁ । ଗରିବର ମନ ରାଜଭୋଗ ପ୍ରତି ଧାଏଁ ମାତ୍ର ତା ନ ମିଳୁଣୁଁ ଆହୁରି କେତେ ଯେ କ’ଣ ଇଚ୍ଛା ହୁଏ ତାର ଇୟତ୍ତା ନଥାଏ । ଏଣୁ ମନ-ସମୁଦ୍ରରେ ଯେତେ ଇଚ୍ଛା-ତରଙ୍ଗ ଉଠେ ତା ଯେପରି ସଙ୍ଗେ ସଙ୍ଗେ ଲୀନ ହୋଇଯିବ ତାର ଚେଷ୍ଟା ସର୍ବଦା କରୁଥାଅ । ସୁଖ ନିମନ୍ତେ କୌଣସି କାମନା କରନାହିଁ, କାରଣ କାମନା ନହେଲେ ସୁଖାନୁଭୂତି ଘଟେ । ଯାହାଙ୍କର ମନ ସର୍ବଦା କାମନା ରହିତ ଓ ନିର୍ବିକାର ତାଙ୍କୁ ସର୍ବଦା ସୁଖ ଶାନ୍ତି ମିଳିଥାଏ ।’’

 

ତେଣୁ ଛାତ୍ର ଜୀବନରୁ ମନରୁ କାମନା ଯେତେ ଅଧିକ ଦୂରେଇବାକୁ ଅଭ୍ୟାସ କରିବା ସେତେ ଭଲ–ଭବିଷ୍ୟତ ଜୀବନ ସୁଖମୟ ହେବ ।

Image

 

ବିଶ୍ରାମ

 

ମନୁଷ୍ୟ ଜୀବନ କର୍ମ ବହୁଳ । ନିଜର, ପରିବାରର ତଥା ସମାଜର ବିଭିନ୍ନ କାମ କରି କରି ଶରୀର କ୍ଳାନ୍ତ ହୋଇ ପଡ଼େ । ଦେହ ଅବଶ ଲାଗେ । କାର୍ଯ୍ୟ କରିବାର ଶକ୍ତି ହ୍ରାସ ପାଏ । ଆଉ କୌଣସି କାମ କରିବାକୁ ମନରେ ଆଗ୍ରହ ଆସେ ନାହିଁ । ଛାଆଁକୁ ଛାଆଁ ଦେହ ଅଟକି ଯାଏ-। ଯେତେବେଳେ କୌଣସି ନା କୌଣସି କାମ କରିବାକୁ ଶରୀରର କୌଣସି ଅଙ୍ଗପ୍ରତ୍ୟଙ୍ଗ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ହୋଇ ପଡ଼େ, ସେତେବେଳେ ଦେହ ଯେପରି ଅବସ୍ଥାରେ ପଡ଼ି ରହେ ସେହି ସମୟକୁ ହିଁ ବିଶ୍ରାମ କହନ୍ତି । ସମ୍ପୂର୍ଣ୍ଣ ବିଶ୍ରାମକୁ ନିଦ୍ରା କୁହାଯାଏ ।

 

ପଶୁ, ପକ୍ଷୀ, କୀଟ, ପତଙ୍ଗ–ଆହାର, ବିହାର ଓ ବିଶ୍ରାମ କରନ୍ତି, ସେମାନଙ୍କର କିଛି ନୀତି ନିୟମ ନଥାଏ । କିନ୍ତୁ ମନୁଷ୍ୟ ଜୀବ ଜଗତର ବିବେକୀ ପ୍ରାଣୀ ହୋଇଥିବାରୁ ପ୍ରତ୍ୟେକ କାର୍ଯ୍ୟ ଯଥା ସମୟରେ ସମ୍ପାଦନ କରନ୍ତି । ଦିନଯାକ କଠିନ ପରିଶ୍ରମ କରିବା ସଙ୍ଗେ ସଙ୍ଗେ ରାତ୍ରିର ପ୍ରଥମ ପ୍ରହର ଖାଦ୍ୟପେୟର ବ୍ୟବସ୍ଥା ଓ ଚତୁର୍ଥ ପ୍ରହର ଶଯ୍ୟା ତ୍ୟାଗ ତଥା ସ୍ନାନ ଶୌଚାଦି କର୍ମମାନ କରିଥାନ୍ତି । ଫଳତଃ ଦିନରାତି ଚବିଶ ଘଣ୍ଟା ମଧ୍ୟରୁ ରାତ୍ରିର ମଧ୍ୟମ ଦୁଇ ପ୍ରହର ଅର୍ଥାତ୍ ଛ’ ଘଣ୍ଟା କାଳ ଘୋର ନିଦ୍ରାଭିଭୂତ ହୁଅନ୍ତି । ହେଲେହେଁ ଏହି ସମୟ ବ୍ୟତୀତ ଦିନର ଅନ୍ୟ ସମୟରେ ମଧ୍ୟ ମଣିଷ କର୍ମାନୁସାରେ ବିଶ୍ରାମ ଲୋଡ଼ିଥାନ୍ତି ।

ସାଧାରଣତଃ ରୋଗୀ ଓ ଦୁର୍ବଳ ବ୍ୟକ୍ତିମାନେ ସ୍ୱତଃ ବିଶ୍ରାମ ଗ୍ରହଣ କରିଥାନ୍ତି । ଏମାନଙ୍କ ବ୍ୟତୀତ ସୁସ୍ଥସବଳ ମନୁଷ୍ୟ ମଧ୍ୟ ଆଳସ୍ୟ ବଶତଃ କିଛି ସମୟ ବିଶ୍ରାମ ନେବାକୁ ଇଚ୍ଛାକରି ଶଯ୍ୟାଶାୟୀ ହୁଅନ୍ତି । ଏଥିପାଇଁ କେହି କେହି ନିଦ୍ରାକୁ ଆଳସ୍ୟର ଜନନୀ ବୋଲି କହିଥାନ୍ତି । ଅଳସୁଆ ଲୋକର ଆଖିରେ ନିଦ ଆସୁ ନଥିଲେ ମଧ୍ୟ ବିଛଣାରେ ପଡ଼ି ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଅପର ପକ୍ଷରେ ନିଜ ତଥା ପରିବାରର ଭରଣ ପୋଷଣ ପାଇଁ ଅନେକ କାମ ବାକି ପଡ଼ିଥାଏ । ଏଭଳି ଲୋକ ଜୀବନର ଶେଷ ଭାଗରେ ଗୁରୁତର ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହୋଇ ଅଶେଷ ଯନ୍ତ୍ରଣା ଅନୁଭବ କରି ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏହି ସବୁ ଦୃଷ୍ଟାନ୍ତକୁ ଆଖି ଆଗରେ ରଖି ଛାତ୍ରମାନେ ରତ୍ରିର ମଧ୍ୟ ଭାଗରେ କେବଳ ଛ’ ଘଣ୍ଟା କାଳ ବିଶ୍ରାମ କରିବାରେ ଅଭ୍ୟସ୍ତ ହେବା ଉଚିତ । କିନ୍ତୁ ଆଜିକାଲି ଦେଖାଯାଇଥାଏ ଯେ କେହି କେହି ଛାତ୍ର ନିର୍ଜ୍ଜନ ରାତିସାରା ଉଜାଗର ପୂର୍ବକ ପୁସ୍ତକାଦି ଅଧ୍ୟୟନରେ ରତ ରୁହନ୍ତି ତ କେହି କେହି ସିନେମା ଥିଏଟର ପ୍ରଭୃତି ଦେଖିବାରେ ରାତ୍ରି ଯାପନ କରି ଦିବସର ବହୁତ ଭାଗ ଶୟନରେ ଅତିବାହିତ କରନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ରକ୍ଷାର ନିୟମ ବିରୁଦ୍ଧ ।

ଛାତ୍ର ସମାଜରେ କେହି କେହି କୁହନ୍ତି–‘ପଢ଼ି ପଢ଼ି କ୍ଳାନ୍ତ ଲାଗିଲା, ମନ ପରିବର୍ତ୍ତନ ପାଇଁ ଟିକେ ବୁଲି ଆସିଲି ।’ ଯେଉଁ ସମୟତକ ଅଯଥା ବୁଲାବୁଲି କରିବାରେ କଟିଯାଏ ସେହି ସମୟର ମୂଲ୍ୟ କେତେ ? କିନ୍ତୁ ମନ ପରିବର୍ତ୍ତନ ପାଇଁ ସୁନ୍ଦର ସୁନ୍ଦର ବ୍ୟବସ୍ଥା ଥିଲେ ମଧ୍ୟ ଛାତ୍ର ସମାଜ ସେଗୁଡ଼ିକୁ ଅନୁସରଣ ନକରି ଅଯଥାରେ ଜୀବନର ମୂଲ୍ୟବାନ ସମୟ ସବୁ ନଷ୍ଟ କରିଦିଏ-। ସମୟର ମୂଲ୍ୟ ମଣିଷ ଜାଣିବ ନାହିଁ ତ ଆଉ କ’ଣ ପଶୁ ପକ୍ଷୀ ଜାଣିବ ? ଏଇଥିପାଇଁ ତ କେତେ କେତେ ଜୀବନର ସୁକର୍ମ ଓ ତପସ୍ୟା ବଳରେ ଜୀବ ମଣିଷ ଦେହ ଧାରଣ କରେ । ଏଥିପାଇଁ ଜଗନ୍ନାଥ ଦାସ କହିଛନ୍ତି–

‘‘ଅଶେଷ ଜନ୍ମ କର୍ମ ଫଳେ ।

ମାନବ ଜନ୍ମ ଧରା ତଳେ ।।”

ମନ ପରିବର୍ତ୍ତନ ପାଇଁ କାର୍ଯ୍ୟାନ୍ତର ହିଁ ପ୍ରକୃଷ୍ଟ ପନ୍ଥା । ଆମେ କୌଣସି କାମ ଅଧିକ ସମୟ ଧରି କଲେ ବିରକ୍ତ ଲାଗେ । ମନ ଭଲ ଲାଗେନା । ତେଣୁ ସେ କାମରୁ ପୂରା ବିଶ୍ରାମ ନେଇ ବସି ପଡ଼ୁ । କିନ୍ତୁ ଏପରି କରିବା ଅନୁଚିତ । ଛାତ୍ର ଜୀବନରେ ଆମେ ଅଙ୍କ କଷି କଷି କିମ୍ବା ଲେଖି ଲେଖି ବିରକ୍ତ ଲାଗିଲା, ଆଉ ଅଧିକ ସମୟ ଏକ ସ୍ଥାନରେ ବସି ଲେଖିବାକୁ ଇଚ୍ଛା ହେଲାନି-। ଏଭଳି ସମୟରେ ଅଙ୍କ କଷା ବନ୍ଦ କରି ଭୂଗୋଳ, ଇତିହାସ କିମ୍ବା ବିଜ୍ଞାନ ବହି ପଢ଼ିବା ଉଚିତ-। ଯଦି ଏସବୁ ପଢ଼ିବାରେ ମନ ନଲାଗେ ତେବେ ଭଲ ପାଉଥିବା ବିଷୟକୁ ପଢ଼ିବା ଉଚିତ ଯାହାକୁ ପଢ଼ିଲେ ଖେଳିବା ପରି ମନରେ ଆନନ୍ଦ ଆସେ । ଏପରିକି ବିଭିନ୍ନ ପତ୍ରପତ୍ରିକାରେ ଥିବା ମଜା ଗୀତ ଓ ଗପ ଇତ୍ୟାଦି ପଢ଼ିବା ଉଚିତ । କିନ୍ତୁ ପରୋକ୍ଷରେ ପଢ଼ିବା ଦ୍ୱାରା ଆମର ଯଥେଷ୍ଟ ଉପକାର ହୁଏ ।

ଯଦି ଲେଖି ଲେଖି ବା ପଢ଼ି ପଢ଼ି ମନରେ ବିରକ୍ତ ଆସେ, ତେବେ ବାଡ଼ି ବଗିଚାରେ ବୁଲିଯିବା ମାଧ୍ୟମରେ ଗଛଟି ଲଗାଇ ଦେବା କିମ୍ବା ଗଛ ମୂଳେ ପାଣି ଦେବା କିମ୍ବା ଗଛରୁ ପନିପରିବା ଓ ଫଳ ତୋଳି ଆଣି ଘରେ ଦେବା ଇତ୍ୟାଦି କିଛି ନା କିଛି କାମ କରାଯାଇ ପାରେ । ଫଳରେ ଲେଖା ପଢ଼ା କାର୍ଯ୍ୟ ନହେଲେ ମଧ୍ୟ ଅଳ୍ପ ଶାରୀରିକ ପରିଶ୍ରମରେ ମନ ପରିବର୍ତ୍ତନ ହୋଇଥାଏ । ଫଳତଃ ସମୟର ସଦୁପଯୋଗ ହୁଏ–ଆମେ ବିଶେଷ ଉପକୃତ ହେଉ । ତେଣୁ ଗୋଟିଏ କାମ ଶେଷରେ ବା ଅଧାରେ ପୂରା ବିଶ୍ରାମ ନନେଇ ଆଉ ଏକ କାମ କରିବା ଦ୍ୱାରା ମନ ଭଲ ଲାଗେ । ଏଇଭଳି ଗୋଟିଏ କାମ ଭିତରେ ମଧ୍ୟ ଆଉ ଏକ କାମ କରାଯାଉଥିବା ଉଦାହରଣର ମଧ୍ୟ ଅଭାବ ନାହିଁ । ଯେପରି ପଡ଼ିଆରେ ଗାଈଗୁଡ଼ିକ ଚରୁଥିବା ସମୟରେ ଗାଈଆଳ ଗପ ବହି ପଢ଼ିବା, ଉଚ୍ଚ ସ୍ୱରରେ ଗୀତ ଗାଇବା ତଥା ଜାଲ ବୁଣିବା ଇତ୍ୟାଦି କାମ ସୁରୁଖୁରୁରେ ସଂପାଦନ କରିଥାଏ । ତେଣୁ ଗୋଟିଏ କାମ ପରେ ଆଉ ଗୋଟିଏ କାମ ଆରମ୍ଭ କରିଦେଲେ ଅସୁବିଧା କ’ଣ ? ଅସଲ ମନ ଉପରେ ସବୁ ନିର୍ଭର କରେ । ସୀମିତ ସମୟ ମଧ୍ୟରେ ଯିଏ ଅଧିକ ପରିମାଣରେ କାମ କରି ପାରିଲା, ସେଇ ହିଁ ଏ ଦୁନିଆରେ ବାହାଦୁରୀ ଆଉ ପ୍ରଶଂସାର ପାତ୍ର । ପଲ୍ଲୀ ଅଞ୍ଚଳରେ ମହିଳା ମହଲରୁ ଶୁଣାଯାଏ–

“ମନ ଅଛି ଛନ ଅଛି କାଠ ଜାଳ ଠେଇଁ ଅସର ଅଛି

ମନ ନାହିଁ ଛନ ନାହିଁ କାଠ ଜାଳ ଠେଇଁ ଅସର ନାହିଁ ।’’

 

ଅର୍ଥାତ୍‌ ଜଣେ ସ୍ତ୍ରୀ ଲୋକର କାମ କରିବାର ମନୋବୃତ୍ତି ଥିଲେ ଚୁଲିରେ କୁଟା କାଠି ଜାଳି କରୁଥିଲେ ମଧ୍ୟ କେଇଟି ଛୋଟ ଛୋଟ ପାଇଟି କରିଦେଇ ପାରେ । କିନ୍ତୁ ତାର ମନ ନଥିଲେ କାଠ ଜାଳ ଜାଳି ମଧ୍ୟ ଅଧିକ ଗୋଟିଏ ମାତ୍ର କାମ କରିପାରେ ନାହିଁ ।

ଦେଖାଯାଇଥାଏ ଯେ କେତେକ ଛାତ୍ର ଆକଣ୍ଠ ଭୋଜନ ପରେ ଦୀର୍ଘ ସମୟ ଧରି ଗାଢ଼ ନିଦ୍ରାରେ ଅଭିଭୂତ ହୋଇ ପଡ଼ିଥାନ୍ତି । କିନ୍ତୁ ଏହା ଛାତ୍ର ଜୀବନର ବିରୁଦ୍ଧ ଲକ୍ଷଣ । ଏଥିପାଇଁ ଶାସ୍ତ୍ରକାର କହିଛନ୍ତି–

‘‘ଅଳ୍ପାହାରୀ ଗୃହ ତ୍ୟାଗୀ ଶ୍ୱାନ ନିଦ୍ରା ତଥୈବଚ

କାକ ରାବଂ ବକଧ୍ୟାନଂ ଏତତ୍‌ ବିଦ୍ୟାର୍ଥୀ ଲକ୍ଷଣଂ ।”

 

ତେଣୁ ଶରୀର ବିଶ୍ରାମ ପାଇଁ ଯେଉଁ ପାଞ୍ଚ ଛ’ ଘଣ୍ଟାକାଳ ଅତ୍ୟାବଶ୍ୟକ, ସେତିକି ସମୟ ବ୍ୟତୀତ ଆଳସ୍ୟ ବଶତଃ ଅଧିକ ସମୟ ବିଶ୍ରାମ କରିବା ଅନୁଚିତ ।

Image

 

ସମ୍ମାନ

 

ଦୁନିଆରେ ପ୍ରତ୍ୟେକ ମନୁଷ୍ୟ ଅନ୍ୟଠାରୁ ସମ୍ମାନ ପାଇବା ପାଇଁ ଇଚ୍ଛା କରନ୍ତି । ଗୁରୁଜନମାନେ ଲଘୁଜନମାନଙ୍କ ଠାରୁ ସମ୍ମାନ ପାଇବା ତ ସ୍ୱାଭାବିକ । ତେବେ ଗୁରୁଜନମାନେ ସମ୍‌ମାନ ପରିବର୍ତ୍ତେ କନିଷ୍ଠମାନଙ୍କୁ ଆଦର ଓ ସ୍ନେହଭାବ ପ୍ରଦର୍ଶନ କରିବା ଉଚିତ । ଯେଉଁ ସ୍ଥାନରେ ଏହି ଭାବ ପରିଲକ୍ଷିତ ହୁଏନାହିଁ, ସେଠାରେ କନିଷ୍ଠମାନେ ଗୁରୁଜନମାନଙ୍କୁ ଯେଭଳି ସମ୍ମାନ ଦେଖାଇବା କଥା, ସେଥିରୁ ଉଣା କରନ୍ତି । ଫଳରେ ଗୁରୁଜନମାନେ ଅପମାନିତ ହୁଅନ୍ତି । ଅପମାନ ଦ୍ୱାରା ମଣିଷ ମନରେ ଗଭୀର ଦୁଃଖ ଜାତ ହୁଏ । ଛୋଟ ହେଉ ବା ବଡ଼ ହେଉ ସମସ୍ତେ ସମ୍ମାନ ଚାହାନ୍ତି । ତେଣୁ କାହାରିକୁ କେତେବେଳେ ହେଲେ ଅସମ୍ମାନ ବା ଅପମାନ ଦେବା ଅନୁଚିତ । ଅପମାନ ଦେଉଥିବା ଲୋକଠାରେ ଯେତେ ପୁଣ୍ୟ ଥାଏ ସମସ୍ତ ନଷ୍ଟ ହୋଇଯାଏ । ଏପରିକି ଶେଷ ଜୀବନରେ ଗଭୀର ଦୁଃଖ କଷ୍ଟ ସହି ମୃତ୍ୟୁମୁଖରେ ପଡ଼ିଥାଏ । ଗରିବ, ଦୁଃଖୀ, ଆଶ୍ରିତ ପ୍ରଭୃତି ମନୁଷ୍ୟଙ୍କୁ ମଧ୍ୟ ଅପମାନ ଦେବା ଅନୁଚିତ । କାହିଁକିନା ପ୍ରତ୍ୟେକ ମନୁଷ୍ୟଠାରେ ଭଗବାନଙ୍କ ଶକ୍ତି ନିହିତ ଅଛି । ଦୁନିଆରେ ଯେତେ ପ୍ରକାର ଦାନ ନିହିତ ଅଛି ସେଗୁଡ଼ିକ ମଧ୍ୟରେ ସମ୍ମାନ ଦାନ ଅତି ଉଚ୍ଚରେ । ନିଜେ ଅନ୍ୟ ଠାରୁ ଯେତେ ଅପମାନ ପାଇଲେ ମଧ୍ୟ ଅନ୍ୟକୁ ସର୍ବଦା ସମ୍ମାନ ଦେଇ ଶିଖିବା ଅଭ୍ୟାସ ମଣିଷର ପହିଲି ଜୀବନ ଛାତ୍ର ଜୀବନରୁ ଆରମ୍ଭ କରିବା ଉଚିତ । ଆମେ ଅନ୍ୟକୁ ସମ୍ମାନ ଦେଲେ ଅନ୍ୟଠାରୁ ନିଶ୍ଚୟ ସମ୍ମାନ ମିଳିବ, ଏହା ନିଃସନ୍ଦେହ ।

 

ଦେଖା ଯାଇଥାଏ ଯେ କେତେକ ଧନୀ ପରିବାର ଧନ ଗର୍ବରେ ଭିକ୍ଷୁକଙ୍କୁ ଦାନ ନଦେଇ ନାନା ଗାଳି ଗୁଲଜ କରିଥାନ୍ତି । ଅଭାବ ଥିଲେ ସେମାନଙ୍କୁ କିଛି ଦିଆଯାଇ ନପାରେ । କିନ୍ତୁ ଅପମାନ ସୂଚକ ଭାଷା ବ୍ୟବହାର କରି ଘଉଡ଼େଇ ଦେବା ଅନୁଚିତ । କାରଣ ନିଃସ୍ୱ ଭିକ୍ଷୁକ ହେଲେ ମଧ୍ୟ ତାହାର ଯେ ଆତ୍ମସମ୍ମାନ ଅଛି–ଏହା ପ୍ରତ୍ୟେକ ମନେ ରଖିବା ଉଚିତ ।

 

ପୃଥିବୀର ଲୋକ ସଂଖ୍ୟାର ଦୁଇ-ତୃତୀୟାଂଶ ଲୋକ ଧନ ଦୌଲତ ଅପେକ୍ଷା ସମ୍ମାନ ଲାଭକୁ ଅଧିକ ଇଚ୍ଛା କରନ୍ତି । ସ୍ଥୂଳତଃ ମହତ ଲୋକମାନଙ୍କର ସମ୍‌ମାନ ହିଁ ଧନ ।

 

ତେଣୁ ଛାତ୍ର ଛାତ୍ରୀମାନେ ପ୍ରତ୍ୟେକଙ୍କୁ ସମ୍‌ମାନ ଦେଇ ଶିଖିବା ଅଭ୍ୟାସ କରିବା ଉଚିତ-

Image

 

ସହିଷ୍ଣୁତା

 

ସହିଷ୍ଣୁତା ମନୁଷ୍ୟର ଅନ୍ୟ ଏକ ବିଶିଷ୍ଟ ଗୁଣ । ଦୁନିଆରେ କୌଣସି କାରଣ ବଶତଃ କେହି କାହାରିକୁ ଗାଳିଗୁଲଜ କଲେ ଶୁଣିବା ଲୋକ ସହିପାରେ ନାହିଁ । ତାକୁ ଜବାବ ଦେବା ପାଇଁ ଆଗଭର ହୋଇପଡ଼େ ଏବଂ ପରସ୍ପର କଳହରତ ହେବା ଫଳରେ ଅଶାନ୍ତିକର ବାତାବରଣ ସୃଷ୍ଟି ହୁଏ । ଏପରିକି କାହାରି କାହାରି ଜୀବନ ନଷ୍ଟ ହୋଇଯିବାର ଉଦାହରଣ ମଧ୍ୟ ବିରଳ ନୁହେଁ । ସହିଷ୍ଣୁତା ଅଭାବରେ ଗୋଟିଏ ଜୀବନ କାହିଁକ ଦଳଗତ ଗଣ୍ଡଗୋଳ ଓ କଳହ ଯୋଗୁ ଏକ ମୁହୂର୍ତ୍ତକ ମଧ୍ୟରେ ଶହ ଶହ ମୂଲ୍ୟବାନ ଜୀବନ ଏକାବେଳକେ ନଷ୍ଟ ହୋଇଯାଏ । ଯଦି ଏ ପ୍ରକାର କଳହର ପ୍ରଥମ ସୋପାନରେ ଜଣେ ଅନ୍ୟ ଜଣଙ୍କର କୁ ବାକ୍ୟ ସହି ନପାରି ନୀରବ ରହିଥାନ୍ତା, ତେବେ ଶେଷରେ ଏଭଳି ଭୀଷଣାକୃତି ପରିସ୍ଥିତି ଧାରଣ କରି ନଥାନ୍ତା କିମ୍ବା ଏତେ ପରିମାଣରେ ଧନ ଜୀବନ ନଷ୍ଟ ହୋଇ ନଥାନ୍ତା । କେତେ କ୍ଷୁଦ୍ର ଘଟଣାରୁ ଏପରି ବୃହତ୍‌ ବିଷମୟ ଫଳ ଉପୁଜେ–ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନାହିଁକି ?

ଶୈଶବାବସ୍ଥାରେ ଗ୍ରାମ୍ୟ ଶିଶୁ ଗଣ ପଲ୍ଲୀ ପଥରେ କ୍ରୀଡ଼ାରତ ବେଳେ କେହି କାହା ଉପରକୁ ଧୂଳି ଟିକେ ଫିଙ୍ଗିଦେଲା ବା କେହି କାହାକୁ ଟିକିଏ ଚିମୁଟି ଦେଲା ତ ଅନ୍ୟ ପିଲା ସହନଶୀଳତାର ଅଭାବରେ ଏଇ ସାମାନ୍ୟ ଘଟଣାକୁ ଆଳକରି ଭୀଷଣ ଗଣ୍ଡଗୋଳ ଆରମ୍ଭ ହୋଇଯାଏ । ଫଳରେ ସଂପୃକ୍ତ ପିତା ମାତା ତଥା ଭାଇ ଭଉଣୀଙ୍କ ମେଳରେ ପଲ୍ଲୀ ପଥରେ ଏକ କ୍ଷୁଦ୍ର ମହାଭାରତ ଯୁଦ୍ଧ ଲାଗିଯାଏ । ଏଇ କ୍ଷୁଦ୍ର ଘଟଣାକୁ କେନ୍ଦ୍ର କରି ପରିବାର ପରିବାର ମଧ୍ୟରେ ଦ୍ୱନ୍ଦ୍ୱ ଓ ମନୋମାଳିନ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗିରହେ । ସୁନ୍ଦର ସରଳ ନିରାଡ଼ମ୍ବର ପଲ୍ଲୀ ଜୀବନରେ କେଡ଼େ ବିଷମୟ ଫଳ ଉପୁଜେ ଭାବିଲେ ମନରେ ଗଭୀର ଦୁଃଖ ଜାତ ହେବ ନାହିଁକି-?

ସ୍କୁଲ, କଲେଜ, ପାଠାଗାର, କ୍ଲବ, ଯୁବକସଂଘ ଓ ମହିଳା ସମିତି ପ୍ରଭୃତି ଅନୁଷ୍ଠାନ ଗୁଡ଼ିକର ସଭ୍ୟମାନଙ୍କ ମଧ୍ୟରେ ସହନଶୀଳତାର ଅଭାବ ଯୋଗୁ ଯେଉଁ ପ୍ରଭୂତ କ୍ଷତି ଘଟେ, ତାହା ଉଣା ଅଧିକେ ସମସ୍ତେ ଜାଣନ୍ତି । ଅନୁଷ୍ଠାନ ଗୁଡ଼ିକର ଆରମ୍ଭ ବେଳେ ଲୋକମାନଙ୍କ ମନରେ ଯେଉଁ ଉତ୍ସାହ, ପ୍ରେରଣା ଇତ୍ୟାଦି ଥାଏ, ତାହା କ୍ରମଶଃ ସହନଶୀଳତାର ଅଭାବରେ ଦୂରେଇ ଯାଏ-। ସଭ୍ୟମାନଙ୍କ ମଧ୍ୟରେ ମତାନ୍ତର ଓ ମନୋମାଳିନ୍ୟ ଘଟେ । ଫଳରେ କେତେକ ଅନୁଷ୍ଠାନ ଚିରଦିନ ପାଇଁ ବିଲୟ ଭଜେ । ପ୍ରଥମତଃ ଆରମ୍ଭ ବେଳେ ଯେଉଁ ଦୁଃଖ କଷ୍ଟ, ଯେଉଁ ଉତ୍ସାହ ଉଦ୍ଦୀପନା–ସବୁ କୁଆଡ଼େ ସାମାନ୍ୟ ପଦେ ପଦେ କଥାରେ ନିମିଷକ ମାତ୍ରକେ ଉଭେଇ ଯାଏ-

ପୃଥିବୀରେ ଛୋଟ ବଡ଼ ଅନେକ ଦେଶ ଅଛି ଓ ଜାତି ଏବଂ ଉପଜାତିର ଅନେକ ଲୋକ ଅଛନ୍ତି । ସହିଷ୍ଣୁତାର ଅଭାବରେ ଜାତି ଜାତି ଓ ଦେଶ ଦେଶ ମଧ୍ୟରେ ଘୋର ବିବାଦ ଲାଗିଯାଏ । ଏପରିକି ବିଶ୍ଵଯୁଦ୍ଧ ଲାଗି ଅକଳନୀୟ ନିରୀହ ଜନ ସାଧାରଣ ମୃତ୍ୟୁ କବଳରେ ପଡ଼ନ୍ତି ଓ କେତେ ଧନ ଦୌଲତ ଧ୍ୱଂସ ବିଧ୍ୱସ୍ତ ହୋଇଯାଏ ।

ଆମେ ଅନେକ ସମୟରେ ସମାଜର କେତେକ ଖଳ ଲୋକଙ୍କର ଖଚ ଚୁଗୁଲିରେ ଉତ୍ତେଜିତ ହୋଇ ନାନା ବିଘ୍ନର ସମ୍ମୁଖୀନ ହେଉ, କିନ୍ତୁ କୌଣସି ବିଷୟରେ ସଠିକ୍ ସତ୍ୟାସତ୍ୟ ନଜାଣି ଗୁଜବ ଗୁଡ଼ିକୁ ଶୁଣି ମଧ୍ୟ ନଶୁଣିଲା ପରି ରହିଯିବା ଉଚିତ ।

ଯେଉଁ ସହିଷ୍ଣୁତା ଗୁଣର ଅଧିକାରୀ ହେଲେ ମଣିଷ ସମାଜର ପ୍ରଭୂତ ଉନ୍ନତି ହୁଏ, ସେଭଳି ଗୁଣର ଅଭ୍ୟାସ କରିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର କର୍ତ୍ତବ୍ୟ ।

ସହନଶୀଳତା ରକ୍ଷା ପାଇଁ ମୌନବ୍ରତ ଏକ ପ୍ରଧାନ ଅବଲମ୍ବନ । ଆମ୍ଭେମାନେ ଅନେକ ସମୟରେ ଅଯଥା ଯୁକ୍ତିତର୍କ କରି ଶରୀରରୁ କେତେ ଶକ୍ତି ନଷ୍ଟ କରୁଛେ । କିନ୍ତୁ ବାରମ୍ବାର ମୌନବ୍ରତ ଅଭ୍ୟାସ କରି ଶିଖିଲେ ଶରୀରରେ ଶକ୍ତି ସଞ୍ଚିତ ହୁଏ । ସ୍ମୃତି ଶକ୍ତି କ୍ରମଶଃ ବୃଦ୍ଧି ପ୍ରାପ୍ତ ହୁଏ । ମୌନବ୍ରତ ଅବଲମ୍ବନ କରିଥିବା ବେଳେ କେହି କୁବାକ୍ୟ ପ୍ରୟୋଗ କଲେ, ଉତ୍ତରରେ କିଛି କହିବାକୁ ଦେହ ଉତ୍ତେଜିତ ହେଉଥିଲେ ମଧ୍ୟ ନୀରବତା ଯୋଗୁ ସେ ସମୟତକ ଶାନ୍ତିରେ ଅତିବାହିତ ହୁଏ । ରାଗାନ୍ୱିତ ସମୟ ଟିକକ ଚାଲିଯିବା ପରେ ସଂପୃକ୍ତ ଘଟଣାକୁ ଆଳ କରି ଆଲେଚନା କରିବା ଯୁକ୍ତିତର୍କ କରିବାରେ ଶିଥିଳତା ଦେଖାଦେଇ ଥାଏ ।

ସହନଶୀଳତାର ଆଉ ଏକ ଉପାୟ ହେଉଛି କେହି କଟୁକଥା କହିବା ସମୟରେ ତାହା ଯଦି ଅସତ୍ୟ ହୁଏ ତେବେ ଘଟଣା ସ୍ଥଳରେ ଅଧିକ କାଳ ଅବସ୍ଥାନ ନକରି ନୀରବରେ ସେ ସ୍ଥାନ ତତ୍‌କ୍ଷଣାତ୍‌ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା ଉଚିତ । କିନ୍ତୁ ଅନ୍ୟର କିଛି କ୍ଷତି କରିପାରିବ ନାହିଁ । ଏଥିପାଇଁ ଆମର ପଲ୍ଲୀକବି ନନ୍ଦ କିଶୋର ଗାଇଛନ୍ତି–

‘‘କହିବା ଲୋକ ତ ମହତ ନୁହଇ

ମହତ ସହିବା ଜନ

ସହିଷ୍ଣୁତା ହୀନ ବାଳକ ବାଳିକା

ହୁଅନ୍ତି କ୍ରୋଧେ ଅଜ୍ଞାନ ।’’

Image

 

ଅଧ୍ୟୟନ

 

‘‘ଛାତ୍ରାଣାଂ ଅଧ୍ୟୟନଂ ତପଃ’’–ମୁନି ଋଷିଗଣଙ୍କର ତପସ୍ୟା ପରି ମନୁଷ୍ୟର ପହିଲି ଜୀବନ ଛାତ୍ରାବସ୍ଥାରେ ଅଧ୍ୟୟନ ହିଁ ତପସ୍ୟା । ଅକ୍ଷର ପରିଚୟ ପରେ କେବଳ ନିର୍ଦ୍ଦିଷ୍ଟ ଶ୍ରେଣୀ ପାଠ୍ୟ ପୁସ୍ତକାବଳୀ ଅଧ୍ୟୟନ କଲେ ଛାତ୍ରର ଜ୍ଞାନ ଗାରିମା ପ୍ରକାଶିତ ହୁଏ ନାହିଁ । ପ୍ରଥମେ ମାତୃଭାଷାରେ ଯେଉଁ ସ୍ତୁପ ପ୍ରମାଣ ପୋଥି ସବୁ ଲେଖାହୋଇ ରହିଅଛି, ସେ ସବୁକୁ ପଠନ କରିବା ଉଚିତ । ମାତୃଭାଷାରେ ଉନ୍ନତି ନହେଲେ ଅନ୍ୟ ଭାଷାଗୁଡ଼ିକୁ ଆୟତ୍ତ କରିବା ଅସମ୍ଭବ । ଏଥିପାଇଁ କବି ଗଙ୍ଗାଧର ଗାଇଛନ୍ତି–

 

‘‘ମାତୃଭୂମି ମାତୃ ଭାଷାରେ ମମତା

ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ- ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ?”

 

ମାତୃଭାଷା ଲିଖିତ ପୁସ୍ତକ ସମୂହ ଅଧ୍ୟୟନ ପରେ ଅନ୍ୟାନ୍ୟ ଭାଷାର ପୁସ୍ତକାବଳୀ ନଜରକୁ ଆଣି ସେଗୁଡ଼ିକରେ ସନ୍ନିବେଶିତ ଭାବରାଶିକୁ ଗ୍ରହଣ ତଥା ପରିପ୍ରକାଶ କରିବା ଉଚିତ । ଫଳରେ ନିଜର ଜ୍ଞାନ କ୍ରମଶଃ ବୃଦ୍ଧି ପ୍ରାପ୍ତ ହୁଏ ।

 

ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ପୁସ୍ତକ ଗୁଡ଼ିକୁ ଅବସର ସମୟରେ ପାଠ କରିବା ଉଚିତ । ଅନେକ ଛାତ୍ର ଛାତ୍ରୀ ବଡ଼ ବଡ଼ ଆକାରର ପୁସ୍ତକ ସବୁ ପ୍ରଥମେ ଦେଖି ପଢ଼ି ପାରିବେ ନାହିଁ ବୋଲି ଭୟରେ ସୁଦ୍ଧା ପୁସ୍ତକର ସୂଚୀପତ୍ର ଲେଉଟାଇବାକୁ ସାହସ କରନ୍ତି ନାହିଁ । ଫଳତଃ ବହୁ ଜାଣିବାର କଥା ବହିରେ ଅଜଣା ରହିଯାଏ । ତେଣୁ ଛାତ୍ର ଜୀବନରେ ବୟସ ଅନୁପାତରେ ଛୋଟ ଛୋଟ ଆକାରର ପୁସ୍ତକମାନ ଅଧ୍ୟୟନ ପାଇଁ ଅଭ୍ୟାସ ରଖିଲେ କ୍ରମଶଃ ବଡ଼ ବଡ଼ ଆକାରର ପୁସ୍ତକ ସବୁ ଶୀଘ୍ର ପଢ଼ିବା ପାଇଁ ସହଜ ହେବ । ଫଳତଃ ନାନା ଶାସ୍ତ୍ର ପୁରାଣ ଜ୍ଞାତା ହୋଇ ପୃଥିବୀର ଜଣେ ମହାନ ବିଦ୍ୱାନ ରୂପେ ପରିଚିତ ହେବ । ଅକଳନ ବିଦ୍ୟା-ଧନର ଅଧିକାରୀ ହେଲେ ମନୁଷ୍ୟର ଆଉ ଚିନ୍ତା କ’ଣ ? ଶାସ୍ତ୍ରକାରଙ୍କ ଭାଷାରେ–

 

‘‘ବିଦ୍ୟା ନାମ ନରସ୍ୟ ରୂପମଧିକଂ

ପ୍ରଚ୍ଛନ୍ନ ଗୁପ୍ତଂ ଧନଂ

ବିଦ୍ୟା ଭୋଗକରୀ ଯଶଃ ସୁଖକରୀ

ବିଦ୍ୟା ଗୁରୁଣାଂ ଗୁରୁଃ ।

ବିଦ୍ୟା ବନ୍ଧୁ ଜନେ ବିଦେଶ ଗମନେ

ବିଦ୍ୟା ପରଂ ଦୈବତଂ

ବିଦ୍ୟା ରାଜସୁ ପୂଜ୍ୟତେ ନହି ଧନଂ

ବିଦ୍ୟା ବିହୀନଃ ପଶୁ ।”

 

ଛାତ୍ର ଜୀବନହିଁ ମନୁଷ୍ୟର ପ୍ରକୃତ ଜୀବନ । ଏ କାଳରେ ବିଭିନ୍ନ ପୁସ୍ତକାବଳୀର ଅଧ୍ୟୟନ କାର୍ଯ୍ୟ ଅଭ୍ୟାସ କଲେ ଅତଳ ଜ୍ଞାନ ସମୁଦ୍ରର ଗଭୀର ପ୍ରଦେଶରେ ଉପନୀତ ହେବା ଅତି ସୁଗମ ହେବ । କେବଳ ଅଧ୍ୟୟନର ଅଭ୍ୟାସ ହିଁ ବଡ଼ କଥା । ଅଭ୍ୟାସ ବଳରେ ମନୁଷ୍ୟ କ’ଣ କରି ନପାରେ ?

 

ବିଭିନ୍ନ ପୁସ୍ତକାବଳୀ ବ୍ୟତୀତ ଦୈନିକ ସମ୍ବାଦ ପତ୍ର ଠାରୁ ଆରମ୍ଭ କରି ମାସିକ, ତ୍ରୈମାସିକ ପ୍ରଭୃତି ପତ୍ରିକା ପର୍ଯ୍ୟନ୍ତ ସକଳ ପ୍ରକାର ପତ୍ର ପତ୍ରିକା ଅଧ୍ୟୟନର ଅଭ୍ୟାସ କଲେ ଦେଶ ବିଦେଶର ସମ୍ବାଦମାନ ସହଜରେ ଜାଣିହୁଏ । ପୁଣି ଭାଷା ଜ୍ଞାନର ସମୃଦ୍ଧ ହୁଏ । ପୃଥିବୀର କୌଣସି ଏକ ନିଭୃତ ପ୍ରଦେଶରେ ରହିଲେ ମଧ୍ୟ ଦର୍ପଣ ସଦୃଶ ପୃଥବୀ ଯାକର ଦୃଶ୍ୟାବଳୀ ଆଖି ଆଗରେ ନାଚିଯାଏ । ତେଣୁ ନିୟମିତ ପତ୍ର ପତ୍ରିକା ପାଠ ଅଭ୍ୟାସ କରିବା ଉଚିତ ।

 

କେତେକ ଛାତ୍ର ଛାତ୍ରୀଙ୍କର ସ୍ମରଣ ଶକ୍ତି ଅଭାବରୁ ପାଠ ମନେ ରହେ ନାହିଁ । ତେଣୁ ସେମାନେ ଅଧିକ ପଢ଼ିବାକୁ ପସନ୍ଦ ନକରି ପାଠ ପଢ଼ା ବନ୍ଦ କରିଦିଅନ୍ତି । ଫଳରେ ସେମାନେ ଅଳ୍ପ ବୟସରୁ ଜ୍ଞାନଲାଭ କରି ନପାରି ସମାଜରେ ଥିବା ମୁର୍ଖ ତଥା ଖଳ ଲୋକଙ୍କ ପ୍ରଭାବରେ କୁଅଭ୍ୟାସସବୁର ବଶବର୍ତ୍ତୀ ହୋଇ ଶେଷ ଜୀବନରେ ଘୋର ଅନୁତାପ କରନ୍ତି । କିନ୍ତୁ ଏପରି କରିବା ଅନାବଶ୍ୟକ । ସ୍ମୃତି ଶକ୍ତି ଈଶ୍ୱର ଦତ୍ତ । କେହି କୌଣସି ବିଷୟକୁ ଥରେ ପଢ଼ିଦେଲେ ବା ଶୁଣିଦେଲେ ମନେ ରହି ଯାଉଛି ତ କେହି ସାତଥର ପଢ଼ିଲେ ମଧ୍ୟ ମନେ ରହୁନାହିଁ । କିନ୍ତୁ ଏଥିରେ ଧୈର୍ଯ୍ୟହରା ନହୋଇ ସାତଥର ସ୍ଥାନରେ ଏକୋଇଶି ଥର ବା ତହିଁରୁ ଅଧିକ ଥର ପଢ଼ିଲେ ନିଶ୍ଚୟ ମନେ ରହିବ । ବିଦ୍ୟାକୁ ବାରମ୍ବାର ଅଭ୍ୟାସ କଲେ ତାହା ଅମୃତ ତୁଲ୍ୟ ଓ ବିନାଭ୍ୟାସରେ ବିଷ ସଦୃଶ ହୁଏ ।

 

‘‘ଆମର ପୂର୍ବ ଜନ୍ମ ଅଛି”–ଏହାକୁ କେତେକ ବିଶ୍ୱାସ କରନ୍ତି ନାହିଁ । ଆମେ ନିଦରୁ ଉଠିଲେ ହଠାତ୍ ଦୁନିଆର କେତେକ କଥା ଅଳ୍ପ ସମୟ ପାଇଁ କିଛି ମନେ ପଡ଼େନା । କିନ୍ତୁ ଟିକିଏ ସମୟ ପରେ ଗୋଟିକ ପରେ ଗୋଟିଏ ସବୁକଥା ଆମର ମନେ ପଡ଼ିଯାଏ । ଠିକ୍ ଏହିପରି ଗୋଟିଏ ଶରୀରରୁ ଆତ୍ମା ଚାଲିଯାଇ ଆଉ ଏକ ଶରୀରରେ ରହିବା ପର୍ଯ୍ୟନ୍ତ ଯେଉଁ ସମୟତକ ସୁପ୍ତ ଅବସ୍ଥାରେ ରହିଥାଏ, ସେ କିଛି ଜାଣି ନଥାଏ । ଅର୍ଥାତ ପୂର୍ବଜନ୍ମର ବିଦ୍ୟା, ବୁଦ୍ଧି, ଧନ, ଦୌଲତ ସବୁ କିଛି ଭୁଲି ଯାଇଥାଏ । କିନ୍ତୁ ପର ଜନ୍ମରେ ବିଦ୍ୟା ହେଉ ବା ଧନ ହେଉ–ସେ ସକଳ ବିଷୟରେ ସ୍ମରଣ କରାଇ ଦେବା ମାତ୍ରକେ ସବୁ ମନେ ପଡ଼ିଯାଏ । ଯେପରି ଗୋଟିଏ ଶ୍ରେଣୀରେ ପଚାଶ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ଶିକ୍ଷକ ଏକ ଭାଷାରେ ଏକ ସ୍ଵରରେ ସମସ୍ତଙ୍କୁ ପଢ଼ାନ୍ତି । କିନ୍ତୁ କେତେକ ଶତକଡ଼ା ୯୦ ବା ୯୫ ନମ୍ବର ରଖିବା ସ୍ଥଳେ କେତେକ ୩ ବା ୫ ନମ୍ବର ରଖିବାକୁ କ୍ଷମ ହୋଇପାରନ୍ତି ନାହିଁ । ପୁଣି ଆମେ ଗୋଟିଏ ପିଲାର ଖାଦ୍ୟ, ପୋଷାକ ଓ ପଠନାଦିର ଉପକରଣର କିଛି ଅଭାବ ନରଖି ସ୍କୁଲ ସମୟ ବ୍ୟତୀତ ଘରେ ପ୍ରତ୍ୟେକ ବିଷୟ ପାଇଁ ଗୃହ ଶିକ୍ଷକ ନିଯୁକ୍ତି କରି ବହୁତ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଆଶାନୁରୂପ ଫଳ ପାଇ ପାରୁନା । ତେଣୁ ଏ ସବୁ ଯେ କାହିଁକି ହୁଏ–ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଏଇସବୁ ଆଲୋଚନାରୁ ଆମେ ସ୍ପଷ୍ଟ ଜାଣିପାରୁ ଯେ ଆମର ପୂର୍ବ ଜନ୍ମ ଅଛି । ପୂର୍ବ ଜନ୍ମରେ ଯେ ଯେତେ ବିଦ୍ୟା ବା ଧନ ଅର୍ଜନ କରିଥାଏ, ସେ ପର ଜନ୍ମରେ ତଦନୁରୂପ ବିଦ୍ୟା ବା ଧନର ମାଲିକ ହୋଇଥାଏ ।

 

ତେଣୁ ଛାତ୍ର ଜୀବନରେ ଯେତେ ଅଧିକ ପଢ଼ିବା ପାଇଁ ପରିଶ୍ରମ କରିବା–ପରିଶ୍ରମର ମୂଲ୍ୟ ତ ଏ ଜନ୍ମରେ ନିଶ୍ଚୟ ମିଳିବ; କାହିଁକିନା କାହାରି ପରିଶ୍ରମ କେତେବେଳେ ବିଫଳ ହୁଏ ନାହିଁ-। ପୁଣି ଏ ଜନ୍ମର ବିଦ୍ୟା- ଧନ ପର ଜନ୍ମ ପାଇଁ ସଞ୍ଚୟ ହୋଇ ରହିବ ।

 

ତେଣୁ ଛାତ୍ର ଅବସ୍ଥାରେ ‘ମୋଦେଇ ପାଠ ହେବ ନାହିଁ’–ଏଭଳି ମତ ପୋଷଣ ନକରି ବିଦ୍ୟାଧ୍ୟୟନରେ ସତତ ଚେଷ୍ଟା କରିବା ଉଚିତ । ଦୁନିଆରେ ଅସାଧ୍ୟ ହୋଇ କିଛି ନାହିଁ ।

 

ଏତଦ୍‌ଭିନ୍ନ ‘ସତ୍‌ସଙ୍ଗ ମାଳା’ରେ ଲେଖାଅଛି–‘‘ଯେଉଁ ଗ୍ରନ୍ଥ ପାଠକଲେ ବିଷୟ ବାସନା ଲୋପ ହୋଇ ଭକ୍ତି ଓ ଜ୍ଞାନଲାଭ ହୁଏ ତାହା ହିଁ ସଦ୍‌ଗ୍ରନ୍ଥ । ଏହାଦ୍ଵାରା ନିଜର ବୁଦ୍ଧି ବୃତ୍ତି ସନ୍ମାର୍ଗଗାମୀ ହୁଏ । ମାତ୍ର ଅସଦ୍‌ଗ୍ରନ୍ଥ ପାଠ କଲେ ସୁଖଲାଭ ଆଶାରେ ମନ ସାଂସାରିକ ଭୋଗପ୍ରତି ଧାବିତ ହୋଇ ମହା ଦୁଃଖ ଲାଭ କରିଥାଏ । ଶାସ୍ତ୍ର, ପୁରାଣ, ଇତିହାସ ପ୍ରଭୃତି ପାଠକର । କିନ୍ତୁ ଏଥିରେ ଲେଖାଥିବା ବିଷୟ ସତ୍ୟ ବା ମିଥ୍ୟା ତାର ଚର୍ଚ୍ଚା ନକରି କେବଳ ତାର ସାରାଂଶ ଗ୍ରହଣ କର ।”

 

ଯେଉଁ ଗ୍ରନ୍ଥ ଅଧ୍ୟୟନ କଲେ ଜୀବନ ସୁଶୃଙ୍ଖଳିତ ଓ ଉତ୍ତମମାର୍ଗରେ ପରିଚାଳିତ ହୁଏ, ସେଭଳି ଗ୍ରନ୍ଥସକଳ ଅଧ୍ୟୟନ କରିବାର ଅଭ୍ୟାସ ଛାତ୍ର ଜୀବନରୁ ହିଁ କରିବା ଉଚିତ । ଆମ ଦେଶର ରାଜନୈତିକଗଣ ଯଥା–ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଜବାହାରଲାଲ ନେହେରୁ, ବାଲଗଙ୍ଗାଧର ତିଳକ, ବିପିନ ବିହାରୀପାଲ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସାହିତ୍ୟିକଗଣ ଯଥା–ରବିନ୍ଦ୍ରନାଥ ଠାକୁର, ହିନ୍ଦୀ ସମ୍ରାଟ ପ୍ରେମଚାନ୍ଦ, ବ୍ୟାସକବି ଫକୀର ମୋହନ, ସ୍ଵଭାବ କବି ଗଙ୍ଗାଧର, କବିବର ରାଧାନାଥ, ଭକ୍ତକବି ମଧୁସୂଦନ ଓ ସାଧୁ ସନ୍ଥଗଣ ଯଥା–ବିବେକାନନ୍ଦ, କବୀର, ତୁଳସୀଦାସ, ତୁକାରାମ, ପ୍ରମୁଖଙ୍କ ଜୀବନୀ ଅବସର ବେଳେ ଅଧ୍ୟୟନ କରିବା ଉଚିତ । ଏମାନେ ହେଲେ ମହାପୁରୁଷ । ଏମାନଙ୍କର ଜୀବନୀ ଅଧ୍ୟୟନରେ ନିଜ ନିଜ ଜୀବନକୁ ସେହିପରି କରିବାକୁ ଛାତ୍ର ଛାତ୍ରୀମାନେ ଆଗ୍ରହୀ ହେବା ଉଚିତ ।

Image

 

ପର୍ଯ୍ୟଟନ

 

ପର୍ଯ୍ୟଟନ ଶିକ୍ଷାର ଏକ ବିଶିଷ୍ଟ ଅଙ୍ଗ । କେବଳ ପୁସ୍ତକସ୍ଥିତ ପାଠ ମୁଖସ୍ଥ କରିବା ଦ୍ୱାରା ଯେତିକି ଜ୍ଞାନ ହାସଲ ହୁଏ; ପର୍ଯ୍ୟଟନ ଦ୍ୱାରା ତାହା ଅଧିକ ବିସ୍ତାରିତ ହୋଇଥାଏ । କେବଳ ପୁସ୍ତକ ଅଧ୍ୟୟନ ଛାତ୍ରମାନଙ୍କୁ କୂପ ମଣ୍ଡୁକ ସଜାଏ–ବାହାର ଦୁନିଆ ସଂପର୍କରେ ଅଜ୍ଞ ହୋଇ ପଡ଼ନ୍ତି-। ଉଦାହରଣସ୍ଵରୂପ ଛାତ୍ର ତାହାର ଭୂଗୋଳ ବହିରେ ଅଧ୍ୟୟନ କରେ ଯେ ଭାରତବର୍ଷର ପୂର୍ବ ଉପକୂଳରେ ବଙ୍ଗୋପସାଗର କୂଳରେ ପୁରୀ ଓ ପାରାଦ୍ୱୀପ ବନ୍ଦର ଅବସ୍ଥିତ । ଏ ଦୁଇଟି ସ୍ଥାନର ପ୍ରସିଦ୍ଧି ସଂପର୍କରେ ଛାତ୍ର କେବଳ ମୁଖସ୍ଥ କରି ମନେ ରଖିଦେଇ ପାରେ । କିନ୍ତୁ ପର୍ଯ୍ୟଟନ ଦ୍ୱାରା ପୁରୀ ତଥା ପାରାଦ୍ୱୀପ ବନ୍ଦରରେ ଛାତ୍ର ଛାତ୍ରୀମାନେ ପହଞ୍ଚି ବଙ୍ଗୋପସାଗର, ପୁରୀ ମନ୍ଦିର ଏବଂ ପାରାଦ୍ୱୀପ ବନ୍ଦର ନିଜ ଆଖିରେ ଦେଖିବା ଫଳରେ ସେ ସ୍ଥାନଗୁଡ଼ିକର ପ୍ରତ୍ୟକ୍ଷ ଅନୁଭୂତି ହୃଦୟରେ ଜାଗରିତ ହୁଏ । ମୁଖସ୍ଥ କରିବା ଦ୍ୱାରା ବିଷୟବସ୍ତୁ ଯେତିକି ଦିନ ସ୍ମରଣ ରହିପାରେ, ପର୍ଯ୍ୟଟନ ଦ୍ୱାରା ତାହା ଅଧିକ ବୃଦ୍ଧିପ୍ରାପ୍ତ ହୁଏ ।

 

କେଉଁ ଆଦିମ କାଳରୁ ମନୁଷ୍ୟ ନୂଆ ନୂଆ ସ୍ଥାନ ଦେଖିବାକୁ ବିଶେଷ ଆଗ୍ରହୀ । ବଣ ମୁଲକରେ ଉଲଗ୍ନ ରହୁଥିବା ଆଦିମମାନବ ଆଜି କିପରି ଏଡ଼େ ବଡ଼ ବିଶାଳ ପୃଥିବୀର କି ସ୍ଥଳଭାଗ କି ଜଳଭାଗ–ସମସ୍ତ ଅଞ୍ଚଳକୁ ଜୟକରି ପାରିଛି । ପୃଥିବୀର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆଉ ତମସାଚ୍ଛନ୍ନ ମହାଦେଶ ଆଫ୍ରିକାର ଘୋର ଜଙ୍ଗଲ ଭଳି ଦୁର୍ଭେଦ୍ୟ ଅଞ୍ଚଳ ଆଜି କାହାରିକୁ ଅବଦିତ ନାହିଁ । ଅତୀତ କାଳରେ ଫାହିୟାନ, ମେଘାସ୍ଥିନିସ୍‌ ଓ ହୁଏନ୍‌ସାଂ ପ୍ରଭୃତି ପର୍ଯ୍ୟଟନକାରୀଗଣ ସେମାନଙ୍କର ଜ୍ଞାନ ବର୍ଦ୍ଧନ କରିଥିଲେ । ସେମାନଙ୍କର ଅନୁଭୂତି ମୂଳକ ବିବରଣୀରୁ, ତତ୍କାଳୀନ ଶାସନ ଓ ସାମାଜିକ ତଥା ଆର୍ଥିକ ପରିସ୍ଥିତି ପ୍ରଭୃତି ବିଷୟରେ ଧାରଣା କରିହୁଏ ।

 

ଧର୍ମ ରକ୍ଷା ଓ ଧର୍ମ ପ୍ରଚାର ନିମିତ୍ତ ବହୁଲୋକ ଦେଶ ବିଦେଶରେ ପର୍ଯ୍ୟଟନ କରନ୍ତି । ଧର୍ମ ଯାହା ହେଉନା କାହିଁକି ଧର୍ମକୁ କେନ୍ଦ୍ରକରି ନୂଆ ନୂଆ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଆନ୍ତି । ଏହାଦ୍ୱାରା ମନୁଷ୍ୟର ଜଞ୍ଜାଳୀ ଜୀବନରେ ଶାନ୍ତି ଓ ଆନନ୍ଦ ମିଳେ । ମନ ପରିବର୍ତ୍ତନ ହୁଏ । ନୂଆ ନୂଆ କାମ କରିବାପାଇଁ ମନରେ ଆଗ୍ରହ ଜନ୍ମେ ।

 

ଛାତ୍ର ଜୀବନରେ ପର୍ଯ୍ୟଟନର ଗୁରୁତ୍ୱ ଉପଲବ୍‌ଧି କରି ପ୍ରତ୍ୟେକ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ଐତିହାସିକ ତଥା ଭୌଗୋଳିକ ସ୍ଥାନମାନ ପର୍ଯ୍ୟଟନ ନିମିତ୍ତ ଆବଶ୍ୟକ ଅର୍ଥ ମଞ୍ଜୁର କରିଥାନ୍ତି ।

 

ତେଣୁ ଛାତ୍ରମାନେ ବିଦ୍ୟାଳୟର ଅବକାଶ କାଳ ଯଥା ଦୋଳଯାତ୍ରା ଗ୍ରୀଷ୍ମାବକାଶ, ଦଶହରା ପୂଜା ତଥା ବଡ଼ ଦିନ ଛୁଟି ଦିନମାନଙ୍କରେ ନୂଆ ନୂଆ ସ୍ଥାନମାନ ପର୍ଯ୍ୟଟନରେ ଯିବା ଉଚିତ୍ । ପ୍ରତ୍ୟକ୍ଷ ଜ୍ଞାନ ଅର୍ଜ୍ଜନରେ ଏହା ଖୁବ୍ ସହାୟକ ହୋଇଥାଏ ।

Image

 

ସତ୍‌ସଙ୍ଗ

 

ଶିଶୁ ନିଜ ପରିବାର ଛାଡ଼ି ଗାଁ ଦାଣ୍ଡରେ ଖେଳିଲେ ଏବଂ ବିଦ୍ୟାଳୟକୁ ଯାଇଁ ପଢ଼ିଲେ ତା ସାଙ୍ଗରେ ବହୁ ସାଙ୍ଗ ଜୁଟନ୍ତି । ସେମାନଙ୍କ ମଧ୍ୟରେ କେତେକ ଭଲ ପିଲା ଥାଆନ୍ତି ଏବଂ କେତେକ ମନ୍ଦ ପିଲା ଥାଆନ୍ତି । ଭଲ ସାଙ୍ଗରେ ସଙ୍ଗୀ ହେଲେ ଶିଶୁଟି ଭଲ ପଢ଼େ ଓ ସତ କହେ । ତାହାର ଚାଲିଚଳନ ରୀତି ନୀତି ରଙ୍ଗ ଢଙ୍ଗ ସବୁ କିଛି ଭଲ ହୁଏ । ତାକୁ ଦୁନିଆରେ ସମସ୍ତେ ଆଦର କରନ୍ତି । ସେ ଭବିଷ୍ୟତରେ ଜଣେ ବଡ଼ ମଣିଷ ହୁଏ ଓ କେତେ ଲୋକଙ୍କର ଉପକାର କରେ । ତା ଯୋଗୁ ଦେଶ ଓ ଜାତିର ସମ୍ମାନ ତଥା ଗୌରବ ବୃଦ୍ଧି ପାଏ । ଶିଶୁ ମନ୍ଦ ପିଲା ସାଙ୍ଗରେ ସଙ୍ଗୀ ହେଲେ ତାହାର ସ୍ୱଭାବ ନଷ୍ଟ ହୋଇଯାଏ । ତାକୁ ଦୁନିଆରେ ସମସ୍ତେ ଘୃଣା କରନ୍ତି । ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ତିରସ୍କାର ପାଏ । ଏପରିକି ନାନା ଅସଦାଚରଣ ଯୋଗୁ ମାଡ଼ ମଧ୍ୟ ଖାଇଥାଏ ।ତେଣୁ ଛୋଟ ପିଲାଟି ଦିନୁ ଶିଶୁର ପିତାମାତା ତଥା ଗୁରୁଜନମାନେ ଅନ୍ୟ ଦୁଷ୍ଟ ମନ୍ଦ ସ୍ୱଭାବର ପିଲାମାନଙ୍କ ସହିତ ନମିଶିବା ପାଇଁ ସର୍ବଦା ସତର୍କ କରାଇ ଦେଉଥାଆନ୍ତି । ଯେଉଁ ଶିଶୁମାନେ ଗୁରୁଜନମାନଙ୍କ କଥା ନମାନି ଏଭଳି ମନ୍ଦ ପିଲାଙ୍କ ସାଙ୍ଗରେ ପଡ଼ନ୍ତି, ସେମାନେ ଜାଣି ଶୁଣି ନଷ୍ଟଗାମୀ ହୋଇ ଯାଆନ୍ତି । ତେଣୁ ଛାତ୍ର ଜୀବନରେ ପାଠ ପଢ଼ିବା ଏବଂ ଖେଳ ଖେଳିବା ଆଦି ପ୍ରତ୍ୟେକ ସମୟରେ ଭଲ ପିଲା ସହିତ ସାଙ୍ଗ ହେବା ଉଚିତ ।

 

ଛାତ୍ର ଜୀବନରେ କେତେକ ପିଲା କୁସଙ୍ଗ ପ୍ରଭାବରେ ଗୁଡ଼ାଖୁରେ ଦାନ୍ତ ଘଷିବା, ବିଡ଼ି ସିଗାରେଟ୍‌ ଟାଣିବା ଓ ପାନ ଖାଇବା ଇତ୍ୟାଦି ଅଭ୍ୟାସ କରି ଜୀବନକୁ ନଷ୍ଟ କରି ଦେଇ ଥାଆନ୍ତି । ଏପରିକି ଯୁଗପୁରୁଷ ମହାତ୍ମା ଗାନ୍ଧୀ କୁପ୍ରଭାବରେ ପିଲାଦିନେ ତାଙ୍କର ଚାକର ପକେଟରୁ ପଇସା ଚୋରି କରି ଓ ହାତର ସୁନା କଙ୍କଣରୁ କିଛି ଅଂଶ ବିକ୍ରୟ କରି ବିଡ଼ି ଓ ମାଂସ କିଣି ଖାଇଥିଲେ । ତାଙ୍କ ପ୍ରତି ତାଙ୍କ ପରିବାରର ସୁପ୍ରଭାବ ପଡ଼ି ନଥିଲେ ସେ ମୃତ୍ୟୁ ମୁଖରେ ପଡ଼ି ମଧ୍ୟ ଆଜି ଜନ ନାୟକ ହିସାବରେ ପୃଥିବୀର ଘରେ ଘରେ ପୂଜାପାଇ ପାରୁ ନଥାନ୍ତେ ।

 

ପୁରାଣ ଯୁଗର ଦସ୍ୟୁ ରତ୍ନାକର ନିଜ ତଥା ପରିବାରର ଭରଣ ପୋଷଣ ନିମିତ୍ତ ନିଘଞ୍ଚ ବନ ପଥରେ ଦସ୍ୟୁ ବୃତ୍ତିରେ ଜୀବନ ଅତିବାହିତ କରି ଘୋର ପାପ ଅର୍ଜନ କରୁଥିଲା । କିନ୍ତୁ ଜଣେ ସାଧୁଙ୍କ ସାନ୍ନିଧ୍ୟ ଲାଭ କରିବା ଫଳରେ ଦସ୍ୟୁ ରତ୍ନାକରହିଁ ସାଧୁ ବାଲ୍ଲୀକି ମୁନିରେ ପରିଣତ ହୋଇଥିଲେ । ଯିଏ ଅକୁଣ୍ଠିତ ଚିତ୍ତରେ ଶହ ଶହ ନୀରିହ ଜନତାଙ୍କୁ ଅବିଳମ୍ବେ ନିଧନ କରି ପାରୁଥିଲେ; ସେ ଥରେ ବନରେ ବ୍ୟାଧ ଶରାହତ ପକ୍ଷୀ ଦମ୍ପତ୍ତିରୁ ଗୋଟିଏକୁ ଦେଖିପାରି ବଡ଼ କାତର ଓ ବିହ୍ୱଳରେ ଗାଇ ଉଠିଥିଲେ–

 

‘‘ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମ ଶାଶ୍ୱତୀ ସମାଃ

ଯତ୍‌ କ୍ରୌଞ୍ଚ ମୈଥୁନାଦେକଂ ଅବଧି କାମ ମୋହିତାଂ ।’’

 

ଭକ୍ତକବି ମଧୁସୂଦନଙ୍କ କଣ୍ଠରେ ଯାହାର ପ୍ରତିଧ୍ୱନି ରୂପେ ଫୁଟି ଉଠିଲା–

 

‘‘ପୁରାଣ କବି ବୃଦ୍ଧ ମୁନି ଈଶ୍ୱର

ଗହନ ବନେ କ୍ରୂର ନିଷାଦ ଶର ।

ବିଦ୍ଧ କ୍ରୌଞ୍ଚ ବିହଙ୍କ ଅବଲୋକନେ

ଶୋକ ଉଚ୍ଛ୍ୱାସ ଯାର ବହିଣ ଘନେ ।

ଶ୍ଳୋକ ରୂପେ ମୋହିଲା ସର୍ବ ଅବନୀ

ଚକିତେ ଶୁଣିଲେ ସେ କ୍ରନ୍ଦନ ଧ୍ୱନି ।”

 

ସତ୍‌ସଙ୍ଗ ବା ସାଧୂମିତ୍ର ଲାଭକରି ଛାତ୍ରଗଣ ଜୀବନକୁ ଉନ୍ନତ କରିବା ଉଚିତ । ଜୀବନକୁ ସତ୍‌ମାର୍ଗରେ ନିର୍ବାହ କରିବାର ପ୍ରକୃଷ୍ଟ ସମୟ ହିଁ ଛାତ୍ର ଜୀବନ, ସାଧୁସଙ୍ଗ ପ୍ରଭାବରେ ଅସାଧୁ ଓ ମୂର୍ଖଲୋକ ମଧ୍ୟ ସାଧୁ ଓ ପଣ୍ଡିତ ହୋଇଥାଏ ।

 

ଏ ସମ୍ପର୍କରେ ଅତିବଡ଼ୀ ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତରେ ଲେଖିଛନ୍ତି–

 

‘‘ଉତ୍ତମ ସଙ୍ଗେ ସଙ୍ଗ ଯା’ର ।

ସେ କରେ ଉତ୍ତମ ବେଭାର ।।

ହୀନ ସଙ୍ଗତେ ହୀନ ଗତି ।

ହସି କହନ୍ତି ଯଦୁପତି ।।’’

 

ତେଣୁ ଛାତ୍ର ଜୀବନରୁ ସାଧୁ ସଙ୍ଗକରି ଜୀବନକୁ ଉତ୍ତମ ମାର୍ଗରେ ନିୟନ୍ତ୍ରିତ କରିବା ଉଚିତ ।

Image

 

ପରୋପକାର

 

ପରୋପକାର ଗୁଣଟି ମନୁଷ୍ୟ ଜୀବନର ଏକ ବିଶିଷ୍ଟ ଗୁଣ । ଏଇ ଗୁଣକୁ କେବଳ ମନୁଷ୍ୟମାନେ ହିଁ ବୁଝି ପାରନ୍ତି ।

 

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ କି ସର୍ବଦା ନିଜର ତଥା ପରିବାରର ମଙ୍ଗଳ ପାଇଁ ହିଁ ଚିନ୍ତା କରି ତଦନୁରୂପ କାର୍ଯ୍ୟ କରିଥାନ୍ତି । କିନ୍ତୁ ଯେଉଁମାନେ ନିଜର ସୁଖ ସୁବିଧା ପ୍ରତି ନଜର ନଦେଇ ଅନ୍ୟର ଉପକାର ପାଇଁ ଜୀବନ ଉତ୍ସର୍ଗ କରିଥାଆନ୍ତି–ସେମାନେ ସାଧାରଣ ମନୁଷ୍ୟ ନୁହନ୍ତି । ସେମାନେ ନର ରୂପଧାରୀ ଦେବତା ଅଟନ୍ତି । ଯେପରି ଗୋଟିଏ ସ୍ଥାନ ଖାଲି କଲେ ହିଁ ଅନ୍ୟ ସ୍ଥାନଟି ଉଚ୍ଚ ହୁଏ, ସେହିପରି ନିଜର ଅପକାର କଲେ ହିଁ ଅନ୍ୟର ଉପକାର ହୁଏ । ଏଥିପାଇଁ କବି ବିଶ୍ୱନାଥ କର ଲେଖିଛନ୍ତି–

 

‘‘ଉପକାର କଲେ ଏକର ଆନ ହୁଅଇ ନାଶ

ଦିବାକର ନଭେ ଉଦିତ ହେଲେ, ପଦ୍ମ ବିକାଶ ।

ମାତ୍ର ସଙ୍ଗେ ସଙ୍ଗେ କୁମୁଦ ଆହା ହୁଏ ମୁଦ୍ରିତ

ଏକର ଘଟଇ ବିପତ୍ତି ଆନ ଭାଗ୍ୟ ଉଦିତ ।"

 

ସଳିତା ନିଜେ ଜଳି ଭସ୍ମ ହୋଇ ଦୁନିଆର କେତେ ଉପକାର ନକରେ । ପରୋପକାର କରିବା ହେଉଛି ମହାପୁରୁଷମାନଙ୍କର ପରମ ଲକ୍ଷଣ । କେବଳ ଯେ ଧନ ଦୌଲତ ଥିଲେ ଅନ୍ୟର ଉପକାର କରିହେବ, ତାହା ନୁହେଁ । ନିର୍ଦ୍ଧନ ବ୍ୟକ୍ତି ମଧ୍ୟ ଜଣେ ଧନୀ ବ୍ୟକ୍ତି ଅପେକ୍ଷା ସମାଜର ଅଶେଷ ଉପକାର ସାଧନ କରିଥାଏ । ଯେପରି ପଡ଼ୋଶୀ ଘରେ କେହି ଅସୁସ୍ଥ ଥିଲେ ରୋଗୀର ସେବା କରିବା, ଅସହାୟ ରୋଗୀର ସହାୟକ ହୋଇ ଡାକ୍ତରଖାନାରେ ପହଞ୍ଚାଇ ଦେବା କିମ୍ବା ଔଷଧ ଆଣିବା, ସମାଜର ଅକ୍ଷମ ଲୋକଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିବା ପ୍ରଭୃତି ଅଶେଷ ପ୍ରକାର କାର୍ଯ୍ୟ ରହିଛି । ପରୋପକାରୀ ଲୋକ ଅନ୍ୟର ଦୁଃଖ କଷ୍ଟ ବା ବିପତ୍ତି ଦେଖିଲେ ନୀରବରେ ସହିପାରେ ନାହିଁ । ସେ ତାହାର ଯଥାଶକ୍ତି ପ୍ରୟୋଗ କରି ବିପଦରୁ ରକ୍ଷା କରିବାକୁ ଲାଗିପଡ଼େ ।

 

ମନୁଷ୍ୟର ପ୍ରଥମ ଜୀବନ ଛାତ୍ରାବସ୍ଥାରୁ ପରୋପକାର ଭଳି ବିଶିଷ୍ଟ ଗୁଣରେ ଅଭ୍ୟସ୍ତ ହେବା ଉଚିତ । ନିଜର ଶାରୀରିକ ସୁସ୍ଥତାକୁ ଆଖି ଆଗରେ ରଖି ଅନ୍ୟର ଉପକାର କରିବା ଉଚିତ-। କେତେକ ସ୍ଥଳରେ ଦେଖା ଯାଇଥାଏ ଯେ ଘରପୋଡ଼ି ସମୟରେ ଦୁଃସାହସ ସହିତ ଘର ଭିତରକୁ ପଶିଯାଇ ପରୋପକାରୀ ବ୍ୟକ୍ତି ନିଜେ ମୃତ୍ୟୁବରଣ କରେ । ତେଣୁ ଅଧିକ ସମୟ ବରଂ ଖର୍ଚ୍ଚ ହେଉ, ଯେପରି ନିଜର ଜୀବନ ବିପଦାପନ୍ନ ନହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ପ୍ରଥମ କର୍ତ୍ତବ୍ୟ । ଯାହା ହେଉନା କାହିଁକି ଜୀବନରେ ପରୋପକାର ପାଇଁ ଲକ୍ଷ୍ୟ ଥିଲେ ବହୁତ ଛୋଟ ଛୋଟ କାର୍ଯ୍ୟରେ ସମାଜର ଅଶେଷ ସଫଳ ସାଧିତ ହୁଏ । ପରୋପକାର ସମ୍ପକରେ ପଲ୍ଲୀକବି ନନ୍ଦକିଶୋର ଲେଖିଛନ୍ତି–

 

‘‘ବିପଦ ପଡ଼ିଲେ ବାଟୋଇ ଭାଇରେ

ସାହା ଯେ ନୋହେ ଆନକୁ

ତାହର ଜୀବନ ମରଣ ସମାନ

ଧିକ ତାର ଜୀବନକୁ ।”

 

ପୁଣି ଜଗନ୍ନାଥ ଦାସ ଶ୍ରୀ ମଦ୍ଭାଗବତରେ ଲେଖିଛନ୍ତି–

 

‘‘ତା ଜନ୍ମ ଧନ୍ୟ ଏ ସଂସାରେ

ଯେ ରହେ ପର ଉପକାରେ ।’’

 

ଆଉ ମଧ୍ୟ ଆମର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଗାଇଛନ୍ତି–

 

‘‘କାପୁରୁଷ ପରି ମରିବା ଜଗତେ

ନୁହେଁ ନର-ପଉରୁଷ

ପରହିତ ସାଧି ମରେ ଯେ ମହୀରେ

ସେହି ଏକା ସୁପୁରୁଷ ।”

Image

 

ପରିବାର

 

କେଉଁ ଆଦିମ କାଳରୁ ମଫସଲ ହେଉ ବା ସହର ହେଉ ସବୁ ଅଞ୍ଚଳରେ ପରିବାର ଗଠିତ ହୋଇଅଛି । କେଉଁଠି ଏକତାର ଅଭାବରେ ଛୋଟ ପରିବାର ବା କେଉଁଠି ଏକତାର ମହତ୍ତ୍ୱରେ ବଡ଼ ପରିବାର ସୃଷ୍ଟି ହୋଇଅଛି । ଯାହା ହେଉନା କାହିଁକି ପରିବାରରେ ଶିଶୁ ଜନ୍ମ ହେବା ମାତ୍ରକେ ସେ ନିଜେ ଚଳପ୍ରଚଳ ହେବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ପଡ଼ିଥାଏ । ଶିଶୁର ପିତା ମାତା ଭାଇ ଭଉଣୀ ପ୍ରଭୃତି ପରିବାରର ସବୁ ଲୋକ ତାକୁ ସାହା ଭରସା ହୁଅନ୍ତି, ସେମାନଙ୍କର ସ୍ନେହ ଆଦରରେ ସେ କ୍ରମଶଃ ବଢ଼ିବାକୁ ଲାଗେ । ଯଦି ପରିବାର ନଥାନ୍ତା ଶିଶୁର କ୍ରମୋନ୍ନତି ସମ୍ପୂର୍ଣ୍ଣ ଅସମ୍ଭବ ହୋଇ ପଡ଼ିଥାନ୍ତା । ଏହେତୁ ପରିବାରରେ ଜନ୍ମହେବା ଦିନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପରିବାରର ସବୁ ଲୋକ ପାରସ୍ପରିକ ସ୍ନେହ ସହାନୁଭୂତିରେ ଆବଦ୍ଧ ରୁହନ୍ତି । ଏହା ପଶୁ ପକ୍ଷୀଙ୍କ ଜଗତ ଠାରୁ ଅନେକାଂଶରେ ଭିନ୍ନ । ପରିବାରରେ ଶିଶୁ ଜନ୍ମ ହେବା ପୂର୍ବରୁ ଈଶ୍ୱର ତାକୁ ଲାଳନ ପାଳନ ପ୍ରଭୃତି କରିବା ପାଇଁ ଦୟାକରି ଯେପରି ପଠାଇଦେଇ ସାରିଛନ୍ତି ବୋଲି ମନରେ ବିଶ୍ୱାସ ଜାତ ହୁଏ ।

 

ପରିବାରର ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଉଚିତ । ଯେଉଁଠାରେ ଏହା ନଥାଏ, ସେ ପରିବାର ବର୍ଗ ଘୋର ଅଶାନ୍ତିରେ କାଳ ବିତାନ୍ତି । ପରସ୍ପର ସ୍ନେହ ଭାବ ରହିଲେ ହିଁ ଅଭାବ ଭାବ ଓ ଦୁଃଖ ସୁଖରେ ପରିଣତ ହୁଏ । ଏଥିପାଇଁ ଭକ୍ତକବି ମଧୁସୂଦନଙ୍କ କଣ୍ଠରୁ ନିସୃତ ହୋଇଛି–

 

‘‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।”

 

ଆଜିକାଲି କେତେକ ଛାତ୍ରଛାତ୍ରୀ ସେମାନଙ୍କର ପିତାମାତା ପ୍ରଭୃତି ଗୁରୁଜନମାନଙ୍କ ଆଦେଶ ଅମାନ୍ୟ କରି ସେମାନଙ୍କ ମନରେ ଘୋର ଦୁଃଖ ଦେଉ ଅଛନ୍ତି । ଏହା ସେମାନଙ୍କ ପାଇଁ ଆଦୌ ଭଲ ନୁହେଁ । ଗୁରୁଜନମାନଙ୍କୁ ଭକ୍ତି କରିବା ଓ ଛୋଟ ଭାଇ ଭଉଣୀଙ୍କୁ ମିଠା କଥା କହି ସନ୍ତୁଷ୍ଟ କରିବା ଉଚିତ । ଏ ସମ୍ପର୍କରେ ଭକ୍ତିକବି ତାଙ୍କ ‘ପରିବାର’ ପଦ୍ୟରେ ଲେଖିଛନ୍ତି–

 

‘‘ଭାଇ ଭଉଣୀଙ୍କଠାରେ ସ୍ନେହଭାବ ବହି

ତୋଷିବ ତାହାଙ୍କୁ ସଦା ମିଷ୍ଟ କଥା କହି

କୁଟୁମ୍ବ ମଧ୍ୟରେ ଯେବା ଥିବେ ଗୁରୁଜନ

ସମସ୍ତଙ୍କୁ ସ୍ନେହ ଭକ୍ତି କର ଶିଶୁ ଗଣ

ପାଳିବ ଆନନ୍ଦେ ସଦା ଗୁରୁଜନ କଥା

କଦାପି କାହାରି ମନେ ଦେବନାହିଁ ବ୍ୟଥା’’

 

ପୂର୍ବେ ଖୁବ୍ କମ୍ ସଂଖ୍ୟାରେ ସ୍କୁଲ କଲେଜ ଥିଲା । ବହୁ ଦୂର ଦୂରାନ୍ତରରୁ ଆସୁଥିବା ଛାତ୍ରଛାତ୍ରୀଗଣ ଛାତ୍ରାବସ୍ଥାରେ ଅବସ୍ଥାନ କରୁଥିଲେ । ଫଳରେ ପରିବାରର ପ୍ରଭାବ ସେମାନଙ୍କ ଉପରେ କମ୍‌ ପଡ଼ୁଥିଲା । କିନ୍ତୁ ଆଜିକାଲି ବହୁଳ ସଂଖ୍ୟାରେ ପାଖାପାଖି ସ୍କୁଲ କଲେଜମାନ ସ୍ଥାପିତ ହେଉଛି । ଫଳତଃ ପୂର୍ବବତ୍ ଛାତ୍ରାବାସରେ ନରହି ଦୈନିକ ନିଜ ଘରୁ ଯାତାୟତ କରୁଛନ୍ତି । ବିଦ୍ୟାଳୟରେ କେବଳ ଛ’ଘଣ୍ଟା ବ୍ୟତୀତ ଅନ୍ୟ ସବୁ ସମୟତକ ସେମାନେ ପରିବାରରେ ବିତାନ୍ତି । ଶିଶୁର ପ୍ରାଥମିକ ଶିକ୍ଷା ନିଜ ପରିବାରରୁ ହିଁ ଲାଭ ହୋଇଥାଏ । ଅର୍ଥାତ୍ ପ୍ରଥମେ ସେ ତାହାର ପିତା ମାତାଙ୍କ ସହ ସମ୍ପର୍କ ରଖି ବହୁତ କଥା ଶିଖେ । ତେଣୁ ପରିବାରରେ ପିତା ମାତା ତଥା ଅନ୍ୟମାନେ ଶିକ୍ଷିତ ଥିଲେ ଶିଶୁ ପ୍ରଥମରୁ ଭଲ ଶିକ୍ଷାରେ ଅଭ୍ୟସ୍ତ ହୋଇଥାଏ । ଯାହା ଆମେ ପ୍ରଥମେ ଭୁଲ ହେଉ ବା ଠିକ୍ ହେଉ ଶିକ୍ଷା କରିଥାଉ, ତାହା ବହୁତ ଦିନ ପର୍ଯ୍ୟନ୍ତ ଆମ ମନରେ ରହିଯାଏ । ପ୍ରଥମେ ଶିକ୍ଷା କରିଥିବା ଭ୍ରମପୂର୍ଣ୍ଣ ଅଭ୍ୟାସଟିକୁ ସଂଶୋଧନ କରିବାକୁ ବହୁତ ସମୟ ଲାଗିଥାଏ ।

 

ପରିବାରର ପ୍ରଭାବ ଛାତ୍ରଛାତ୍ରୀ ଉପରେ ଯଥେଷ୍ଟ ପଡ଼େ । ତେଣୁ ପାରିବାରିକ ଜୀବନ କିପରି ସୁଖମୟ ହେବ, ଛୋଟ ପିଲାଟି ଦିନୁ ଅଭ୍ୟାସ କରିବା ଉଚିତ । ଏଇ ଅଭ୍ୟାସର ବଶବର୍ତ୍ତୀ ହେବା ପାଇଁ ଶିଶୁର ଗୁରୁଜନମାନେ ବିଶେଷ ସହାୟକ ହୁଅନ୍ତି । ସେମାନେ ସର୍ବଦା ମଙ୍ଗଳାକାଙ୍‌କ୍ଷୀ । ସେମାନେ ଯେଉଁ ପଥ ଦେଖାଇବେ, ସେଇ ପଥର ପଥିକ ହେବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ ।

Image

 

ନୀରବତା

 

ଆମେ ଶୋଇବା ବ୍ୟତୀତ ଅନ୍ୟ ସମୟରେ ଲେଖା ପଢ଼ା କରୁ କିମ୍ବା ସାଙ୍ଗ ମେଳରେ କଥାବାର୍ତ୍ତା ହେଉ । ପୁଣି ଖେଳରେ ସାଙ୍ଗସାଥି ମଧ୍ୟରେ ଯୁକ୍ତିତର୍କ ହୋଇ ବଡ଼ ଧରଣର ପାଟିତୁଣ୍ଡ ଓ ଗଣ୍ଡଗୋଳ ସୃଷ୍ଟି ହୋଇଥିାଏ । ଏପରିକି ଦେଖା ଯାଇଥାଏ ଯେ କଳି ତକରାଳ ସମୟରେ ଲୋକେ ଉତ୍ତେଜିତ ହୋଇ ଏଡ଼େ ବଡ଼ ପାଟିରେ କଥାବାର୍ତ୍ତା କରିଥାଆନ୍ତି ଯେ ସେମାନଙ୍କର ତଣ୍ଟି ପଡ଼ିଯାଇଥାଏ । ଫଳରେ ଗଳା ଦରଜ ହୋଇଯାଏ । ସର୍ବଦା ପାଟିତୁଣ୍ଡ ତଥା ଗଣ୍ଡଗୋଳ କରିବା ଫଳରେ ଶରୀରର ବହୁତ ଶକ୍ତି ନଷ୍ଟ ହୋଇଯାଏ । କିନ୍ତୁ ଏହି ଶକ୍ତି ସବୁ ସଞ୍ଚିତ ହୋଇ ରହିଲେ ମନୁଷ୍ୟର ସ୍ୱଭାବ ଧୀର ହୁଏ ଓ ଧୀଶକ୍ତି ବୃଦ୍ଧି ପାଏ ।

 

କିନ୍ତୁ ଖୁବ୍ କମ୍ ସମୟ ଯଥା ଶ୍ରେଣୀରେ ଶିକ୍ଷକ ଶିକ୍ଷୟତ୍ରୀ ଥିବା ସମୟରେ ଏବଂ ପରିବାରରେ ପିତାଜୀ ଥିବା ସମୟରେ ପିଲାମାନେ ବାଧ୍ୟ ହୋଇ ନୀରବରେ ରୁହନ୍ତି । ଦିନର ଯେତିକି ସମୟ ସମ୍ଭବପର ହୁଏ ନୀରବ ଭାବରେ ରହିବା ଅଭ୍ୟାସ ଛାତ୍ର ଜୀବନରୁ କଲେ ଅଶେଷ ଉପକାର ମିଳେ । ଦିନର କୌଣସି ଏକ ନିର୍ଦ୍ଦିଷ୍ଟ ସମୟ ଓ ବିଦ୍ୟାଳୟ ବନ୍ଦ ଥିବା ଦିନ ରବିବାର ଦିନସାରା ନୀରବତା ଅବଲମ୍ବନ କରିବା ଉଚିତ । ଏଭଳି ନୀରବତାକୁ ମୌନବ୍ରତ କହନ୍ତି । ଏପରି କଲେ ମାନସିକ ଶକ୍ତି ବୃଦ୍ଧି ପାଏ ।

 

କୁସ୍ତି କସରତ୍ ବେଳେ ନାନା ଯୁକ୍ତି ତର୍କ ଛଳରେ ବଡ଼ ଅଶାନ୍ତକର ବାତାବରଣ ସୃଷ୍ଟି ହୋଇଥାଏ । କିନ୍ତୁ ମୌନବ୍ରତ ଅବଲମ୍ବନ କରିଥିଲେ ଏପରି ଉପୁଜିବାର ସମ୍ଭାବନା ଅତି କମ୍ ଥାଏ । ମୌନବ୍ରତ କରିନଥିବା ମନୁଷ୍ୟର ତୁଣ୍ଡରୁ ଯେକୌଣସି ସମୟରେ ନାନା କୁବାକ୍ୟମାନ ପ୍ରକାଶ ପାଇଥାଏ । କିନ୍ତୁ ମୌନବ୍ରତ ଅବଲମ୍ବନ ପୂର୍ବକ ବ୍ୟକ୍ତି ବୁଝି ବିଚାରି ସଂକ୍ଷେପରେ ମଧୁର ବାକ୍ୟ ପ୍ରକାଶ କରିଥାଏ । ସର୍ବଦା କଥୋପକଥନ ରତଥିବା ମନୁଷ୍ୟର ମୁଖ ବିବରର ରସନାଦି ଅଂଶ ସକଳ କ୍ଲାନ୍ତ ହୋଇ ବିଶ୍ରାମ ଇଚ୍ଛା କରନ୍ତି । କିଛି ସମୟ ମୌନବ୍ରତ କରିବା ଫଳରେ ସେଗୁଡ଼ିକ ସଂପୂର୍ଣ୍ଣ ବିଶ୍ରାମ ଲାଭ କରି ନୂତନ ଶକ୍ତି ସଂଗ୍ରହରେ ବ୍ୟସ୍ତ ଥାଆନ୍ତି । ତେଣୁ ବାକ୍ ସଂଯମ କ୍ଷେତ୍ରରେ ମୌନବ୍ରତ ମନୁଷ୍ୟକୁ ଅକଥନୀୟ ସାହାଯ୍ୟ କରିଥାଏ ।

 

ଏ ହେତୁ ଛାତ୍ର ଜୀବନରେ ସାପ୍ତାହିକ ଅବସର ରବିବାର ଏବଂ ଦିନର ଅନ୍ୟ ନିର୍ଜନ ସମୟ ଯଥା ସକାଳ ଓ ସଂଧ୍ୟାରେ କିଛି ସମୟ ଲେଖାଏଁ ମୌନବ୍ରତ ଅବଲମ୍ବନ କରିବା ଅଭ୍ୟାସ ରଖିବା ଉଚିତ । ଫଳତଃ ଛାତ୍ର ଭବିଷ୍ୟତରେ ଜଣେ ଜ୍ଞାନୀ ପୁରୁଷ ରୂପେ ଧରାପୃଷ୍ଠରେ ସମ୍ମାନିତ ହୁଏ ।

Image

 

ମାଦକ ଦ୍ରବ୍ୟ

 

ମନୁଷ୍ୟର ଜୀବନ ଧାରଣ ପାଇଁ ଭାତ, ଡାଲି, ତରକାରୀ ପ୍ରଭୃତି ଖାଦ୍ୟ ପଦାର୍ଥ ଆବଶ୍ୟକ । ଏ ସବୁର ଅଭାବରେ ଶାରୀରିକ ଗଠନ କ୍ରିୟାରେ ଅସୁବିଧା ହୁଏ । ଦେହ ହୃଷ୍ଟପୁଷ୍ଟ ହୋଇପାରେ ନାହିଁ । ଖାଦ୍ୟ ବିନା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅତ୍ୟନ୍ତ ଦୁର୍ବଳ ହୋଇଥାଏ । ଏପରିକି କାର୍ଯ୍ୟକ୍ଷମ ହୋଇ ପାରେନା । କ୍ଷୁଧା କଷ୍ଟ ଅତି ଅସହ୍ୟ ହୁଏ ।

 

କିନ୍ତୁ ଖାଦ୍ୟ ଅପେକ୍ଷା ଆଉ ଏକ ପ୍ରକାର ପଦାର୍ଥ ଅଛି ମନୁଷ୍ୟ ତାହାର ବ୍ୟବହାରରେ ଅଭ୍ୟସ୍ତ ହେଲେ କୌଣସି ଦିନ ଖାଦ୍ୟ ପଦାର୍ଥକୁ ସେ ଭୁଲିଯାଇ ପାରେ । କିନ୍ତୁ ଅଭ୍ୟସ୍ତ ପଦାର୍ଥ ହାତରେ ନ ପଡ଼ିଲେ ଦୁନିଆ ତାକୁ ଘୋର ଅନ୍ଧକାରମୟ ଦେଖାଯାଏ । ଜୀବନ ବଡ଼ ଦୁଃସହ ଲାଗେ । କୌଣସି କାମ କରିବାକୁ ମନ ଲାଗେନା । ସେ ପଦାର୍ଥ ହେଉଛି–ମଦ, ଅଫିମ, ଗଞ୍ଜାଇ, ବିଡ଼ି, ସିଗାରେଟ, ପାନ ଇତ୍ୟାଦି ମାଦକ ଦ୍ରବ୍ୟ । .

 

ଆମ ଘରକୁ କେହି ଅତିଥି ଆସିଲେ ପ୍ରଥମେ ପାଦ ଧୋଇବା ପାଇଁ ପାଣି ଦେଇ ବସିବା ପାଇଁ ଆସନ ଦେଉ । ତାପରେ ସଙ୍ଗେ ସଙ୍ଗେ ପାନ, ଚୂନ ଖଇର, ଗୁଆ, ଗୁଜରାତି, ଅଳେଇଚ ପ୍ରଭୃତି ମସଲାର ସମନ୍ୱୟରେ ପାନ ଦେଉ; ଯାହାର ରସ ଖାଦ୍ୟ ହଜମରେ ସାହାଯ୍ୟ କରେ ଓ ତୁଣ୍ଡ ସୁଗନ୍ଧଯୁକ୍ତ ହୁଏ । ଏହାହିଁ ହେଉଛି ଆମର ସଂସ୍କୃତି । ଏତିକି ହୋଇଗଲେ ଅତିଥିଙ୍କର ପ୍ରାଥମିକ ଚର୍ଚ୍ଚାରେ କୌଣସି ତ୍ରୁଟି ଘଟେ ନାହିଁ ।

 

କିନ୍ତୁ ଆଜିକାଲି ଉପରୋକ୍ତ ପଞ୍ଚ ରସରେ ମୋତିଆର ଓ ବିଭିନ୍ନ ମସଲା ପ୍ରଭୃତି ମାଦକ ଦ୍ରବ୍ୟ ମିଶାଇ କଡ଼ା ପାନ ଖାଇବାରେ ଲୋକେ ବେଶ୍ ଅଭ୍ୟସ୍ତ ।

 

ସାଦା ପାନ ପାଟିରେ ଦେବାକ୍ଷଣି ଯେଉଁ ପ୍ରଥମ ପିକ ବାହାରେ ତାହା ବିଷ ପରି । ତାପରେ ଯେଉଁ ପିକ ବାହାରେ ତାହା ଗରମ ଓ ଦୂଷିତ । ତେଣୁ ପ୍ରଥମେ ଏଇ ଦୁଇଥର ପାନ ପିକ ବାହାର କରିଦେଇ ଅବଶିଷ୍ଟ ପିକତକ ଖାଇଦେବା ଉଚିତ୍, ଯାହାକି ଅମୃତ ପରି ଉପକାରୀ ।

 

ଅଧିକାଂଶ ଛାତ୍ରଛାତ୍ରୀ ଦାନ୍ତ ଘଷିବା ପାଇଁ ଗୁଡ଼ାଖୁରେ ଏତେ ଅଭ୍ୟସ୍ତ ଯେ ଗୁଡ଼ାଖୁ ଟିକେ ନହେଲେ ଝାଡ଼ା ପରିଷ୍କାର ହୁଏ ନାହିଁ ବୋଲି କହନ୍ତି । ଏପରିକି କେହି କେହି ଦିନରେ ୧୦/୧୨ ଥର ତହିଁରେ ଦାନ୍ତ ଘଷିବାର ଦେଖାଯାନ୍ତି । ପ୍ରକୃତି ଦତ୍ତ ବିଭିନ୍ନ ଗଛର ଦାନ୍ତକାଠି ଘଷିଲେ କି ଉପକାର ହୁଏ, ପିଲାମାନେ ଜାଣି ନଥିବାରୁ ପଇସା ଖର୍ଚ୍ଚ କରି ଗୁଡ଼ାଖୁ କିମ୍ବା ପାଉଡ଼ରରେ ଦାନ୍ତ ଘଷିବାର ଅଭ୍ୟସ୍ତ ହୁଅନ୍ତି । କରଞ୍ଜ ଦାନ୍ତକାଠି ଦ୍ୱାରା ପାଇରିଆ ରୋଗ କମେ, ନିମ୍ବ କାଠିଦ୍ୱାରା ଦାନ୍ତ ରୋଗ କମିବା ସଙ୍ଗେ ସଙ୍ଗେ ମୁଖ ସୁଗନ୍ଧଯୁକ୍ତ ହୁଏ, ବାଇଗବାରେ ଦାନ୍ତମୂଳ ମଜଭୁତ ହୁଏ ଓ ବରକୋଳି ଦାନ୍ତ କାଠିରେ କଣ୍ଠସ୍ୱର ମଧୁର ହୁଏ । ତେଣୁ ଛାତ୍ର ଛାତ୍ରୀମାନେ ଗୁଡ଼ାଖୁ ପରିବର୍ତ୍ତେ ଉପର୍ଯ୍ୟୁକ୍ତ ଦାନ୍ତକାଠିମାନ ବ୍ୟବହାର କରିବା ଉଚିତ ।

 

ଆମର କେତେକ ଛାତ୍ର ବିଡ଼ି ଓ ସିଗାରେଟରେ ଏତେଦୂର ଅଭ୍ୟସ୍ତ ଯେ ଗୋଟିଏ ସିଗାରେଟ୍‌ ଲାଗି ଜଳି ସରିଲେ ତାହାରି ନିଆଁରେ ଆଉ ଗୋଟିଏ ସିଗାରେଟ୍‌ ଲଗାଇ ଦିଅନ୍ତି । ଏଥିପାଇଁ ଦିଆସିଲି କାଠିର ଆବଶ୍ୟକ ହୁଏ ନାହିଁ । ପରୀକ୍ଷା ବେଳେ ଅଧିକାଂଶ ଏହିପରି ସିଗାରେଟ୍‍ ଲଗାଇ ରାତିସାରା ଅନିଦ୍ରା ହୋଇ ପଢ଼ିବାରେ ବ୍ୟସ୍ତ ରୁହନ୍ତି । ପୁଣି ସିନେମା କିମ୍ୱା ଥିଏଟର୍‍ ଦେଖିବାରେ ରାତି ଅନିଦ୍ରା ହେଲେ ବିଡ଼ି କିମ୍ୱା ସିଗାରେଟ୍ ଲଗାଇ ସମୟ ବିତାନ୍ତି । ଏପରି କୁଅଭ୍ୟାସ ସ୍ଵାସ୍ଥ୍ୟ ପକ୍ଷରେ ଅତୀବ ଅହିତକର । ଏଥିପାଇଁ କବି ଲେଖିଛନ୍ତି–

 

“ପାନ ବିଡ଼ି ନୁହେଁ ଛୋଟିଆ ନିଶା

ଜଣାପଡ଼େ ନାହିଁ ଟାଣେ ପଇସା,

ଚା’ ସିଗାରେଟ୍‌ ମଟର ବସା

ଦେଶ ଧନ ଦେଇ ବିଦେଶୀ ପୋଷା ।"

 

ଆଜିକାଲି ସ୍କୁଲ କଲେଜ ପାଖରେ, ମଫସଲ ଗାଁ ଗହଳିର ଛକମାନଙ୍କରେ ଓ ସହର ବଜାରର ପ୍ରତ୍ୟେକ ଗଳି କନ୍ଦିରେ ପାନ, ବିଡ଼ି, ସିଗାରେଟ ପ୍ରଭୃତି ଦୋକାନର ଅଭାବ ନାହିଁ । ଏସବୁ ଜିନିଷ ଯେପରି ସୁବିଧାରେ ମିଳୁଛି, ସେହିପରି ବ୍ୟବହାର ବୃଦ୍ଧି ପାଉଛି । ଦୁନିଆରେ ଖରାପ ଜିନିଷର ପ୍ରଚାର ଓ ପ୍ରସାର ଖୁବ୍ ଶୀଘ୍ର ହୁଏ । ଯେପରି ଗୋପାଳ ଅମୃତ ସଦୃଶ ଦୁଗ୍‌ଧଭାର ବହନ କରି ଗଳି କନ୍ଦିରେ ବୁଲି ବୁଲି ବିକ୍ରୟ କଲେ ମଧ୍ୟ ବେଳେ ବେଳେ ସବୁତକ ଶେଷ ହୋଇପାରେ ନାହିଁ । କିନ୍ତୁ ଗୋଟିଏ ସ୍ଥାନ ମଦ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲେହେଁ ସବୁତକ ଶୀଘ୍ର ଶୀଘ୍ର ବିକ୍ରି ହୋଇଯାଏ । ଏ ସମ୍ପର୍କରେ ହିନ୍ଦୀ କବି ଗାଇଛନ୍ତି–

 

ଗଲି ଗଲି ଗୋରସ ଫିରୈ

ମଦିରା ବୈଠୀ ବିକାୟ ।”

Image

 

ମିତବ୍ୟୟିତା

 

ଦୁନିଆରେ କି ଶିକ୍ଷିତ କି ଅଶିକ୍ଷିତ–ସମସ୍ତେ ନିଜ ନିଜର ଶକ୍ତି ଅନୁଯାୟୀ ଧନ ରୋଜଗାର କରି ନିଜ ତଥା ପରିବାରର ଭରଣ ପୋଷଣ ପାଇଁ ଉଦ୍ୟମ କରନ୍ତି । କିନ୍ତୁ ବିଭିନ୍ନ ଲୋକଙ୍କର ଟଙ୍କା ଖର୍ଚ୍ଚର ବାଟ ଭିନ୍ନ ଭିନ୍ନ । କେହି କେହି ପରିବାର ପାଇଁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ତଥା ପୋଷାକ ପରିଚ୍ଛଦ କ୍ରୟ କରି କୌଣସି ପ୍ରକାରେ ଚଳିଯାଇ ଭବିଷ୍ୟତ ପାଇଁ ଦୁଇ ପଇସା ସଞ୍ଚୟ କରନ୍ତି ତ କେହି କେହି ବିଳାସ ବ୍ୟସନରେ ମଦ, ମାଛ, ମାଂସ ପ୍ରଭୃତିର ବଶବର୍ତ୍ତୀ ହୋଇ ଦାଣ୍ଡର ଭିକାରୀ ସାଜନ୍ତି । ତେବେ ଏପରି ବ୍ୟକ୍ତିର ଭବିଷ୍ୟତ ଜୀବନ ଦୁଃଖମୟ ହୁଏ । ଏଭଳିକି ନିଜ ଉପାର୍ଜିତ ଧନର ତ ବୃଦ୍ଧି ହୋଇପାରେ ନାହିଁ, ବର° ପୈତୃକ ଭୂସମ୍ପତ୍ତି ତଥା ପିତୃ ଅର୍ଜିତ ଧନ ଦୌଲତ ସବୁ ନଷ୍ଟ ଭ୍ରଷ୍ଟ ହୋଇଯାଏ । ତେଣୁ ମନୁଷ୍ୟ ଯାହା ରୋଜଗାର କରେ, ତାହାର ଦୈନନ୍ଦିନ ଖର୍ଚ୍ଚରୁ କିଛି କିଛି ଭବିଷ୍ୟତ ଜୀବନ ପାଇଁ ସଞ୍ଚୟ କରିବା ଉଚିତ । ଏହା କେବଳ ମିତବ୍ୟୟିତା ଫଳରେ ସମ୍ଭବ ହୋଇପାରେ ।

 

ଲକ୍ଷ୍ୟ କରାଯାଇ ଥାଏଯେ ଧନୀ ସନ୍ତାନଗଣ ସେମାନଙ୍କ ପିତାମାତାଙ୍କ ଠାରୁ ବାଲ୍ୟକାଳରୁ ଯଥେଷ୍ଟ ପଇସା ପତ୍ର ଖର୍ଚ୍ଚ କରିବାର ସୁବିଧା ସୁଯୋଗ ପାଇ ପାରିଥାନ୍ତି । ଫଳତଃ ସେମାନଙ୍କର ସେହି ଅଭ୍ୟାସ ବଡ଼ ଦିନକୁ ରହିଯାଇଥାଏ । ସେମାନେ ନିଜେ ଧନ ରୋଜଗାର କରନ୍ତୁ ବା ନକରନ୍ତୁ ବିନା କାରଣରେ ଟଙ୍କା ଖର୍ଚ୍ଚ କରିବା ଅଭ୍ୟାସକୁ ଦୂରେଇ ପାରିନଥାନ୍ତି । ଫଳରେ ଜୀବନରେ ଅର୍ଥାଭାବ ଘଟିଲେ ଚୋରି ଭଳି କୁ କାର୍ଯ୍ୟରେ ରତ ରହି ଧନାଗମ ପାଇଁ ବ୍ୟବସ୍ଥା କରନ୍ତି । ପୁଣି ଧନୀ ସନ୍ତାନମାନଙ୍କର ଏଭଳି କାର୍ଯ୍ୟର ପ୍ରଭାବ ଗରିବ ସନ୍ତାନମାନଙ୍କ ପ୍ରତି ପଡ଼େ । ଫଳରେ ଦାରିଦ୍ର୍ୟର ଘୋର ଅଭାବ ଅନାଟନରେ କି ଧନୀ କି ଗରିବ–ସମସ୍ତଙ୍କର ଜୀବନ ହା ହୁତାଶ ହୁଏ, ଅସହ୍ୟ ଦୁଃଖର ରାସ୍ତା କଡ଼ରେ ଭିକାରୀ ସାଜନ୍ତି । ଏହା କେବଳ ବୁଝି ନ ଶୁଝି ଛୋଟ ପିଲାଦିନୁ ଅକାରଣରେ ଟଙ୍କା ପଇସା ଖର୍ଚ୍ଚ କରିବା ଅଭ୍ୟାସର ଫଳ ।

 

ଏହା ବୋଲି ଯେ ଆଦୌ ପଇସା ଖର୍ଚ୍ଚ କରାଯିବ ନାହିଁ, ତାହା ନୁହେଁ । ଆମର ଆୟ ଦେଖି ବ୍ୟୟ କରିବା ଉଚିତ । କେବଳ ଆବଶ୍ୟକ ଅନୁଯାୟୀ ପରିବାରର ଜିନିଷପତ୍ର କଣିବା ଉଚିତ । ଅନେକ ଅଛନ୍ତି ଭବିଷ୍ୟତରେ କେବେ ଜିନିଷଟିଏ ଦରକାର ହେବ ଭାବି କିଣି ପକାଇଥାନ୍ତି । କିନ୍ତୁ ତାହା ଦରକାର ହୋଇ ନପାରେ ବା ଜିନିଷଟି ନଷ୍ଟ ହୋଇଯାଇ ପାରେ । ତେଣୁ ଖାଦ୍ୟପେୟ ପୋଷାକ ପରିଚ୍ଛଦ ଯାହା କିଛି ଦରକାର ଅନୁଯାୟୀ କ୍ରୟ କରି ଅବଶିଷ୍ଟ ପଇସାତକ ସଞ୍ଚୟ କରି ରଖିବା ଉଚିତ କାହିଁକିନା ଭବିଷ୍ୟତରେ ଦେହ ଅସୁସ୍ଥ ହୋଇପାରେ, ପୁତ୍ର କନ୍ୟା ମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଅଧିକ ପଇସା ଲୋଡ଼ା ହୋଇପାରେ ଇତ୍ୟାଦି କାର୍ଯ୍ୟ ତୁଲାଇବା ପାଇଁ ପାଖରେ ପଇସା ନଥିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଫଳରେ ଲାଭ ଖୋର ମହାଜନମାନଙ୍କ ପାଖରୁ ଅଧିକ ସୁଧରେ ଋଣ ଗ୍ରହଣ କରିବାକୁ ପଡ଼େ । ଋଣଗ୍ରସ୍ତ ଜୀବନ ବଡ଼ ଦୁଃଖମୟ । ଯେଉଁ ଲୋକ ଜୀବନରେ ଋଣ କରି ନଥାଏ ସେଇହିଁ ପ୍ରକୃତରେ ସୁଖୀ । ଏଥିପାଇଁ ଶାସ୍ତ୍ରକାର କହିଛନ୍ତି–

 

‘‘ଦିବସ୍ୟାଷ୍ଟମେ ଭାଗେ ଶାକଂ ପଚତି ଯୋ ନରଃ

ଅନୃଣୀ ଚାପବାସୀଚ ସଃ ବାରିଚର ମୋଦତେ ।’’

 

ତେଣୁ ବାଲ୍ୟକାଳରୁ ମିତବ୍ୟୟିତା ଅଭ୍ୟାସ କରିବା ଉଚିତ ।

 

ପୁଣି ଛୋଟ ପିଲାଦିନୁ ମିତବ୍ୟୟିତାରେ ଅତି ମାତ୍ରାରେ ଅଭ୍ୟସ୍ତ ହୋଇଗଲେ ପିଲାଟି କୃପଣ ହୋଇଯାଇ ପାରେ । ଆବଶ୍ୟକ ସ୍ଥଳେ ପଇସା ଖର୍ଚ୍ଚ କରିବାକୁ ମଧ୍ୟ କୁଣ୍ଠାବୋଧ କରିପାରେ । ଅର୍ଜ୍ଜିତ ସକଳ ଧନ ସଂପତ୍ତିକୁ ସାଇତି ରଖେ । ସେଥିରୁ ଗୋଟିଏ ପଇସା ଖର୍ଚ୍ଚ ହୋଇଗଲେ ମନ ଦୁଃଖ ହୁଏ ।

 

ଦୁନିଆରେ ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ ଦାନ କ’ଣ ଜାଣନ୍ତି ନାହିଁ ଏବଂ ନିଜର ଉପଭୋଗ ପାଇଁ ପଇସା ଖର୍ଚ୍ଚ ନକରି ସବୁତକ ଧନ ସାଇତି ରଖନ୍ତି । ତେଣୁ ସେମାନଙ୍କର ଧନ ନଷ୍ଟ ହେବାହିଁ ସାର ହୁଏ ।

 

ମନୁଷ୍ୟ ଯାହା ଅର୍ଜ୍ଜନ କରେ ପ୍ରଥମତଃ କିଛି ଦାନ କରି ଅବଶିଷ୍ଟ ନିଜ ତଥା ପରିବାର ବର୍ଗ ପାଇଁ ପଇସା ଖର୍ଚ୍ଚ କରିବା ଉଚିତ । ଏସବୁ ଖର୍ଚ୍ଚ ପରେ ଯାହା ବଳେ ନିଜର କିଛି ଦରକାରରେ ଆସେ ନାହିଁ–ଶେଷକୁ ନଷ୍ଟ ହିଁ ହୋଇଯାଏ । ତେବେ ଆବଶ୍ୟକ ଅନୁଯାୟୀ ପଇସା ପତ୍ର ଖର୍ଚ୍ଚ କରି ବଳକା ଧନ ସାଇତି ରଖିଲେ ଭବିଷ୍ୟତରେ ଦରକାର ହେଉ ବା ନହେଉ, ତାହା ଅଲଗା କଥା । ତେଣୁ ଧାର କରଜ କରି ଭବିଷ୍ୟତ ପାଇଁ ସାଇତି ରଖିବା ଅନୁଚିତ ।

 

ଭୋକ ହେଉଛି–ନିଇତି ରସଗୋଲା ଖାଇଲେ ସିନା ଅଧିକ ପଇସା ଲୋଡ଼ା । କିନ୍ତୁ ଚୂଡ଼ା, ଚିନି ଓ ପାଚିଲା କଦଳୀ ଖାଇବାକୁ ତ ମନା ନାହିଁ । କିନ୍ତୁ କୃପଣ ଲୋକ ପଇସା ସରିଯିବ ଭାବି କ୍ଷୁଧା ଲାଗିଲେ ମଧ୍ୟ ଭୋଜନ କରେ ନାହିଁ । ଏଣୁ ଆବଶ୍ୟକ ସ୍ଥଳେ ପିଲା କିପରି ପଇସା ଖର୍ଚ୍ଚ କରୁଛି ଓ ଭବିଷ୍ୟତ ପାଇଁ କିପରି ସଞ୍ଚୟ କରୁଛି–ଏ ଦୁଇଟି ଗୁଣକୁ ଶିକ୍ଷକ ତଥା ପିତା ମାତା ଲକ୍ଷ୍ୟ କରିବା ଉଚିତ । କାହିଁକିନା ପିଲାଦିନୁ ମିତବ୍ୟୟିତା ଅଭ୍ୟାସର ମାତ୍ରା ଅତ୍ୟଧିକ ହୋଇଗଲେ ସେ ଭବିଷ୍ୟତରେ ଜଣେ ବଡ଼ କୃପଣ ହୋଇଯାଏ ।

Image

 

ସମାଜ ସେବା

 

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜ ବିନା ସେ ବଞ୍ଚିପାରେ ନାହିଁ । ସେ ଯଦି କାହାରି ସାହାଯ୍ୟ ସହାନୁଭୂତି ପାଉ ନଥାନ୍ତା, ଛୋଟ ଶିଶୁ ଅବସ୍ଥା ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଦୁଃଖ କଷ୍ଟ ଭୋଗୁଥାନ୍ତା । ମନୁଷ୍ୟ ଏକୁଟିଆ କିଛି କରିପାରେ ନାହିଁ । କେଉଁ ଆଦିମ କାଳରୁ ସେ ଏକୁଟିଆ ବୁଲୁଥିଲା । ତାହାର ଖାଦ୍ୟପେୟ ଓ ରହଣୀ ପ୍ରଭୃତି କାର୍ଯ୍ୟ ନିଜେ ତୁଲାଇ ନ ପାରିବାରୁ ସେ ବସ୍ତି ଗଢ଼ିଲା ଏବଂ ପରସ୍ପର ସାହାଯ୍ୟ ସହାନୁଭୂତି ପାଇ ଜୀବନର ଉନ୍ନତି କଲା । ସାମୁହିକ କାର୍ଯ୍ୟ ଯଥା–ବିଦ୍ୟାଳୟ, ଡାକ୍ତରଖାନା, ଦେବ ମନ୍ଦିର ପ୍ରଭୃତି ଅନୁଷ୍ଠାନମାନ ମିଳମିଶି ଗଢ଼ିଲେ ।

 

ସମାଜର ପ୍ରତ୍ୟେକ ଲୋକଙ୍କୁ ପ୍ରତ୍ୟେକଙ୍କ ପାଇଁ କିଛିନା କିଛି କର୍ତ୍ତବ୍ୟ କରିବାକୁ ହୁଏ । କିଏ କମ୍‌ କରେତ କିଏ ବେଶୀ । କାହିଁକିନା ସମାଜର ଉପକାର ନକଲେ ନିଜର ଉପକାର ହୁଏ ନାହିଁ । ତେଣୁ ନିଜେ ବହୁ ସ୍ଥାନରେ ନାନା ଅସୁବିଧାର ସମ୍ମୁଖୀନ ହୁଏ । ତେଣୁ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ସମାଜର ସେବା କଲେ ନିଜର ଉପକାର ହିଁ ହୋଇଥାଏ ।

 

ପ୍ରାୟ ଆମେ ସମସ୍ତେ ସ୍ୱାର୍ଥପର । ନିଜର ଭରଣ ପୋଷଣ ପାଇଁ ଆମେ ସର୍ବଦା ଚେଷ୍ଟିତ । ତଥାପି ସମୟେ ସମୟେ ଏଭଳି କେତେକ ସମୟ ଆସି ପହଞ୍ଚି ସେତେବେଳେ ଆମେ ଆମର ସବୁ କାମ ପଛରେ ପକାଇ ଦେଇ ସେସବୁ କାମରେ ଲାଗିପଡ଼ୁ ।

 

ଘର ପୋଡ଼ିଯିବା ଓ ଡଙ୍ଗା ବୁଡ଼ିଯିବା ବେଳେ ଆମେ ସବୁ କାମ ଛାଡ଼ି ସେଠାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦୌଡ଼ିଯାଉ । ହଇଜା ପ୍ରଭୃତି ସଂକ୍ରାମକ ରୋଗ ଦେଖାଦେଲେ ଆମେ ପ୍ରତିଶୋଧକ ବ୍ୟବସ୍ଥା ପାଇଁ ବାହାରି ନ ପଡ଼ିଲେ ଆଉ ରକ୍ଷା ମିଳେନା । ସୁବାସ୍ ବୋଷ ଏଭଳି କାର୍ଯ୍ୟରେ କିପରି ଲାଗିପଡ଼ିଥିଲେ ପ୍ରାୟ ସମସ୍ତଙ୍କୁ ଜଣା । ବନ୍ୟା ବିପନ୍ନ ଅଞ୍ଚଳରେ ଘରଦ୍ୱାର ପାଣିରେ ବୁଡ଼ିଯାଏ । କେତେ ଜୀବନ ନାରଖାର ହୁଏ । ଭୋକ ଉପାସରେ ଲୋକେ ଉଚ୍ଚସ୍ଥାନ ମାନଙ୍କରେ ମୁକ୍ତ ଆକାଶ ତଳେ ଆଶ୍ରୟ ନେଇଥାନ୍ତି । ପୁଣି ସେତେବେଳେ ବର୍ଷାକାଳୀନ ପ୍ରବଳ ଝଡ଼ ତୋଫାନରେ ସେମାନଙ୍କ ଅବସ୍ଥା ଯେ କ’ଣ ହେଉଥିବ ଅନୁଭବୀ ବିନା କେହି ସହଜରେ କଳ୍ପନା କରିପାରିବ ନାହିଁ । ଠିକ ଏତିକିବେଳେ ସମାଜସେବୀମାନେ ଘରେ ତାଟି କବାଟ ଦେଇ ନୀରବରେ ରହି ପାରନ୍ତି ନାହିଁ । ଯଥା ଶକ୍ତି ଖାଦ୍ୟପଦାର୍ଥ ଓ ପୋଷାକପତ୍ର ସାଙ୍ଗରେ ଧରି ବନ୍ୟା ବିପନ୍ନ ଲୋକଙ୍କ ନିକଟରେ ଦେବଦୂତ ସଦୃଶ ଉପସ୍ଥିତ ହୋଇ ସାହାଯ୍ୟ କରନ୍ତି । ଆମ ଉତ୍କଳମଣି ଗୋପବନ୍ଧୁ ତାଙ୍କର ଏକମାତ୍ର ଆତ୍ମୀୟ ସନ୍ତାନକୁ ରୋଗ ଶଯ୍ୟାରେ ପକାଇ ଦେଇ କିପରି ବନ୍ୟାଞ୍ଚଳରେ ପହଞ୍ଚି ଯାଉଥିଲେ, ତାହା ପ୍ରାୟ ସମସ୍ତେ ଜାଣନ୍ତି ।

 

ଆମ ସମାଜରେ ବହୁତ ଗରିବ ହରିଜନ ଶ୍ରେଣୀୟ ଅନୁନ୍ନତ ଲୋକେ ଅଛନ୍ତି । ସେମାନଙ୍କୁ ଅଳ୍ପ ପାରିଶ୍ରମିକ ଦେଇ ଅଧିକ କାମ ହାସଲ କରିବାକୁ ସମାଜର ରକ୍ଷଣଶୀଳ ମୁଖ୍ୟ ଲୋକେ ନାନା ପାଞ୍ଚ କରନ୍ତି । କିନ୍ତୁ ସେମାନଙ୍କର ଉନ୍ନତି ବିନା ସମାଜ ତଥା ଦେଶର ଉନ୍ନତି ଅସମ୍ଭବ । ଏଥିପାଇଁ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ହରିଜନ ବସ୍ତି ସଫେଇ କରିବା ଓ ଲୋକମାନଙ୍କ ସହ ମିଳାମିଶା କରିବା ପାଇଁ ସମୟ ବିନିଯୋଗ କରୁଥଲେ । ତେଣୁ ସମାଜ ସେବକମାନେ ସମାଜର ଅନୁନ୍ନତ ଅବହେଳିତ ଜାତିର ଉନ୍ନତି ପାଇଁ ଲାଗିପଡ଼ି ଥାଆନ୍ତି । ସମାଜ ସେବକଙ୍କ ପାଖରେ ପଇସା ନଥିଲେ ବି ଶାରୀରିକ ପରିଶ୍ରମ ବଳରେ ଲୋକମାନଙ୍କର କାମ କରି ପାରି ଥାଆନ୍ତି ।

 

ବ୍ୟକ୍ତି ବିଶେଷର ସମାଜସେବା ବ୍ୟତୀତ ଆମ କେନ୍ଦ୍ରସରକାରଙ୍କର ‘ସମାଜ ମଙ୍ଗଳ ବୋର୍ଡ଼’ ନାମରେ ଏକ ସମାଜସେବୀ ସଂସ୍ଥା ଅଛି । ଏହାରି ଅଧୀନରେ ଆମ ଦେଶର ପ୍ରତ୍ୟେକ ରାଜ୍ୟରେ ‘ରାଜ୍ୟ ସମାଜ ମଙ୍ଗଳ ଉପଦେଷ୍ଟା ବୋର୍ଡ଼’ ଗଠିତ ହୋଇଛି । ଏହି ବୋର୍ଡ଼ ଆନୁକୁଲ୍ୟରେ ଚାରିଆଡ଼େ ସରକାରୀ ରେଜିଷ୍ଟ୍ରିଭୁକ୍ତ ଛୋଟ ବଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ ଅନୁଷ୍ଠିତ ହୋଇଛି । ଦେଶର ଶିଶୁ, ଅକର୍ମଣ୍ୟ, ରୋଗୀ, ବିଧବା, ସ୍ୱାମୀ ପରିତ୍ୟକ୍ତା, ନିରାଶ୍ରୟା ଓ ଅନାଥା ପ୍ରଭୃତିଙ୍କର ଉନ୍ନତି ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ବ୍ୟୟ ହୁଏ । ଏହି ସଂସ୍ଥା ଗୁଡ଼ିକର କର୍ମକର୍ତ୍ତାମାନେ ସମାଜର ବିବିଧ ମଙ୍ଗଳକର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଇବା ଦିଗରେ ସତତ ଉଦ୍ୟମ କରିଥାଆନ୍ତି । ସେମାନଙ୍କୁ ଛାତ୍ରଛାତ୍ରୀମାନେ ଯଥା ସମ୍ଭବ ସାହାଯ୍ୟ କରିପାରିଲେ ସେମାନଙ୍କ କାର୍ଯ୍ୟ ସୁଗମ ହୋଇପାରନ୍ତା ।

 

କିନ୍ତୁ ଦେଶର କେତେକ ସ୍ୱାର୍ଥପର ଅସାମାଜିକ ବ୍ୟକ୍ତି ଅନୁଷ୍ଠିତ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା କିଛି ସ୍ୱାର୍ଥ ସିଦ୍ଧି ହାସଲ କରିବାର ବାଟ ନପାଇ ସେଗୁଡ଼ିକର ବିରୁଦ୍ଧାଚରଣ କରନ୍ତି । କର୍ମକର୍ତ୍ତାମାନଙ୍କ ନିକଟରେ ଅଯଥା ଗଣ୍ଡଗୋଳର ସୂତ୍ରପାତ କରନ୍ତି । ସେମାନଙ୍କର ଅସହ୍ୟ ଉପଦ୍ରବରେ ସାଧୁ ଉଦ୍ୟମୀ କର୍ମ କର୍ତ୍ତାଗଣ ନିରୁପାୟ ହୋଇ ଅନୁଷ୍ଠାନ ଗୁଡ଼ିକରୁ ଦୂରେଇ ଯା’ନ୍ତି । ଜୀବନର କେତେ ମୂଲ୍ୟବାନ ସମୟ ନଷ୍ଟ ହୋଇ କେତେ ଦୁଃଖ କଷ୍ଟ ଆଉ ଝଡ଼ଝଞ୍ଜାରେ ମୁଣ୍ଡ ଟେକି ଆସୁଥିବା ସୁନ୍ଦର ଅନୁଷ୍ଠାନ ଗୁଡ଼ିକର କ୍ରମଶଃ ଅଧୋଗତି ହୁଏ । ଯେଉଁ ଅନୁଷ୍ଠାନର ପରିବେଶରେ ମନୋହର ପତ୍ର, ଫୁଲ ଓ ଫଳ ଧାରଣ କରି ବୃକ୍ଷଲତା ରାଜି ସ୍ଵର୍ଗର ନନ୍ଦନକାନନ ତୁଲ୍ୟ ପ୍ରତିଭାତ ହୁଏ, ତାହା ଧୀରେ ଧୀରେ ନିର୍ଜନ ଶ୍ମଶାନ ଭୂଇଁରେ ପରିଣତ ହୁଏ । ଫଳତଃ ପ୍ରତିଷ୍ଠାତାଗଣ ପୁତ୍ରକଳ୍ପ ଅନୁଷ୍ଠାନମାନଙ୍କର ଏତାଦୃଶ ଦୁରାବସ୍ଥା ଦେଖି ସେମାନଙ୍କର ଅନ୍ତର ଯେ କିଭଳି ବ୍ୟଥିତ ହେଉଥିବ, କେବଳ ପ୍ରତ୍ୟକ୍ଷ ଅନୁଭୂତି ବିନା କିଏ ବା ଥରେ ଅନୁଭବ କରିପାରିବ-?

 

ଛାତ୍ର ଜୀବନରୁ ସମାଜସେବା ପାଇଁ ଦୈନିକ କିଛି କିଛି ସମୟ ଦେବା ପାଇଁ ଅଭ୍ୟାସ କରିବା ଉଚିତ । କାହିଁକି ନା ସମାଜର ଉନ୍ନତି ହେଲେ ନିଜର ହିଁ ଉନ୍ନତି ହୁଏ । ସମାଜରେ ଅନ୍ୟମାନେ ସୁଖ ଶାନ୍ତିରେ ରହିଲେ ହିଁ ଆମେ ସମସ୍ତେ ସୁଖ ଶାନ୍ତିରେ ରହିପାରିବା । ବିପଦ ଆପଦ ବେଳେ କରୁଣ କ୍ରନ୍ଦନ ସ୍ୱର କାନରେ ବାଜୁଥିବା ବେଳେ କୌଣସି ମଣିଷ ସୁଖ ସନ୍ତୋଷ ଲାଭ କରି ପାରିବ କି ?

Image

 

ଅତିଥି ସେବା

 

ସମାଜରେ ଧନୀ ନିର୍ଦ୍ଧନ ନିର୍ବିଶେଷରେ ପ୍ରତ୍ୟେକ ପରିବାରକୁ କୌଣସି କୌଣସି ସମୟରେ କେହି ଲୋକ ହଠାତ୍ ଚାଲି ଆସି ଥାଆନ୍ତି । ସେମାନେ ଆସିବା ପାଇଁ ପୂର୍ବରୁ ସମ୍ବାଦ ଦେଇ ନଥାନ୍ତି । ଏଭଳି ହଠାତ୍ ପହଞ୍ଚିଯିବା ଲୋକଙ୍କୁ ଆମେ ଅତିଥି କହୁ । ଅତିଥିଙ୍କର ଯଥାଶକ୍ତି ସେବା କରିବା ଆମ ହିନ୍ଦୁ ଧର୍ମର ଏକ ବିଶେଷତ୍ୱ ।

 

କେହି ଲୋକ ପରିବାରରେ ଉପସ୍ଥିତ ହେଲେ ପ୍ରଥମେ ତାଙ୍କୁ ହାତ ପାଦ ଧୋଇବା ପାଇଁ ପାଣି ଦେବା ଆବଶ୍ୟକ । ତାପରେ ବସିବାକୁ ଆସନ ଦେଇ ସାମାନ୍ୟ ଜଳଯୋଗର ବ୍ୟବସ୍ଥା କରିବା ଉଚିତ । ଏହାପରେ ଆସିବାର କାରଣ ଅତି ବିନୀତ ଭାବରେ ପଚାରିବା ଉଚିତ । ଅତିଥିଙ୍କର ଭୋଜନ, ପାନ ଓ ଶୟନରେ ଯେପରି କୌଣସି ପ୍ରକାର ଅସୁବିଧା ହେବ ନାହିଁ, ସେଥିପ୍ରତି ବିଶେଷ ନଜର ଦେବା ଆବଶ୍ୟକ । ପୁଣି ବହୁ ଦୂରରୁ ଆସିଥିବା ଅତିଥିର ପଥଶ୍ରମ ଦୂର କରିବା ପାଇଁ ତାଙ୍କର ପାଦ ସେବା କରିବା ବିଧି ପୂର୍ବ ଯୁଗରେ ଆଚରିତ ହେଉଥିଲା ।

 

ବେଳେ ବେଳେ ପଥିକମାନେ ଝଡ଼ ବର୍ଷା ଫଳରେ ବା ରାତିରେ ନଦୀ ପାରହୋଇ ନପାରି ଅସୁବିଧା ବଶତଃ ନିକଟସ୍ଥ ବସ୍ତିରେ ଆଶ୍ରୟ ନିଅନ୍ତି । ସେତେବେଳେ ସେମାନଙ୍କର ରହଣି ପାଇଁ ଗୃହକର୍ତ୍ତାଙ୍କୁ ସକଳ ପ୍ରକାର ବ୍ୟବସ୍ଥା କରିବାକୁ ପଡ଼ିଥାଏ । ଯେଉଁ ପରିବାରରୁ ଅତିଥିଗଣ ନିରାଶରେ ପ୍ରତ୍ୟାବର୍ତ୍ତନ କରନ୍ତି ସେ ପରିବାରର ଅମଙ୍ଗଳ ହୁଏ ବୋଲି ଶାସ୍ତ୍ର କହେ । ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି–

 

‘‘ଅତିଥିକି ନପୂଜି ଯେ ନିରାଶ କରଇ,

ପୂର୍ବର ସକଳ ଧର୍ମ ନାଶ ତାର ଯାଇ ।

ଯେତେକ ସଞ୍ଚିତ ଧର୍ମ ଥାଇ ସେ ତାହାର

ତାହା ଘେନିଯାଇ ପାପ ଦେଇ ଅତିଥିର ।

ଗୃହୀଲୋକ ନାନା ମତେ ଅତିଥି ପୂଜଇ

ଅତିଥିକି ନ ପୂଜିଲେ ସର୍ବ ନାଶ ଯାଇ ।’’

 

ପୁରାଣ ଯୁଗର କର୍ଣ୍ଣ ରାଜାଙ୍କ ଉଆସରେ ଦିନେ ଅତିଥି ଆସି ଉପସ୍ଥିତ ହେଲେ । ପୁଅକୁ ନିଜେ ରାଜା ଓ ରାଣୀ କାଟି ଏବଂ ରାଣୀ ରନ୍ଧନ କରି ଅତିଥିଙ୍କୁ ମାଂସ ଭୋଜନ ପରିବେଷଣ କରିବା ପ୍ରସଙ୍ଗ କାହାରିକୁ ଅବିଦିତ ନାହିଁ । ତେବେ କେତେ ଧୈର୍ଯ୍ୟ ସହକାରେ କଷ୍ଟ ସ୍ୱୀକାର ପୂର୍ବକ ଅତିଥିଙ୍କ ସେବାକାର୍ଯ୍ୟ କରାଯାଇ ପାରେ ଏଇଥିରୁ ସହଜରେ ଅନୁମେୟ ।

 

ପୁଣି କଣ୍ୱ ମୁନିଙ୍କ ଆଶ୍ରମ କଥା । ଥରେ ଆଶ୍ରମରେ ମୁନି ଅନୁପସ୍ଥିତ ଥିଲେ । କିଛି ସମୟ ପୂର୍ବରୁ ରାଜା ଦୁଷ୍ମନ୍ତ ସେଠାରେ ପହଞ୍ଚି ମୁନି କୁମାରୀ ଶକୁନ୍ତଳାଙ୍କ ସହ ସାକ୍ଷାତ କରି ଫେରି ଯାଇଛନ୍ତି । ସହଜେ ତ ଅବଳା ମନ । ରାଜାଙ୍କ ରୂପଲାବଣ୍ୟକୁ ହୃଦୟ ମଧ୍ୟରେ ସ୍ଥାନ ଦେଇ ତାଙ୍କରି କଥା ଭାବିବାରେ ଲାଗିଥା’ନ୍ତି । ଠିକ୍ ଏତିକିବେଳେ ଦୁର୍ବାସା ଅତିଥି ରୂପେ ଆଶ୍ରମରେ ଉପସ୍ଥିତ । ତାଙ୍କର ପ୍ରାଥମିକ ସେବାପୂଜା କରିବାକୁ ଶକୁନ୍ତଳାଙ୍କର ନଜର ନଥିଲା–ସେ ଥିଲେ ସମ୍ପୂର୍ଣ୍ଣ ଅନ୍ୟମନସ୍କା । ତେଣୁ ଉପଯୁକ୍ତ ସମ୍ମାନ ଲାଭରୁ ବଞ୍ଚିତ ହେବାରୁ ଦୁର୍ବାସା କ୍ରୋଧାନ୍ଧ ହୋଇ ଶକୁନ୍ତଳାଙ୍କୁ ଅଭିଶାପ ଦେଲେ–

 

‘‘ଘେନ ପୂଜ୍ୟ ପୂଜା ବ୍ୟତିକ୍ରମ ଫଳ

ଯାଠାରେ ରଖିଛୁ ଲୟ

ସେ ତୋତେ ଚିହ୍ନିବ ନାହିଁ ତୁ ଦେଲେ ହେଁ

ଆପଣାର ପରିଚୟ ।

(ପ୍ରଣୟ ବଲ୍ଲରୀ, ଗଙ୍ଗାଧର)

 

ଛାତ୍ର ଜୀବନରେ ଅତିଥି ସେବା ଗୁଣ ଶିକ୍ଷା କରିବା ଉଚିତ । ପରିବାରରେ ରହୁଥିବା ଛାତ୍ର ଛାତ୍ରୀଗଣ ସେମାନଙ୍କର ପିତା ମାତାଙ୍କୁ ଅତିଥି ସତ୍କାର କାର୍ଯ୍ୟରେ ସାହାଯ୍ୟ କରିବା ବିଧେୟ-

Image

 

ପିତୃ ଭକ୍ତି

 

ପିତା ଶିଶୁର ଜନ୍ମଦାତା । ଜନ୍ମ କାଳରୁ ଶିଶୁର ଲାଳନ ପାଳନ ଦାୟିତ୍ୱ ମାଆ ଉପରେ ନ୍ୟସ୍ତ ଥିଲେ ହେଁ ପିତାର ଦାୟିତ୍ୱ ମଧ୍ୟ କମ୍ ନୁହେଁ । ପରିବାରରେ ପିତାର ଆସନ ଅତି ଉଚ୍ଚରେ । ପରିବାରରେ କେହି ରୋଗାକ୍ରାନ୍ତ ହେଲେ ବା ଖାଦ୍ୟ ଅଭାବ ପଡ଼ିଲେ ପିତାଙ୍କର ଚିନ୍ତା ଅକଥନୀୟ-। ପୁଣି ଶିଶୁ ଭବିଷ୍ୟତରେ କିପରି ଭଲ ମଣିଷ ହେବ, ସେଥିପାଇଁ ସେ ଶିକ୍ଷା ଦାନର ବ୍ୟବସ୍ଥା କରିଥାଆନ୍ତି ।

 

ପ୍ରକୃତରେ ଶୈଶବାବସ୍ଥାରେ ଶିଶୁ ତାହାର ଭବିଷ୍ୟତ ଜୀବନ ସମ୍ବନ୍ଧରେ କିଛି ଜାଣି ନଥାଏ । କେବଳ ଭୋଜନ ଓ କ୍ରୀଡ଼ା ହିଁ ତା’ର ପ୍ରଧାନ କର୍ତ୍ତବ୍ୟ ଥାଏ । କିନ୍ତୁ ପିତା ନିଜେ ଭୋକ ଉପାସରେ ଦୁଃଖ କଷ୍ଟ ସହି ପିଲାର ଲାଳନ ପାଳନ, ଖାଦ୍ୟପେୟ ତଥା ପୋଷାକ ପରିଚ୍ଛଦର ସୁବ୍ୟବସ୍ଥା କରିଥାଆନ୍ତି । ଏ ସବୁ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ଛୋଟ ପିଲାମାନେ ବା କାହୁଁ ଜାଣିବେ ? କିନ୍ତୁ ପିଲାମାନେ ବଡ଼ ହୋଇଗଲେ ହୃଦୟଙ୍ଗମ କରିବା କଥା ଯେ ସେମାନେ ପିତାଙ୍କ ତ୍ୟାଗ ଓ ତତ୍ତ୍ୱାବଧାନରେ ଲାଳିତ ପାଳିତ ହୋଇ ଆଜି ଦୁନିଆରେ ବଡ଼ ହୋଇ ପାରିଛନ୍ତି । ଯାହାଙ୍କର ଅସୀମ ସାହାଯ୍ୟ ସହାନୁଭୂତିରେ ଆମେ ଦୁନିଆରେ ଜଣେ ବୋଲି ପରିଚିତ ହେଉ, ତାଙ୍କର ଋଣ ଜୀବନରେ କଦାପି ସୁଝି ହେବ ନାହିଁ ।

 

ଆମର ଭାରତୀୟ ଶିକ୍ଷା ଓ ସଂସ୍କୃତରେ ପିତା ହେଉଛନ୍ତି ସବୁକିଛି । ତାଙ୍କୁ ସର୍ବାଗ୍ରେ ପୂଜା କରିବା ଆମର କର୍ତ୍ତବ୍ୟ ବୋଲି ବହୁ ଶାସ୍ତ୍ର ପୁରାଣକାରମାନେ ବର୍ଣ୍ଣନା କରିଛନ୍ତି । ଏଥିପାଇଁ ଲେଖାଅଛି–

 

‘‘ପିତା ଧର୍ମଃ ପିତା ସ୍ଵର୍ଗଃ ପିତା ହିଁ ପରମ ତପଃ

ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ ।”

 

କିନ୍ତୁ ପାଶ୍ଚାତ୍ୟ ଶିକ୍ଷା ବଳରେ ଆମେ ପୂଜ୍ୟ ପୂଜାର ଦିଗ ହରାଇ ବସୁଛେ । ପିତାଙ୍କ ପୂଜା କରିବାରୁ ବଞ୍ଚିତ ହେଉଛେ । ଏପରିକି ସ୍ଥଳ ବିଶେଷରେ ପିତାଙ୍କୁ ପିତା ବୋଲି ସମ୍ବୋଧନ କରିବା ବା ପରିଚୟ ଦେବାକୁ ନବ୍ୟ ସଭ୍ୟତାର କେତେକ ଯୁବକ ଲଜ୍ଜା ଅନୁଭବ କରନ୍ତି । ପିତା ପ୍ରତି ପୁତ୍ରର ଏତାଦୃଶ ବ୍ୟବହାର ଯେ କେତେ ଦୂର ଦୁଃଖ ଓ ପରିତାପର ବିଷୟ–ତାହା ଚିନ୍ତନୀୟ-

 

ଛାତ୍ର ଜୀବନରୁ ପିତାଙ୍କ ପ୍ରତି କର୍ତ୍ତବ୍ୟ ଶିକ୍ଷଣୀୟ । ଆଗ ପିତାଙ୍କ ଆଦେଶ ମାନି ଚଳିବା ଉଚିତ । ପରିଦୃଷ୍ଟ ହୁଏ ଯେ କେତେକ ନିରକ୍ଷର ଓ ଏକଜିଦିଆ ପିତାଙ୍କ ମନ ଅନୁସାରେ ଶିକ୍ଷିତ ପୁଅର ମନ ନମିଳିବା ଫଳରେ ପରିବାରରେ ପିତା ପୁତ୍ରଙ୍କ ମଧ୍ୟରେ ମନୋମାଳିନ୍ୟ ଘଟେ–ଉଭୟେ ଅଶାନ୍ତିରେ କାଳ କ୍ଷେପଣ କରନ୍ତି । କେତେକ ଛାତ୍ର ଯୁକ୍ତି ପ୍ରସଙ୍ଗରେ କହିଥାଆନ୍ତି ଯେ ନିରକ୍ଷର ପିତାଙ୍କ ଆଦେଶ ମାନି ଚଳିଲେ ଆମେ ଜୀବନରେ ଉନ୍ନତି କରିପାରିବୁ ନାହିଁ । କିନ୍ତୁ ଏଠାରେ ଏହା ସୁଚାଇ ଦେବା କଥାଯେ ବିଦ୍ୱାନ ପୁତ୍ର ଠାରେ ଅନେକ ବୁଦ୍ଧି ଓ ବିବେକ ଅଛି । ସେ କଅଣ ବୁଦ୍ଧି ବଳରେ ପିତାଙ୍କ ମନ ପରିବର୍ତ୍ତନ ପୂର୍ବକ ସନ୍ତୁଷ୍ଟ କରି ପାରିବେ ନାହିଁ ? ଯଦି ଶିକ୍ଷିତ ପୁଅ ନିରକ୍ଷର ପିତାଙ୍କ ମନକୁ ବିଦ୍ୟା ବୁଦ୍ଧି ବଳରେ ପରିବର୍ତ୍ତନ କରାଇ ନପାରେ ତେବେ ଏତେ ଅଧ୍ୟୟନ କରି ଜ୍ଞାନ ଆହରଣ କରିବା ନିରର୍ଥକ ସିନା, ଅବଶ୍ୟ ଅଶିକ୍ଷିତ ପିତାଙ୍କ ମନ ପରିବର୍ତ୍ତନ ପାଇଁ ଯଥେଷ୍ଟ ସମୟ ଆବଶ୍ୟକ । ତେବେ ଅତି ତରବରରେ ଧୈର୍ଯ୍ୟହରା ହୋଇ ବାପାଙ୍କ ମତ ବିରୁଦ୍ଧରେ ନିଜ ମନ ଅନୁଯାୟୀ କାର୍ଯ୍ୟ ହାସଲ କରିବା ଅନୁଚିତ ।

 

ପାଶ୍ଚାତ୍ୟ ଶିକ୍ଷା ବଳରେ ଆଧୁନିକ ଓଡ଼ିଆ ଭାଷାର ଜନକ ସଦୃଶ ଫକୀର ମୋହନ ସେନାପତିଙ୍କ ଲିଖିତ ‘ଡାକମୁନ୍‌ସି’ ଗଳ୍ପରେ ଥିବା ଗୋପାଳର ଚିରିତ୍ର ଯେ କେତେଦୂର ଘୃଣ୍ୟ ତାହା ସମସ୍ତ ପାଠକ ପାଠିକା ହୃଦୟଙ୍ଗମ କରିବା କଥା । ଗୋପାଳର ପିତା ହରି ସିଂ ଜୀବନରେ କେତେ ଦୁଃଖକଷ୍ଟ ସହି ଶେଷ ଜୀବନରେ କି ଫଳ ଲାଭ କରିଛି ? –ଏଇଭଳି ଉଦାହରଣ କ’ଣ ଆମର ଭବିଷ୍ୟତ ଛାତ୍ରଗଣ ଶିକ୍ଷା କରିବେ ?

 

ପିତା ଯେତେ ନିରକ୍ଷର ଆଉ ଅଶିକ୍ଷିତ ହେଲେ ମଧ୍ୟ ସେ ଯେ ସର୍ବଦା ସମାଜରେ ପିତା ଏହା କ’ଣ କେହି ଅସ୍ୱୀକାର କରିବେ ?

 

ଆଜିକାଲି ଛାତ୍ରଛାତ୍ରୀଗଣ ପିତାଙ୍କ କଥା ମାନିବାକୁ ପୂରାପୂରି ଅରାଜି । କିନ୍ତୁ ପୁରାଣ ଯୁଗର ଶ୍ରୀରାମଚନ୍ଦ୍ରଙ୍କ ପ୍ରସଙ୍ଗ ସ୍ମରଣ ହେଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ । ରାଜା ଦଶରଥ ତ କୈକେୟୀଙ୍କୁ ବର ଦେବାପାଇଁ ସତ୍ୟ କରିଥିଲେ । ପୁତ୍ର ରାମଚନ୍ଦ୍ରକୁ ଡାକି କିଛି କହି ନଥିଲେ । କିନ୍ତୁ ଶୁଣା ଶୁଣିରେ ବିମାତା କୈକେୟୀଙ୍କ ବରପ୍ରାପ୍ତି ପ୍ରସଙ୍ଗ ରାମଚନ୍ଦ୍ରଙ୍କ କାନରେ ବାଜନ୍ତେ ସେ ଦିନେ ଦୁଇଦିନ ନୁହେଁ–ଦୀର୍ଘ ଚଉଦ ବର୍ଷ ପାଇଁ ବନବାସୀ ହୋଇ ପାରିଥିଲେ । ପିତାଙ୍କ ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ବନବାସୀ ହୋଇ କିଭଳି ଦୁଃଖ କଷ୍ଟରେ ସମୟ ବିତାଇଥିଲେ ରାମାୟଣ ଗପରୁ ତାହା ଜଣାପଡ଼େ ନାହିଁକି ?

 

ଠିକ୍ ସେହି ଯୁଗର କଥା–ଅନ୍ଧ ପିତା ମାତାଙ୍କ ଭରଣ ପୋଷଣ ତଥା ଭାରତର ତୀର୍ଥ ସ୍ଥାନମାନଙ୍କୁ ସେମାନଙ୍କୁ ବହନ କରି ନେବା ଇତ୍ୟାଦି ସକଳ ଦାୟିତ୍ୱ କିପରି ହସ ହସ ବଦନରେ ସମ୍ପାଦନ କରି ପାରୁଥିଲେ ଶ୍ରବଣ କୁମାର । ଏ ପ୍ରସଙ୍ଗ କ’ଣ କାହାରିକୁ ଅବିଦିତ ଅଛି ?

 

ଆମର ଛାତ୍ର ଛାତ୍ରୀମାନେ ସବୁ ଜାଣିଶୁଣି ମଧ୍ୟ ବାଟ ଦେଖି ଅବାଟରେ ଗତି କରୁଛନ୍ତି । ବାଟ ନଦେଖି ଅବାଟରେ ଚାଲିଲେ ସିନା କଣ୍ଟା ଝଟା ମାଡ଼ିବା, କିନ୍ତୁ ବାଟ ଦେଖି ଯଦି ଅବାଟରେ ଯିବା ତେବେ ଦୋଷ କାହାର ?

 

ତେଣୁ ଛାତ୍ର ଛାତ୍ରୀମାନଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେଉଛି ପିତାଙ୍କର ଆଦେଶ ମାନିବା । ଯିଏ ଯେଉଁ ପରିସ୍ଥିତିରେ ଥାଉନା କାହିଁକି ପିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହେବା ଉଚିତ । ଏଥିପାଇଁ କବି ଗାଇଛନ୍ତି–

 

‘‘ପୁତ୍ର ଯାର ପିତୃ ବାକ୍ୟ ପାଳନେ ତତ୍ପର

ଇନ୍ଦ୍ରପଦ ଲଭିବାକୁ କେତେକ ମାତର ।’’

 

କେତେକ ଛାତ୍ର ଛାତ୍ରଜୀବନରେ ପିତାଙ୍କୁ କହିବୋଲି ଭୂସମ୍ପତ୍ତି ବିକ୍ରୟ କରାଇ ଅଧ୍ୟୟନ କାର୍ଯ୍ୟରେ ଧନ ବ୍ୟୟ କରି ଥାଆନ୍ତି । କିନ୍ତୁ ବଡ଼ ହେଲେ ବୈବାହିକ ଜୀବନରେ ଶିକ୍ଷିତା ସହଧର୍ମିଣୀଙ୍କ ପ୍ରଭାବରେ ପୂର୍ବରୁ ଥିବା ପିତା ପୁତ୍ରର ମଧୁର ସମ୍ପର୍କ ଛିନ୍ନ ହୁଏ । ଉଦ୍ଭିଦ ଜଗତରେ ବଟବୃକ୍ଷକୁ ବାର୍ଦ୍ଧକ୍ୟ ଅବସ୍ଥାରେ ତାର ଯୋଗ୍ୟ ପୁତ୍ର ସଦୃଶ ଓହଳ ଗୁଡ଼ିକ ଭରଣ ପୋଷଣରେ ସାହାଯ୍ୟ କରି ନିଜର ଧର୍ମ ରକ୍ଷା କରି ଥାଆନ୍ତି । କବିବର ରାଧାନାଥଙ୍କ ଭାଷାରେ–

 

‘‘ବଟ ଦ୍ରୂମ ଯାର ଯୋଗ୍ୟ ପୁତ୍ରବତ

ଭୂସ୍ପର୍ଶୀ ଓହଳ ସ୍ତମ୍ଭେ ପରିଣତ ।’’

 

କିନ୍ତୁ ମନୁଷ୍ୟ ସନ୍ତାନ ତାହାର ଧର୍ମ ରକ୍ଷା କରିପାରେ ନାହିଁ, ପିତାଙ୍କୁ ବାର୍ଦ୍ଧକ୍ୟ କାଳରେ ଭରଣ ପୋଷଣ କରିବା ତ ଦୂରର କଥା । ଏପରିକି ପାଖରେ ରଖାଇ ଦିଅନ୍ତି ନାହିଁ । ଅକଥନୀୟ ବ୍ୟବହାରରେ ତାଙ୍କୁ ଅହରହ ପୀଡ଼ା ଦିଅନ୍ତି । କିନ୍ତୁ ଯେଉଁ ପୁତ୍ର ତା’ର ପିତାମାତାଙ୍କୁ ବୃଦ୍ଧାବସ୍ଥାରେ ଭରଣପୋଷଣ ଦାୟିତ୍ୱ ବହନ କରେ, ସେ ପ୍ରକୃତ ପୁତ୍ର ଅଟେ । ଏଥିପାଇଁ ପ୍ରବାଦ ଅଛି–

 

‘‘ବିଲକୁ କିପରି ଚିହ୍ନିବ,

ଗାଆଁ ପାଣି ଯେବେ ପଶେ ।

ସ୍ତିରୀକୁ କିପରି ଚିହ୍ନିବ,

ବୁଢ଼ାକାଳେ ଯେବେ ଘଷେ ।

ପୁଅକୁ କିପରି ଚିହ୍ନିବ,

ବୁଢ଼ା କାଳେ ଯେବେ ପୋଷେ,

ବନ୍ଧୁଙ୍କୁ କିପରି ଚିହ୍ନିବ,

ଦୂରୁ ଦେଖି ଯେବେ ହସେ ।’’

Image

 

ମାତୃ-ଭକ୍ତି

 

ମାତା ଶିଶୁର ଜନ୍ମଦାତ୍ରୀ । ଜନ୍ମ ସମୟରୁ ଶିଶୁର ଲାଳନ ପାଳନ ମା’ ଉପରେ ହିଁ ନିର୍ଭର କରିଥାଏ । ପଶୁପକ୍ଷୀ ଜଗତରେ ଦେଖାଯାଇଥାଏ ଯେ କୁକୁଡ଼ା ଛୁଆ ଡିମ୍ବରୁ ବାହାରିବା ମାତ୍ରେ ମାଆର ସାହାଯ୍ୟ ପାଇ ଖାଦ୍ୟ ସଂଗ୍ରହ କରେ । ବାଛୁରୀ ଜନ୍ମ ହେବା ମାତ୍ରେ ଗାଈଠାରୁ ନିଜେ କ୍ଷୀର ପାନରେ ବ୍ୟସ୍ତ ରହେ ।

 

ଜନ୍ମ ସମୟରୁ ଦୀର୍ଘ ଦିନ ଧରି ଶିଶୁର ସକଳ ଦାୟିତ୍ୱ ନିଜର ମା’ଉପରେ ହିଁ ନ୍ୟସ୍ତ ଥାଏ । ମା’ ତାର ଜୀବନରେ ସବୁ କିଛି । ମାଆ ବ୍ୟତୀତ ସେ କିଛି କରିପାରେ ନାହିଁ । ପୃଥିବୀରେ ଦେଖାଯାଇ ଥାଏ ଯେ ଯେଉଁ ଶିଶୁର ଜନ୍ମ ପରେ ପରେ ମାଆ ମୃତ୍ୟୁ ମୁଖରେ ପଡ଼େ, ତାହାର ଲାଳନ ପାଳନର ଅବହେଳାରେ କେହି କେହି ଅତି ଦୁର୍ବଳ ହୋଇ ପଡ଼ିଥାଆନ୍ତି । ବା କେହି କେହି ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ଏଇ ସବୁଥିରୁ ଜଣାପଡ଼େ ଯେ ଶିଶୁ ନିକଟରେ ମାଆର ଆବଶ୍ୟକତା କେତେ ଅଧିକ ।

 

ଶିଶୁ ବଡ଼ ହେଲେ ମାଆ ପ୍ରତି ତାର କର୍ତ୍ତବ୍ୟ ଭୁଲିଯାଏ । ଅଧିକାଂଶ ଛାତ୍ର ଛାତ୍ରୀ ମାଆଙ୍କୁ ଭକ୍ତି ଓ ସମ୍ମାନ ନଦେଖାଇ ବରଂ କଟୁକଥା କହି ମନରେ ଗଭୀର ଦୁଃଖଜାତ କରାଇ ଥାଆନ୍ତି । କିନ୍ତୁ ଛାତ୍ର ଜୀବନ ହିଁ ଉତ୍କୃଷ୍ଟ ସମୟ, ଯେଉଁ ସମୟରେ ମାଆ ପ୍ରତି ଭକ୍ତି ପ୍ରଦର୍ଶନ କରି ଶିଖିବା ଉଚିତ । ମାଆର ଆଶୀର୍ବାଦ ନମିଳିଲେ ଜୀବନ ନିରର୍ଥକ ହୋଇଯାଏ । ପୁରାଣରୁ ଜଣାଯାଏ ଯେ ପାର୍ବତୀ ତପସ୍ୟାରତ ଥିବା ବେଳେ ଗୃହ ମଧ୍ୟକୁ କାହାରିକୁ ପ୍ରବେଶ କରାଇ ନଦେବାକୁ ଆଦେଶ ଦେଇ ପୁତ୍ର ଗଣେଶଙ୍କୁ ଦ୍ୱାର ରକ୍ଷକ ରୂପେ ନିଯୁକ୍ତି କରିଥିଲେ । ନିଜର ପିତା ଦେବଦେବ ମହାଦେବ ପାର୍ବତୀଙ୍କ ମନ୍ଦିରକୁ ଗମନ ପାଇଁ ଉଦ୍ୟମ କରନ୍ତେ ମାତୃଭକ୍ତ, ଗଣେଶ ବାରଣ କରିଥିଲେ । ଏପରିକି ପିତା କ୍ରୋଧାନ୍ୱିତ ହୋଇ ଗଣେଶଙ୍କ ଶିରଚ୍ଛେଦ କରିଥିଲେ । ଏହି ଦୃଶ୍ୟ କେଡ଼େ କରୁଣ ଓ ଦୁଃଖ ଦାୟକ ! ପରେ ଶିବ ପ୍ରକୃତ ବିଷୟ ଜାଣିପାରି କର୍ତ୍ତନ କରିଥିବା ମସ୍ତକ ପରିବର୍ତ୍ତେ କରୀ ମସ୍ତକ ଲଗାଇ ଗଣେଶଙ୍କର ଜୀବନ ବଞ୍ଚାଇ ଥିଲେ । ଫଳରେ ସର୍ବ ଦେବାଦେବୀଙ୍କ ଅଗ୍ରରେ ସେ ପୂଜା ପାଇ ଆସୁଛନ୍ତି ।
 

ଯେଉଁ ମାଆର ଅମୃତତୁଲ୍ୟ ଆଶୀର୍ବାଦ ଲଭି ମଣିଷ ବଡ଼ ହୁଏ, ସେମାନଙ୍କ ମଧ୍ୟରୁ କେତେକ ବାଲ୍ୟାବସ୍ଥା ଭୁଲିଯାଇ ବର୍ତ୍ତମାନ ଧନ ଯୌବନ- ଗର୍ବରେ ଗର୍ବିତ ହୋଇ ନିଜର ବୃଦ୍ଧା ମାତା ପ୍ରତି କ୍ରୋଧାନ୍ୱିତ ହୁଅନ୍ତି । ମାଆର ଭରଣ ପୋଷଣ ପାଇଁ କୁଣ୍ଠିତ ହୋଇ ଅସହ୍ୟ କଟୁକଥାରେ ତାର ନୟନରୁ ସର୍ବଦା ବାରିଧାରା ପ୍ରବାହିତ ହେଉଥିବା ସମୟରେ ପ୍ରୟତମା ପତ୍ନୀର ବିଳାସ ବ୍ୟସନ ପାଇଁ ମୁକ୍ତ ହସ୍ତରେ ଧନ ଖର୍ଚ୍ଚ ହେଉଥାଏ । ଏହା କେଡ଼େ ମର୍ମନ୍ତୁଦ ଆଉ ଅଶୋଭନୀୟ ଘଟଣା–ତାହା ସମସ୍ତଙ୍କର ବିଚାର୍ଯ୍ୟ । କିନ୍ତୁ ଗୃହସ୍ଥ ଜୀବନରେ କେଉଁମାନଙ୍କୁ ପ୍ରଥମେ ପୋଷଣ କରିବା ବିଧି ଅଛି ସେ ଜାଣି ନଥାଏ । ଏ ସମ୍ପର୍କରେ ଶାସ୍ତ୍ରକାର ଲେଖିଛନ୍ତି–

 

‘‘ଅତିଥି ବାଳକଃ ପତ୍ନୀ ଜନନୀ ଜନକସ୍ତଥା

ପଞ୍ଚୈତେ ଗୃହିଣଃ ପୋଷ୍ୟା ଇତରେଚ ସ୍ୱଶକ୍ତିତଃ ।’’

 

ଅର୍ଥାତ୍‌ ଗୃହସ୍ଥ ନିଜର ଅତିଥି, ବାଳକ, ସ୍ତ୍ରୀ, ମାତା ଓ ପିତାଙ୍କୁ ଆଗ ପୋଷଣ କରିବାକୁ ବ୍ୟବସ୍ଥା କରି ପରେ ଶକ୍ତି ଅନୁଯାୟୀ ଅନ୍ୟମାନଙ୍କୁ ପାଳନ କରାଯାଇ ପାରେ ।

 

ମାତୃଭକ୍ତି ସମ୍ପର୍କରେ ମୁକ୍ତାମାଳୀ ଦେବୀଙ୍କ ‘ସତ୍‌ସଙ୍ଗମାଳା’ ଲେଖାଅଛି–‘‘ଯେପରି ପାଷାଣମୟୀ ମୂର୍ତ୍ତି ପ୍ରସ୍ତର ନୁହନ୍ତି, କିନ୍ତୁ ସେହି ପାଷାଣରେ ଭଗବତ୍‌ ଶକ୍ତି ବିଶେଷ ନିହିତ ଥାଏ । ସେହିପରି ଅସ୍ଥି ଚର୍ମମୟ ଶରୀରରେ ଜନକ ଜନନୀ ମାନବ ନୁହନ୍ତି; କିନ୍ତୁ, ସେହି ଶରୀରରେ ପରମାତ୍ମା ତୁମ୍ଭ ସମ୍ମୁଖରେ ବିରାଜିତ । ଏଣୁ ମାତା, ପିତା ଓ ଗୁରୁଙ୍କୁ ଦେବତା ଜ୍ଞାନରେ ଆରାଧନା କରିବ । ଦେବତାମାନଙ୍କ ଅଭିଶାପ ବ୍ୟର୍ଥ କରିବାକୁ ମାତା, ପିତା ଓ ଗୁରୁ ସମର୍ଥ । କିନ୍ତୁ ଏମାନଙ୍କ ଅସନ୍ତୋଷ ବହ୍ନି ନିର୍ବାଣ ନିମନ୍ତେ ଭଗବତ୍ ଶକ୍ତି ମଧ୍ୟ ଅସମର୍ଥ ।”

 

ଯେଉଁ ମାତା ଗର୍ଭଧାରଣ ତଥା ପ୍ରସବ ବେଦନା ସହ୍ୟ କରି ଓ ଯେଉଁ ପିତା ନିଜର ସକଳ ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ଲାଳନ ପାଳନ, ଶିକ୍ଷା, ଦୀକ୍ଷା, ବ୍ରତ ବିବାହାଦି ସାଂସାରିକ କାର୍ଯ୍ୟମାନ ସମାପନ କରନ୍ତି; ସେହି ମାତା ପିତାଙ୍କ ଋଣକୁ ଶତ ଶତ ଜନ୍ମରେ ବି ପରିଶୋଧ କରାଯାଇ ପାରେ ନାହିଁ । ଏଥିପାଇଁ ସଂସ୍କୃତରେ ଲେଖା ଅଛି–

 

‘‘ଯଂ ମାତା ପିତରୌ କ୍ଳେଶଂ ସହତେ ସମ୍ଭବେ ନୃଣାଂ

ନତସ୍ୟ ନିଷ୍କୃତ ଶଯ୍ୟା କର୍ତ୍ତୃଂ ବର୍ଷ ଶତୈରପି ।’’

 

ତେଣୁ ଛାତ୍ର ଜୀବନରୁ ପିତା ମାତାଙ୍କ ସେବା କରିବା ଅଭ୍ୟାସ ପ୍ରଧାନ କର୍ତ୍ତବ୍ୟ ।

Image

 

ଗୁରୁଭକ୍ତି

 

ଗୁରୁ ଶବ୍ଦର ଅର୍ଥ ଓଜନ । ଯେଉଁ ଲୋକ ଅନ୍ୟଠାରୁ ଓଜନରେ ଅଧିକ, ସେ ତା ନିକଟରେ ଗୁରୁ । ଅର୍ଥାତ୍ ବୁଦ୍ଧି, ବିବେକ ଓ ପାଣ୍ଡିତ୍ୟ ପ୍ରଭୃତି ଗୁଣାବଳୀରେ ଯାହାଙ୍କ ଅନ୍ତର ଭରପୂର ଏବଂ ଯେ ଅନ୍ୟମାନଙ୍କର ଦୋଷ ଦେଖାଇ ସେଗୁଡ଼ିକର ସଂଶୋଧନ ଓ ନିରାକରଣ କରିବା ତଥା ନାନା ସଦ୍‌ଗୁଣାବଳୀ ଶିକ୍ଷା ପ୍ରଦାନରେ ସର୍ବଦା ବ୍ରତୀ ହୋଇଥା’ନ୍ତି, ସେ ଗୁରୁ ଅଟନ୍ତି ।

 

ସମାଜରେ ପିତା ମାତାଙ୍କ ପରେ ପରେ ଗୁରୁ ବା ଶିକ୍ଷକଙ୍କ ସ୍ଥାନ । ପିତା ମାତା ଶିଶୁମାନଙ୍କୁ ଖାଦ୍ୟପେୟ ଯୋଗାଇ ଲାଳନ ପାଳନ କରିବା ଦ୍ୱାରା କେବଳ ଶରୀର ହିଁ ବୃଦ୍ଧିପ୍ରାପ୍ତ ହେଇଥାଏ । ଫଳରେ ପଶୁ ତୁଲ୍ୟ ଆହାର ବିହାର କରିବାକୁ ସମର୍ଥ ହୋଇ ଥାଆନ୍ତି । କିନ୍ତୁ ଉଚିତ ଶିକ୍ଷା ଦୀକ୍ଷା ଅଭାବରେ ମାନବ ଜୀବନ ନିରର୍ଥକ ହୋଇଥାଏ । ମନୁଷ୍ୟ କେତେକ ମାନବିକ ଗୁଣ ଅଧିକାର କଲେହିଁ ସେ ପ୍ରକୃତ ମନୁଷ୍ୟ ରୂପରେ ଦୁନିଆରେ ପରିଚିତ ହୁଏ । ଏଥିପାଇଁ ଗୁରୁଙ୍କର ଆଶୀର୍ବାଦ ହିଁ ବିଶେଷ ଦାୟୀ ।

 

ପିତା ମାତାଙ୍କ ଅପେକ୍ଷା ଗୁରୁ କେଉଁ ଗୁଣରେ ନ୍ୟୁନ ନୁହନ୍ତି । ବରଂ ପରିଦୃଷ୍ଟ ହୁଏ ଯେ ବିଦ୍ୟାଳୟ ମାନଙ୍କରେ ଗୁରୁଜୀମାନଙ୍କ ଆଦେଶକୁ ପିଲାମାନେ ଯେତେଦୂର ସ୍ମରଣ ରଖି ପାଳନ କରନ୍ତି, ପିତା ମାତାଙ୍କ ଆଦେଶକୁ ସେପରି ହୃଦୟଙ୍ଗମ କରନ୍ତି ନାହିଁ । ପିତା ମାତାଙ୍କ ଅପେକ୍ଷା ଗୁରୁଙ୍କର ଶିଷ୍ୟ ଓ ଶିଷ୍ୟାଙ୍କ ପ୍ରତି ଯଥେଷ୍ଟ ଦାୟିତ୍ୱ ରହିଛି । ଏଥିପାଇଁ ଆମ ସମାଜରେ ପଞ୍ଚ ପିତାଙ୍କ ମଧ୍ୟରୁ ଗୁରୁଜୀଙ୍କୁ ଏକ ଆସନ ପ୍ରଦାନ କରାଯାଇଛି । ଯଥା–

 

‘‘ଜନିତା ଚୋପ ନେତାଚ ଯସ୍ତୁ ବିଦ୍ୟାଂ ପ୍ରୟଚ୍ଛତି

ଅନ୍ନଦାତା ଭୟତ୍ରାତା ପଞ୍ଚୈତେ ପିତରଃ ସ୍ମୃତାଃ ।’’

 

ଦୁନିଆରେ ବଞ୍ଚି ରହିବାକୁ ହେଲେ ଆମକୁ ବିଭିନ୍ନ ସମୟରେ ବିଭିନ୍ନ ବିଦ୍ୟା ଶିକ୍ଷା କରିବାକୁ ପଡ଼େ । ଯାହାଙ୍କଠାରୁ ଯେଉଁ ବିଷୟ ଶିକ୍ଷା କରାଯାଏ, ସେ ଆମର ଶିକ୍ଷକ ବା ଗୁରୁ ଅଟନ୍ତି । ପୁରାଣ ବର୍ଣ୍ଣିତ ଅବଧୂତ ତାଙ୍କ ଜୀବନରେ କପୋତ ପକ୍ଷୀ ପ୍ରଭୃତି ଚବିଶ ଜଣଙ୍କୁ ଗୁରୁ କରିଥିଲେ । ଗୁରୁଙ୍କ ଠାରୁ ଶିକ୍ଷା ବା ଆଶୀର୍ବାଦ ନ ମିଳିଲେ ଜୀବନ ଅସାର ହୋଇଯାଏ ।

 

ଆଗ କାଳରେ ଶିକ୍ଷା ରୀତି ବର୍ତ୍ତମାନ ଯୁଗପରି ନଥିଲା । ସ୍ଥାନେ ସ୍ଥାନେ ବିଜ୍ଞ ପଣ୍ଡିତ ମୁନି ଋଷିଗଣ ଗୁରୁକୁଳାଶ୍ରମ ସ୍ଥାପନ କରୁଥିଲେ । ସେଠାରେ ଆଠରୁ ଅଠେଇଶ ବର୍ଷ ପର୍ଯ୍ୟନ୍ତ ଛାତ୍ରମାନେ ଭବିଷ୍ୟତ ଜୀବନ ନିର୍ବାହ ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷା ହାସଲ କରୁଥିଲେ । ଏପରିକି ରାଜକୁମାରଗଣ ରାଜ୍ୟ ଶାସନ ତଥା ଯୁଦ୍ଧ ବିଗ୍ରହ ପ୍ରଭୃତି ବିଷୟରେ ଶିକ୍ଷା ଲାଭକରି ଉତ୍ତମ ରାଜ୍ୟ ଶାସନ କରି ପାରୁଥିଲେ । ସେମାନଙ୍କର କଠୋର ଗୁରୁଭକ୍ତି ସଂଯମ ଓ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଫଳରେ ଗୁରୁଜୀମାନଙ୍କ ଅପେକ୍ଷା ଅଧିକ ଯଶସ୍ୱୀ ହୋଇ ପାରୁଥିଲେ । ସାମାନ୍ୟ ଶବର ବାଳକ ଏକଲବ୍ୟ ଠାରୁ ଆରମ୍ଭ କରି ଆରୁଣୀ ଉପମନ୍ୟୁ ପର୍ଯ୍ୟନ୍ତ ଶିଷ୍ୟମାନଙ୍କର ଜୀବନ କଥା କାହାରିକୁ ଅବିଦିତ ନାହିଁ । ଗୁରୁଙ୍କର ଗୋରକ୍ଷଣ, ହୋମ କାଷ୍ଠ ସଂଗ୍ରହ, ଫଳମୂଳ ତଥା ଜନପଦରୁ ଭିକ୍ଷା ସଂଗ୍ରହ କରିବା ପ୍ରଭୃତି ଯାବତୀୟ କାର୍ଯ୍ୟ ଶିଷ୍ୟମାନେ ବଡ଼ ଆଗ୍ରହରେ ହସ ହସ ବଦନରେ କରିଥାଆନ୍ତି । ପୁଣି ଶିକ୍ଷାଲାଭ ପରେ ବିଦାୟ କାଳରେ ଯଥାଶକ୍ତି ଗୁରୁ ଦକ୍ଷିଣା ପ୍ରଦାନ କରି ଗୁରୁଙ୍କୁ ସନ୍ତୁଷ୍ଟ କରିଥା’ନ୍ତି । ଗୁରୁ ସନ୍ତୁଷ୍ଟ ନହୋଇ କୌଣସି ଶିଷ୍ୟ ପ୍ରତି କ୍ରୋଧଜାତ କଲେ ତାହାର ଭୟଙ୍କର କ୍ଷତି ହେଉଥିଲା । ଏଥିପାଇଁ ଜଣେ ବଙ୍ଗୀୟ କବି ଗାଇଛନ୍ତି–

 

‘‘କୃଷ୍ଣ ରିଷ୍ଟ ହେଲେ ଗୁରୁ ରଖିବାରେ ପାରେ

ଗୁରୁ ରିଷ୍ଟ ହେଲେ କୃଷ୍ଣ ରଖି ନାହିଁ ପାରେ ।’’

 

ଏଇଥିରୁ ଗୁରୁଙ୍କର କେତେ ଶକ୍ତି ସହଜରେ ଅନୁମେୟ । ତେଣୁ ଗୁରୁଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିବା ଛାତ୍ରର ପ୍ରଥମ ଏବଂ ପ୍ରଧାନ କର୍ତ୍ତବ୍ୟ । ଅନେକ ସ୍ଥଳରେ ଦେଖାଯାଏ ଯେ ଭଲ ପଢ଼ୁନଥିବା ଛାତ୍ର ମଧ୍ୟ ଶିକ୍ଷକଙ୍କର ଶୁଭ ଆଶୀର୍ବାଦ ଲାଭକରି ଜୀବନରେ ମହତ୍ ଉଦ୍ଦେଶ୍ୟ ସାଧନ କରି ପାରିଥାଏ ।

 

ଆଜିକାଲି ଛାତ୍ର ଛାତ୍ରୀମାନଙ୍କ ଠାରେ ଗୁରୁଭକ୍ତି କ୍ରମଶଃ ହ୍ରାସ ପାଉଥିବାର ଲକ୍ଷ୍ୟ କରି ଆମ ଦେଶର ବିଶିଷ୍ଟ ଦାର୍ଶନିକ ଜନ ନାୟକ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ତାଙ୍କ ଜନ୍ମ ଦିବସ (ସେପ୍‌ଟେମ୍ବର ମାସ ପାଞ୍ଚ ତାରିଖ) କୁ ଗୁରୁଦିବସ ରୂପେ ସାରା ଦେଶରେ ପାଳନ କରିବାକୁ ବ୍ୟବସ୍ଥା କରି ଯାଇଛନ୍ତି । ଶିକ୍ଷାୟତନ ମାନଙ୍କରେ ମହା ଆଡ଼ମ୍ବରରେ ଗୁରୁଦିବସ ପାଳନ ଉପଲକ୍ଷ୍ୟେ ବଡ଼ ବଡ଼ ସଭା ସମିତିମାନ ଅନୁଷ୍ଠିତ ହୋଇ ଛାତ୍ର ଛାତ୍ରୀଙ୍କ ପ୍ରାଣରେ ଗୁରୁଭକ୍ତିର ପରାକାଷ୍ଠା ସଞ୍ଚାର ହେଉଥିବା ବେଳେ ଅନେକ ସ୍ଥଳରେ ଏ ଦିବସର ତାତ୍ପର୍ଯ୍ୟ ନବୁଝି ବରଂ ଛାତ୍ର ସମାଜରେ ହାସ୍ୟ ଥଟ୍ଟାର ଢେଉ ଖେଳେ ।

 

ଛାତ୍ର ଜୀବନରେ ଯଥାଶକ୍ତି ଶାରୀରିକ ଶ୍ରମ କରି ଗୁରୁଙ୍କୁ ସାହାଯ୍ୟ କରିବା ଉଚିତ । ଏପରିକି ଅଭାବଗ୍ରସ୍ତ ଛାତ୍ର ଭିକ୍ଷାଲବ୍‌ଧ ଧନଦ୍ୱାରା ମଧ୍ୟ ଗୁରୁଙ୍କୁ ସନ୍ତୁଷ୍ଟ କରିବା ଉଚିତ । କିନ୍ତୁ କେତେବେଳେ ହେଲେ ଗୁରୁଙ୍କଠାରୁ କୌଣସି ଜିନିଷ ଅପହରଣ କରି ନେଇଯିବା ଗୁରୁତର ଅପରାଧ । ଗୁରୁଙ୍କର ପଦାର୍ଥ ବିଷ ତୁଲ୍ୟ । ବିଷ ଜୀବନ ନଷ୍ଟ କଲାପରି ଗୁରୁଙ୍କ ଦ୍ରବ୍ୟ ଗ୍ରହଣ କରିଥିବା ଛାତ୍ରର ବହୁତ ଅନିଷ୍ଟ ଘଟେ । ଏଥିପାଇଁ ଶାସ୍ତ୍ରରେ ଲେଖାଅଛି–

 

‘‘ଗୁରୁଦ୍ରବ୍ୟ ଦ୍ୱିଜଦ୍ରବ୍ୟ ଦ୍ରବ୍ୟ ସନ୍ନ୍ୟାସ ଏବଚ

ହଳାହଳ ବିଷଂ କୁର୍ଯ୍ୟାତ୍‌ ସମୂଳେନ ବିନଶ୍ୟନ୍ତି ।”

 

ଗୁରୁ ମାନବ ଶରୀର ଧାରଣ କଲେହେଁ ତାଙ୍କଠାରେ ଯେ କି କି ଅଲୌକିକ ଗୁଣ ନିହିତ ଥାଏ, ସାରସ୍ଵତ ନେତ୍ର ବିନା ଦେଖିବା ଜାଣିବା ଅସମ୍ଭବ । ଗୁରୁଦେବଙ୍କୁ ଏକାଧାରରେ ବ୍ରହ୍ମା, ବିଷ୍ଣୁ, ଓ ମହେଶ୍ୱର ବୋଲି କେଉଁ ଅନାଦି କାଳରୁ ଆମେ ସମ୍ବୋଧନ କରି ଆସିଅଛୁ । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଓ ଦେବ ଦେବ ମହାଦେବ ସଂହାର କର୍ତ୍ତା–ଏ ତିନି ବଡ଼ ଦେବତାଙ୍କୁ ଏକତ୍ର ପୂଜାକରି ଯେଉଁ ଫଳ ଲାଭ କରିବା ଦୁଷ୍କର ହୋଇପାରେ, ଏକାକୀ ଗୁରୁଦେବଙ୍କୁ ଭକ୍ତିରେ ପୂଜା କଲେ ସେଇ ଫଳ ସହଜ ଲାଭ୍ୟ । ଏଥିପାଇଁ ଲେଖାଅଛି–

 

‘‘ଗୁରୁ ବ୍ରହ୍ମା ଗୁରୁବିଷ୍ଣୁ, ଗୁରୁଦେବ ମହେଶ୍ୱରଃ

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ରୈ ଶ୍ରୀ ଗୁରବେ ନମଃ ।’’

Image

 

ଈଶ୍ୱର ଭକ୍ତି

 

ଯାହା ମୁଁ କରଇ ଯାହା ମୁଁ କହଇ

ଯାହା ମୁଁ ଚିନ୍ତଇ ମନେ

ଜଗତର କର୍ତ୍ତା ପରମ- ଈଶ୍ୱର

ଜାଣୁଛନ୍ତି ପ୍ରତିକ୍ଷଣେ ।

ମୋ ପାଖେ ଅଛନ୍ତି ଦିବସ ରଜନୀ

ମହାପ୍ରଭୁ ପରାତ୍ପର

ଏକଥା ସୁମରି ହୃଦୟେ ତାହାଙ୍କୁ

ପୂଜିବି ମୁଁ ନିରନ୍ତର ।”

 

ଭକ୍ତକବି ମଧୁସୂଦନଙ୍କ ଅମର ଲେଖନୀ ନିଃସୃତ ‘ପରମେଶ୍ୱର କବିତା’ଟି କୋମଳ ଓ ଚପଳମତି ଶିଶୁମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରତି ଗଭୀର ଭକ୍ତିଭାବ ଜାତ କରାଉଛି । ଈଶ୍ୱର ସର୍ବତ୍ର ବିରାଜିତ । ଆମେ ଯାହା କରୁ, ଯାହା କହୁ ବା ଯାହାକିଛି ଭଲମନ୍ଦ ମନ ମଧ୍ୟରେ ଚିନ୍ତା କରୁ, ସୃଷ୍ଟିକର୍ତ୍ତା ଭଗବାନ ସେସବୁକୁ ଜାଣନ୍ତି । ତାଙ୍କ ଅଜଣାରେ କିଛି ହୋଇପାରେ ନାହିଁ । ତେଣୁ ଜୀବନରେ କେତେବେଳେ ମନ୍ଦ କାମ କରିବାକୁ ସାମୟିକ ଉଦ୍ୟତ ହେବା ସମୟରେ ‘ଈଶ୍ୱର ଜାଣିବେ’ ଏଇ ଭାବ ମନ ଭିତରେ ଦେଖାଦେବା ମାତ୍ରେ ଆମେ ସେଥିରୁ ବିରତ ହେଉ । ଈଶ୍ୱର ଦୟାର ସାଗର । ସେ ସକଳ ଜୀବଙ୍କୁ ଦୟା କରନ୍ତି । କିନ୍ତୁ ଏତିକି କଥା ଯେ ଯେଉଁ ଲୋକ ଈଶ୍ୱରଙ୍କୁ ଭକ୍ତି କରେ ତାହାର ପାଖେ ପାଖେ ଈଶ୍ୱର ସର୍ବଦା ଅଛନ୍ତି ବୋଲି ମନରେ ଗଭୀର ବିଶ୍ୱାସ ଆସେ । ଭକ୍ତକବି ମଧୁସୂଦନଙ୍କ କଣ୍ଠରେ ଅତି କାତର ସ୍ଵରରେ ଭକ୍ତ ବିଳପି ଉଠେ–

 

‘‘ଏହି ମହାକାଶେ ଏମୋର ଆତ୍ମାରେ

ବିରାଜିତ ମହେଶ୍ୱର,

ସେ ମୋତେ କଦାପି ତେଜିତ ନାହାନ୍ତି

ପ୍ରାଣେଛନ୍ତି ନିରନ୍ତର ।

ଜୀବନେ ମରଣେ ସମ୍ପଦେ ବିପଦେ

ରୋଗେ ଶୋକେ କେତେବେଳେ,

କେଭେ ନଛାଡ଼ିବି ସେ ପ୍ରାଣ ସଖାଙ୍କୁ

ସେ ମୋତେ ତାରିବେ ହେଳେ ।’’

 

ଦୁନିଆରେ ଦିନ ରାତି ସର୍ବଦା ଯାହା କିଛି ଘଟୁଛି ସବୁସେଇ ସୃଷ୍ଟି କର୍ତ୍ତା ପରମେଶ୍ୱର ହିଁ କରୁଛନ୍ତି । ଏପରିକି ତାଙ୍କରି ଇଙ୍ଗିତ ନପାଇଲେ ବୃକ୍ଷରୁ ସାମାନ୍ୟ ପତ୍ରଟିଏ ବି ତଳେ ପଡ଼େନାହିଁ । ତାଙ୍କରି ଅସୀମ ଦୟାରୁ ମୂକ ପଣ୍ଡିତ ହୁଏ ଆଉ ପଙ୍ଗୁ ମଧ୍ୟ ପର୍ବତ ଅତିକ୍ରମ କରିପାରେ ।

 

ଈଶ୍ୱର ସୃଷ୍ଟ ବିଶାଳ ପୃଥିବୀର ପ୍ରତ୍ୟେକ ପଦାର୍ଥକୁ ସନ୍ଦର୍ଶନ କଲେ ଈଶ୍ୱର ସତ୍ତା ସବୁଥିରେ ନିହିତ ଅଛି ବୋଲି ହୃଦୟଙ୍ଗମ ହୁଏ । ଭକ୍ତକବି ମଧୁସୂଦନ ‘ସୁନ୍ଦର ସଂସାର’ କବିତାରେ ଆତ୍ମହରା ହୋଇ ଗାଇଛନ୍ତି–

 

‘‘ଆକାଶ ଦିଶେ କି ସୁନ୍ଦର

ତାହାକୁ ରଚିଲେ ଈଶ୍ନର

।।

ଉଜ୍ଜ୍ୱଳ ସୂର୍ଯ୍ୟ ଚନ୍ଦ୍ର ତାରା

ନୀଳ ସମୁଦ୍ର ଶ୍ୟାମ ଧରା

।।

ପବିତ୍ର ନଦୀ ତରୁମାନ

ସୃଜିଲେ ପ୍ରଭୁ ଭଗବାନ

।।

ନାନ ବର୍ଣ୍ଣର ଫୁଲ ଫଳ

ବୃକ୍ଷର ପଲ୍ଲବ କୋମଳ

।।

ମନୁଷ୍ୟ ପଶୁ ପକ୍ଷୀ ଆଦି

ସକଳ ସୃଜିଲେ ଅନାଦି

।।

ତାଙ୍କରି ଆଜ୍ଞାରେ ପବନ

ସର୍ବତ୍ର କରେ ବିଚରଣ

।।

ଅଗ୍ନି ତାଙ୍କର ଆଦେଶରେ

ଉତ୍ତାପ ଜେଜ ଦାନ କରେ

।।

ଈଶ୍ୱର ଦୟାର ସାଗର

ତାଙ୍କର ମହିମା ସୁମର

।।

 

ଦୁନିଆରେ ସବୁ ଲୋକଙ୍କଠାରେ ଈଶ୍ୱର-ଭକ୍ତି ପରିଦୃଷ୍ଟ ହୁଏ ନାହିଁ, ଈଶ୍ୱରଙ୍କୁ ଲାଭ କରିବା ପାଇଁ କେତେକ ମାନବିକ ଗୁଣ ହାସଲ କରିବା ଉଚିତ । ଯେଉଁ ଗୁଣ ଗୁଡ଼ିକ ବଳରେ ମାତ୍ର ବାର ବର୍ଷ ବୟସର ବାଳକ ରାଜପୁତ୍ର ଧ୍ରୁବ ଓ ପ୍ରହ୍ଲାଦ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବାକୁ ସମର୍ଥ ହୋଇ ପାରିଥିଲେ । ସେହି ଗୁଣ ଗୁଡ଼ିକ ହେଉଛି ବିନୟ, କ୍ଷମା, ପରୋପକାର ଓ ସତ୍ୟବାଦିତା ଇତ୍ୟାଦି । ଈଶ୍ୱରଙ୍କର କିଞ୍ଚିତ-କରୁଣା ନହେଲେ ଏ ସବୁ ଗୁଣ ବା ହୃଦୟରେ ଆସିବ କିପରି ?

 

ଦୁନିଆରେ ମନୁଷ୍ୟ ପାଇଁ ଯେତେ କାମ ଅଛି ସେ ସକଳ ତ୍ୟାଗ କରି ଈଶ୍ୱରୋପାସନା କରିବା ପ୍ରଧାନ କର୍ତ୍ତବ୍ୟ । ଯେପରିକି ‘ହିତୋପଦେଶ’ରେ ଅଛି–

 

‘‘ଶତଂ ବିହାୟ ଭୋକ୍ତବ୍ୟଂ

ସହସ୍ତ୍ରଂ ସ୍ନାନମାଚରେତ୍‌

ଲକ୍ଷଂ ପରୋପକାରୟ

କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍ ।’’

 

ଅର୍ଥାତ୍ ଶହେ କାମ ଛାଡ଼ି ଭୋଜନ, ହଜାରେ କାମ ଛାଡ଼ି ସ୍ନାନ, ଲକ୍ଷେ କାମ ଛାଡ଼ି ପରୋପକାର ଓ କୋଟିଏ କାମ ଛାଡ଼ି ହରିଙ୍କୁ ଭଜନ କରିବା ଉଚିତ ।

 

ଈଶ୍ୱର ଭକ୍ତି ସମ୍ପର୍କରେ ଶ୍ରମତୀ ମୁକ୍ତାମାଳୀ ଦେବୀଙ୍କର ସତ୍‌ସଙ୍ଗ ମାଳାରେ ଲେଖା ଅଛି–

 

‘‘ମୁଁ ଭଗବାନଙ୍କର–ଏଇ ସ୍ଥିର ବିଶ୍ୱାସ ସର୍ବଦା ରଖ । ତାହା ହେଲେ ଚିନ୍ତା, ଭୟ ଓ ଶୋକରୁ ନିର୍ଲିପ୍ତ ରହି ତୁମ୍ଭେ ଯଥେଚ୍ଛା ବିଚରଣ କରି ପାରିବ । ଯାହାର ଯେତେ ମାତ୍ରାରେ ଚିନ୍ତା ଭୟ ବା ଶୋକ ଥାଉନା କାହିଁକି ଭଗବତ୍‌ ଦୃଷ୍ଟିରେ ସେଗୁଡ଼ିକର କିଛି ହେଲେ ଅସ୍ତିତ୍ୱ ରହିପାରେ ନାହିଁ ।’’

 

ତେଣୁ ବାଲ୍ୟ କାଳରୁ ଈଶ୍ୱରଙ୍କ ପ୍ରତି ଭକ୍ତି ଅଭ୍ୟାସ କରିବା ଉଚିତ । ଈଶ୍ୱର ଲାଭ ପାଇଁ ପରୋପକାର, ଦୟା, କ୍ଷମା, ବିନୟ ଓ ଅହିଂସା ପ୍ରଭୃତି ଗୁଣାବଳୀ ହୃଦୟ ମଧ୍ୟରେ ଧାରଣ କରିବା ଉଚିତ । ଈଶ୍ୱରଙ୍କ ଦୟା ନହେଲେ ମନୁଷ୍ୟ ଜୀବନ ଧାରଣ ବୃଥା ।

Image

 

ବ୍ରହ୍ମଚର୍ଯ୍ୟ

 

ବ୍ରହ୍ମଚର୍ଯ୍ୟ କ’ଣ ? ଏ ସମ୍ପର୍କରେ ଶୈଶବାବସ୍ଥାରେ ବୁଝି ପାରିବା ବଡ଼ କଷ୍ଟକର । ତେବେ କିଶୋର ଓ ଯୌବନାବସ୍ଥାର ଆରମ୍ଭରେ ଏହାକୁ ବୁଝିବା ଓ ପାଳନ କରିବାରେ ଜୀବନର ଯେଉଁ ଚରମ ଉନ୍ନତି ହୁଏ, ସେଥିରେ ମନୁଷ୍ୟ ଦେବତୁଲ୍ୟ ପୂଜିତ ହୁଏ ।

ଆମ ଦେହରେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଯଥା–ଦର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ଶ୍ରବଣେନ୍ଦ୍ରିୟ, ରସନେନ୍ଦ୍ରିୟ ଓ ଚର୍ମେନ୍ଦ୍ରିୟ ଏବଂ ପାଞ୍ଚଟି କର୍ମେନ୍ଦ୍ରିୟ ଯଥା–ବାକ୍ ବା ଭାଷା, ହାତ, ପାଦ, ମଳଦ୍ୱାର ଓ ଜନନେନ୍ଦ୍ରିୟ ଅଛି । ଏହି ଦଶଟି ଇନ୍ଦ୍ରିୟର ଜଣେ ରାଜା ଅଛି । ତାହା ହେଉଛି ମନ । ଆଉ ମଧ୍ୟ ଆମ ଶରୀରର ଛଅଟି ଶତ୍ରୁ ଅଛନ୍ତି । ଯଥା–କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ । ଉପରୋକ୍ତ ଦଶଟି ଇନ୍ଦ୍ରିୟ ଓ ଷଡ଼ ରିପୁଙ୍କୁ ଉତ୍ସାହ ଦେଇ ରାଜା ମନ ଶରୀରର ପ୍ରଭୁତ କ୍ଷତି ଘଟାଇବାକୁ ସର୍ବଦା ଚେଷ୍ଟା କରିଥାଏ । କିନ୍ତୁ ଯେଉଁ ଲୋକ ଏ ସବୁକୁ ସମ୍ପୂର୍ଣ୍ଣ ରୂପେ ଦମନ କରି ଶରୀରର ସବୁଠାରୁ ଶ୍ରେଷ୍ଠ ସାର ପଦାର୍ଥ ବୀର୍ଯ୍ୟ ଧାରଣ କରିବାକୁ ସମର୍ଥ ହୁଅନ୍ତି ତାଙ୍କୁ ବ୍ରହ୍ମଚାରୀ କୁହନ୍ତି ଏବଂ ଏହି କାର୍ଯ୍ୟ ପାଳନ କରିବା ବିଧିକୁ ବ୍ରହ୍ମଚର୍ଯ୍ୟ କୁହାଯାଏ ।

ବୀର୍ଯ୍ୟ କ’ଣ ଏହା ଏକ ଅମୂଲ୍ୟ ସମ୍ପଦ । ଦୁନିଆରେ ଅନ୍ୟ କୌଣସି ପଦାର୍ଥ ନାହିଁ, ଯାହାକୁକି ଏଇ ବୀର୍ଯ୍ୟ ବା ଶୁକ୍ର ସହିତ ତୁଳନା କରାଯାଇ ପାରେ । ଆମେ ପ୍ରତିଦିନ ଯେଉଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଉ ସେଗୁଡ଼ିକ ପ୍ରଥମେ ରସରେ ପରିଣତ ହୋଇ ସାତ ଦିନରେ ରକ୍ତ ହୁଏ । ରକ୍ତରୁ ମାଂସ, ମାଂସରୁ ମେଦ, ମେଦରୁ ଅସ୍ଥି , ଅସ୍ଥିରୁ ମଜ୍ଜା ଓ ମଜ୍ଜାରୁ ବୀର୍ଯ୍ୟ ଉତ୍ପନ୍ନ ହୁଏ । ଖାଦ୍ୟ ରସରୁ ରକ୍ତ ସୃଷ୍ଟି ହେବା ପାଇଁ ଯେପରି ସାତ ଦିନ ସମୟ ଲାଗେ, ସେହିପରି ମାଂସ, ମେଦ, ଅସ୍ଥି, ମଜ୍ଜା ଓ ବୀର୍ଯ୍ୟ–ପ୍ରତ୍ୟେକର ସୃଷ୍ଟି ପାଇଁ ସାତ ଦିନ ଲେଖାଏଁ ସମୟ ଲାଗେ । ସମୟ ଦୃଷ୍ଟିରୁ ଖାଦ୍ୟକୁ ବୀର୍ଯ୍ୟରେ ପରିଣତ କରିବା ପାଇଁ ପ୍ରାୟ ୪୯ ଦିନ ସମୟ ଲାଗେ । ପୁଣି ଆମେ ଦୈନନ୍ଦିନ ଯେଉଁ ଖାଦ୍ୟ ଖାଉ ସେଥିରୁ ମାତ୍ର କେଇ ଟୋପା ରକ୍ତ ସୃଷ୍ଟି ହୁଏ । ଖାଦ୍ୟରୁ ଚାଳିଶ ବିନ୍ଦୁ ରକ୍ତ ଦେହରେ ସଞ୍ଚିତ ହେଲେ ତାହା ମାଂସ, ମେଦ, ଅସ୍ଥି ଓ ମଜ୍ଜା ପ୍ରଭୃତି କାର୍ଯ୍ୟ କରି କରି ଶେଷରେ ମାତ୍ର ଏକ ବିନ୍ଦୁ ବୀର୍ଯ୍ୟ ସୃଷ୍ଟି ହୃଏ । ପୁଣି ସହଜରେ ବୁଝିବା ପାଇଁ ଗଲେ ଚାଳିଶ ବିନ୍ଦୁ ରକ୍ତକୁ ବିନ୍ଦୁଏ ମାତ୍ର ବୀର୍ଯ୍ୟରେ ପରିଣତ କରିବାକୁ ପ୍ରାୟ ଦେଢ଼ମାସ ସମୟ ଲାଗେ । ଏଇଥିରୁ ସହଜରେ ଅନୁମାନ କରାଯାଇପାରେ ଯେ ଆମ ଶରୀରରେ ବୀର୍ଯ୍ୟ କେଡ଼େ ବଡ଼ ମୂଲ୍ୟବାନ ପଦାର୍ଥ ଏବଂ ଏହାକୁ ଦେହରେ ଧାରଣ କଲେ ଶରୀରର ଶକ୍ତି କେତେ ଅଧିକ ହୋଇପାରେ ।

ମନୁଷ୍ୟ କୈଶୋର ଅବସ୍ଥାର ଶେଷ ଭାଗରେ ଓ ଯୌବନାବସ୍ଥାର ପ୍ରାରମ୍ଭରୁ ପୁରୁଷ ସ୍ତ୍ରୀ ପ୍ରତି ଓ ସ୍ତ୍ରୀ ପୁରୁଷ ପ୍ରତି ସ୍ୱତଃ ଆକୃଷ୍ଟ ହୁଏ, ଖାଦ୍ୟରୁ ସ୍ତର ସ୍ତର ହୋଇ ଶୁକ୍ର ଗଠିତ ହେଲାପରି ପୁରୁଷ ଓ ସ୍ତ୍ରୀ ଉଭୟଙ୍କର ସାମାନ୍ୟ ଦର୍ଶନ ଠାରୁ ଆରମ୍ଭ କରି ସ୍ପର୍ଶ, କେଳି, କୀର୍ତ୍ତନ, ଗୋପନ ଭାଷଣ, ସଙ୍କଳ୍ପ, ଅଧ୍ୟବସାୟ ଅବସ୍ଥା ଅତିକ୍ରମ ପରେ ଶେଷ କାର୍ଯ୍ୟ ଉପଭୋଗରେ ଉପନୀତ ହୁଅନ୍ତି । ଯେତେବେଳେ କି ଉପଭୋଗ ବା ମିଳନ ଦ୍ଵାରା ପୁରୁଷର ବୀର୍ଯ୍ୟ ଓ ସ୍ତ୍ରୀର ରଜଃ କ୍ଷୟ ଘଟିଥାଏ । ଏଥିପାଇଁ ଲେଖାଅଛି–

ଦର୍ଶନଂ ସ୍ପର୍ଶନଂ କେଳିଃ କୀର୍ତ୍ତନଂ ଗୁହ୍ୟ ଭାଷଣଂ

ସଂକଳ୍ପୋଽଧ୍ୟବସାୟଶ୍ଚ କ୍ରିୟା ନିଷ୍ପତ୍ତିରେବଚ ।

ଏତନ୍ମୈଥୁନମଷ୍ଟାଙ୍ଗେ ପ୍ରବଦନ୍ତି ମନୀଷିଣଃ

ବିପରୀତଂ ବ୍ରହ୍ମଚର୍ଯ୍ୟ ମନୁଷ୍ଟେୟଂ ମୁମୁକ୍ଷୁଭିଃ ।”

 

କାମ ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ ଏଇ ଆଠ ପ୍ରକାର ଚେଷ୍ଟା ଯାହାର ନାହିଁ ସେଇ ଏକା ସଂପୂର୍ଣ୍ଣ ବ୍ରହ୍ମଚାରୀ ବା ବ୍ରହ୍ମଚାରିଣୀ ଅଟେ ।

ବ୍ରହ୍ମଚର୍ଯ୍ୟ ପାଳନ କଲେ ସୁନ୍ଦର ସ୍ୱାସ୍ଥ୍ୟ ହେବା ସଙ୍ଗେସଙ୍ଗେ ଦୀର୍ଘ ଜୀବନ ଲାଭ ହୁଏ । ଶରୀରର ଗୋଟିଏ ନାମ ଅଛି–“ରୋଗଭୂ’’ । ଦେହରେ କେତେବେଳେ ଯେ କେଉଁ ରୋଗ ଦେଖା ଦେବ, ତା’ର ଠିକ୍ ନାହିଁ । ତେବେ ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶାରୀରିକ ସୁସ୍ଥତା ଆସେ ଏବଂ ମାନସିକ ଦୁଶ୍ଚିନ୍ତା ଦୂରୀଭୂତ ହୁଏ ।

ଧନ୍ୱନ୍ତରୀ କହିଛନ୍ତି ବୀର୍ଯ୍ୟ ହିଁ ମନୁଷ୍ୟର ଜୀବନ । କାହିଁକିନା ‘‘ମରଣଂ ବିନ୍ଦୁ ପାତେନ ଜୀବନଂ ବିନ୍ଦୁ ଧାରଣଂ ।’’ ଦେହରେ ବୀର୍ଯ୍ୟ ଧାରଣ କଲେ ଶରୀର ସୁରକ୍ଷା ହୁଏ, ଏଇଥିପାଇଁ ଆଗକାଳରେ ଜନବସ୍ତିଠାରୁ ଦୂରରେ ଅନୁଷ୍ଠିତ ହେଇଥିବା ମୁନି ଋଷିମାନଙ୍କ ଆଶ୍ରମରେ ବିଦ୍ୟାର୍ଥୀମାନେ ଆଠରୁ ଅଠେଇଶ ବର୍ଷ ବୟସ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ଜୀବନ ନିର୍ବାହ ପାଇଁ ବିବିଧ ବିଦ୍ୟା ଶିକ୍ଷାରେ ରତ ଥିଲେ । ଛାତ୍ର ଛାତ୍ରୀମାନେ ଭିନ୍ନ ଭିନ୍ନ ଶିକ୍ଷାଳୟରେ ଶିକ୍ଷାଲାଭ କରୁଥିଲେ । ଫଳତଃ ସେମାନଙ୍କର ଇନ୍ଦ୍ରିୟ ଉତ୍ତେଜନା ପାଇଁ ଉପାଦାନ ସେମାନଙ୍କ ନିକଟରେ ମିଳୁନଥିଲା । ଅଠେଇଶ ବର୍ଷ ପରେ ଛାତ୍ରମାନେ ଗାର୍ହସ୍ଥ୍ୟ ବା ଗୃହୀ ଜୀବନରେ ପ୍ରବେଶ କରୁଥିଲେ । ଗାର୍ହସ୍ଥ୍ୟ (ବୈବାହିକ ଜୀବନ) ଅବସ୍ଥାରେ ମଧ୍ୟ ବ୍ରହ୍ମଚର୍ଯ୍ୟ ବ୍ରତ ବିଧିବଦ୍ଧ ଭାବରେ ପାଳନ କରାଯାଇ ପାରେ । ପ୍ରାଣୀ ଜଗତରେ ମନୁଷ୍ୟ ଅତି ଜ୍ଞାନୀ ଓ ବିବେକୀ ବୋଲି ବେଶ୍ ପରିଚିତ । କିନ୍ତୁ ବ୍ରହ୍ମଚର୍ଯ୍ୟ କ୍ଷେତ୍ରରେ ବିଚାର କଲେ ମନୁଷ୍ୟ ପଶୁ ପକ୍ଷୀଙ୍କଠାରୁ ବି ହୀନ ହେଉଅଛି । କାହିଁକିନା ଗାଈ ଗୋରୁ, ଛେଳି, ମେଣ୍ଡା, ବାଘ, ହାତୀ ପ୍ରଭୃତି କି ଗୃହ ପାଳିତ କି ବନ୍ୟ ପଶୁ ସମସ୍ତେ କେବଳ ଋତୁ କାଳୀନ ଦାମ୍ପତ୍ୟ ଜୀବନରେ ପରମ ସୁଖ ଅନୁଭବ କରନ୍ତି ଏବଂ ସୃଷ୍ଟି ଗଠନରେ ସହାୟକ ହୁଅନ୍ତି । କିନ୍ତୁ ମନୁଷ୍ୟ ଋତୁକାଳୀନ ସମ୍ଭୋଗ ପାଇଁ ଧୈର୍ଯ୍ୟଧରି ଅପେକ୍ଷା କରି ନପାରି ନିଜ ଇଚ୍ଛାନୁଯାୟୀ ସହବାସ କରେ ଏବଂ ବ୍ରହ୍ମଚର୍ଯ୍ୟ ରକ୍ଷା କରି ନପାରି ଘୋର ଦୁଃଖ କଷ୍ଟରେ କାଳାତିପୋତ କରେ । ବ୍ରହ୍ମଚର୍ଯ୍ୟ ରକ୍ଷା ଦିଗରେ ଗୋଟିଏ ପଶୁ ଜଣେ ମନୁଷ୍ୟ ଠାରୁ ଶ୍ରେଷ୍ଠ ନୁହେଁ କି ? କିନ୍ତୁ ଆଜି ବର୍ତ୍ତମାନ ଆଉ ସେ ଯୁଗର କଥା ଭାବିଲେ ଆମେ ବିସ୍ମିତ ହେଉ ।

ଆଧୁନିକ ଶିକ୍ଷାନୁଷ୍ଠାନ ଗୁଡ଼ିକ କି ସହର କି ମଫସଲ ଜନ ଗହଳି ବିଳାସ ବ୍ୟସନ ଆଡ଼ମ୍ବର ପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେଉଅଛି । ଯାତ୍ରା, ଥିଏଟର, ସିନେମା ପ୍ରଭୃତିରେ ଯେଉଁ ଅଶ୍ଳୀଳ ନଗ୍ନ ଚିତ୍ର ପରିଦୃଷ୍ଟ ହୁଏ ସେଗୁଡ଼ିକରେ ଦର୍ଶନେନ୍ଦ୍ରିୟ ସମ୍ପୂର୍ଣ୍ଣ ପରାଜିତ ହୋଇ ଅନ୍ୟ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିପକାଏ । ଆଜିକାଲି ସ୍କୁଲ କଲେଜର ଏପରି ଅନେକ ଛାତ୍ର ଛାତ୍ରୀ ଅଛନ୍ତି, ଯେଉଁମାନେ କି ସେମାନଙ୍କର ଖାଦ୍ୟପେୟ ବନ୍ଦ କରି ସେଇ ପଇସାରେ ଦୈନିକ ସିନେମା ଦେଖିବାରେ ଅଭ୍ୟସ୍ତ ହୋଇଥାନ୍ତି । ପୁଣି ଶିକ୍ଷାଳୟ ନିକଟରେ ପାନ, ସିଗାରେଟ, ଚା ଦୋକାନମାନ ଏପରିକି ମଦ ଦୋକାନ ମଧ୍ୟ ପ୍ରକାଶ୍ୟରେ ଖୋଲା ଯାଉଛି । ଫଳତଃ ଏସବୁର ଅଭ୍ୟାସରେ ଶୀଘ୍ର ଅଭ୍ୟସ୍ତ ହେବାକୁ ଛାତ୍ର ଛାତ୍ରୀଗଣ ବେଶ୍ ସୁବିଧା ସୁଯୋଗ ପାଇଥାଆନ୍ତି । ସହଶିକ୍ଷା ମାଧ୍ୟମରେ ଅଯଥା ବାକ୍ୟାଳାପ ଓ ହସ କୌତୁକର ସୁଯୋଗ ନେଇ ପାଠ ପଢ଼ା ପରିବର୍ତ୍ତେ ପରସ୍ପର ପ୍ରେମ ଚିଠି ଲେଖିବାରେ ସମୟ ଅତିବାହିତ କରନ୍ତି । ଏପରିକି କେତେକଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସଂପନ୍ନ ହେଉଅଛି । ଏସବୁ କାର୍ଯ୍ୟ ବ୍ରହ୍ମଚର୍ଯ୍ୟ ପାଳନରେ ଘୋର ପ୍ରତିବନ୍ଧକ ସୃଷ୍ଟି କରୁଛି । ବ୍ରହ୍ମଚର୍ଯ୍ୟ ପାଳନ ସଂପର୍କରେ କେଉଁ ଆଦିମ କାଳରୁ ମୁନି ଋଷିମାନେ କହିଛନ୍ତି–

‘‘ସତ୍ୟେ ରତାନାଂ ସତତଂ ଦାନ୍ତାନାମୃର୍ଦ୍ଧ୍ୱରେତସା

ବ୍ରହ୍ମଚର୍ଯ୍ୟଂ ଦହେଦ୍ରାଜନଂ ସର୍ବ ପାପାନ୍ୟୁପାସିତଂ ।’’

 

ଏହାର ଅର୍ଥ ହେଉଛି ଯେଉଁମାନେ ସର୍ବଦା ସତ୍ୟ କୁହନ୍ତି, ଇନ୍ଦ୍ରିୟମାନଙ୍କୁ ଜୟ କରନ୍ତି ଓ କେବେ ବୀର୍ଯ୍ୟ ସ୍ଖଳନ କରନ୍ତି ନାହିଁ, ସେହିମାନଙ୍କର ବ୍ରହ୍ମଚର୍ଯ୍ୟ ଠିକ୍ ରହେ । ପ୍ରକୃତରେ ସେହିମାନେହିଁ ପଣ୍ଡିତ ଅଟନ୍ତି ।

ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଅଭ୍ୟାସ କରୁଥିବା ଛାତ୍ର ଛାତ୍ରୀମାନେ ବିଳାସ ବ୍ୟସନ ତଥା ସୁଖ ସମ୍ଭୋଗଠାରୁ ସଂପୂର୍ଣ୍ଣ ଦୂରରେ ରହିବା ଉଚିତ ।

ବ୍ରହ୍ମଚର୍ଯ୍ୟ ପାଳନକଲେ ଶରୀରରୁ ସୂର୍ଯ୍ୟଙ୍କପରି ତେଜ ପ୍ରକାଶିତ ହୁଏ । ଚେହେରା ଅତ୍ୟନ୍ତ ସୁନ୍ଦର ଦିଶେ । ଯେକୌଣସି କାମରେ ହାତଦେଲେ ସେଥିରେ ଜୟୀ ହୁଅନ୍ତି । ଶରୀରରେ କୌଣସି ପ୍ରକାର ବ୍ୟାଧି ଦେଖାଯାଏ ନାହିଁ । ମନ ସର୍ବଦା ପ୍ରଫୁଲ୍ଲ ରହେ । ତାଙ୍କର ବ୍ୟବହାରରେ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି । ଫଳତଃ ଈଶ୍ୱରଙ୍କ ଆଶୀର୍ବାଦ ମିଳେ । ସ୍ମୃତି ଶକ୍ତି ଅତି ପ୍ରଖର ହୁଏ । ପଣ୍ଡିତ କାଳିଦାସ ପ୍ରଥମେ ନିରକ୍ଷର ଥିଲେ ମଧ୍ୟ ବ୍ରହ୍ମଚର୍ଯ୍ୟ ଯୋଗୁ ଯାହା ଶୁଣୁଥିଲେ ସବୁ ମନରଖି ଦେଉଥିଲେ ଏବଂ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଅପାର କରୁଣା ବଳରେ ଆଜି ସାହିତ୍ୟ ଜଗତରେ ଅମର ହୋଇ ରହିଛନ୍ତି ।

ଛାତ୍ର ଛାତ୍ରୀ ଗଣ ପ୍ରତିଦନ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ ପୂର୍ବକ ନିତ୍ୟକର୍ମ ସମାପନ କରି ଇଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ । ଦିନ ସାରା ସର୍ବଦା କିଛିନା କିଛି କାର୍ଯ୍ୟରେ ଲିପ୍ତ ରହି ସଂଧ୍ୟାରେ ପୁନରାୟ ପ୍ରାର୍ଥନା କରିବା ଉଚିତ । ଅଧିକ ଭୋଜନ ଅନୁଚିତ । ଅଧିକ ପରିମାଣ ଲବଣ ଖାଇବାକୁ କେତେକ ଡାକ୍ତର ମନା କରିଥାନ୍ତି । ଏପରିକି ଯେକୌଣସି ଖାଦ୍ୟ ଅଲଣା ଖାଇବାକୁ ଅଭ୍ୟସ୍ତ ହେଲେ ଭଲ । କୌଣସି ଦରକାର ନପଡ଼ିଲେ ଛାତ୍ର ଛାତ୍ରୀ ସହ ବା ଛାତ୍ରୀ ଛାତ୍ର ସହ କଥୋପକଥନ କରିବା ଅନୁଚିତ । ଏ ସବୁ କାର୍ଯ୍ୟ ବ୍ରହ୍ମଚର୍ଯ୍ୟ ପାଳନରେ ସହାୟକ । ପୁଣି ସିନେମା ଥିଏଟର ପ୍ରଭୃତି ଦ୍ୱାରା ଯଦିଓ ଜୀବନରେ ଅନେକ ଶିକ୍ଷଣୀୟ ବସ୍ତୁ ହାସଲ ହୁଏ ତଥାପି ବ୍ରହ୍ମଚର୍ଯ୍ୟ ପାଳନରେ ପ୍ରତିବନ୍ଧକ ସୃଷ୍ଟି ହୁଏ ।

ବ୍ରହ୍ମଚର୍ଯ୍ୟ ପାଳନ କରି ଆମ ରାଜ୍ୟର ଉତ୍କଳମଣି ଗୋପବଂଧୁ, ଜାତିର ଜନକ ମହାତ୍ମାଗାନ୍ଧି, ପୁରାଣ ଯୁଗର ମହାରଥୀ ଭୀଷ୍ମ, କର୍ଣ୍ଣ, ଅର୍ଜ୍ଜୁନ, ଓ ମହାବୀର ହନୁମାନ ପ୍ରଭୃତି ଯେଉଁ ଆଶ୍ଚର୍ଯ୍ୟଜନକ କାମ କରିଯାଇଛନ୍ତି, ସେଥିରେ ଯୁଗଯୁଗ ପାଇଁ ଯଶ ରହିଥିବ । ବିବେକାନନ୍ଦଙ୍କ କଥା ବା କ’ଣ କହିବା ? ସେ ଥିଲେ ଅଖଣ୍ଡ ବ୍ରହ୍ମଚାରୀ । ଥରେ ତାଙ୍କ ଜୀବନରେ ବୀର୍ଯ୍ୟ କ୍ଷୟ ଘଟିବା ଯୋଗୁ ବଡ଼ ମର୍ମାହତ ହୋଇ ପ୍ରାଣ ବିସର୍ଜ୍ଜନ କରିବା ପାଇଁ ଗଙ୍ଗାନଦୀ କୂଳରେ ଉପନୀତ ହୋଇଥିଲେ । କିନ୍ତୁ ମା’ କାଳୀ ତାଙ୍କ ନିକଟରେ ହଠାତ୍ ପହଞ୍ଚି ଯିବାରୁ ତାଙ୍କର ମୂଲ୍ୟବାନ ଜୀବନ ରକ୍ଷା ହୋଇଗଲା ।

ତେଣୁ ଜୀବନର ଆରମ୍ଭରେ ଛାତ୍ରାବସ୍ଥାରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ । ଏଥିରେ ଅଭ୍ୟସ୍ତ ହେଲେ ବର୍ତ୍ତମାନର ଛାତ୍ର ସମାଜ ଯେଭଳି ଉତ୍ସୃଙ୍ଖଳିତ ହୋଇପଡ଼ିଛି, ସେଥିରୁ ରକ୍ଷା ମିଳିବ ଏବଂ ଏକ ସୁନ୍ଦର ଶୃଙ୍ଖଳିତ ମାନବ ସମାଜ ଗଠିତ ହେବ ।

Image

 

ଉପସଂହାର

 

ମନୁଷ୍ୟର ଛାତ୍ରାବସ୍ଥାହିଁ ଜୀବନ ଗଠନର ପ୍ରକୃତ ସମୟ । ଏଇ ସମୟତକ ଭିତରେ ଯେ ଆଳସ୍ୟବଶତଃ ପରିଶ୍ରମ ନକରି ମାନବିକ ଗୁଣସବୁକୁ ଶରୀରରେ ଧାରଣ କରିବା ପାଇଁ ଉଦ୍ୟମ କରି ନଥାଏ, ତାର ପରବର୍ତ୍ତୀ ଜୀବନ ସୁଖମୟ ହୁଏ ନାହିଁ । ଯେ କୌଣସି ଅଭ୍ୟାସର ବଶବର୍ତ୍ତୀ ହେଲେ ସମୟ ଅନୁଯାୟୀ ସବୁ ଆପେ ଆପେ ହୋଇଯାଏ । ଯେପରି ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ ମାତ୍ରକେ ଆମେ ବହୁଦିନର ଅଭ୍ୟସ୍ତ ଯୋଗୁ ବହିଃକ୍ରିୟାରେ ଯୋଗଦାନ କରିଥାଉ ଓ ସାଇକେଲ ଚଢ଼ିବା ଅଭ୍ୟସ୍ତ ଥିଲେ ଅନ୍ୟମନସ୍କ ହେଲେ ବି ସହଜରେ ସାଇକେଲରେ ବସି ଚାଲିଯାଇ ଥାଉ ଇତ୍ୟାଦି । ଅଭ୍ୟାସ କରିବା ପାଇଁ ପ୍ରଥମେ ପ୍ରଥମେ ବଡ଼ କଷ୍ଟ ହୁଏ । କିନ୍ତୁ ପରେ ଅଭ୍ୟାସରେ ପଡ଼ିଗଲେ ଅଳ୍ପ ସମୟରେ ବହୁତ କାମ ଅନାୟାସରେ ସମାହିତ କରିହୁଏ । ତେଣୁ ଦୁନିଆରେ ଜଣେ ଭଲ ମଣିଷ ହେବାପାଇଁ ମନ ଭିତରେ ଅଭିଳାଷ ରଖି ସୁଗୁଣଗୁଡ଼ିକୁ ସର୍ବଦା ଅଭ୍ୟାସ କରିବା ଉଚିତ । ଫଳତଃ ଗୃହସ୍ଥ ଜୀବନରେ ବହୁତ କାର୍ଯ୍ୟ କରିହେବ । ଜୀବନ ସରସ ଓ ସୁନ୍ଦରମୟ ହେବ । ମନୁଷ୍ୟ ହେଲେ ବି ସର୍ବତ୍ର ପୂଜିତ ହେବ । ଯେହେତୁ ଚାଣକ୍ୟ ଲେଖିଛନ୍ତି–

 

‘‘ବିଦ୍ୱତ୍ୱଂଚ ନୃପତ୍ୱଂଚ ନୈବ ତୁଲ୍ୟମ୍‌ କଦାଚନ

ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର ପୂଜ୍ୟତେ ।’’

Image